ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁର ପଞ୍ଚାୟତ ଦେବୀଦୋଳ ଗାଁ ଦେଇ ବହିଯାଇଥିବା ଦେବୀ ନଦୀକୂଳରେ ପୂଜା ପାଉଛନ୍ତି ମା କୁତାମଚଣ୍ଡୀ। ଠାକୁରାଣୀଙ୍କ ମନ୍ଦିର ସାତଶହ ବର୍ଷରୁ ଅଧିକ ପୁରୁଣା। ଏଠାରେ ଦେବୀ କୁତାମଚଣ୍ଡୀ ପୂଜା ପାଉଥିବାରୁ ଗାଁ’ର ନାମ ହୋଇଛି ଦେବୀଦୋଳ। ମା’ କୁତାମଚଣ୍ଡୀ ଅଷ୍ଟଭୁଜା ମୂର୍ତ୍ତି। ଅଷ୍ଟଭୁଜ ମଧ୍ୟରୁ ଦେବୀ ଏକ ହାତରେ ଆଶୀର୍ବାଦ କରୁଥିବା ବେଳେ ଅନ୍ୟ ହସ୍ତମାନଙ୍କରେ ବିଭିନ୍ନ ପ୍ରକାର ଆୟୁଧ ଖଣ୍ଡା, ଢାଲ, ଶଙ୍ଖ, ତ୍ରିଶୂଳ, ଧନୁତୀର, ସର୍ପ ଓ ଚକ୍ର ଧାରଣ କରିଛନ୍ତି। ଦେବୀଙ୍କ ଦୈନିକ ନୀତି ମଧ୍ୟରେ ସକାଳେ ବାଳ ଭୋଗ, ମଧ୍ୟାହ୍ନରେ ଅନ୍ନ, ଖେଚୁଡ଼ି, ମୁଗଡାଲି, ତରକାରୀ, ଏଣ୍ଡୁରି, ଖିରି, ଖଟା, ଶାଗ, ମାଛ ଆଦି ଭୋଗ କରାଯାଏ। ରାତିରେ ଦିନଭଳି ଅଥାର ମଣ୍ଡା ଓ ମାଛ ଭୋଗ କରାଯାଏ। ଦେବୀଙ୍କ ଭୋଗ ମଧ୍ୟରେ ଥାଳି ଆକାରର ଏଣ୍ଡୁରି ଓ ଅଥାର ମଣ୍ଡା ପ୍ରସିଦ୍ଧ। କୁହାଯାଏ ଦେବୀଦୋଳ ଗ୍ରାମକୁ ଲାଗି ବହିଯାଇଥିବା ଦେବୀନଦୀର ଅପରପାର୍ଶ୍ବରେ ଥିବା ଗଳଧାରୀ ଗ୍ରାମରେ ଦେବୀଙ୍କ ବାପଘର। ତେଣୁ ଦୋଳଯାତ୍ରାରେ ଠାକୁରାଣୀଙ୍କ ବିଜେ ପ୍ରତିମା ଡଙ୍ଗାରେ ଦେବୀନଦୀ ପାରି ହୋଇ ଗଳଧାରୀ ମୌଜାରେ ବିମାନରେ ଘରଘର ବୁଲି ଭୋଗ ଖାଇଥାନ୍ତି।
ଶରତ ଋତୁରେ ଠାକୁରାଣୀଙ୍କ ଶାରଦୀୟ ଦୁର୍ଗାପୂଜା ଏହି ପୀଠରେ ଏକ ପ୍ରମୁଖ ଯାତ୍ରା। ଉତ୍କଳୀୟ ପରମ୍ପରା ଅନୁସାରେ ଅନ୍ୟ ଦେବୀପୀଠ ଭଳି ମା କୁତାମଚଣ୍ଡୀଙ୍କ ମନ୍ଦିରରେ ଦୁର୍ଗାପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଷୋହଳ ଦିନ ବ୍ୟାପୀ ଚଣ୍ଡୀପାଠ ଓ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ। ଅଷ୍ଟମୀ ଓ ନବମୀର ସନ୍ଧି ବା ମଧ୍ୟରାତ୍ରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ। ଥାଳି ଆକାରର ଛଣା ମଣ୍ଡା ଓ ଅଥାର ମଣ୍ଡା ଭୋଗ କରାଯାଏ। ଏହି ପିଠାକୁ ବଳି ମଣ୍ଡା କୁହାଯାଏ। ଦୁର୍ଗାପୂଜା ସମୟରେ ମା’ଙ୍କ ପୀଠରେ ପ୍ରବଳ ଜନସମାଗମ ହୁଏ। ଚୈତ୍ର ମାସରେ ଝାମୁଯାତ୍ରା ମା’ କୁତାମଚଣ୍ଡୀଙ୍କର ଅନ୍ୟ ଏକ ପ୍ରମୁଖ ଯାତ୍ରା। ଏହି ଯାତ୍ରା ପାଞ୍ଚ ପାଳି ପାଳନ କରାଯାଏ। ଶେଷପାଳି ରାତିରେ ଘଣ୍ଟପାଟୁଆ କାଳିକା ବେଶ ସାଜି ଖଣ୍ଡା, ଢାଲ ଧରି ମନ୍ଦିର ପରିକ୍ରମା କରିଥାଏ। କାଳିକା ନୃତ୍ୟ ରାତିରେ ଅନୁଷ୍ଠିତ ହୋଇଥାଏ ଓ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସି ଅପେକ୍ଷା କରି ରହିଥାନ୍ତି। ଝାମୁଯାତ୍ରା ବେଳେ ମା’ଙ୍କ ପୀଠରେ ଘୋଡ଼ାନାଚ ପରିବେଷଣର ପରମ୍ପରା ରହିଛି। ନିକଟରେ ଦେବୀନଦୀ ଥିବାରୁ ମାଛ ଧରିବା ଓ ସୁରୁଖୁରୁରେ ଡଙ୍ଗା ଚଳାଇବା ପାଇଁ ଦେବୀଙ୍କ ଆଶୀର୍ବାଦ ପାଇବା ଲାଗି ଘୋଡ଼ାନାଚ ପରିବେଷଣ କରାଯାଇଥାଏ ବୋଲି କୁହାଯାଏ। ଦୋଳପୂର୍ଣ୍ଣିମା ଦିନ ପ୍ରାୟ ୨୦ଟି ଗ୍ରାମରୁ ଗୋପାଳମାନେ ଗନ୍ଧଣଠାରେ ଥିବା ଗୋଠକୁ ଗାଈଙ୍କୁ ନେଇ ଯାଇଥାନ୍ତି। ଏହାକୁ ବାନ୍ଦାଣ ଗୋଠ କୁହାଯାଏ। ଏଠାକୁ ମା’ କୁତାମଚଣ୍ଡୀଙ୍କ ଆଜ୍ଞାମାଳ ଆସିଥାଏ। ଦେବୀଙ୍କ କୃପାରୁ ଗୋସଂପଦ ସୁରକ୍ଷିତ ରହେ ବୋଲି ଲୋକଙ୍କର ବିଶ୍ବାସ ରହିଛି।