ସାରା ବିଶ୍ବରେ ସ୍ମରଣ ଶକ୍ତି ହ୍ରାସ ରୋଗ ‘ଡିମେନ୍‌ସିଆ’ ହେଉଛି ମୃତ୍ୟୁର ସପ୍ତମ ସର୍ବାଧିକ ପ୍ରମୁଖ କାରଣ। ଏହା ବୟସ୍କ ବ୍ୟକ୍ତିମାନଙ୍କର ଅକ୍ଷମତା ଓ ନିର୍ଭରଶୀଳତାର ମଧ୍ୟ ଅନ୍ୟତମ କାରଣ। ଡିମେନ୍‌ସିଆ ଏପରି ଏକ ଅବସ୍ଥା ଯାହା ଆମର ମନେ ରଖିବା, ଚିନ୍ତା କରିବା ଓ ନିଷ୍ପତ୍ତି ନେବା କ୍ଷମତାରେ ବାଧା ଉପୁଜାଇଥାଏ। ଫଳରେ ନିଜର ଦୈନନ୍ଦିନ କାର୍ଯ୍ୟକଳାପରେ ବିଭ୍ରାଟ ଘଟିଥାଏ। ବିଶ୍ବରେ ଏବେ ସାଢ଼େ ୫ କୋଟିରୁ ଅଧିକ ବ୍ୟକ୍ତି ଡିମେନ୍‌ସିଆରେ ପୀଡ଼ିତ। ତେବେ ଏହି ରୋଗକୁ ଚିହ୍ନଟ କରିବାର ୧୨ ବର୍ଷ ଆଗରୁ ତାହାର ଲକ୍ଷଣକୁ ଦୃଷ୍ଟିଶକ୍ତି ପରୀକ୍ଷା ଦ୍ବାରା ଠଉରେଇ ହେବ ବୋଲି ଇଂଲାଣ୍ଡର ଲଫ୍‌ବରୋ ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିପାରିଛନ୍ତି।

Advertisment

ଗବେଷକମାନେ ୮,୬୨୩ ଜଣ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଦୀର୍ଘ ବର୍ଷ ଧରି ନିରୀକ୍ଷଣ କରିଥିଲେ। ଅନୁଧ୍ୟାନ ଶେଷକୁ ୫୩୭ ଜଣଙ୍କର ଡିମେନ୍‌ସିଆ ହୋଇଥିବା ଜଣାପଡ଼ିଥିଲା। ତେବେ ସେମାନଙ୍କ ଠାରେ ୧୨ ବର୍ଷ ଆଗରୁ ଦୃଷ୍ଟି ସମସ୍ୟା ଆରମ୍ଭ ହୋଇଥିବା ଜାଣିବାକୁ ମିଳିଥିଲା। ସ୍ମୃତି ସମସ୍ୟାର ପ୍ରାରମ୍ଭିକ ଲକ୍ଷଣ ସବୁବେଳେ ଭୁଲିଯିବା ସହିତ ଜଡ଼ିତ ହୋଇ ନପାରେ, ମାତ୍ର ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ସହ ତାହା ସଂପୃକ୍ତ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ଅଲଝାଇମର୍ସ ରୋଗରେ ନ୍ୟୁରନ୍‌ମାନଙ୍କ ମଝିରେ ଜମାଟ ବାନ୍ଧୁଥିବା ବିଷାକ୍ତ ଆମିଲଏଡ୍‌ ପ୍ଲାକ୍‌ଗୁଡ଼ିକ ପ୍ରଥମେ ଦୃଷ୍ଟିଶକ୍ତି ସହ ସଂଯୁକ୍ତ ମସ୍ତିଷ୍କର କିଛି ଅଂଶକୁ ପ୍ରଭାବିତ କରିଥା’ନ୍ତି। ତେଣୁ ଗବେଷକମାନଙ୍କ କହିବାନୁସାରେ, ଜଣେ ପୀଡ଼ିତର ସ୍ମୃତି ପରୀକ୍ଷା କରାଇବା ପୂର୍ବରୁ ଦୃଷ୍ଟିଶକ୍ତି ପରୀକ୍ଷା ଦ୍ବାରା ସେହି ଅବନତି ବା ଅଭାବ ସମ୍ପର୍କରେ ଜାଣିହେବ।