୧୯୪୨ ମସିହାରେ ନିଜ ବାପାଙ୍କୁ ଆର୍ଥିକ କ୍ଷେତ୍ରରେ ସହଯୋଗ ପାଇଁ ସେ ଡ. ମସାନିଙ୍କୁ ସାକ୍ଷାତ କରିଥିଲେ। ଡ. ମସାନି ତାଙ୍କୁ ମଲାଡସ୍ଥିତ ବମ୍ବେ ଟକିଜ୍‌ ଆଣି ଅଭିନେତ୍ରୀ ତଥା ବମ୍ବେ ଟକିଜ୍‌ର ମାଲିକାଣୀ ଦେବିକାରାଣୀଙ୍କ ସହ ଭେଟ କରାଇଥିଲେ। ଊର୍ଦୁ ଭାଷାରେ ଦକ୍ଷ ଥିବାରୁ ମାତ୍ର ୧୨୫୦ ଟଙ୍କାରେ ସେ ସେଠାରେ ସ୍କ୍ରିପ୍ଟ ଲେଖକ ଭାବେ ଚାକିରି ଆରମ୍ଭ କରିଥିଲେ। ପ୍ରାୟ ୨ ବର୍ଷ ପରେ ଦେବିକାରାଣୀଙ୍କ ଅନୁରୋଧ ପରେ ସେ ତାଙ୍କ ନାମ ମହମ୍ମଦ ୟୁସୁଫ୍ ଖାନ୍‌ରୁ ଦିଲୀପ କୁମାର କରିଥିଲେ ଏବଂ ୧୯୪୪ ମସିହାରେ ସେ ପ୍ରଥମ ଚଳଚ୍ଚିତ୍ର ‘ଜ୍ବାର ଭଟା’ରେ ମୁଖ୍ୟ ଭୂମିକାରେ ଅଭିନୟର ସୁଯୋଗ ପାଇଥିଲେ।

Advertisment

publive-image WikiBio

ବ୍ରିଟିଶ୍ ଐତିହାସିକ ଚଳଚ୍ଚିତ୍ର ‘ଲରେନ୍ସ ଅଫ୍ ଆରବିୟା’ ପାଇଁ ମନା କରିଥିଲେ ଦିଲୀପ
୧୯୬୧ରେ ଦିଲୀପ କୁମାର ନିଜେ ପ୍ରଯୋଜନା କରିଥିଲେ ‘ଗଙ୍ଗାଯମୁନା’। ଏଥିରେ ସେ ଅଭିନୟ ମଧ୍ୟ କରିଛନ୍ତି। ଏଥିରେ ତାଙ୍କ ନାୟିକା ସାଜିଥିଲେ ବୈଜୟନ୍ତୀମାଳା। ୧୯୬୨ରେ ବ୍ରିଟିଶ୍ ନିର୍ଦ୍ଦେଶକ ଡେଭିଡ୍‌ ଲିନ୍‌ଙ୍କ ଚଳଚ୍ଚିତ୍ର ‘ଲରେନ୍ସ ଅଫ୍ ଆରବିୟା’ରେ ସରିଫ୍ ଅଲି ଭୂମିକା ପାଇଁ ଦିଲୀପଙ୍କୁ ସୁଯୋଗ ମିଳିଥିଲେ ସୁଦ୍ଧା ସେ ମନା କରି ଦେଇଥିଲେ। ତେଣୁ ସେହି ଭୂମିକା ନିଭାଇଥିଲେ ଓମର ଶରିଫ୍। ଦିଲୀପଙ୍କ ପରବର୍ତ୍ତୀ ସିନେମା ‘ଲିଡର୍‌’ (୧୯୬୪) ବିଫଳ ହେଲା ପରେ ସେ ‘ଦିଲ୍‌ ଦିୟା ଦର୍ଦ ଦିୟା’ରେ ସହନିର୍ଦ୍ଦେଶକ ଭାବେ କାମ କରିଥିଲେ। କିନ୍ତୁ ସିନେମାରେ ସହନିର୍ଦ୍ଦେଶକ ଭାବେ ତାଙ୍କ ନାମ ନ ଥିଲା। ୧୯୬୭ରେ ‘ରାମ ଔର ଶ୍ୟାମ’ ସିନେମାରେ ଦିଲୀପ ଦ୍ବୈତ ଭୂମିକାରେ ଅଭିନୟ କରିଥିଲେ ଏବଂ ତାହା ଖୁବ୍ ସଫଳ ହୋଇଥିଲା। ତା’ ପର ବର୍ଷ ମନୋଜ କୁମାର ଓ ୱାହିଦା ରହମାନଙ୍କ ସହିତ ‘ଆଦ୍‌ମି’ ଚଳଚ୍ଚିତ୍ରରେ ସେ ଖୁବ୍ ସୁନ୍ଦର ଅଭିନୟ କରିଥିଲେ।

publive-image Zoom TV

ସେ ଥିଲେ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଥିବା ଏକମାତ୍ର ଭାରତୀୟ
ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିସାନ-ଇ-ଇମ୍‌ତିଆଜ୍‌’ ପାଇଥିବା ଏକମାତ୍ର ଭାରତୀୟ ହେଉଛନ୍ତି ଦିଲୀପ କୁମାର। ୧୯୯୮ ମସିହାରେ ପାକିସ୍ତାନ ସରକାର ଏହି ପୁରସ୍କାର ଦିଲୀପଙ୍କୁ ଦେବାକୁ ସ୍ଥିର କରିଥିଲା। କିନ୍ତୁ ସେ ସମୟରେ ମହାରାଷ୍ଟ୍ରର ଶାସକ ଦଳ ଶିବସେନା, ଦିଲୀପଙ୍କର ଏହି ସମ୍ମାନ ଗ୍ରହଣ କରିବାକୁ ନେଇ ବିରୋଧ କରିଥିବା ବେଳେ ଦିଲୀପଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ତେବେ ୧୯୯୯ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବାହାରୀ ବାଜପେୟୀଙ୍କ ପରାମର୍ଶ କ୍ରମେ ଦିଲୀପ ଏହି ସମ୍ମାନ ଗ୍ରହଣ କରିଥିଲେ।

ଅଭିନୟ ଯୋଗୁଁ ଅବସାଦର ଶିକାର ହୋଇଥିଲେ
ଅଭିନେତା ଦିଲୀପ କୁମାର ନିଜ ଅଭିନୟ ଯାଦୁରେ ଲୋକଙ୍କୁ କନ୍ଦାଇ ପାରୁଥିବା ବେଳେ ତାଙ୍କୁ ୧୯୫୦ ମସିହା ବେଳକୁ ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଆଖ୍ୟା ଦିଆଯାଉଥିଲା। ତେବେ ଏହି ଟ୍ରାଜେଡି ଅଭିନୟ ପାଇଁ ତାଙ୍କୁ ମାନସିକ ଅବସାଦର ଶିକାର ହେବାକୁ ପଡ଼ିଥିଲା। ତେଣୁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ, ତାଙ୍କୁ କିଛି ହାଲ୍‌କା ଫୁଲ୍‌କା ଚରିତ୍ର କରିବାକୁ କୁହାଯାଇଥିଲା। ପରେ ସେ ‘ଆନ୍‌’, ‘ଆଜାଦ’ ଓ ‘କୋହିନୂର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ତାଙ୍କ ଚରିତ୍ରରୁ ଟ୍ରାଜେଡି ଛାପ ଛାଡ଼ିନଥିଲା।

publive-image Free Press Journal

ବେକାର ଗଲା ୭୦ ଦଶକ, ୮୦ ଦଶକରେ ଚରିତ୍ର ଅଭିନେତା ଭାବେ ପ୍ରତ୍ୟାବର୍ତ୍ତନ
୭୦ ଦଶକ ଦିଲୀପ କୁମାରଙ୍କ ପାଇଁ ଲାଭଦାୟକ ନ ଥିଲା। ତାଙ୍କର ଏକାଧିକ ସିନେମା ବିଫଳ ହେବାରୁ ସେ ୧୯୭୬ରୁ ୧୯୮୧ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ରହିଥିଲେ। ସେତେବେଳେ ଭଲ ଚଳଚ୍ଚିତ୍ରଗୁଡ଼ିକର ମୁଖ୍ୟ ଭୂମିକା ହାତେଇ ନେଉଥିଲେ ରାଜେଶ ଖାନ୍ନା ଓ ସଂଜୀବ କୁମାର। ୧୯୮୧ରେ ଚରିତ୍ର ଅଭିନୟ ସହ ପୁଣି ପରଦାରେ ଦେଖାଦେଇଥିଲେ ଦିଲୀପ କୁମାର। ସେହି ବର୍ଷ ଏକାଧିକ ଅଭିନେତା ଥିବା ସିନେମା ‘କ୍ରାନ୍ତି’ ପ୍ରଚୁର ଲୋକପ୍ରିୟତା ଅର୍ଜନ କରିଥିଲା। ଏଥିରେ ବ୍ରିଟିଶ୍ ସରକାର ବିରୋଧରେ ସଂଗ୍ରାମ କରୁଥିବା ଜଣେ ବିପ୍ଳବୀ ଭୂମିକାରେ ଦିଲୀପଙ୍କ ଅଭିନୟ ଓ ସଂଳାପ ଅତ୍ୟନ୍ତ ମର୍ମସ୍ପର୍ଶୀ। ୧୯୮୨ରେ ସୁଭାଷ ଘାଇଙ୍କ ‘ବିଧାତା’ରେ ସେ ସଂଜୟ ଦତ୍ତ, ସଂଜୀବ କୁମାର ଓ ଶମି କୁମାରଙ୍କ ସହ ଅଭିନୟ କରିଥିଲେ। ସେହିବର୍ଷ ରମେଶ ସିପ୍ପିଙ୍କ ‘ଶକ୍ତି’ରେ ଅମିତାଭ ବଚନଙ୍କ ସହ ଅଭିନୟ କରିଥିଲେ ଯାହା ଦର୍ଶକ ଏବଂ ସିନେ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ଏହି ସିନେମା ପାଇଁ ସେ ଶେଷ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୮୬ରେ ‘କର୍‌ମା’ ଚଳଚ୍ଚିତ୍ରରେ ଦିଲୀପଙ୍କ ଚରିତ୍ରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ସେ ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ସେ ଜେଲ୍‌ ଦାୟିତ୍ବରେ ଥିଲାବେଳେ ଗୋଟେ ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବାର ଅଭିଯାନ ଚଳାଇଛନ୍ତି। ଦିଲୀପଙ୍କ ଶେଷ ସିନେମା କୁହାଯାଉଥିବା ‘କିଲା’ (୧୯୯୮) ସଫଳ ହୋଇ ନ ଥିଲା।

publive-image
The Week

ରାଜ କପୁରଙ୍କ ସହ ନାସିକ୍‌ରେ ବଢ଼ିଥିଲେ
୧୯୨୨ ମସିହା ଡିସେମ୍ବର ୧୧ରେ ପାକିସ୍ତାନର ପେଶାୱାରରେ ଜନ୍ଜିତ ଦିଲୀପ ନାସିକ୍‌ର ବର୍ଣ୍ଣେସ୍‌ ସ୍କୁଲ୍‌ରେ ପଢ଼ୁଥିଲେ। ରାଜ କପୁର ଥିଲେ ଦିଲୀପଙ୍କ ପିଲାଦିନ ବନ୍ଧୁ। ଦିଲୀପଙ୍କ ବାପା ଲାଲା ଗୁୁଲାମ ସରୱାର ଅଲି ଖାନ୍‌ ଜଣେ ଜମିଦାର ଓ ଫଳ ବ୍ୟବସାୟୀ ଥିଲେ। ଦିଲୀପଙ୍କ ବାସ୍ତବ ନାମ ଥିଲା ମହମ୍ମଦ ୟୁସୁଫ୍ ଖାନ୍। ବାପାଙ୍କ ସହ ଦିନେ ଯୁକ୍ତି କରି ଦିଲୀପ ଘର ଛାଡ଼ି ୧୯୪୦ ମସିହାରେ ପୁଣେକୁ ପଳାଇଥିଲେ।

ସ୍ୟାଣ୍ଡୱିଚ୍‌ ବିକୁଥିଲେ ଦିଲୀପ
ଅଭିନେତା ଦିଲୀପ କୁମାର ଛୋଟ ବୟସରେ ଘର ଛାଡ଼ି ପୁଣେ ଚାଲି ଆସିବା ପରେ ଜଣେ ପାର୍ସି କାଫେ ମାଲିକଙ୍କ ସହ ଭେଟ ହୋଇଥିଲେ। ତାଙ୍କ ସହାୟତାରେ ସେ ଜଣେ କ୍ୟାଣ୍ଟିନ କଣ୍ଟ୍ରାକ୍ଟରଙ୍କୁ ଭେଟ ହୋଇଥିଲେ। ଇଂରାଜୀ ଭାଷାରେ କହିବା ଓ ଲେଖିବାରେ ତାଙ୍କର ଦକ୍ଷତା ଥିବାରୁ ଏହି ଯୋଗ୍ୟତା ଭିତ୍ତିରେ ତାଙ୍କୁ କ୍ୟାଣ୍ଟିନ ପକ୍ଷରୁ କାମ ମିଳିଥିଲା। ତେବେ ସେ ନିଜ ପରିବାରର ପରିଚୟକୁ ଲୁଚାଇ ରଖିଥିଲେ। ଚୁକ୍ତି ଶେଷ ହେବା ପର୍ଯ୍ୟନ୍ତ ସେ କ୍ୟାଣ୍ଟିନ ମଧ୍ୟରେ ଏକ ସ୍ୟାଣ୍ଡୱିଚ୍‌ ଷ୍ଟଲ୍‌ ଲଗାଇ ୫ ହଜାର ଟଙ୍କା ଜମା କରିଥିଲେ। ସେତେବେଳେ ସେଇ ବୃହତ୍‌ ଅର୍ଥରାଶି ଧରି ସେ ଘରକୁ ଫେରିଥିଲେ।