୧୮୦୦ ଟଙ୍କାରେ ଦେଶୀ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ତିଆରି କଲେ ଝାନ୍‌ସୀର ଝିଅ କଲ୍ୟାଣୀ ଶ୍ରୀବାସ୍ତବ

ଝାନ୍‌ସୀ: ବର୍ତ୍ତମାନ ସମୟରେ କୁନି କୁନି ପିଲାମାନେ ଉତ୍ସାହ ଓ ଉଦ୍ୟମ ବଳରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇପାରୁଛନ୍ତି। ସେମାନଙ୍କ ଠାରେ ମଧ୍ୟ ବିବିଧ ସୃଜନଶୀଳତା ଭରି ରହିଥିବାର ଦେଖିବାକୁ ମିଳୁଛି। ଏମିତି ଏକ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶ ଝାନ୍‌ସୀର ଝିଅ କଲ୍ୟାଣୀ ଶ୍ରୀବାସ୍ତବ। କଲ୍ୟାଣୀ ଶ୍ରୀବାସ୍ତବ ମାତ୍ର ୧୮୦୦ ଟଙ୍କା ଅର୍ଥରାଶିରେ ଏୟାର୍‌ କଣ୍ଡିସନ୍‌ର ଅର୍ଥାତ୍‌ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ତିଆରି କରିବାରେ ସମର୍ଥ ହେଇଛନ୍ତି।

କଲ୍ୟାଣୀ ଝାନ୍‌ସୀର ଲୋକମାନ୍ୟ ତିଲକ କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ବାପା ବେସିକ୍‌ ଏଜୁକେସନ୍‌ ବିଭାଗରେ ଶିକ୍ଷକ ଭାବେ କାର୍ଯ୍ୟରତ। କଲ୍ୟାଣୀଙ୍କ ମା’ମଧ୍ୟ ଜଣେ ଶିକ୍ଷୟିତ୍ରୀ। କଲ୍ୟାଣୀ ଶ୍ରୀବାସ୍ତବଙ୍କ ପ୍ରସ୍ତୁତ ଏହି ଦେଶୀ ଏୟାର୍‌ କଣ୍ଡିସନର୍‌ଟି ଥର୍ମୋକୁଲ୍‌ରେ ତିଆରି ହୋଇଥିବା ଏକ ବରଫ ବାକ୍ସ। ଏଥିରୁ ପ୍ରାୟ ୧୨ ଭୋଲ୍ଟ ଡିସି ପଙ୍ଖାରୁ ପବନ ବାହାରିଥାଏ। ଫଳସ୍ୱରୂପ ଏସିରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ୪ରୁ ୫ ଡିଗ୍ରୀ ତଳକୁ ଖସିଯାଇଥାଏ। ଏହା ପରିବେଶକୁ ମଧ୍ୟ ପ୍ରଦୂଷିତ କରି ନ ଥାଏ। ତେବେ ଏହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟି ସ୍ୱଳ୍ପ ମୂଲ୍ୟରେ ପ୍ରସ୍ତୁତ ହୋଇପାରୁଛି। ଅର୍ଥାଭାବରୁ ଏସି ବ୍ୟବହାରରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କ ପାଇଁ ଏଭଳି ଏସି ନିଶ୍ଚିତ ଭାବେ ଉପାଦେୟ। ଏହାର ବ୍ୟବହାର ଫଳରେ ବିଜୁଳି ମଧ୍ୟ ସଞ୍ଚୟ ହେଇପାରିବ। କାରଣ ଏହା ସୌରଶକ୍ତି ଦ୍ୱାରା ଚାଳିତ ହୋଇଥାଏ। କଲ୍ୟାଣୀଙ୍କ ନିର୍ମିତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରକୁ ରାଷ୍ଟ୍ରୀୟ ସ୍ତରର ମଡେଲ ପ୍ରତିଯୋଗିତା ପାଇଁ ଆଇଆଇଟି-ଡି ଦ୍ୱାରା ଚୟନ କରାଯାଇଛି।

ଗତବର୍ଷ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆରମ୍ଭ ହେଇଥିବା ‘ନାରୀ ସମ୍ମାନ’ କ୍ରମରେ କଲ୍ୟାଣୀ ଙ୍କୁ ସମ୍ମାନିତ କରାଯାଇଥିଲା। କ୍ରୀଡ଼ା, ଶିକ୍ଷା, କଳା ଓ ସାମାଜିକ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିୁଥିବା ମହିଳାମାନଙ୍କୁ ଉତ୍ତର ପ୍ରଦେଶ ସରକାର ଏହି ସମ୍ମାନ ପ୍ରଦାନ କରୁଛନ୍ତିି। କେବଳ ଦେଶ ଭିତରେ ନୁହେଁ, କଲ୍ୟାଣୀଙ୍କ ଭିତରେ ଥିବା ଏଭଳି ସୃଜନଶୀଳତା ଜାଣି ଜାପାନ ସରକାରଙ୍କ ତରଫରୁ ତାଙ୍କୁ ଏକ ସେମିନାରରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା କଲ୍ୟାଣୀ ମଧ୍ୟ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରନ୍ତି। ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ସେ ଅଂଶଗ୍ରହଣ କରିଛନ୍ତି। ଏହାଛଡ଼ା ଲକ୍ଷ୍ନୌ, ଆଗ୍ରା, କାନପୁର ଆଦି ସ୍ଥାନରେ ଆୟୋଜିତ ହେଉଥିବା ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କଲ୍ୟାଣୀ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର