ସଇତାନର ସେତୁ!

ଆଜିର ବିଜ୍ଞାନ ଯୁଗରେ ଭୂତ, ପ୍ରେତ, ସଇତାନ, କଥାକୁ ଲୋକେ ଅନ୍ଧବିଶ୍ୱାସ ବୋଲି କହି ହସରେ ଉଡ଼ାଇ ଦେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ, ଏଭଳି ଅନ୍ଧବିଶ୍ୱାସକୁ ସଭ୍ୟ ଓ ବିଜ୍ଞାନରେ ଆଗୁଆ ରହିଥିବା ଇଟାଲି, ଫ୍ରାନ୍ସ, ଜର୍ମାନୀ ଓ ସ୍ୱିଜର୍‌ଲ୍ୟାଣ୍ଡ୍‌ ଭଳି ଦେଶର ଲୋକେ ସତ ବୋଲି ବିବେଚନା କରନ୍ତି। ବିଶ୍ୱାସ କରାଯାଏ ଇଟାଲି, ଫ୍ରାନ୍ସ, ଜର୍ମାନୀ ଓ ସ୍ୱିଜର୍‌ଲ୍ୟାଣ୍ଡ୍‌ରେ ଅନେକ ସେତୁ (ପୋଲ) ରହିଛି ଯେଉଁଠି ସଇତାନ ଓ ଆତ୍ମା ରହିଥାଏ। ସେସବୁ ‘ଡେଭିଲ୍‌ସ୍‌ ବ୍ରିଜ୍’ ବା ସଇତାନ ସେତୁ ଭାବେ ପରିଚିତ। ଆଜି ବି ସେଠାକାର ଲୋକମାନେ ସେହି ସୟତାନ୍‌ ସେତୁ ପାରି ହେବା ବେଳେ ଈଶ୍ବରଙ୍କୁ ପ୍ରାର୍ଥନା କରିଥାନ୍ତି।

ଇଟାଲି
ଉତ୍ତର ଇଟାଲିର ଲାଞ୍ଜୋ ଟୋରିନେସ୍ ଠାରେ ପୋଣ୍ଟେ ଡେଲ୍‌ ଡାଆଭୋଲୋ ସେତୁ ଅଛି। କିଂବଦନ୍ତି ଅନୁସାରେ, ଗୋଟାଏ ସଇତାନ ଏହାକୁ ନିର୍ମାଣ କରିଥିଲା। ପ୍ରାର୍ଥନା ନକରି ଏହି ସେତୁ ପାର ହେଉଥିବା ବ୍ୟକ୍ତିର ଆତ୍ମାକୁ ସଇତାନ କବଳିତ କରେ। ତେଣୁ ସ୍ଥାନୀୟ ଲୋକେ ପ୍ରାର୍ଥନା କରିବା ପରେ ସେ ସେତୁ ଅତିକ୍ରମ କରନ୍ତି। ଇଟାଲିର ଆଉ ଏକ ସଇତାନର ସେତୁ ଭେନିସ୍‌ ନିକଟରେ ଥିବା ଟୋରସେଲୋ ଦ୍ୱୀପରେ ଅବସ୍ଥିତ। କିଂବଦନ୍ତି କହେ, ଡାଇନ୍‌ ନାମକ ଜଣେ ଯୁବତୀ ମୃତ ପ୍ରେମିକର ଆତ୍ମାକୁ ଫେରାଇ ଆଣିବାକୁ ଜଣେ ତାନ୍ତ୍ରିକଙ୍କ ସନ୍ଧାନ କଲେ। ତାନ୍ତ୍ରିକ ଉକ୍ତ ଯୁବତୀଙ୍କ ସହ ଚୁକ୍ତି କଲେ ଯେ, ପ୍ରେମିକର ଆତ୍ମାକୁ ଫେରାଇ ଆଣିବା ପ୍ରତିବଦଳରେ ଯୁବତୀ ସବୁକିଛି ଦେବାକୁ ପ୍ରସ୍ତୁତ ରହିବେ। ଯୁବତୀଙ୍କ ‌େପ୍ରମିକର ଆତ୍ମାକୁ ଆଣିବାକୁ ତାନ୍ତ୍ରିକ ଏକ ସଇତାନକୁ ଡକାଇ ନିର୍ଦ୍ଦେଶ ଦେଲେ। ବିଭିନ୍ନ ଉପହାର ଦେବାକୁ ସଇତାନକୁ ପ୍ରତିଶ୍ରୁତି ଦେଲେ। ସଇତାନ ଆତ୍ମାକୁ ଆଣିବା ପରେ ତାନ୍ତ୍ରିକ ଉପହାର ନଦେଇ ଚାଲିଗଲେ। ରାଗରେ ସଇତାନ ଉକ୍ତ ଯୁବତୀଙ୍କୁ ହତ୍ୟା କଲା। ଆଜି ବି ପ୍ରତିବର୍ଷ ଡିସେମ୍ବର ୨୪ରେ ସେଠାରେ ସଇତାନ ସବାର ହେବାର ଲୋକେ ବିଶ୍ୱାସ କରନ୍ତି ଏବଂ ତା’ କ୍ରୋଧ ଶାନ୍ତ କରିବାକୁ ବିଭିନ୍ନ ଉପହାର ଦେଇ ପ୍ରାର୍ଥନା କରନ୍ତି।

ଜର୍ମାନୀ
ଜର୍ମାନୀର କ୍ରୋମ୍‌ଲାଉରେ ଥିବା ରାକ୍‌ଟେଜ୍‌ବୁର୍‌କେ ମଧ୍ୟ ସଇତାନ ସେତୁ ଭାବରେ ଜଣାଶୁଣା। ସ୍ଥାନୀୟ କିଂବଦନ୍ତି ଅନୁଯାୟୀ, ସଇତାନର ସାହାଯ୍ୟ ଓ ସହଯୋଗ ବିନା ଏଭଳି ଜଟିଳ ଆକୃତିକର ସେତୁ ସେଠାରେ ନିର୍ମାଣ କରିବା ସମ୍ଭବ ନୁହେଁ। ଏପରିକି ଅନେକ ବିଶ୍ୱାସ କରନ୍ତି, ଖୋଦ୍‌ ସଇତାନ ସେ ସେତୁଟି ନିର୍ମାଣ କରିଛି। ସେତୁ କିପରି ନିର୍ମାଣ କରାଯାଇଥିଲା ତାହାକୁ ନେଇ ଏକ ପ୍ରାଚୀନ କାହାଣୀ ରହିଛି। ଜଣେ ତାନ୍ତ୍ରିକଙ୍କ ସାଧନାର ବଶବର୍ତ୍ତୀ ହୋଇଥିବା ସଇତାନ ଦ୍ୱାରା ସେତୁଟି ନିର୍ମିତ ହୋଇଥିଲା। ବର୍ଷ ସାରା ଏହି ସେତୁର ପ୍ରତିଛାୟା ନଦୀଜଳ ଉପରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ। ଏହି ଅବିଶ୍ୱସନୀୟ ଦୃଶ୍ୟ ଦେଖିବାକୁ ଅନେକ ଦର୍ଶକ ଆସନ୍ତି ଏବଂ ସଇତାନ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତି।

ସ୍ୱିଜର୍‌ଲ୍ୟାଣ୍ଡ୍‌
ସ୍ୱିଜର୍‌ଲ୍ୟାଣ୍ଡ୍‌ର ଟ୍ୟୁଫେଲ୍‌ସ୍‌ବ୍ରୁକେରେ ବି ରହିଛି ଏକ ବହୁଚର୍ଚ୍ଚିତ କିଂବଦନ୍ତି। ଜଣେ ମେଷପାଳକ ଏକ ସେତୁ ନିର୍ମାଣ କରୁଥିବା ବେଳେ ଅନେକ ଭୌତିକ ଘଟଣା ଦେଖିଲେ। ସେ ଦେଖିଲେ ନିର୍ମାଣାଧୀନ ସେତୁର କିଛି ଅଂଶ ଭୁଶୁଡ଼ି ପଡୁଛି। ପୁଣି କେହି ଜଣେ ଅଦୃଶ୍ୟରେ ତାହା ନିର୍ମାଣ କରିଦେଉଛି। ଏହା ନିଶ୍ଚିତ କୌଣସି ସଇତାନର କାର୍ଯ୍ୟ ଭାବି ମେଷପାଳକ ପ୍ରାର୍ଥନା କଲେ। ସଇତାନ ଆବିର୍ଭାବ ହୋଇ ସେତୁ ନିର୍ମାଣ କଲା। କିନ୍ତୁ, ସଇତାନ ମେଷପାଳକଙ୍କ ନିକଟରେ ଗୋଟିଏ ସର୍ତ୍ତ ରଖିଥିଲା- ନିର୍ମାଣ ସାରିବା ପରେ ଏହି ସେତୁକୁ ଅତିକ୍ରମ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଆତ୍ମାକୁ ସେ ନେଇଯିବ। ମେଷପାଳକ ରାଜି ହେଲେ ଏବଂ ସେତୁ ନିର୍ମାଣ ପରେ ପ୍ରଥମେ ଗୋଟିଏ ମେଣ୍ଢାକୁ ପାର କରାଇଦେଲେ। କ୍ରୋଧରେ ସଇତାନ ପର୍ବତରୁ ବିରାଟ ପଥର ଆଣି ସେତୁକୁ ଭାଙ୍ଗି ଦେବ ବୋଲି କହିଲା। ସେତିକିବେଳେ ଜଣେ ଦେବୀ ତାକୁ ପ୍ରଭୁଯୀଶୁଙ୍କ କ୍ରୁଶବିଦ୍ଧ ଛବି ଦେଖାଇ ସେତୁ ପାର ହେଲେ। ସଇତାନ ଶାନ୍ତ ହୋଇଗଲା। ଆଜି ବି ଯାତ୍ରୀମାନେ ପ୍ରଭୁଯୀଶୁଙ୍କୁ ପ୍ରାର୍ଥନା କରି ସଇତାନକୁ କ୍ଷମା ମାଗି ସେତୁ ପାର ହୁଅନ୍ତି।

ଫ୍ରାନ୍ସ
ଫ୍ରାନ୍ସର ସେଣ୍ଟ୍‌ ଗୁଇଲେମ୍-ଲେ-ଡେଜର୍ଟ ନିକଟସ୍ଥ ହେରାଲ୍‌ଟ୍‌ରେ ମଧ୍ୟ ସଇତାନ ସେତୁ ଅଛି। କିଂବଦନ୍ତି କହେ, ସେଣ୍ଟ୍‌ ଗୁଇଲେମ୍‌ର ବାସିନ୍ଦାମାନେ ନଦୀ ପାର ହେବା ବେଳେ ପାତାଳକୁ ଟାଣିହୋଇ ଚାଲି ଯାଉଥିଲେ। ତେଣୁ, ନଦୀ ପାର ହେବା ଅସମ୍ଭବ ହୋଇପଡ଼ିଲା। ଅନ୍ୟ ପାର୍ଶ୍ୱକୁ ଯିବାକୁ ସ୍ଥାନୀୟ ଲୋକଙ୍କୁ ଘଞ୍ଚ ଜଙ୍ଗଲର ଦୁର୍ଗମ ପାର୍ବତ୍ୟ ପଥ ଅତିକ୍ରମ କରିବାକୁ ପଡ଼ିଲା। ସେଠାରେ ସଇତାନ ବାସ କରୁଛି ଓ ନଦୀପାରି ହେବାବେଳେ ଲୋକଙ୍କୁ ପାତାଳକୁ ଚାପି ହତ୍ୟା କରୁଛି ବୋଲି ଜଣେ ସାଧକ ଜାଣିପାରିଲେ। ସାଧକ ପଚାରିବାରୁ ସଇତାନ କହିଲା, ମୁଁ ସେତୁ ନିର୍ମାଣ କରିଦେବି, କିନ୍ତୁ ଜଣେ ବ୍ୟକ୍ତିଙ୍କ ଜୀବନ ନେବି। ସାଧକ ଏକ ବିଲେଇ ହତ୍ୟା କରି ସଇତାନକୁ ଅର୍ପଣ କଲେ। କ୍ରୋଧିତ ସଇତାନ ଘୂର୍ଣ୍ଣିବାତ୍ୟା ସୃଷ୍ଟି କରି ନଦୀଜଳ ଉପରକୁ ଉଠାଇନେଲା। ସଇତାନକୁ ଖରାପ ଶକ୍ତିରୁ ମୁକ୍ତି ଦେବା ପାଇଁ ସାଧକ ନଦୀରେ ପବିତ୍ର ଜଳ ଫିଙ୍ଗିଥିଲେ। ସେହି ଜଳ ସ୍ପର୍ଶରେ ସଇତାନ ଶାନ୍ତ ହୋଇ ସେତୁ ନିର୍ମାଣ କଲା। ଆଜି ବି ଯଦି ସ୍ଥାନୀୟ ବ୍ୟକ୍ତିଙ୍କ ଘର କି, ପରିବାରରେ କୌଣସି ଅଘଟଣ ବା ଅଲୌକିକ କାଣ୍ଡ ଘଟୁଛି ସେମାନେ ସଇତାନକୁ ପ୍ରାର୍ଥନା କରି ନଦୀଜଳ ନେଇ ପିଇବା ସହିତ ଘରେ ସିଞ୍ଚନ କରୁଛନ୍ତି।

ସମ୍ବନ୍ଧିତ ଖବର