ଦ୍ବିତୀୟ ବିଶ୍ବଯୁଦ୍ଧରେ ଗୁପ୍ତଚରମାନେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଶତ୍ରୁ ଦେଶର ସୈନ୍ୟ ଆତଯାତ, ସାମଗ୍ରୀ ଯୋଗାଣ, ବଙ୍କର୍ ଅବସ୍ଥିତି ଓ ନୂତନ ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଗୁପ୍ତ ତଥ୍ୟ ହାସଲ କରିବା ଥିଲା ସେମାନଙ୍କ କାର୍ଯ୍ୟ। ସେତେବେଳେ କେତେକ ଗୁପ୍ତଚର ଏକକାଳୀନ ଦୁଇ ବା ତିନିଟି ଦେଶ ତରଫରୁ ବି କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ବିଚକ୍ଷଣ ଥିଲେ ଜଣେ ସ୍ବଳ୍ପପରିଚିତ ଭାରତୀୟ, ଯାହାଙ୍କ କୋଡ୍ନେମ୍ ଥିଲା- ସିଲ୍ଭର୍। ସେ ଥିଲେ ଜର୍ମାନ୍, ଇଟାଲି, ଜାପାନ, ରୁଷ୍ ଓ ବ୍ରିଟେନ୍ ଆଦି ପାଞ୍ଚଟି ଦେଶ ପାଇଁ ଏକକାଳୀନ କାର୍ଯ୍ୟ କରିଥିବା ଏକମାତ୍ର ଗୁପ୍ତଚର ଭଗତରାମ୍ ତଲ୍ୱାର୍!
ବିପ୍ଳବୀ ଭଗତରାମ୍
୧୯୦୮ରେ ବ୍ରିଟିସ୍ ଇଣ୍ଡିଆ ସାମ୍ରାଜ୍ୟର ଉତ୍ତରପଶ୍ଚିମ ସୀମାନ୍ତ ପ୍ରଦେଶରେ (ପାକିସ୍ତାନ) ଗୋଟିଏ ଧନୀ ପଞ୍ଜାବୀ ପରିବାରରେ ଜନ୍ମିଥିଲେ ଭଗତରାମ୍ ତଲ୍ୱାର୍। ବ୍ରିଟିସ୍ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କ ବାପାଙ୍କର ସୁସଂପର୍କ ଥିଲେ ହେଁ ୧୯୧୯ ଜାଲିଆଁୱାଲାବାଗ୍ ନରସଂହାର ପରେ ସେ ବ୍ରିଟିସ୍ ବିରୋଧୀ ହୋଇଯାଇଥିଲେ। ଏହି ଘଟଣାର କିଛି ବର୍ଷ ପରେ ପଞ୍ଜାବ ବଡ଼ଲାଟ୍ଙ୍କୁ ହତ୍ୟା ଷଡ୍ଯନ୍ତ୍ର ଅଭିଯୋଗରେ ତଲ୍ୱାର୍ଙ୍କ ଭାଇ ହରି କିଷନ୍ଙ୍କୁ ଫାଶୀ ଦିଆଗଲା। ବଡ଼ଲାଟ୍ ହତ୍ୟା ଉଦ୍ୟମ ବେଳେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପାଇଁ କିଷନ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏ ଘଟଣା ଓ ସହିଦ ଭଗତ ସିଂହଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇ ଭଗତରାମ ବ୍ରିଟିସ୍ ବିରୋଧୀ ବିପ୍ଳବରେ ଭାଗ ନେଇ ସେ ପଞ୍ଜାବରେ କମ୍ୟୁନିଷ୍ଟ୍ ଆନ୍ଦୋଳନ ଚଳାଇଥିବା କୀର୍ତ୍ତି କିଷାନ୍ ପାର୍ଟିରେ ସାମିଲ ହୋଇଗଲେ।
ନେତାଜୀ କରିଦେଲେ ଗୁପ୍ତଚର
୧୯୪୧ରେ ଭଗତରାମ୍ ତଲ୍ୱାର୍ଙ୍କ ଉପରେ ଜଣେ ଭାରତୀୟଙ୍କୁ ଗୁପ୍ତରେ ବ୍ରିଟିସ୍ ଅଧିକୃତ ଅଞ୍ଚଳରୁ ବାହାରକୁ ନେବା ଦାୟିତ୍ବ ନ୍ୟସ୍ତ କରାଗଲା। ସେ ବ୍ୟକ୍ତିଜଣକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଏ ଗୁପ୍ତ ଅଭିଯାନରେ ବୋଷ ଜଣେ ମୂକ-ବଧିର ମୁସଲ୍ମାନ ତୀର୍ଥଯାତ୍ରୀ ସାଜିଥିଲେ ଏବଂ ତଲ୍ୱାର୍ ହୋଇଥିଲେ ତାଙ୍କ ସଚିବ ରହମତ୍ ଖାଁ । ବୋଷଙ୍କୁ ସୀମା ପାର କରାଇବାରେ ସଫଳ ହେବାରୁ ତଲ୍ୱାର୍ଙ୍କର ହୃଦ୍ବୋଧ ହୋଇଥିଲା କି, ସେ ଗୁପ୍ତଚରଗିରି କରିପାରିବେ। ଘଟଣାକ୍ରମେ, ନେତାଜୀ ଯେତେବେଳେ ତଲ୍ୱାର୍ଙ୍କୁ ଭାରତୀୟ ଗୁପ୍ତଚର କହି ଜର୍ମାନ୍ କୂଟନୀତିଜ୍ଞଙ୍କ ସହିତ ପରିଚୟ କରାଇଦେଲେ ତାଙ୍କୁ ଅପୂର୍ବ ସୁଯୋଗ ମିଳିଗଲା। ସୁଯୋଗ ହାତଛଡ଼ା ନ କରି ସେ ‘ମିତ୍ରଶକ୍ତି’ର ଗୁପ୍ତଚର ହେଲେ।
‘ଅାଇରନ୍ କ୍ରସ୍’ ତଲ୍ୱାର୍
କେବଳ ମୌଳିକ ଶିକ୍ଷା ଲାଭ କରି ସ୍କୁଲ୍ ଛାଡ଼ି ଦେଇଥିବାରୁ ତଲ୍ୱାର୍ ଖଣ୍ଡି ଇଂଗ୍ରାଜୀ କହୁଥିଲେ। କିନ୍ତୁ ଜଟିଳ ସୂଚନା ସଂଗ୍ରହ କରିବାରେ ତାଙ୍କର ପାରଦର୍ଶିତା ଦେଖି ଚମତ୍କୃତ ଜର୍ମାନ ସାମରିକ କର୍ତ୍ତୃପକ୍ଷ ତାଙ୍କୁ ଗୁପ୍ତଚରଗିରି ଉପରେ ଅଧିକ ତାଲିମ ଦେଲେ। ତାଙ୍କୁ ଟ୍ରାନ୍ସ୍ମିଟର୍-ରିସିଭର୍ ସେଟ୍ ଦେବା ସହିତ ମୋଟା ଅଙ୍କର ପାରିଶ୍ରମିକ ଦେଲେ। ଭାରତର ପଶ୍ଚିମ ସୀମାନ୍ତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ବ୍ରିଟେନ୍ ଓ ଆଫଗାନିସ୍ତାନର ସୁରକ୍ଷା ବଳୟ ବିନଷ୍ଟ କରିବା ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ଯୁଦ୍ଧ ଶେଷ ହେବାବେଳକୁ ତାଙ୍କୁ ପାରିଶ୍ରମିକ ବାବଦରେ ୨.୫ ନିୟୁତ ପାଉଣ୍ଡ୍ ଅର୍ଥ ଏବଂ ନାଜି ଜର୍ମାନିର ସର୍ବୋଚ୍ଚ ସେନା ସମ୍ମାନ ‘ଅାଇରନ୍ କ୍ରସ୍’ ମିଳିସାରିଥିଲା। ସେତେବେଳକୁ ସେ ଭାରତର ପଶ୍ଚିମ ସୀମାନ୍ତରେ ଜର୍ମାନି ଓ ଇଟାଲିର କାର୍ଯ୍ୟକଳାପ ପ୍ରତିହତ କରିବା ଲାଗି ଆଫଗାନିସ୍ତାନରେ କାମ କରୁଥିଲେ।
ପଞ୍ଚଦେଶୀ ଗୁପ୍ତଚର
କିନ୍ତୁ, ଜର୍ମାନ୍ ସାମରିକ କର୍ତ୍ତୃପକ୍ଷଙ୍କୁ ଜଣା ନ ଥିଲା ଯେ, ତଲ୍ୱାର୍ ସେମାନଙ୍କୁ ବୁଦ୍ଦୁ ବନାଇଛନ୍ତି। କମ୍ୟୁନିଷ୍ଟ୍ ଭାବଧାରାରେ ପ୍ରେରିତ ତଲ୍ୱାର୍ଙ୍କର ଫାସୀବାଦୀମାନଙ୍କୁ ସାହାଯ୍ୟ କରିବାର ଆନ୍ତରିକତା ନ ଥିଲା। ତେଣୁ, ଜର୍ମାନି ସୋଭିଏତ୍ ରୁଷ୍ ଆକ୍ରମଣ କରିବାରୁ ସେ କାବୁଲ୍ରେ ଥିବା ରୁଷୀୟଙ୍କ ସହିତ ଯୋଗାଯୋଗ କଲେ। ମସ୍କୋକୁ ଜର୍ମାନର ଗୁଇନ୍ଦା ରିପୋର୍ଟ ଦେଇ ହୋଇଗଲେ ଟ୍ରିପ୍ଲ୍ ଏଜେଣ୍ଟ୍। ପରେ ରୁଷ୍ ବ୍ରିଟେନ୍ର ‘ସ୍ପେସାଲ୍ ଅପରେସନ୍ସ୍ ଏକ୍ଜିକ୍ୟୁଟିଭ୍’ରେ ସ୍ବାକ୍ଷର କରିବାରୁ ତଲ୍ୱାର୍ ବ୍ରିଟେନ୍ ଲାଗି ବି ଗୁପ୍ତଚରଗିରି ଚଳାଇଲେ। ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ସେ ଥିଲେ ଏକମାତ୍ର ଗୁପ୍ତଚର, ଯାହାଙ୍କୁ ରୁଷୀୟମାନେ ଅନ୍ୟ ଦେଶ ପାଇଁ କାମ କରିବାକୁ ଅନୁମତି ଦେଇଥିଲେ। ସମୟକ୍ରମେ ସେ ଇଟାଲି ଓ ଜାପାନ ପାଇଁ ବି ଗୁପ୍ତଚରଗିରି କଲେ। ମାତ୍ର ୫ ବର୍ଷର ଗୁପ୍ତଚର ଜୀବନରେ ଏକସମୟରେ ସେ ଅନ୍ୟୂନ ୫ଟି ଦେଶ ପାଇଁ କାମ କରି ଅପୂର୍ବ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ।
ବାଘନିଶ ତରକାରି ଖୁଆଇ ହତ୍ୟା
୧୯୪୦ ଦଶକରେ ଦିଲ୍ଲୀସ୍ଥିତ ବ୍ରିଟିସ୍ ସାମରିକ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ପିଟର୍ ଫ୍ଲେମିଙ୍ଗ୍ ରହମତ୍ ଖାଁ ବୋଲାଉଥିବା ତଲ୍ୱାର୍ ଓରଫ୍ ସିଲ୍ଭର୍ଙ୍କୁ ନିଯୁକ୍ତ କରିଥିଲେ। ତାଙ୍କୁ ‘ସିଲ୍ଭର୍’ ବୋଲି କୋଡ୍ନେମ୍ ବି ଦେଇଥିଲେ। ନିଯୁକ୍ତି ପରେ ସିଲ୍ଭର୍ ସ୍ବ-ଇଚ୍ଛାରେ ଦୁର୍ଗମ ପଥ ଖାଇବର୍ ପାସ୍ ଦେଇ ଆଫଗାନିସ୍ତାନ ବାହାରିଲେ। କିନ୍ତୁ, ଫ୍ଲେମିଙ୍ଗ୍ ତାଙ୍କୁ ସେଭଳି ଯାତ୍ରାରୁ ବିରତ ରହିବାକୁ ଅନୁରୋଧ କଲେ। ସେ କହିଲେ, ଆଫଗାନିସ୍ତାନରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ତୁମକୁ ଧରାପକାଇ ଦେଇପାରନ୍ତି। କିନ୍ତୁ, ସିଲ୍ଭର୍ ଯାତ୍ରା ଅବ୍ୟାହତ ରଖିଲେ। ଆଫଗାନିସ୍ତାନ ଯାଇ ସେ ଉକ୍ତ ବ୍ୟକ୍ତିଙ୍କୁ ଠାବ କରି ତାଙ୍କ ସହିତ ମିତ୍ରତା କଲେ। ଥରେ ରାତ୍ର ଭୋଜନ ଲାଗି ତାଙ୍କୁ କାବୁଲକୁ ନିମନ୍ତ୍ରଣ କଲେ। ସେଠାରେ ତାଙ୍କୁ ବାଘନିଶ ମିଶା ତରକାରି ଖୋଇଲେ। ବାଘନିଶ ଖାଇବାରୁ ଅାଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ସେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା। ଉଲ୍ଲେଖଯୋଗ୍ୟ, ପିଟର୍ ଫ୍ଲେମିଙ୍ଗ୍ଙ୍କ କାର୍ଯ୍ୟାବଳି ଦ୍ବାରା ଉଦ୍ବୁଦ୍ଧ ହୋଇ ତାଙ୍କ ସାନଭାଇ ଇଆନ୍ ‘ଜେମ୍ସ୍ ବଣ୍ଡ୍’ ଚରିତ୍ରର ପରିକଳ୍ପନା କରିଥିଲେ।
ନିରୁଦ୍ଦିଷ୍ଟ ସିଲ୍ଭର୍
୧୯୪୫ ସୁଦ୍ଧା ସେ ୫ଟି ଦେଶ ତରଫରୁ ୫ ବର୍ଷ ଗୁପ୍ତଚରଗିରି କଲେ ସତ, କିନ୍ତୁ ତାଙ୍କର ବିଶ୍ବସ୍ତତା ଥିଲା ଭାରତ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ ସ୍ବାଧୀନତା ସଂଗ୍ରାମ ପ୍ରତି। ଗୁପ୍ତଚରଗିରିରୁ ପ୍ରାପ୍ତ ଅର୍ଥ ମଧ୍ୟ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ଦେଉଥିଲେ। ୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟିବା ପରେ ତଲ୍ୱାର୍ଙ୍କ ଭୂମିକାର ବି ପରିସମାପ୍ତି ଘଟିଲା। ବିଶ୍ବଯୁଦ୍ଧର ପ୍ରାୟ ଦୁଇ ବର୍ଷ ପରେ ଭାରତ ବିଭାଜିତ ଓ ସ୍ବାଧୀନ ହେଲା। ତା’ପରେ ଘଟିଲା ଭୟାବହ ସାମ୍ପ୍ରଦାୟିକ ହିଂସାକାଣ୍ଡ। ଅଗତ୍ୟା ତଲ୍ୱାର୍ ନିଜ ପାଖରେ ଥିବା ବିପୁଳ ଅର୍ଥ ଏକତ୍ର କରି ୧୯୪୮ରେ ଅବିଭକ୍ତ ଭାରତର ଉତ୍ତରପଶ୍ଚିମ ସୀମାନ୍ତ ପ୍ରଦେଶରୁ ଅନ୍ତର୍ଦ୍ଧାନ ହୋଇଗଲେ। କେତେକ ବ୍ରିଟିସ୍ ଅଧିକାରୀ ଭାବିଲେ, ପାକିସ୍ତାନରୁ ଖସି ଆସିବା ବେଳେ ତଲ୍ୱାର୍ଙ୍କୁ ହତ୍ୟା କରାଯାଇଛି। କିନ୍ତୁ, ପ୍ରାୟ ୨୫ ବର୍ଷ ପରେ କୋଲ୍କାତାରେ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଆୟୋଜିତ ଏକ ଆନ୍ତର୍ଜାତିକ ସେମିନାର୍ରେ ତଲ୍ୱାର୍ ଆତ୍ମପ୍ରକାଶ କଲେ। ତା’ପରେ ସେ ଉତ୍ତରପ୍ରଦେଶରେ ବସବାସ କଲେ। ୧୯୮୩ରେ ତାଙ୍କର ସ୍ବାଭାବିକ ମୃତ୍ୟୁ ଘଟିଲା।