ପ୍ରଚଳିତ ସିଦ୍ଧାନ୍ତ ଅନୁସାରେ ଆମର ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୂଟନୀତିଜ୍ଞ ଓ ଅମଲା ବା ଅଫିସରମାନଙ୍କର ଭୂମିକା ଅଲଗା ଅଲଗା ଭାବରେ ନିର୍ଦ୍ଦିଷ୍ଟ କରାଯାଇଛି। ଅଫିସରମାନେ ବିଭିନ୍ନ (ଶାସନ ସମବାୟ) ବିଷୟ ଅନୁଧ୍ୟାନ କରି ଶାସନଗତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଅନ୍ୟତର ବା ଅନୁକ୍ରମିକ ପଦକ୍ଷେପର ଉପକାରିତା ଆଲୋଚନା କରିବେ ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପଯୁକ୍ତ ନୀତି ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ପରାମର୍ଶ ଦେବେ। ତା’ପରେ ମନ୍ତ୍ରୀ ବା ରାଜନୈତିକ ସ୍ତରରେ ହୋଇଥିବା ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବେ। ଜନସାଧାରଣଙ୍କ ସହ ମନ୍ତ୍ରୀ, ଏମ୍‌.ଏଲ୍‌.ଏ, ଏମ୍‌.ପି ଓ ଅନ୍ୟ ରାଜନୀତିଜ୍ଞମାନଙ୍କର ସମ୍ପର୍କ ରହିବ ଓ ଅଧିକାରୀ ବା ଅଫିସରମାନେ ସେମାନଙ୍କର ବୁଦ୍ଧିମତା, ଅଭିଜ୍ଞତା ଓ ପେଷା ସଂକ୍ରାନ୍ତୀୟ ଜ୍ଞାନ ଯୋଗାଇ, ଅପ୍ରକାଶିତ ଭାବରେ ମନ୍ତ୍ରୀମାନଙ୍କୁ ସାହାଯ୍ୟ କରିବେ।

Advertisment

ଯେହେତୁ ଶାସନରେ ଲୋକଙ୍କ ପ୍ରତିନିଧି ଭାବରେ ମନ୍ତ୍ରୀମାନେ ଓ ଉଚ୍ଚପଦବିରେ ଥିବା (ବା ସିନିୟର) ଅଫିସରମାନେ ସହଯୋଗୀ ଭାବରେ କାର୍ଯ୍ୟ କରିଥାଆନ୍ତି, କେତେକ ସମୟର ସେମାନଙ୍କର ଭୂମିକାରେ ମିଳାମିଶା (overlapping) ‌‌ହେବା ସ୍ବାଭାବିକ। ବି‌େଶଷ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସହ (ବ‌ା ସେମାନଙ୍କ ଅଫିସରେ) କାମ କରୁଥିବା ସିନିୟର ଅଫିସରମାନଙ୍କୁ ଉତ୍ତମ ଶାସନ ପାଇଁ ପରାମର୍ଶ ଦେବା ବ୍ୟତୀତ ସମୟ ସମୟରେ ରାଜନୈତିକ ଦୃଷ୍ଟିକୋଣରୁ ବା ରାଜନୀତି ସହ ସଂଶ୍ଳିଷ୍ଟ ବିଷୟରେ ପରାମର୍ଶ ଦେବାର ଆବଶ୍ୟକତା ମଧ୍ୟ ପଡ଼ିଥାଏ। କାରଣ, ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ରାଜନୀତିଜ୍ଞମାନେ ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ ଉପରେ ପ୍ରାୟ ଏକାନ୍ତରେ ନିଷ୍ପତ୍ତି ନେଇଥାଆନ୍ତି। ଯଦିଓ ସେମାନଙ୍କୁ ଅନ୍ୟ ରାଜନୀତିଜ୍ଞ ଏବଂ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ଠାରୁ ଓ ବିଭାଗୀୟ କର୍ମଚାରୀମାନଙ୍କ ଠାରୁ ପରାମର୍ଶ ମିଳିଥାଏ, ନିଷ୍ପତ୍ତି ନେବା ସମୟରେ ସେମାନଙ୍କ ନିଜ ଅଫିସର ଉଚ୍ଚପଦସ୍ଥ ଅଫିସରମାନେ ହିଁ ତାଙ୍କ ପାଖରେ ଥାଆନ୍ତି। ତା’ଛଡ଼ା କିଛିଦିନ କାମ କଲାପରେ ଏହି ଅଫିସରମାନଙ୍କର ପାରଦର୍ଶିତା, ଅଭିଜ୍ଞତା ତଥା ଜ୍ଞାନ ସମ୍ବନ୍ଧରେ ଅନୁକୂଳ ଧାରଣା ହେବା ସ୍ବାଭାବିକ। କେତେକ (କ୍ବଚିତ) କ୍ଷେତ୍ରରେ, ବିଶେଷ କରି ରାଜ୍ୟ ସରକାରଙ୍କ ସ୍ତରରେ, ନିର୍ଦ୍ଦିଷ୍ଟ ରାଜନୀତିଜ୍ଞ ଥାଆନ୍ତି ଯେଉଁମାନେ ଶାସନ ସମ୍ବନ୍ଧୀୟ ସମସ୍ୟା ସମୂହର ଜଟିଳତା ପ୍ରତି ଉଦାସୀନ ରହି ବା ଏହି ସବୁ (ଜଟିଳ) ସମସ୍ୟା ଉପରେ ମୁଣ୍ଡ ନ ଖେଳାଇ ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ସେମାନଙ୍କ ଅଫିସରେ କାମ କରୁଥିବା ସିନିୟର ଅଫିସରମାନଙ୍କୁ କ୍ଷମତା ବା ଭାର ଅର୍ପଣ କରି ଦେଇଥାଆନ୍ତି।

ଏହା ଗଣତାନ୍ତ୍ରିକ ଶାସନ ପଦ୍ଧତିର ଏକ ଗୁରୁତର ବ୍ୟତିକ୍ରମ, ମାତ୍ର ଏହାର ପ୍ରତିକାର କେବଳ ରାଜନୈତିକ ସ୍ତରରେ ହିଁ କରାଯାଇ ପାରିବ। ଯାହାହେଉ ନା କାହିଁକି, ବିଭିନ୍ନ ପରିସ୍ଥିତିରେ ସିନିୟର ଅଫିସରମାନଙ୍କୁ ଉଭୟ ପ୍ରଶାସନିକ ଓ ରାଜନୈତିକ ସମସ୍ୟା ଉପରେ ପରାମର୍ଶ ଦେବା ସାଙ୍ଗକୁ ତତ୍‌ଜନିତ ଦାୟିତ୍ବ ତୁଲାଇବାକୁ ପଡ଼େ। ଏହି ପ୍ରକାରର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉଚ୍ଚ ପଦବିରେ କାମ କରୁଥିବା ଅଫିସରମାନଙ୍କର ଦୃଷ୍ଟିକୋଣ, ମନୋଭାବ ଓ ବ୍ୟବହାର କ’ଣ ହେବା ଉଚିତ ତାହା ଆଲୋଚନାସାପେକ୍ଷ, କାରଣ ଏହା ଆମର ଗଣତାନ୍ତ୍ରିକ ଶାସନ ପ୍ରଣାଳୀର ସଫଳତା ଉପରେ ଓତଃପ୍ରୋତ ଭାବରେ ଜଡ଼ିତ।

ଭାରତର ସଂବିଧାନ ସ୍ବୀକୃତ ଶାସନ ପ୍ରଣାଳୀରେ ଦୁଇଟି ମୂଳ ସ୍ତମ୍ଭ ହେଲା- ମନ୍ତ୍ରୀ ପରିଷଦ(ଓ ମନ୍ତ୍ରୀ) ଯାହା ନିର୍ବାଚିତ ସଂସଦ ବା ବିଧାନ ପରିଷଦକୁ ଦାୟୀ ହୁଏ; ଏବଂ ସ୍ଥାୟୀ ଅମଲାତନ୍ତ୍ର ଯାହାର ମୂଳ ଲକ୍ଷଣ ହେଲା ରାଜନୈତିକ ନିରପେକ୍ଷତା। ଉଚ୍ଚପଦସ୍ଥ ବା ସିନିୟର ଅଫିସରମାନେ ମନ୍ତ୍ରୀମାନଙ୍କୁ ବା ମନ୍ତ୍ରୀ ପରିଷଦକୁ ଯାହା ପରାମର୍ଶ ଦେ‌େବ, ତାହାର ଅଫିସର ଫାଇଲ ଓ ଅନ୍ୟାନ୍ୟ କାଗଜପତ୍ର ବା ବ୍ୟକ୍ତିଗତ ଚର୍ଚ୍ଚା ଦ୍ବାରା ଦେବେ, ପ୍ରକାଶ୍ୟରେ ନୁହେଁ। ସେମାନଙ୍କ ପରାମର୍ଶ ଉପରେ ଯାହା ନିଷ୍ପତ୍ତି ନିଆଯିବ, ସେଥିପାଇଁ ମନ୍ତ୍ରୀମାନେ ହିଁ ଦାୟୀ ହେବେ। ସାଧାରଣତଃ ବିଧାନ ପରିଷଦମାନଙ୍କରେ, ଖବର କାଗଜରେ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ତରରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ସରକାରଙ୍କର ନିଷ୍ପତ୍ତି, ନୀତି ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରଶ୍ନ କରାଯାଏ ଓ ସେମାନେ ତାହାର ଦାୟିତ୍ବ ନିଅନ୍ତି। ଦରକାର ପଡ଼ିଲେ ସମ୍ପୃକ୍ତ ଅଫିସରମାନଙ୍କୁ ସୁରକ୍ଷା ବା ସମର୍ଥନ କରିବା ମନ୍ତ୍ରୀମାନଙ୍କର ଦାୟିତ୍ବ।

ଏ ପରିପ୍ରେକ୍ଷୀରେ, ନିୟମିତ ଭାବରେ ଜନସମ୍ପର୍କ ରଖିବା ଓ ଲୋକଙ୍କ ଅଭିଯୋଗ ଶୁଣି ଉପଯୁକ୍ତ ପଦକ୍ଷେପ ‌େନବା ମନ୍ତ୍ରୀ ଓ ଅନ୍ୟ ରାଜନୀତିଜ୍ଞ (ଏମ୍‌.ଏଲ୍‌.ଏ, ଏମ୍‌.ପି)ମାନଙ୍କର ଦାୟିତ୍ବ, ଅଫିସରମାନଙ୍କର ନୁହେଁ। ଅବଶ୍ୟ ଅଫିସର ଜଣକ ଯଦି ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ, ତାହା ହେଲେ କଲେକ୍ଟର ବା ଅନ୍ୟ ପଦବିରେ ଥିବା ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାର ଲୋକ ବା ଲୋକ ପ୍ରତିନିଧିମାନଙ୍କ ସହ ସମ୍ପର୍କ ରଖି ଜିଲ୍ଲାର ଉନ୍ନୟନ ସମସ୍ୟା, ଆଇନ କାନୁନ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେଇପାରନ୍ତି। ଏହି ସ୍ଥଳରେ ମଧ୍ୟ ଦଳୀୟ ରାଜନୀତିର ସ୍ଥାନ ନ ଥାଏ। ଶାସନ ପ୍ରଣାଳୀର ଉପର ଲିଖିତ ଶୃଙ୍ଖଳା ଓ ନିୟମ ବା‌ ଆଦର୍ଶ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ନିଜ ଅଫିସରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କ ପ୍ରତି ବିଶେଷ ଭାବରେ ପ୍ରଯୁଜ୍ୟ ହେବା ଯୁକ୍ତିଯୁକ୍ତ। କାରଣ, ଆମର ରାଜନୀତି ଓ ଶାସନରେ ଏହି ବରିଷ୍ଠ ରାଜନୀତିଜ୍ଞମାନେ ବିଶେଷ କ୍ଷମତାଶାଳୀ ଓ ପ୍ରଭାବଶାଳୀ ହୋଇଥାଆନ୍ତି। ଅନେକ ସମୟରେ ସେମାନଙ୍କ ସାଙ୍ଗରେ କାମ କରୁଥିବା ଅଫିସରମାନେ ସେମାନଙ୍କର ସହଯୋଗୀ ଅଫିସର, ଏପରିକି ଅନ୍ୟ ରାଜନୀତିଜ୍ଞମାନଙ୍କ ଉପରେ ଅସମକକ୍ଷ ଅନୁଚିତ ଚାପ ଦେବା ଦେଖାଯାଇଥାଏ।

ବରିଷ୍ଠ ମନ୍ତ୍ରୀମାନଙ୍କ ଅଫିସରେ କାମ କରୁଥିବା ଅଫିସରମାନଙ୍କର ପ୍ରଧାନ କର୍ତ୍ତବ୍ୟ ହେଲା ସେମାନଙ୍କର ନିଜ ନିଜର ଉପରିସ୍ଥ କର୍ତ୍ତାମାନଙ୍କୁ ସାହାଯ୍ୟ କରିବା। ପ୍ରତ୍ୟେକ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଦେଶ ବା ରାଜ୍ୟକୁ ସୁଶାସନ ଦେବା। ଅମଲାତନ୍ତ୍ରର ନିରପେକ୍ଷତା ଏହି ଲକ୍ଷ୍ୟ ହାସଲ କରିବାରେ ବିଶେଷ ସହାୟକ ହୁଏ। ନିରପେକ୍ଷତା ବଜାୟ ରଖିବା ପାଇଁ ଯେଉଁ ଗୁଣଗୁଡ଼ିକ ଆବଶ୍ୟକ, ସେଗୁଡ଼ିକ ହେଲା- ସ୍ବାଧୀନ ଚିନ୍ତାଧାରୀ କାର୍ଯ୍ୟକଳାପ, ନିରପେକ୍ଷ ପରାମର୍ଶ ଦେବାର ପ୍ରବୃତ୍ତି ଓ କ୍ଷମତାରେ ଥିବା ବ୍ୟକ୍ତିମାନଙ୍କୁ ସତ କହିବାର ସାହସ (speaking truth to power)। ଏହି ସବୁ ଗୁଣ ସହ କେତେଟି ବ୍ୟକ୍ତିଗତ ମୂଲ୍ୟବୋଧ ମଧ୍ୟ ସଂଯୋଜିତ ଥାଏ। ସେଗୁଡ଼ିକ ହେଲା, (ଅଫିସରମାନଙ୍କର) ଆତ୍ମସମ୍ମାନ, ସାଧୁତା ଓ ନ୍ୟାୟପରାୟଣତା, ମର୍ଯ୍ୟାଦା ଓ ‌େପସାଜନିତ ଆତ୍ମାଭିମାନ। ଏହି ସମସ୍ତ ଗୁଣ ଓ ମୂଲ୍ୟବୋଧଗୁଡ଼ିକର ସଂଯୋଗରେ ଦେଶର ଶାସନରେ ଉନ୍ନତି ହୋଇଥାଏ ଓ ଲୋକେ ତଥା ଆମର ସମାଜ ଉପକୃତ ହୋଇଥାଆନ୍ତି।

(ଲେଖକ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ, ଭାରତ ସରକାରଙ୍କର ଶିଳ୍ପ ସଚିବ ଓ ଭିଏନା-ସ୍ଥିତ ଜାତିସଂଘ ଶିଳ୍ପ ଉନ୍ନୟନ ସଂସ୍ଥା (UNIDO)ର ‌ମ୍ୟାନେଜିଂ ଡାଇରେକ୍‌ଟର ରୂପେ କାର୍ଯ୍ୟ କରିଥିଲେ।)