ବୁଢା ବାପା-ମାଙ୍କୁ ଘରୁ ତଡ଼ିଦେଲା ବୋହୂ, କମିସନର ଉଦ୍ଧାର କରି କହିଲେ ‘ମା, ମୁଁ ଆଜିଠାରୁ ଆପଣଙ୍କ ପୁଅ’

ଫିରୋଜପୁର: ଶାଶୁ ଓ ଶ୍ୱଶୁରଙ୍କୁ ଘରୁ ତଡ଼ିଦେଲା ବୋହୂ, ଆଉ ନିଜର କରିନେଲେ ଡେପୁଟି କମିଶନର | କିଛି ଏଭଳି ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି | କାରଣ ସମ୍ପର୍କର ମୂଲ୍ୟ ବୁଝିନଥିବା ବୋହୂ ଯେତେବେଳେ ନିଜ ଶାଶୁ ଶ୍ୱଶୁରଙ୍କୁ ତଡ଼ିଦେଇଥିଲା, ସେତେବେଳେ ରକ୍ତ ସମ୍ପର୍କ ନଥାଇ ବି ଜିଲ୍ଲାପାଳ ବୁଢା ବାପା-ମାଙ୍କୁ ନିଜର କରିନେଇଛନ୍ତି | ସୂଚନା ଅନୁସାରେ ପଞ୍ଜାବ ଫିରୋଜପୁରର ସଲବୀନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ମହିନ୍ଦର କୌରଙ୍କ ପୁତ୍ରର ମୃତ୍ୟୁ ପରେ ନିଜ ବୋହୂ କିଭଳି ଆର୍ଥିକ ଭାବେ ସ୍ଵଛଳ ହେବ ସେଥିପାଇଁ ସମସ୍ତ ସମ୍ପତ୍ତି ସହ ଘର ବୋହୂ ନାମରେ କରିଦେଇଥିଲେ |

Photo-AmarUjala

ଏହା ପରେ ବୋହୂ ନିଜର ପ୍ରକୃତ ରୂପ ଦେଖାଇଥିଲା | ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ିଦେବା ପରେ ଜମିରେ ମଧ୍ୟ ଚାଷ କରିବାକୁ ଅନୁମତି ଦେଇନଥିଲେ | ଏହା ପରେ ନିରାଶ୍ରୟ ଭାବେ ଉଭୟ ସଲବୀନ୍ଦ୍ର ଓ ମହିନ୍ଦର ବୁଲୁଥିବାବେଳେ ଡେପୁଟି କମିଶନର ଚନ୍ଦର ଗେଂଦଙ୍କ ନଜରରେ ପଡ଼ିଥିଲେ | ଏହାପରେ ଡେପୁଟି କମିଶନର ମହିନ୍ଦରଙ୍କୁ କୁଣ୍ଢେଇ କହିଥିଲେ ଯେ ‘ମା ଆଜିଠାରୁ ମୁଁ ଆପଣଙ୍କ ପୁଅ, କୌଣସି ବି ଅସୁବିଧା ହେଲେ ମତେ ଜଣାଇବେ’ |

କେବଳ ଏତିକି ନୁହେଁ ଶାଶୁ-ଶ୍ୱଶୁରଙ୍କୁ ତୁରନ୍ତ ନିଜ ଘରେ ରହିବାକୁ ଦିଆଯାଉ ବୋଲି ସେ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ | ଏହା ପରେ କିନ୍ତୁ ବୋହୂ ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା | କୋର୍ଟ ବୋହୂକୁ ଦୁଇଟି ବଖରା ଛାଡି ବାକି ଘର ସଲବୀନ୍ଦ୍ର ଓ ମହିନ୍ଦରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ବି ବୋହୂ ଅଣଦେଖା କରିଥିଲା | ଏଭଳି ଖବର ଜାଣିବା ପରେ ଡେପୁଟି କମିଶନର ନିଜେ ଯାଇ କିଭଳି ଘର ପାଇପାରିବେ ସେ ବ୍ୟବସ୍ଥା କରିଥିଲେ | ଏବେ ନିଜ ଘରେ ଏହି ବୃଦ୍ଧ ଦମ୍ପତ୍ତି ଖୁସିରେ ରହୁଛନ୍ତି |

ସମ୍ବନ୍ଧିତ ଖବର