ଆଜି ବିଶ୍ବ ପରିବେଶ ଦିବସ: ବଢ଼ୁଛି ଡେକୋରେଟିଭ୍‌ ପ୍ଲାଣ୍ଟ୍‌ର ଚହିଦା

ଭୁବନେଶ୍ବର : ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଓ ଏବେ ଏ କରୋନା ଭୂତାଣୁ, ପୂରା ମଣିଷ ସମାଜ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। ବର୍ଷ ବର୍ଷ ଧରି ପରିବେଶକୁ ଅବହେଳା ଓ ପ୍ରକୃତି ଉପରେ ଅତ୍ୟାଚାରର ଏହା ଫଳ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆଧୁନିକତା ନାମରେ ଗଛ କାଟିବା, କଳକାରଖାନା ଓ କୋଠାବାଡ଼ି (କଂକ୍ରିଟ୍‌ ଜଙ୍ଗଲ) ଗଢ଼ି ଉଠିବା ଆଦି ଯୋଗୁଁ ପରିବେଶର ସନ୍ତୁଳନ ବିଗୁଡ଼ୁଛି। କିନ୍ତୁ ଏବେ ବି ସମୟ ଅଛି, ମଣିଷ ଏହାକୁ ସଜାଡ଼ି ପାରିବ। ଅଧିକରୁ ଅଧିକ ଗଛ ଲଗାଇ ପରିବେଶର କ୍ଷତିକୁ ବହୁମାତ୍ରାରେ ପୂରଣ କରିପାରିବ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି। ତେବ‌େ ସହର‌ରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇପାରେ। ପୂର୍ବରୁ ସହରରେ ଲୋକ ସଂଖ୍ୟା କମ୍‌ ଓ ଜାଗା ଅଧିକ ଥିବାରୁ ଲୋକେ ନିଜ ଘର ଆଗରେ କିମ୍ବା ବାଡ଼ିରେ ଆମ୍ବ, ପଣସ, ସଜନା, ପିଜୁଳି ଆଦି ବିଭିନ୍ନ ପ୍ରକାର ଗଛ ଲଗାଉଥିଲେ। ଏବେ କିନ୍ତୁ ସେ ସମୟ ନାହିଁ। ଜାଗା ଅଭାବ ଯୋଗୁଁ ଲୋକଙ୍କ ପାଖରେ ଏ ପ୍ରକାର ବଡ଼ ବଡ଼ ଗଛ ଲଗାଇବାର ସୁଯୋଗ ପ୍ରାୟତଃ ନାହିଁ। ତେବେ ଏହାର ବିକଳ୍ପ ସ୍ବରୂପ ଏବେ ଇନ୍‌ଡୋର୍‌ ପ୍ଲାଣ୍ଟେସନ୍‌ ବା ଘର ଭିତରେ ବୃକ୍ଷରୋପଣ ଏହାର ସ୍ଥାନ ନେଇଛି। ଡ୍ରଇଂ ରୁମ୍‌ ହେଉ କି ବେଡ୍‌ ରୁମ୍‌ କିମ୍ବା ବାଲ୍‌କୋନି, ଛାତ; ସବୁଠି ଡେକୋରେଟିଭ୍‌ ପ୍ଲାଣ୍ଟ(ଘରସଜ୍ଜା ବୃକ୍ଷ) ଅତି ସହଜରେ ଲଗା ଯାଇପାରିବ। ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ମଧ୍ୟ ଏହା ଉପକାରୀ। ଅଳ୍ପ ସୂର୍ଯ୍ୟାଲୋକ ଓ ପାଣିରେ ବଢ଼ୁଥିବାରୁ ଏହି ଡେକୋରେଟିଭ୍‌ ପ୍ଲାଣ୍ଟର ଚାହିଦା ଏବେ ସହରବାସୀଙ୍କ ମଧ୍ୟରେ ବୃଦ୍ଧି ପାଉଛି। ଏହା ଘର ଭିତରର ବାୟୁକୁ ବିଶୁଦ୍ଧ କରିବା ସହ ଘରେ ଏକ ସକାରାତ୍ମକ ଉର୍ଜା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ।

ବାୟୁକୁ ଶୁଦ୍ଧ କରେ, ଅମ୍ଲଜାନର ମାତ୍ରା ବଢ଼ାଏ
ରାଜଧାନୀରେ ଗତ ୫ ବର୍ଷ ହେଲା ଡେକୋରେଟିଭ୍‌ ପ୍ଲାଣ୍ଟ୍‌ର ଚାହିଦା ଏକ ନୂଆ ଧାରା ସୃଷ୍ଟି କରିଛି। ବିଶେ‌ଷକରି ବେଡ୍‌ ରୁମ୍‌ରେ ରହି ବାୟୁକୁ ଶୁଦ୍ଧ କରିବା ଓ ଅମ୍ଲଜାନର ମାତ୍ରା ବୃଦ୍ଧିରେ ଏସବୁ ଗଛ ସହାୟ ହେଉଥିବାରୁ ଏହାର ଚାହିଦା କରୋନା କାଳରେ ଢେର୍‌ ବଢ଼ି ଯାଇଛି। ପରିବେଶବିତ୍‌ଙ୍କ ମତରେ, ଏ ସବୁ ବୃକ୍ଷ ଘରକୁ କେବଳ ସୁନ୍ଦର କରେ ନାହିଁ, ଏହା ବାୟୁମଣ୍ଡଳକୁ ମଧ୍ୟ ବିଶୁଦ୍ଧ କରିଥାଏ। ଜୀବାଣୁ ନାଶ କରେ ଓ ଘର ଭିତର ଅମ୍ଲଜାନର ସ୍ତର ବଢ଼ାଇଥାଏ। ଏହାସହିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକମାନେ ମଧ୍ୟ ନିଜ ଘରେ ଏହି ସବୁ ଗଛକୁ ନେଇ ସବୁଜ କରିଡର୍ ସୃଷ୍ଟି କରିପାରୁଛନ୍ତି। ଏବେ ରାଜଧାନୀର ସବୁ ନର୍ସରିରେ ନହେଲେ ବି ୮-୧୦ଟି ସ୍ୱତନ୍ତ୍ର ନର୍ସରିରେ ଏହି ଇନ୍‌ଡୋର୍‌ ପ୍ଲାଣ୍ଟ୍ ରହିଛି। ଏଥିସହ ୟୁନିଟ୍‌-୧ ହାଟରେ ଏହି ସବୁ ବୃକ୍ଷକୁ ନେଇ ଏକ ବିଶାଳ ବଜାର ବି ସୃଷ୍ଟି ହୋଇଛି।

୫୦୦ରୁ ଊର୍ଧ୍ବ ବିଦେଶୀ ବୃକ୍ଷ
ଆଲ୍‌ଗୋନାମା, ଜିଜି, ସିଲଙ୍ଗ, ଜେନାଡା, ହାଇଡ୍ରେଞ୍ଜା, ପାନ୍ଥୋରିୟମ୍‌, ସ୍ନେକ୍ ପ୍ଲାଣ୍ଟ୍‌, ବଟରଫ୍ଲାଏ, ଆଲ୍‌କୋସିଆ, ସିମ୍ବୋନିୟମ୍‌, ଫିସ୍ ଲିଲି, ରେନ୍ ଫ୍ଲାୱାର, ମିରିଣ୍ଡା, ହୋୟା ଆଦି ୫ ଶହରୁ ଅଧିକ କିସମର ଗଛ ଏବେ ନର୍ସରି ଓ ବଜାରରେ ବିକ୍ରି କରାଯାଉଛି। ଏସବୁ ଗଛର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହିସବୁ ମଧ୍ୟରୁ ଅଧିକାଂଶ ବୃକ୍ଷ ବାହାର ରାଜ୍ୟ ତଥା ଦେଶରୁ ଆମଦାନୀ ହେଉଛି। ଏହିସବୁ ଗଛକୁ ଥାଇଲାଣ୍ଡ, ପୁନେ, ବେଙ୍ଗାଲୁରୁ, ଦିଲ୍ଲୀ, ଛତିଶଗଡ଼ ଓ କୋଲକାତାରୁ ଆମଦାନୀ କରାଯାଉଛି ବୋଲି ୧ ନମ୍ବର ହାଟରେ ଦୋମାନ ଦେଇଥିବା ବଳରାମ ସାହୁ କହିଛନ୍ତି। ଏହାସହ ବହୁ ବର୍ଷର ବୋନସାଇ ଗଛ ସବୁ ୧୫ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏସବୁ ବୃକ୍ଷର ଚାହିଦା ଧୀରେଧୀରେ ବଢ଼ିବାରେ ଲାଗିଥିବାରୁ କିଛି କିଛି ଫାର୍ମ ଓ ନର୍ସରିରେ ଏ ସବୁର ଉତ୍ପାଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ସ୍ବଳ୍ପ ମାଟି, ପାଣି ଓ ପବନରେ ବଢ଼ୁଛି
ସାଧାରଣତ ଗଛ ବଢ଼ିବାକୁ ପର୍ଯ୍ୟାପ୍ତ ମାଟି, ପାଣି ଓ ପବନର ଆବଶ୍ୟକତା ରହିଥିବା ବେଳେ ଏସବୁ ଡେକୋରୋଟିଭ୍‌ ବୃକ୍ଷ ସ୍ବଳ୍ପ ମାଟି, ଆଲୋକ, ପାଣି ଓ ପବନରେ ବଢ଼ନ୍ତି ଓ ପରିବେଶକୁ ସୁସ୍ଥ ରଖନ୍ତି। ଆଳଙ୍କାରିକ ବୃକ୍ଷ ବା ଅର୍ଣ୍ଣାମେଣ୍ଟାଲ୍ ପ୍ଲାଣ୍ଟ୍‌ର ଚାହିଦା ମଧ୍ୟ ସହରିଆଙ୍କ ବେଶ୍‌ ଚାହିଦାରେ ରହିଛି। ଏହି ବିଦେଶୀ ଗଛକୁ ମାଟି ପରିବର୍ତ୍ତେ ପୋଡ଼ା କୋଇଲାରୁ ବାହାରୁଥିବା ଗୁଣ୍ଡକୁ ବ୍ୟବହାର କରି ରୋପଣ କରାଯାଏ। ଫଳରେ ବିନା ଖତ, ମାଟି ଓ ସାରରେ ଏସବୁ ବୃକ୍ଷର ରକ୍ଷଣାବେକ୍ଷଣା ସହଜ ହୁଏ। ଏଥିରେ ପାଣି ଦେବାର ଝିନ୍‌ଝଟ୍‌ ବି ନଥାଏ।

ସମ୍ବନ୍ଧିତ ଖବର