ଭୁବନେଶ୍ବର: ହାତରେ ବୁମ୍, ମୁହଁରେ ପ୍ରଶ୍ନ… ଯେମିତି ସାମ୍ବାଦିକମାନେ ନେତାଙ୍କୁ ପ୍ରଶ୍ନ କରି ତାଙ୍କର ପ୍ରତିକ୍ରିୟା ନିଅନ୍ତି ପୂରା ସେହି ଅନ୍ଦାଜରେ, ସେହି ସମାନ ଶୈଳୀରେ ମୁହଁରେ ସ୍ମିତହାସ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପ୍ରଶ୍ନ କରୁଥିଲେ…???
ଆପଣ ଭାବୁଥିବେ କିଏ ?? ସାମ୍ବାଦିକ ବନ୍ଧୁମାନେ ତ…??? ନା ଆଜ୍ଞା ! ପ୍ରଭାତୀ ପରିଡ଼ାଙ୍କୁ ପ୍ରଶ୍ନ ସାମ୍ବାଦିକମାନେ ନୁହେଁ ବରଂ ପ୍ରଶ୍ନ କରି ପ୍ରତିକ୍ରିୟା ନେଉଥିଲେ ଓଡିଶାର ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି ବିଧାନସଭା ପରିସରରେ ବୃକ୍ଷ ରୋପଣ ବେଳେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଏମିତି ଏକ ମାହୋଲ ପରେ ଗଣମାଧ୍ୟମର ଶିରୋନାମା ସାଜି ଚର୍ଚ୍ଚାରେ ରହିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହଦେଓ ।
ଖବର ସରବରାହ ସଂସ୍ଥା ଏଏନଆଇର ବୁମ୍ ଧରି ପ୍ରଭାତୀ ପରିଡାଙ୍କୁ କେଭି ସିଂହଦେଓ ପଚାରୁଛନ୍ତି- ବିଧାନସଭା ପରିସରରେ ଆଜି ଯେଉଁ ଚନ୍ଦନ ଗଛ ଲଗାଯାଉଛି… ଏହି ଚନ୍ଦନ ଗଛକୁ ନେଇ ଆପଣ କଣ ବାର୍ତ୍ତା ଦେବେ… ?
ଉପମୁଖ୍ୟମନ୍ତ୍ରୀ କେଭିଙ୍କ ଏ ସାମ୍ବାଦିକ ରୂପ ଦେଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମେ ଟିକେ ଆଶ୍ଚର୍ଯ୍ଯ ହେବା ସହ କୌତୁହଳର ସହ ତାଙ୍କୁ ଏବଂ କ୍ୟାମେରାକୁ ଦେଖୁଛନ୍ତି । ଆଉ କେଭି ସେଠି ସାଙ୍ଗେ ସାଙ୍ଗେ କହୁଛନ୍ତି- ଏହା ଏକ ହିନ୍ଦୀ ଚାନେଲ, ହିନ୍ଦୀରେ କୁହନ୍ତୁ… ବାସ୍ ତାପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ହସି ହସି ପ୍ରତିକ୍ରିୟା ଦେଉଛନ୍ତି…
ବିଧାନସଭା ପରିସରରୁ ସାମ୍ନାକୁ ଆସିଥିବା ମଜାଦାର ଦୃଶ୍ୟ ସମସ୍ତଙ୍କ ଖୁସି ଦେଇଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ବିଧାନସଭା ପରିସରରେ ରୋଚକ ଦୃଶ୍ୟ… ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ… ଏହା ରାଜନୀତିର ଖବର ଭିତରୁ ଟିକେ ନିଆରା ହୋଇଥିବାରୁ ଲୋକେ ଏହି ଦୃଶ୍ୟକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
ତେବେ ଅତୀତରେ ଅନେକ ସାମ୍ବାଦିକ ରାଜନୀତିରେ ପ୍ରବେଶ କରି ନେତା ବନିଥିବା ବେଳେ ଅନେକ ବିଧାୟକ ବନିଛନ୍ତି । ଆଉ ସବୁବେଳେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଉଥିବା ନେତା କେବେ କେବେ ନିଜେ ସାମ୍ବାଦିକ ଭଳି ଅଭିନୟ କରିବାକୁ ବି ଇଚ୍ଛା ରଖିଥାନ୍ତି । ବୋଧହୁଏ ସେହି ଇଚ୍ଛା ଆଜି କେଭି ସିଂହଦେଓ ପୂରା କରିଥାଇ ପାରନ୍ତି କିମ୍ବା ରାଜନୀତିର ବୟାନ ବାଜି ଭିଡରୁ ବାହାରି 'ଜରା ହଟକେ' କରି ହେଡଲାଇନ ହେବାକୁ ଚେଷ୍ଟା କରିଥାଇ ପାରନ୍ତି । ମାତ୍ର ଉପମୁଖ୍ୟମନ୍ତ୍ରୀଙ୍କ ଏହି ଭିନ୍ନ ଅନ୍ଦାଜ ଭାରି ଭଲଲାଗିଲା।