ସାମ୍ପ୍ରତିକ ସ୍ଥିତିରେ ବିଶେଷ କରି ଅର୍ଥ ଉପାର୍ଜନ ଦୃଷ୍ଟିରୁ ଆମ ଦେଶରେ ସାମାଜିକ ଇନ୍‌ଫ୍ଳୁଏନ୍ସରଙ୍କ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ‘ଅର୍ନେଷ୍ଟ ଆଣ୍ଡ୍‌ ୟଙ୍ଗ୍’ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ନିଜ ବିଷୟବସ୍ତୁ (କଣ୍ଟେଣ୍ଟ୍‌)କୁ ଉପାର୍ଜନଶୀଳ କରୁଥିବା ମୋଟ ୯.୩ ଲକ୍ଷ କଣ୍ଟେଣ୍ଟ୍‌ କ୍ରିଏଟରମାନଙ୍କ ଭିତରୁ ୧୨ ପ୍ରତିଶତରୁ ଅଧିକ ମାସିକ ଲକ୍ଷେ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ବିଗତ ଦୁଇ ବର୍ଷ ଭିତରେ ୭୭ ପ୍ରତିଶତ ଇନ୍‌ଫ୍ଳୁଏନ୍ସରଙ୍କର ମାସିକ ଆୟ ଉଲ୍ଲେଖନୀୟ ଭାବେ ବଢ଼ିଥିବା ବେଳେ ଦୁଇ ବର୍ଷ ଭିତରେ ଏହି ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ।

Advertisment

ଭାରତରେ ସମ୍ପ୍ରତି ୩୫ରୁ ୪୦ ଲକ୍ଷ ଯାଏ ଇନ୍‌ଫ୍ଲୁଏନ୍ସର ସକ୍ରିୟ ଅଛନ୍ତି। ତେବେ ସେମାନଙ୍କ ଭିତରୁ ଅନେକ କଣ୍ଟେଣ୍ଟ୍‌ କ୍ରିଏଟର ଅର୍ଥ ଉପାର୍ଜନକୁ ପାଥେୟ କରିଛନ୍ତି। ଏକ ଆକଳନ ଅନୁସାରେ ୨୦୨୬ ସୁଦ୍ଧା ଏହି ଇନ୍‌ଫ୍ଳୁଏନ୍ସର ବଜାର ବାର୍ଷିକ ୧୮ ପ୍ରତିଶତ ଅଭିବୃଦ୍ଧି ସହ ୩,୩୭୫ କୋଟି ଟଙ୍କାରେ ପହଞ୍ଚିବ। ୨୦୨୨ରେ ତାହା ୧,୫୦୦ କୋଟି ଟଙ୍କାର ରହିଥିବା ବେଳେ ଗତବର୍ଷ ୧,୮୭୫ କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ ଚଳିତବର୍ଷ ତାହା ୨,୩୪୪ କୋଟି ଟଙ୍କା ହୋଇଯିବ। ଏହି ଇନ୍‌ଫ୍ଳୁଏନ୍ସର ବା କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ଭିତରେ ଶହେରୁ ୧୦,୦୦୦ ଯାଏ ଅନୁଗାମୀ ରହିଥିବା ନାନୋ ଇନ୍‌ଫ୍ଳୁଏନ୍ସରଙ୍କ ସଂଖ୍ୟା ହିସାବକୁ ନିଆଯାଇନଥିବା ବେଳେ ଦଶ ହଜାରରୁ ଲକ୍ଷେ ଯାଏ ଅନୁଗାମୀ ଥିବା ମାଇକ୍ରୋ ଇନ୍‌ଫ୍ଳୁଏନ୍ସରଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହେବ। ସେହିପରି ଲକ୍ଷେରୁ ୧୦ ଲକ୍ଷ ଯାଏ ଅନୁଗାମୀ ଥିବା ମାକ୍ରୋ ଇନ୍‌ଫ୍ଳୁଏନ୍ସରଙ୍କ ସଂଖ୍ୟା ୯୨ ହଜାର ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଅନୁଗାମୀ ରହିଥିବା ମେଗା ଇନ୍‌ଫ୍ଳୁଏନ୍ସରଙ୍କ ସଂଖ୍ୟା ୭,୦୦୦ ହେବ।