ପାଠକ ବଡ଼ ଆଗ୍ରହ ସହକାରେ ଗୁପ୍ତଚର ଉପନ୍ୟାସ ପଢ଼ି ରୋମାଞ୍ଚିତ ହୁଏ। କିନ୍ତୁ, ଗୁପ୍ତଚର କାହାଣୀ ସବୁ ଯେତେ ରୋମାଞ୍ଚକର ମନେହୁଏ, ବାସ୍ତବ କ୍ଷେତ୍ରରେ ଆଦୌ ସେମିତି ନୁହେଁ। ଗୁପ୍ତଚରର କାର୍ଯ୍ୟ ଖୁବ୍ କଠିନ ଓ ବିପଜ୍ଜନକ। ଏ ବୃତ୍ତି ଲାଗି ସେମାନଙ୍କୁ ଘର, ପରିବାର ଓ ଆବଶ୍ୟକସ୍ଥଳେ ଧର୍ମତ୍ୟାଗୀ ହେବାକୁ ପଡ଼େ। ଅନିଶ୍ଚିତତା ପଥରେ ଗତି କରି ସେମାନେ ପ୍ରୟୋଜନ ହେଲେ ଦେଶମାତୃକା ସେବା ଲାଗି ଜୀବନ ଉତ୍ସର୍ଗ କରନ୍ତି। ଦେଶ ପାଇଁ ନରକ ଯନ୍ତ୍ରଣା ଭୋଗିଥିବା ସେ ଭଳି ଜଣେ ଭାରତୀୟ ଗୁପ୍ତଚର ହେଉଛନ୍ତି ମୋହନଲାଲ୍ ଭାସ୍କର। ପାକିସ୍ତାନରେ ରହି ତା’ର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଥିବା ମୋହନଲାଲ୍ଙ୍କୁ ପାକିସ୍ତାନ କାରାଗାରରେ ରହି ନାହିଁ ନ ଥିବା ଦୈହିକ ଓ ମାନସିକ ଯାତନା ଭୋଗିବାକୁ ପଡ଼ିଥିଲା।
ଶ୍ରମିକ, ଶିକ୍ଷକ ଓ ଲେଖକ
ଦେଶ ସ୍ବାଧୀନ ହେବାର ପ୍ରାୟ ୫ ବର୍ଷ ପୂର୍ବରୁ ପଞ୍ଜାବର ଅବୋହରଠାରେ ଜନ୍ମିଥିବା ମୋହନଲାଲ୍ ଭାସ୍କରଙ୍କର ପ୍ରାରମ୍ଭିକ ଜୀବନ ଥିଲା ଖୁବ୍ କଷ୍ଟକର। ପରିବାରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ କିଶୋର ଅବସ୍ଥାରେ ତାଙ୍କୁ ମୂଲିଆ ଓ ଖବରକାଗଜ ହକର୍ ହୋଇ ଉପାର୍ଜନ କରିବାକୁ ପଡ଼ିଥିଲା। କିନ୍ତୁ, ପରିସ୍ଥିତି ଯେତେ ଖରାପ ଥିଲେ ବି ବିଦ୍ୟା ଅଧ୍ୟୟନରୁ ତାଙ୍କର ଆଗ୍ରହ କମି ନ ଥିଲା। ସ୍ନାତକୋତ୍ତର ପରେ ବି.ଏଡ୍ କରି ସେ ସିକ୍କିମ୍ ସରକାରଙ୍କ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଭାଇସ୍-ପ୍ରିନ୍ସିପାଲ୍ ଚାକିରି କଲେ। ଏହା ବ୍ୟତିରେକେ, ସାହିତ୍ୟ ପ୍ରତି ରୁଚି ଥିବାରୁ ସେ କିଛି ଲେଖାଲେଖି କରୁଥିଲେ। ସମୟକ୍ରମେ ୧୯୬୧ରେ ସେ ‘ଧାରକା’ ପତ୍ରିକାର ସମ୍ପାଦକ ଓ ୧୯୬୨ରେ ହିନ୍ଦୀ ଦୈନିକ ‘ଗାଣ୍ଡୀବ’ର ସହ-ସମ୍ପାଦକ ହେଲେ।
ଦି’ଧାଡ଼ି କବିତା ଯୋଗୁଁ ଗୁପ୍ତଚର
ପାକିସ୍ତାନ ସୀମାନ୍ତ ଇଲାକାରେ ଜନ୍ମ ହୋଇଥିବା ମୋହନଲାଲ୍ଙ୍କୁ ସବୁବେଳେ ଗୋଟାଏ ଉତ୍ସୁକତା ଆବୋରି ରଖୁଥିଲା। ତାହା ହେଲା- ପାକିସ୍ତାନରେ କ’ଣ ହେଉଛି? ୧୯୬୫ ଯୁଦ୍ଧ ତାଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଦେଲା। ସେହି ସମୟରେ ସହିଦ ଭଗତ ସିଂହଙ୍କ ସମାଧିସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନଲାଲ୍ ଦୁଇଧାଡ଼ି କବିତା ପାଠ କଲେ-
ଆମେ ଖାଇଛୁ ତୁମ ରକ୍ତ-ସେଚିତ ଶସ୍ୟ
ତହିଁରୁ ଲଭିଛୁ ସହିଦ ହେବା ଉଚ୍ଛ୍ବାସ
ଏ ଦୁଇ କବିତା ପଙ୍କ୍ତି ଲାଗି ମୋହନଲାଲ୍ ଉଚ୍ଛ୍ବସିତ ପ୍ରଶଂସା ପାଇଲେ। ସଭାମଞ୍ଚରୁ ଓହ୍ଲାଇବା ବେଳେ ସେନା ଅଧିକାରୀ ଭଳି ଦିଶୁଥିବା ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି କହିଲେ, ‘‘ଭାସ୍କରବାବୁ, ଦେଶ ପାଇଁ କବିତା ଆବୃତ୍ତି କରିବା ସହଜ, ମରିବା ଅତ୍ୟନ୍ତ କଷ୍ଟ। କ’ଣ ଆପଣଙ୍କ ଅନ୍ତରରେ ସତରେ ଭଗତ ସିଂହଙ୍କ ପରି ଦେଶ ଲାଗି ଜୀବନ ଉତ୍ସର୍ଗ ଭାବ ରହିଛି!’’ ଏତିକି ଶୁଣି ମୋହନଲାଲ୍ କହିଲେ, ‘‘ଆଜ୍ଞା, ଯେବେ ବି ସୀମାନ୍ତରେ ଲଢ଼େଇ ହେବ, ଡାକିବେ। ଆପଣଙ୍କଠାରୁ ଚାରିପାଦ ଆଗରେ ଚାଲିବି, ଯଦି ଖସି ପଳାଇଗଲି, ଗୁଳି ମାରିବେ। ନଚେତ୍ ଦେଶ ଲାଗି କୌଣସି କାମରେ ମୋର ଆବଶ୍ୟକତା ଅନୁଭବ କଲେ ଡାକିବେ, ମୁଁ ହାଜର ହୋଇଯିବି।’’
ଭାସ୍କର ହେଲେ ଅସ୍ଲମ୍
ଘଟଣାଚକ୍ରରେ ପଡ଼ି ୧୯୬୭ରେ ମୋହନଲାଲ୍ ଭାସ୍କର ‘ରିସର୍ଚ ଆଣ୍ଡ୍ ଆନାଲିସ୍ସ୍ ୱିଙ୍ଗ୍’ (ର)ରେ ସାମିଲ ହେଲେ। ମିଲିଟାରି ଇଣ୍ଟେଲିଜେନ୍ସ୍ରେ ଯୋଗଦେବା ଆଗରୁ ସେ ୧୬ ଥର ଗୁପ୍ତରେ ‘ର’ ପରିସରରେ ପ୍ରବେଶ କରିଥିଲେ ବୋଲି ଚାକିରିରେ ଭର୍ତ୍ତି ହେବା ସମୟରେ ଦାବି କରିଥିଲେ। ପରେ ପରେ ଗୁପ୍ତଚର ଅଭିଯାନ ଚଳାଇବା ପାଇଁ ତାଙ୍କୁ ପାକିସ୍ତାନ ପଠାଗଲା। ପାକିସ୍ତାନରେ ତାଙ୍କ ନାଁ ହେଲା ମହମ୍ମଦ୍ ଅସ୍ଲମ୍। ସଚ୍ଚା ମୁସଲ୍ମାନଙ୍କ ପରି ପାକିସ୍ତାନବାସୀଙ୍କ ଗହଣରେ ରହିବା ଲାଗି ତା’ ଆଗରୁ ସେ ତାଙ୍କର ଚାଲିଚଳଣ ଓ ଆଚାରବ୍ୟବହାର ଯଥାରୀତି ବଦଳାଇ ଦେଇଥିଲେ। ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧରେ ତଥ୍ୟାବଳି ସଂଗ୍ରହ କରିବା। ଭାରତ ପାଇଁ ପାକିସ୍ତାନରେ ମୋହନଲାଲ୍ ଖୁବ୍ ସାବଧାନ ସହକାରେ ଗୁପ୍ତଚର ଅଭିଯାନ ତୁଲାଉଥିବା ବେଳେ ବିଶ୍ବାସଘାତକତାର ଶରବ୍ୟ ହେଲେ। ୧୯୬୮ ମସିହା କଥା। ମୋହନଲାଲ୍ ଗୋଟାଏ କାଉଣ୍ଟର୍-ଇଣ୍ଟେଲିଜେନ୍ସ୍ ଅଭିଯାନରେ ସାମିଲ ହୋଇଥାଆନ୍ତି। ସେତିକି ବେଳେ ଭାରତ ଓ ପାକିସ୍ତାନ ନିମନ୍ତେ କାମ କରୁଥିବା ଅମ୍ରିକ ସିଂହ ନାମରେ ଜଣେ ଡବଲ୍ ଏଜେଣ୍ଟ୍ ତାଙ୍କ ସହିତ ବିଶ୍ବାସଘାତକତା କଲେ। ସେହି କାରଣରୁ ମୋହନଲାଲ୍ ଧରାପଡ଼ିଲେ ଓ ପାକିସ୍ତାନ ପୁଲିସଦ୍ବାରା ଗିରଫ ହେଲେ।
ଜେଲ୍ରେ ଜେରା, ନିର୍ଯାତନା
ମୋହନଲାଲ୍ଙ୍କ ନାଁରେ ଗୁପ୍ତଚରଗିରି ଅଭିଯୋଗ ହେଲା। ଜେଲ୍ରେ ତାଙ୍କୁ ବହୁବାର ଜେରା କରାଯିବା ସହିତ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଗଲା। ଦୋଷୀ ସାବ୍ୟସ୍ତ ହେବାରୁ ମୋହନଲାଲ୍ଙ୍କୁ ଜେଲ୍ ହେଲା। ତାଙ୍କୁ ବାରମ୍ବାର ଲାହୋର, କୋତ ଲଖପତ, ମିୟାଁୱଲୀ ଓ ମୁଲ୍ତାନ୍ ଜେଲ୍କୁ ସ୍ଥାନାନ୍ତର କରାଯାଇ କଏଦୀ କରି ରଖାଯାଉଥିଲା। ଆତ୍ମଜୀବନୀ ପୁସ୍ତକରେ ସେ ଲେଖିଛନ୍ତି ଯେ, କୋତ ଲଖପତ ଜେଲ୍ରେ ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର୍ ଅଲୀ ଭୁଟ୍ଟୋଙ୍କୁ ଦେଖିଥିଲେ। ସେମିତି, ୧୯୭୧ରେ ମିୟାଁୱାଲୀ ଜେଲ୍ରେ ସେ ବାଂଲାଦେଶର ଜନକ ଭାବେ ସୁପରିଚିତ ଶେଖ୍ ମୁଜୀବ ଉର୍ ହରମାନଙ୍କୁ ଭେଟିଥିଲେ।
ନାଁ ପାଇଁ ହଇରାଣ
୧୯୭୧ ଯୁଦ୍ଧ ପରେ ଶିମ୍ଲା ରାଜିନାମା ଅନୁଯାୟୀ, ମୋହନଲାଲ୍ ଭାସ୍କରଙ୍କ ଭଳି କଏଦୀମାନେ ସ୍ବଦେଶ ବାହୁଡ଼ି ଆସିବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। କିନ୍ତୁ, ନାଁ ଯୋଗୁଁ ପାକିସ୍ତାନ ଜେଲ୍ରୁ ମୁକ୍ତ ହେବା ଲାଗି ମୋହନଲାଲ୍ ବଡ଼ ଅଡୁଆରେ ପଡ଼ିଗଲେ। ମୋହନଲାଲ୍ଙ୍କ ପ୍ରକୃତ ନାଁ ଥିଲା ‘ସୋହନଲାଲ୍’। ତେଣୁ, ଗୁପ୍ତଚର ସୋହନଲାଲ୍ ଭାସ୍କରଙ୍କୁ ମୁକ୍ତ କରାଯାଉ ବୋଲି ଭାରତ ସରକାର ପାକିସ୍ତାନକୁ ଲେଖିଥିବା ଚିଠିରେ ଦାବି କରିଥିଲେ। ପାକିସ୍ତାନ କହିଲା ଯେ, ‘ସୋହନଲାଲ୍’ ନାମଧାରୀ କୌଣସି ବ୍ୟକ୍ତି ପାକିସ୍ତାନ ଜେଲ୍ରେ ନାହାନ୍ତି। କିନ୍ତୁ, ଏଥିସହିତ ପାକିସ୍ତାନ ସ୍ବୀକାର କରିଥିଲା କି, ତା’ ପାଖରେ ଏଇ ନାମଧାରୀ ସଜା କାଟୁଥିବା ଜଣେ କଏଦୀ ଅଛନ୍ତି।
ସାହାଯ୍ୟ କଲେ ବଚ୍ଚନଙ୍କ ବାପା
ଏଭଳି ପରିସ୍ଥିତିରେ ମୋହନଲାଲ୍ଙ୍କୁ ସହାୟତା କଲେ ଅମିତାଭ ବଚ୍ଚନଙ୍କ ବାପା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନ। ସେତେବେଳେ ହରିବଂଶ ରାୟ ବଚ୍ଚନ ସ୍ବିଜର୍ଲାଣ୍ଡ୍ ଦୂତାବାସରେ ଥିଲେ। କଏଦୀ ହସ୍ତାନ୍ତର ଅଭିଯାନରେ ସ୍ବିଜର୍ଲାଣ୍ଡ୍ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ହରିବଂଶଙ୍କ ସୁପାରିସକ୍ରମେ ‘ସୋହନଲାଲ୍’ ଓରଫ୍ ମୋହନଲାଲ୍ ପରିଶେଷରେ ୧୯୭୪ ଡିସେମ୍ବର ୯ ତାରିଖରେ ଭାରତ ଫେରିଥିଲେ। କିନ୍ତୁ, ସେବେଠାରୁ ସେ ତାଙ୍କ ନାଁ ‘ସୋହନ୍ଲାଲ୍’ ବଦଳାଇ ଚିରକାଳ ଲାଗି ‘ମୋହନଲାଲ୍’ ରଖିଲେ।