ସୁପରିଚିତ ହିନ୍ଦୀ ଧାରାବାହିକ ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ନିକଟରେ ତାଙ୍କ ସାତ ମାସର ପୁଅ ସହିତ ନିଜର ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିଲେ। ତେବେ ପୁଅର ଶ୍ୟାମଳ ରଙ୍ଗ ନେଇ କିଛି ନିନ୍ଦୁକ ଫଟୋ ତଳେ ଅରୁଚିକର ମନ୍ତବ୍ୟ ଦେବାକୁ ଲାଗିଲେ। ଏପରିକି ଶିଶୁର ପିତାଙ୍କ ରଙ୍ଗ ଓ ଧର୍ମକୁ ନେଇ କିଛି ଲୋକ ଆକ୍ଷେପ କରିବାକୁ ପଛାଇଲେ ନାହିଁ। ଦେବୋଲୀନା ଚୁପ୍‌ ନ ରହି ଟ୍ରୋଲମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଉଦାହରଣ ସ୍ବରୂପ ଜଣେ ଟ୍ରୋଲ କମେଣ୍ଟ କରିଥିଲା, ‘ଇଏ ତ ନିଜେ ଏତେ କଳା, ତା’ ଦେହରେ ପୁଣି କଳା ଲଗାଇବା କ’ଣ ଦରକାର।’ ଏହାର ଜବାବରେ ଦେବୋଲୀନା ଲେଖିଥିଲେ, ‘ଏ ବ୍ୟକ୍ତି ନିଜ ପ୍ରୋଫାଇଲରେ ଜୟ ବାଲାଜୀ ଲେଖିଛନ୍ତି। ବାଲାଜୀଙ୍କ ରଙ୍ଗ କ’ଣ ୟାଙ୍କୁ ପଚାର।

Advertisment

ଏ ରୋଗର କୌଣସି ଚିକିତ୍ସା ନାହିଁ, ସ୍ବୟଂ ଭଗବାନ ବାଲାଜୀ ବି ବୋଧହୁଏ ଏଭଳି ଲୋକଙ୍କୁ ଠିକ୍ କରିପାରିବେ ନାହିଁ।’ ଆଉ ଜଣେ ମହିଳା ‘କଳା ମାଙ୍କଡ଼ିଆ ଆସିଲା’ ବୋଲି ଲେଖିବାରୁ ଦେବୋଲୀନା ଜବାବ ଦେଇଛନ୍ତି, ‘ୟାଙ୍କୁ ମୁଁ କ’ଣ ଆଉ କହିବି। ଇଏ ନିଜେ ଜଣେ ମାଆ। ଭଗବାନଙ୍କୁ ଏତିକି ପ୍ରାର୍ଥନା, ତାଙ୍କ ସନ୍ତାନଙ୍କୁ ତାଙ୍କର ଏହି ରୋଗ ନ ଡେଉଁ।’ ଦେବୋଲୀନାଙ୍କୁ ସମର୍ଥନ କରି ଜଣେ ଲେଖିଥିଲେ ଯେ ଭାରତୀୟମାନେ ଗୋରା ରଙ୍ଗ ପାଇଁ ପାଗଳ। ଦେବୋଲୀନା ତାଙ୍କ କଥାକୁ ସଂଶୋଧନ କରି କହିଥିଲେ ଯେ ସବୁ ଭାରତୀୟ ସେମିତି ନୁହନ୍ତି। ଅଶିକ୍ଷିତ ଓ କୁସଂସ୍କାରରେ ବଢ଼ିଥିବା ଲୋକମାନେ ହିଁ ଗୋରା ରଙ୍ଗକୁ ପ୍ରଧାନ୍ୟ ଦିଅନ୍ତି। ସେମାନେ ନିଜ ଜୀବନ ନେଇ ହତାଶ, ତେଣୁ ଚାରିଆଡ଼େ ଘୃଣା ଆଉ ନକାରାତ୍ମକତା ପ୍ରସାର କରନ୍ତି।