ଜାଣନ୍ତୁ କରୋନା ଟିକା ନେବା ପରେ କି ପ୍ରକାର ଅନୁଭୂତି ହୋଇଥିଲା ମଞ୍ଜୁନାଥଙ୍କର, ଅଭିଜ୍ଞତା ବଖାଣିଲେ କର୍ଣ୍ଣାଟକର ଏହି ସ୍ବେଚ୍ଛାସେବୀ

ବେଲଗମ୍‌: ମହାମାରୀ କ‌ରୋନା ଭାଇରସ୍‌ର ମୁକାବିଲା ପାଇଁ ଟିକାର ଯେ କେତେ ଗୁରତ୍ବ ରହିଛି ତାହା ପ୍ରାୟ ସମସ୍ତେ ଜାଣନ୍ତି। କରୋନା ସଂକଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ମନସ୍ଥିର କରି ଟିକା ନେବାକୁ ଆଗେଇ ଆସଥିବା କର୍ଣ୍ଣାଟକର ଜଣେ ସ୍ବେଚ୍ଛାସେବୀ ନିଜର ଅଭିଜ୍ଞତାଙ୍କୁ ବାଣ୍ଟିଛନ୍ତି। ସେ ହେଉଛନ୍ତି ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ। ତାଙ୍କୁ ବୟସ ୪୧ ବର୍ଷ। ବେଲ୍‌ଗମର ଏହି ବାସିନ୍ଦା ଜଣକ ଦିନକୁ ୩ ପ୍ରକାର କାମରେ ନିଜକୁ ବ୍ୟସ୍ତ ରଖିଥାନ୍ତି। ସକାଳୁ ଅଫିସ୍ ଆସିଷ୍ଟାଣ୍ଟ୍‌ ଭାବେ କାମ କରୁଥିବା ବେଳେ ସଂଧ୍ୟାରେ ସେ ଏକ ପାର୍ଟ-ଟାଇମ୍‌-ଜବ୍‌ କରନ୍ତି ଓ ରାତିରେ ଏକ ଅଟୋରେ ରୋଗୀମାନଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ପହଞ୍ଚାଇ ଥାଆନ୍ତି।

ଫଟୋ ସୌଜନ୍ୟ: ବେଟର ଇଣ୍ଡିଆ

ସେ ତାଙ୍କ ଟିକା ନେବାର ଅଭିଜ୍ଞତା ସଂପର୍କରେ ପ୍ରକାଶ କରି କୁହନ୍ତି, ‘କରୋନାରେ ମୋ ବାପାଙ୍କ ଦେହାନ୍ତ ହେବା ପରେ ମୁଁ ମହାମାରୀ କରୋନା ମୁକାବିଲାରେ ଲୋକଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ନିଜକୁ ସାମିଲ୍‌ କରିବା ପାଇଁ ମନେ ମନେ ପ୍ରସ୍ତୁତ ହେଉଥାଏ। ସେହି ସମୟରେ ଭାରତ ବାୟୋଟେକ୍‌ର ଏକ ବିଜ୍ଞାପନ ମୁଁ ଖବରକାଗଜରେ ଦେଖିଲି। ଟିକା ନେବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଆହ୍ବାନ କରାଯାଇଥିଲା। ୨୦୨୦ ମସିହା ଅଗଷ୍ଟ ମାସ‌ରେ ବାହାରିଥିବା ଏହି ବିଜ୍ଞାପନ ଦେଖି ଟିକା ପାଇଁ ଯାଉଥିବା ସ୍ବେଚ୍ଛାସେବୀମାନଙ୍କର ଏକ ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା କରାଯାଉଥିଲା। ନିୟମ ଅନୁସାରେ ମୁଁ ମଧ୍ୟ ମୋର ରକ୍ତ, ମୁତ୍ର, ସ୍ବାବ ନମୁନା ପରୀକ୍ଷା ପାଇଁ ଦେଇଥିଲି। ମୋ ରକ୍ତରେ ଶର୍କରାସ୍ତର ବେଶି ଥିବାରୁ ପ୍ରଥମେ ମେ‌ାତେ ଟିକା ନେବାକୁ ମନା କରାଗଲା। ମୁଁ ମୋର ଖାଦ୍ୟପେୟରେ ସତର୍କତା ଅବଲମ୍ବନ କରିବ‌ା ସହ ନିୟମିତ ଚଲାବୁଲା କରି ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିଲି। କାରଣ ମୋତେ ଜଣାଥିଲା ପୁଣି ଥରେ ଟିକା ପାଇଁ ସ୍ବେଚ୍ଛାସେବୀ ଆବଶ୍ୟକ ପଡ଼ିବେ। ସେୟା ହିଁ ହେଲା, ଦ୍ବିତୀୟ ଥରରେ ମୁଁ ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇ ସେପ୍ଟେମ୍ବର ୯ ତାରିଖରେ ଟିକା ନେଲି। ଟିକା ନେବା ପରେ ପ୍ରଥମ ଦିନ ମୋତେ ଖୁବ୍ ଭୋକ ଲାଗିଲା। ମାତ୍ର ପରଦିନ ପୁଣି ପୂର୍ବ ପରି ସ୍ବାଭାବିକ ଅନୁଭବ ହେଲା।’ ଏଥିସହ ସେ କହିଛନ୍ତି କି ଟିକା ନେବା ପରେ ତାଙ୍କ ଶରୀର କୁଣ୍ଡାଇ ହେବା ଅଥବା ଶରୀରର କୌଣସି ସ୍ଥାନ ଫୁଲିଯିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହି।

ଇତିମଧ୍ୟରେ ସେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୋନା ଟିକାର ଦ୍ବିତୀୟ ଖୋରାକ ମଧ୍ୟ ନେଇସାରିଛନ୍ତି। ଗତ ଅକ୍ଟୋବର ୬ ତାରିଖରେ ଟିକାର ଦ୍ବିତୀୟ ଖୋରାକ ତାଙ୍କୁ ଦିଆଯାଇଥିଲା।ଏଥର ତାଙ୍କୁ ଅତିଶୟ ଭୋକ ଲାଗି ନ ଥିଲା କିମ୍ବା ଅନ୍ୟ କୌଣସି ଶାରୀରିକ ସମସ୍ୟା ଦେଖା ଦେଇ ନ ଥିଲାବୋଲି ସ୍ବେଚ୍ଛାସେବୀ ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ କହିଛନ୍ତି।

ସମ୍ବନ୍ଧିତ ଖବର