ଲିଙ୍ଗରାଜ ମନ୍ଦିର ଖୋଲିବା ଆଶାରେ ଭକ୍ତ

କୋଭିଡ୍‌ କଟକଣାରେ ଖୋଲାଯାଉ ମନ୍ଦିର: ସେବାୟତ

ପୁରୁଣା ଭୁବନେଶ୍ୱର : ଗତ ମାର୍ଚ୍ଚ ୧୫ ତାରିଖରୁ ରାଜ୍ୟରେ କରୋନା ପ୍ରବେଶ କରିବା ପରେ ସଂକ୍ରମଣ ଭୟରେ ସରକାର ମନ୍ଦିର ଖୋଲିବା ଉପରେ କଟକଣା ଜାରି କରିଛନ୍ତି। ଅନ୍‍ଲକ୍‍-୬ ପରେ ମନ୍ଦିରକୁ ବାଦ୍‍ ଦେଲେ ଅନ୍ୟଗୁଡିକ ପ୍ରାୟତଃ ନିୟମିତ ଭାବେ ଖୋଲିବାରେ ଲାଗିଛି। ବିଶେଷକରି ମଦ ଦୋକାନ, ବଡ ବଡ ସପିଂ ମଲ୍‍, ମାର୍କେଟ କମ୍ପ୍ଲେକ୍ସ, ହାଟ, ବଜାର, ସେଲୁନ୍‍ ଆଦିରେ ପୂର୍ବଭଳି ଗହଳି ଚହଳି ଲାଗି ରହିଛି। କଟକଣା ଆଉ କେଉଁଠି ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ସମସ୍ତଙ୍କୁ ସାମାଜିକ ଦୂରତାର ପାଠ ପଢ଼ାଇ ପ୍ରଶାସନ ପ୍ରାୟତଃ ନିଜର କାମ ଶେଷ କରିଛି। ସେହିପରି ମନ୍ଦିର ବନ୍ଦ ସହିତ ଅନ୍ୟାନ୍ୟ ପର୍ବପର୍ବାଣି ଉପରେ ସରକାର କଟକଣା ଲଗାଉଛନ୍ତି। ନିକଟରେ ଦୀପାବଳି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବା, ବିନ୍ଦୁସାଗର କୂଳରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଉପରେ କଟକଣା ଲାଗିଥିଲା। ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଦେବଦେବୀ ଦର୍ଶନ ବାରଣ କରିବା ସହ ପୁଷ୍କରିଣୀରେ ଡଙ୍ଗା ଛାଡ଼ିବା ବାରଣ କରାଯାଇଥିଲା। ତେବେ ମନ୍ଦିର ଉପରୁ କଟକଣା ନହଟିବାରୁ ଅସନ୍ତୋଷ ବୃଦ୍ଧିପାଇବା ସହ ଲୋକେ ଧୀରେ ଧୀରେ ଗଳାବାଟ ଦେଇ ମନ୍ଦିରକୁ ପ୍ରବେଶ କରିବାରେ ଲାଗିଛନ୍ତି। ନ’ମାସ ହେଲା ରୋଜଗାର ହରାଇ ବସିଥିବା ପୂଜକମାନେ ବି ଏଥିରେ ସହାୟତା କରୁଛନ୍ତି। ବିଭିନ୍ନ ଛୋଟ ମନ୍ଦିରକୁ ଶ୍ରଦ୍ଧାଳୁ ଯାଉଥିବା ବେଳେ ବଡ଼ ବଡ଼ ମନ୍ଦିର ସିଂହଦ୍ବାର ଆଗରେ ଭକ୍ତଙ୍କ ଭିଡ଼ ଜମୁଛି। ମନ୍ଦିର ପରିଚାଳନା କମିଟି ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ସବୁକିଛି ଦେଖୁଛି। ରାଜଧାନୀ ସମେତ ଉପକଣ୍ଠରେ ଥିବା ଅଧିକାଂଶ ମନ୍ଦିରରେ ଏଭଳି ଅବସ୍ଥା। କେଉଁଠି କେଉଁଠି ଆଗରେ ତାଲା ଝୁଲୁ ଥିବାବେଳେ ପଛପଟ ଖୋଲା ରହୁଛି। ତେଣେ ମନ୍ଦିର ଉପରୁ ବନ୍ଦ କଟକଣା ହଟାଇବା ପାଇଁ ମନ୍ଦିର ସମ୍ମୁଖରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡିଆ ଚାଲିଛି। ଆଇନ୍‍ ଅଦାଲତରେ ମଧ୍ୟ କଟକଣା ହଟାଇବା ପାଇଁ ଆବେଦନ ହୋଇଛି। ତେବେ ମନ୍ଦିର ଉପରୁ କଟକଣା ହଟାଇଲେ ସମସ୍ତ‌େ ଭଗବାନଙ୍କୁ ଦର୍ଶନର ସୁବିଧା ପାଇପାରିବେ।

ଅପରପକ୍ଷରେ କରୋନା କଟକଣା ପାଇଁ ମନ୍ଦିର ଗୁଡ଼ିକ ବନ୍ଦ ଥିବା ବେଳେ ସରକାରଙ୍କ କଟକଣାକୁ ଲୋକେ ଆଉ ମାନିବାକୁ ନାରାଜ। ବଡ଼ ବଡ଼ ମନ୍ଦିରକୁ ଛାଡ଼ି ଦେଲେ ପ୍ରାୟ ସବୁ ଛୋଟ ମନ୍ଦିରରେ ଲୋକେ ଆସି ପୂଜାର୍ଚ୍ଚାନା କଲେଣି। ପୁଲିସ ଭୟରେ ମନ୍ଦିର ଆଗ ପଟ ଫାଟକରେ ତାଲା ପଡ଼ିଥିବା ବେଳେ ଚୋରା ବାଟରେ ଭକ୍ତଙ୍କ ଧାଡ଼ି ଦେଖିବାକୁ ମିଳୁଛି। ଏପଟେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଖୋଲାଯିବା ନେଇ ସରକାରଙ୍କ ନିଷ୍ପତ୍ତି ପରେ କୋଭିଡ୍‌ କଟକଣାରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ସେବାୟlମାନେ ମତ ପ୍ରକାଶ କରିଛନ୍ତି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ପରେ ଲିଙ୍ଗରାଜ ମନ୍ଦିର ମଧ୍ୟ ଖୋଲାଯାଉ। ତେବେ ସରକାରଙ୍କ କରୋନା କଟକଣା ନିୟମ ମାନି ସବୁ କରାଯାଉ। ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ କୁହନ୍ତି ପ୍ରଥମେ ଶ୍ରୀମନ୍ଦିର ଖୋଲିବା ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ଟ୍ରଷ୍ଟ ବୋର୍ଡ‌ରେ ପ୍ରସ୍ତାବ ଦିଆଯିବ। କରୋନା କଟକଣା ନିୟମ ରକ୍ଷା କରି ଯେପରି ଭକ୍ତ ଆସିବେ ସେ ନେଇ ଆଲୋଚନା କରାଯିବ। ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡାଙ୍କ କହିବା କଥା ଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ। ଦାରୁ ଦେବତାଙ୍କୁ ଦୂରରୁ ଦର୍ଶନ କରିହେବ। କିନ୍ତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ଶିଳା ବ୍ରହ୍ମ। ଶ୍ରୀଲିଙ୍ଗରାଜଙ୍କୁ ଭକ୍ତମାନେ ଜଳଲାଗି, କ୍ଷୀର ଲାଗି, ବିଭିନ୍ନ ଅଭିଷେକ କରନ୍ତି। ତେଣୁ କୋଭିଡ୍‌ ନିୟମ ରକ୍ଷା କରି ମନ୍ଦିର ଖୋଲାଗଲେ ଭଲ ହେବ। ବିଏମ୍‌ସି ଅତିରିକ୍ତ କମିସନର ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକଙ୍କୁ ପଚାରିବାରେ ସେ କୁହନ୍ତି ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲାପାଳ ବିଏମ୍‌ସି କମିସନରଙ୍କ ସହ ଆଲୋଚନା କରି ଅନୁମତି ଦେଲେ ସେବାୟତଙ୍କ ମତ ନିଆଯିବ। ଟ୍ରଷ୍ଟ ବୋର୍ଡରେ ପ୍ରସ୍ତାବ ଗୃହୀତ କରାଯାଇ ସରକାରଙ୍କୁ ଜଣାଯିବା ପରେ ମନ୍ଦିର ଖୋଲି ପାରିବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି ମନ୍ଦିର ଖୋଲିବା ନେଇ ସରକାରଙ୍କ ସହ ଆଲୋଚନା ଚାଲିଛି। ଟ୍ରଷ୍ଟ ବୋର୍ଡ ବୈଠକ ଡକାଯାଇ ପ୍ରସ୍ତାବ ଗୃହୀତ କରାଯିବା ପରେ ସରକାରଙ୍କ ଅନୁମତି ମିଳିଲେ ଖୋଲିବା ସମ୍ଭବ ହୋଇ ପାରିବ।

ସମ୍ବନ୍ଧିତ ଖବର