ଦେଶର ଅଧିକାଂଶ ସ୍ଥାନରେ ବସ୍ରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷିତ ଥାଏ। ଦିଲ୍ଲୀ, କର୍ଣ୍ଣାଟକରେ ତ ମହିଳାଙ୍କ ପାଇଁ ମାଗଣା ଯାତ୍ରାର ସୁବିଧା ରହିଛି। ଏହି ଯୋଜନାର ଲାଭ ଉଠାଇ ଚଳିତ ମାସ କର୍ଣ୍ଣାଟକରେ ରେକର୍ଡ ସଂଖ୍ୟକ ମହିଳା ଯାତ୍ରୀ ହୋଇଛନ୍ତି। ଏପରିକି ବର୍ତ୍ତମାନ ମହିଳାମାନେ ବସ୍ ଚାଳକ ହୋଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଗନ୍ତବ୍ୟପଥକୁ ନେଇ ଯାଉଛନ୍ତି। ଏହାସତ୍ତ୍ବେ କୌଣସି ବସ୍ରେ ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ଗ୍ରହଣ କରାଯାଏ ନାହିଁ।
ଭୁବନେଶ୍ବରରୁ ମାଲକାନଗିରି ଯିବା ପାଇଁ ତରବର ହୋଇ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍କୁ ଚଢିବା ପାଇଁ ସ୍ବାତୀ ଉଦ୍ୟମ କରୁଥିବାବେଳେ କଣ୍ଡକ୍ଟର ଅଚାନକ ଦୌଡ଼ିଆସି ବସ୍ରେ ଚଢ଼ିବାକୁ ବାରଣ କରିଥିଲେ। ସ୍ବାତୀ ଟିକେଟ ଦେଖାଇଥିଲେ ମଧ୍ୟ କଣ୍ଡକ୍ଟର ଅତି ବିନମ୍ର ଭାବରେ କହିଲେ, ଆପଣ କିଛି ସମୟ ଅପେକ୍ଷା କରନ୍ତୁ ମୁଁ ଡାକିଦେବି। ସେତେବେଳକୁ ବସ୍ ଚାଲିବାର ସମୟ ହୋଇନଥାଏ। ବସ୍ରେ କେହି ଯାତ୍ରୀ ମଧ୍ୟ ନ ଥାଆନ୍ତି। ସ୍ବାତୀ ଚଢ଼ିଥିଲେ ମାଲକାନଗିରି ଯାତ୍ରା ପାଇଁ ସେ ସେଦିନର ସେହି ବସ୍ର ପ୍ରଥମ ଯାତ୍ରୀ ହୋଇଥା’ନ୍ତେ। ତେଣୁ ସେ ମଧ୍ୟ ଯୁକ୍ତି ନକରି ବାଧ୍ୟହୋଇ ଗୋଟେ ପାଖରେ ଛିଡ଼ା ହୋଇ ରହିଲେ। ପ୍ରାୟ ୫ମିନିଟ୍ ଅପେକ୍ଷା ପରେ ଜଣେ ପୁରୁଷ ଯାତ୍ରୀ ବସ୍ ଚଢିବା ପରେ କଣ୍ଡକ୍ଟର ସ୍ବାତୀଙ୍କୁ ବସ୍ରେ ଚଢିବାକୁ କହିଥିଲେ। କେବଳ ସ୍ବାତୀଙ୍କ କ୍ଷେତ୍ରରେ ନୁହେଁ, ନିୟମିତ ବସ୍ ଯାତ୍ରା କରୁଥିବା ଅନେକ ମହିଳା ଏଭଳି ଅପମାନଜନକ ସ୍ଥିତିର ସମ୍ମୁଖୀନ ହୁଅନ୍ତି।
ବସ୍ ମାଲିକ ଦେବାଶିଷ ନାଏକଙ୍କ ଅନୁସାରେ, ବସ୍ ଯାତ୍ରାରେ ମହିଳା ପ୍ରଥମ ଯାତ୍ରୀ ହେଲେ ଅଘଟଣ ହୁଏ। ବସ୍ କର୍ମଚାରୀଙ୍କ ଏହି ଅନ୍ଧବିଶ୍ବାସ ଯୋଗୁ ବସ୍ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢ଼ାଇ ଦିଆଯାଏ ନାହିଁ। ଶ୍ରୀ ନାଏକଙ୍କ ଅନୁସାରେ, କେବେଠାରୁ ଏବଂ କାହିଁକି ଏଭଳି ଅନ୍ଧବିଶ୍ବାସ ବସ୍ ମାଲିକ ଏବଂ କର୍ମଚାରୀଙ୍କ ମଧ୍ୟରେ ରହିଛି ସେ ଜାଣନ୍ତି କାହିଁ। ମହିଳା ପ୍ରଥମ ଯାତ୍ରୀ ହୋଇଥିବାରୁ କୌଣସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ମଧ୍ୟ ସେ କହିପାରିବେ ନାହିଁ। କିନ୍ତୁ କାହିଁ କେତେ ବର୍ଷ ହେଲା ଏହି ପରମ୍ପରା ଚଳି ଆସୁଛି। ବରଂ ବସ୍ ଚଳାଚଳ କ୍ଷେତ୍ରରେ ଏହା ଏକ ଅଲିଖିତ ନିୟମ ହୋଇସାରିଛି। ଯାହାକୁ ସେ ମଧ୍ୟ ବିଶ୍ବାସ କରନ୍ତି ନାହିଁ। ନିୟମିତ ବସ୍ ଯାତ୍ରା କରୁଥିବା ଅନେକ ମହିଳା ଏହାକୁ ଗ୍ରହଣ କରିନେଇଛନ୍ତି।
କଟକରୁ ସମ୍ବଲପୁର ଯାଉଥିବା ଦୀପ୍ତି ନାଏକ, ପ୍ରଥମେ ଯାତ୍ରୀ ଭାବରେ ଯେତେବେଳେ ବସ୍ରେ ଚଢ଼ିବାକୁ ଉଦ୍ୟମ କଲେ ତାଙ୍କୁ ବାରଣ କରାଯିବାରୁ ସେ ଏହାର ବିରୋଧ କରିଥିଲେ। ଏହାକୁ ନେଇ କଣ୍ଡକ୍ଟର ଏବଂ ଦୀପ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଦୀପ୍ତିଙ୍କୁ ଟିକେଟ ଫେରାଇ ଦେବାପାଇଁ ମଧ୍ୟ କଣ୍ଡକ୍ଟର କହିଥିଲେ। ନିୟମିତ ଯାତ୍ରା କରୁଥିବା ଶରଣ୍ୟାଙ୍କ ଅନୁସାରେ, ସେ ପ୍ରାୟ ପ୍ରତିମାସରେ ବସ୍ରେ ଯାତ୍ରା କରନ୍ତି। ସବୁ ବସ୍ରେ ଏଭଳି ଅନ୍ଧବିଶ୍ବାସର ସମ୍ମୁଖୀନ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ସୁଶ୍ରୀ ଟ୍ରାଭେଲ୍ସ ଭଳି ଅନେକ ବସ୍ ମହିଳାଙ୍କ ନାମରେ ଥାଏ। ବସ୍ ଭିତରେ ଦେବୀଙ୍କ ଚିତ୍ର ଥାଏ। ଯାତ୍ରାବେଳେ ପ୍ରତି ସ୍ଥାନରେ ପ୍ରାୟ ଦେବୀ ମନ୍ଦିର କିମ୍ବା ଦେବୀପୀଠ ଥାଏ। ସୁରକ୍ଷିତ ଯାତ୍ରା ପାଇଁ ବସ୍ କର୍ମଚାରୀମାନେ ସେଠାରେ ମୁଣ୍ଡ ନୁଆଁଇ ପ୍ରାର୍ଥନା କରନ୍ତି। କିନ୍ତୁ ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ନିଆଯାଏ ନାହିଁ। ଏପରିକି ଅନେକ ପରିବାରରେ କାର୍ ଯାତ୍ରା ବେଳେ ବି ଘରର ମହିଳାଙ୍କୁ ପ୍ରଥମ ପ୍ରବେଶ ପାଇଁ ବାରଣ କରାଯାଏ। ସାମାଜିକ କାର୍ଯ୍ୟକର୍ତ୍ତା ଘାସିରାମ ପଣ୍ଡା କହିଛନ୍ତି, ମହିଳାଙ୍କ ବିରୋଧରେ ଥିବା ଏଭଳି ଅନ୍ଧବିଶ୍ବାସ ନେଇ ସେ ମହିଳା କମିସନଙ୍କ ସହିତ ଆଲୋଚନା କରିଛନ୍ତି। କୌଣସି ମହିଳା ଯାତ୍ରୀ ଅଭିଯୋଗ କଲେ କମିସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ଦିଆଯାଇଛି। ସଡ଼କ ଦୁର୍ଘଟଣାରେ ଦେଶରେ ଯେତେ ଜୀବନ ଯାଏ କୌଣସି ଦଙ୍ଗା କିମ୍ବା ଅପରାଧ ମଧ୍ୟ ସେତେ ସଂଖ୍ୟକ ଅମୂଲ୍ୟ ଜୀବନ ନିଏ ନାହିଁ। ପ୍ରତିବର୍ଷ କେତେ ଯେ ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ତା’ର ଠିକଣା ନାହିଁ। ତା’ ପଛରେ କୌଣସି ମହିଳା ବି ନ ଥା’ନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମହିଳାମାନଙ୍କୁ ପ୍ରଥମ ଯାତ୍ରୀ ଭାବରେ ଗ୍ରହଣ ନ କରିବାର ମାନସିକତା ମଧ୍ୟ ଦୂର ହେଉନାହିଁ।