ବିଜୟଓ୍ଵାଡା: ଭିଜୟଓ୍ଵାଡ଼ାର ଜଣେ ଭକ୍ତ ମନ୍ଦିର ହୁଣ୍ଡିରେ ଆଇଫୋନ୍ ୬ଏସ୍ ପକାଇବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଭକ୍ତ ଜଣକ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ମୋପିଦେବୀଠାରେ ଥିବା ମନ୍ଦିରରେ ଏପରି ନିଆରା ଦାନ କରିଛନ୍ତି। ଶନିବାର ଦିନ ହୁଣ୍ଡି ଖୋଲିବାରୁ ଆଇଫୋନ୍ ଦେଖିବାକୁ ମିଳିଥିଲା। ମନ୍ଦିର କର୍ମଚାରୀ ଟଙ୍କା ଗଣନା କରିବାକୁ ହୁଣ୍ଡି ଖୋଲିଥିବା ବେଳେ ହୁଣ୍ଡିରେ ଆଇଫୋନ୍ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଭୁ ଶୁଭ୍ରମଣ୍ୟମ ସ୍ୱାମୀଙ୍କ ମନ୍ଦିର କର୍ମଚାରୀ ସନ୍ଦେହ କରୁଛନ୍ତି ଯେ ବ୍ୟକ୍ତି ଜଣକ ନୂଆ କରି ମୋବାଇଲ୍ ଦୋକାନ କରିଛନ୍ତି। ସେ ନିଜ ବ୍ୟବସାୟର ଉନ୍ନତି ଆଶାରେ ଭଗବାନଙ୍କୁ ପ୍ରୀତ କରାଇବା ଉଦ୍ଦେଶ୍ୟରେ ଏକ ଫୋନ୍ ଦାନ କରିଛନ୍ତି। ଫୋନ୍ଟି ସଂପୂର୍ଣ୍ଣ ନୂଆ ଥିବା ଦେଖିବାକୁ ମିଳିଛି।
ସେ ଯାହା ବି ହେଉ, ପ୍ରଥମ ଥର ଏପରି ଦେଖିବାକୁ ମିଳିଛି ଯେ କେହି ଭକ୍ତ ଭଗବାନଙ୍କୁ ଦାନ ସ୍ୱରୁପ ମୋବାଇଲ୍ ଦେଇଛନ୍ତି। ତେବେ, ଏହି ମୋବାଇଲ୍ ହସ୍ତଗତ ହେବା ପରେ ମନ୍ଦିର କର୍ମଚାରୀ ତୁରନ୍ତ ମନ୍ଦିର କାର୍ଯ୍ୟକାରୀ ଅଧିକାରୀ ଏମ୍ ଶାରଦାଙ୍କୁ ଦାନ ସଂପର୍କରେ ସୂଚୀତ କରାଇଛନ୍ତି। ମନ୍ଦିରର କର୍ମଚାରୀ ଏବେ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଭକ୍ତମାନେ ଉପହାର ଦେବାକୁ ଚାହାନ୍ତି ସେମାନଙ୍କ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ପତ୍ର ଲେଖିବେ।