ଅନେକ ପଶୁପ୍ରେମୀ ମଧ୍ୟ ବିରାଡ଼ି, କୁକୁରଙ୍କୁ ନିଜ ସନ୍ତାନ ଭଳି ପାଳିଥା’ନ୍ତି। ବେଳେ ବେଳେ ପରିସ୍ଥିତି ଚାପରେ ସେମାନେ ପୋଷା ଜୀବଙ୍କୁ ସେମାନଙ୍କ ରୁଚି ମୁତାବକ ଖାଦ୍ୟ ଦେଇପାରିନଥା’ନ୍ତି। ସେମାନଙ୍କ ଏହି ଅସୁବିଧା ଦୂର କରିବା ପାଇଁ ଇନ୍ଦୋରର ପଶୁପ୍ରେମୀ ବାଲରାଜ ଝାଲା ଏକ ଅଭିନବ ଶ୍ବାନାଳୟ ଖୋଲିଛନ୍ତି। ବିଶେଷ କରି କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଢାବାରେ ନାନା ପ୍ରକାର ଶ୍ବାନଖାଦ୍ୟ ଉପଲବ୍‌ଧ ହେଉଛି। କୁକୁର ପାଳିଥିବା ମାଲିକମାନେ ଉଚିତ୍‌ ପାଉଣା ଦେଇ ‘ଡଗି ଢାବା’ରେ ସେମାନଙ୍କ ଶ୍ବାନସାଥୀଙ୍କୁ ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନରେ ଆପ୍ୟାୟିତ କରିପାରିବେ। ଦୈନିକ ଭୋଜନ ଖର୍ଚ୍ଚ ୭ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏ ରହିଛି। ଶ୍ବାନ ମାଲିକମାନେ ଏଠାରେ ନିଜ ପୋଷା କୁକୁରର ଜନ୍ମଦିନ ପାଳନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

Advertisment

ଏକ ହୋଟେଲରେ କାମ କରୁଥିବା ବାଲରାଜ ରାତିରେ ଘରକୁ ଫେରିଲା ବେଳେ ବୁଲା କୁକୁରଙ୍କୁ ହୋଟେଲର କିଛି ବଳକା ଓ ବାସି ଖାଦ୍ୟ ଦେଇଆସୁଥିଲେ। ଏଥିରେ କୁକୁରମାନଙ୍କର ଆଗ୍ରହ ଓ ଆନୁଗତ୍ୟ ଲକ୍ଷ୍ୟ କରି ସେ ଏପରି ଏକ ବିରଳ ଢାବା ଖୋଲିବା କଥା ମନକୁ ନେଇଥିଲେ। ବାସ୍‌, ପଶୁପ୍ରେମୀ ପତ୍ନୀଙ୍କ ସହ ଏ ବିଷୟରେ ଆଲୋଚନା କରି ୨୦୨୦ ମସିହାରୁ ସେ ଏହି ଶ୍ବାନାଳୟ ଖୋଲିଛନ୍ତି ଯେଉଁଠି ସେମାନେ ଶ୍ବାନମାନଙ୍କ ପାଇଁ ଯାବତୀୟ ସେବା ଯୋଗାଇ ଦେଉଛନ୍ତି।