ଦିନ କେଇଟା ପରେ ଧନ୍‌ତେରସ୍‌। ଯଦିଓ ଏହା ଓଡ଼ିଆଙ୍କ ପର୍ବ ନୁହେଁ, ତଥାପି ସାଂସ୍କୃତିକ ଭାବବିନିମୟ ଫଳ‌େର ଧନ୍‌ତେରସ୍‌ ଦିନ ସୁନା ଓ ରୁପା କିଣିବାର ସଉକ ଓଡ଼ିଆଙ୍କୁ ବି ଗ୍ରାସିଛି। ପୁରାଣ ଅନୁସାରେ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ ଧନ୍‌ତେରସ୍‌ ପାଳନ କରାଯାଇଥାଏ। ଏହିଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏହା ଦ୍ବାରା ଘରେ ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି । ଅନ୍ୟ ଏକ ମତାନୁଯାୟୀ, ଏହା ଧନ୍ବନ୍ତରୀ ଜୟନ୍ତୀ। ଭଗବାନ ଧନ୍ବନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ଧରି ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବତାମାନେ ଅମର ହୋଇଥିଲେ। ପ୍ରଚଳିତ ପରମ୍ପରା ଅନୁସାରେ ଏହି ଦିନ ଘରକୁ କିଛି ନା କିଛି ଧାତୁଦ୍ରବ୍ୟ ଅଣାଯାଇଥାଏ। କିନ୍ତୁ କାହିଁକି? ଏହା ପଛର ତାତ୍ପର୍ଯ୍ୟ କ’ଣ? 

Advertisment

ଏ ପ୍ରସଙ୍ଗରେ ଜଣାଶୁଣା ବାସ୍ତୁବିତ୍ ଡ. ମନୋଜ ଲେଙ୍କା କହନ୍ତି, ‘‘ରାଶି ଅନୁସାରେ ଧନ୍ବନ୍ତରୀଙ୍କୁ ପୂଜା କରିବାର ବିଧିବିଧାନ ରହିଛି। ଏହି ଦିନ ଦ୍ରବ୍ୟାନୁସାରେ ଝାଡୁ କିଣିବାକୁ ଆମେ ଗୁରୁତ୍ବ ଦେଇଥାଉ। ଏଥିସହ ବହୁ ମୂଲ୍ୟବାନ୍‌ ଧାତୁ ବି ଘରକୁ ଅଣିଥାଉ। ମେଷ, ବିଛା, ସିଂହ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ତେଣୁ ଏହି ତିନି ରାଶିର ବ୍ୟକ୍ତିଙ୍କ ପାଇଁ ସୁନା ଅତି ଶୁଭଙ୍କର ହୋଇଥାଏ। ଧନୁ ଓ ମୀନ ରାଶି ପାଇଁ ସୁନା ଓ ରୁପା ଶୁଭ ହୋଇଥାଏ। ସିଂହ ରାଶି ପାଇଁ ତମ୍ବା ପ୍ଲେଟ୍‌ ଅତ୍ୟନ୍ତ ସୁଫଳ ଦେଉଥିବା ବେଳେ ସୁନା, ରୁପା ଅତ୍ୟନ୍ତ ଶୁଭକାରକ। ବୃଷ ଓ ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର। ତେଣୁ ସୁନା, ରୁପା ଓ ପ୍ଲାଟିନମ୍‌ ଏହି ରାଶି ପାଇଁ ଶୁଭ ହୋଇଥାଏ। ସେହିଭଳି ମିଥୁନ ଓ କନ୍ୟା ରାଶିର ଅଧିପତି ବୁଧ। ବୁଧଙ୍କର ଶୁଭ ଧାତୁ ହେଉଛି କାଂସ୍ୟ। ଏହି ଦିନ କାଂସ୍ୟ ପାତ୍ର କିଣିବା ଶୁଭଙ୍କର ହୋଇଥିବା ବେଳେ ସୁନା, ରୁପା ଓ ପ୍ଲାଟିନମ୍‌ ମଧ୍ୟ ଭଲ ଫଳ ଦେଇଥାଏ। ଶନି ମକର ଓ କୁମ୍ଭ ରାଶିର ଅଧିପତି ହୋଇଥିବାରୁ ଏହି ଦୁଇ ରାଶିର ବ୍ୟକ୍ତି ଧନତେରାସ୍‌ରେ କାଳୀ ଯନ୍ତ୍ର ବା ନୂଆ ଗାଡ଼ି କିଣିବା ଶୁଭଙ୍କର ହୋଇଥିବା ବେଳେ ପ୍ଲାଟିନମ୍‌ ଓ ରୁପା କିଣିବା ମଧ୍ୟ ସୁଫଳ ଦେଇଥାଏ।’’ 

ଧନ୍‌ତେରସ୍‌ରେ ରୁପାର ଗଣେଶ ଓ ଲକ୍ଷ୍ମୀ ପ୍ରତିମା କିଣି ପୂଜାକଲେ ଶୁଭ ଫଳ ମିଳିଥାଏ। ଏହି ଦିନ ରୁପା ଦୀପ ଦାନ କରିବା ଦ୍ବାରା ସର୍ବସୁଖ ମିଳିଥାଏ। ତମ୍ବା ଦୀପଟିଏ କିଣି ଧନ୍ବନ୍ତରୀଙ୍କୁ ପୂଜାକଲେ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିଭଳି କଂସା ପାତ୍ରରେ ଦୀପ ଦାନ କଲେ ମାନସିକ ଶାନ୍ତି ମିଳିଥାଏ। ସୁନା ଓ ଚାନ୍ଦି ମିଶ୍ରିତ ଦୀପ ଜାଳିଲେ ବାତ, ପୀତ୍ତ ଓ କଫ ସମସ୍ୟାର ସମାଧାନ ହୋଇଥାଏ। ଚାନ୍ଦି ଦୀପ ଜାଳିବା ଦ୍ବାରା ଚନ୍ଦ୍ର ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ଶ୍ରୀ ବୃଦ୍ଧି ହୋଇଥାଏ। ତମ୍ବାର କୌଣସି ପାତ୍ର କିଣି ସୂର୍ଯ୍ୟ ପୂଜା କଲେ ଦୁଃଖକଷ୍ଟ ଯନ୍ତ୍ରଣା ଲାଘବ ହୋଇଥାଏ ବୋଲି ଡ. ଲେଙ୍କା କହିଛନ୍ତି।

ସଂପ୍ରତି ଧନ୍‌ତେରସ୍‌ରେ ଲୋକେ ଶୁଭଫଳ ପ୍ରାପ୍ତି ଆଶାରେ ସୁନା ସହ ରୁପା, ପ୍ଲାଟିନମ୍, ତମ୍ବା ଓ କଂସା ବି କିଣୁଥିବା ଦେଖିବାକୁ ମିଳୁଛି। ଓଡ଼ିଶା ଏବଂ ଦେଶର ଅନ୍ୟ ରାଜ୍ୟରେ ଧନ୍‌ତେରସ୍‌ ଦିନ ସୁନା ଅଳଙ୍କାର ଦୋକାନରେ ନାହିଁ ନଥିବା ଭିଡ଼ ହେଉଛି। ଗହଣା ୨୨ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ହୋଇଥାଏ, ଯାହା ଏକ ମିଶ୍ର ଧାତୁ। ଏଥିରେ ୯୧.୬୭% ଖାଣ୍ଟି ସୁନା ସହ ୮.୩୩% ଅଲଗା ଧାତୁ ଯଥା:- ତମ୍ବା, ରୁପା, ନିକେଲ୍‌, ଜିଙ୍କ୍‌ ଆଦି ମିଶିଥାଏ। ୨୪ କ୍ୟାରେଟ୍‌ରେ ୯୯.୯୯% ସୁନା ରହିଥିବା ବେଳେ ଏଥିରେ ଅନ୍ୟ ଧାତୁ ମିଶାଇ ୨୨ କ୍ୟାରେଟ୍‌ ସୁନା ଅଳଙ୍କାର ପ୍ରସ୍ତୁତ କରାଯାଏ।

ଚାହିଦାରେ ‘ରୋଜ୍‌ ଗୋଲ୍‌ଡ୍‌’
ରୋଜ୍‌ ଗୋଲ୍ଡ କ’ଣ? ଏବେ ହାଲ୍‌କା ଲାଲ୍‌ ‌ଦେଖାଯାଉଥିବା ସୁନା ବଜାରରେ ବେଶ୍‌ ପ୍ରଚଳିତ। ବିଶେଷକରି ସେଲିବ୍ରିଟି ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କ ଭିତରେ ଏହା ଅଧିକ ଚାହିଦ‌ାରେ ରହିଛି। ରୋଜ୍‌ ଗୋଲ୍ଡ ହେଉଛି ଏକ ମିଶ୍ରଧାତୁ ଯେଉଁଥିରେ ୭୫% ଖାଣ୍ଟି ସୁନା ଓ ୨୫% ତମ୍ବା ରହିଥାଏ। ଏହାକୁ ୧୮ କ୍ୟାରେଟ୍‌ ସୁନା ବୋଲି କୁହାଯାଇଥାଏ। ସୁନାରେ ‌ଯେତେ ଅଧିକ ତମ୍ବା ମିଶେ, ତାହା ସେତେ ଅଧିକ ଲାଲ୍‌ ଦେଖାଯାଇଥାଏ। ୨୨ କ୍ୟାରେଟ୍‌ ସୁନାଠାରୁ ଏହା ଅଧିକ ଦୀର୍ଘସ୍ଥାୟୀ। ପୁଣି ରୋଜ୍‌ ଗୋଲ୍ଡ ଅଳଙ୍କାରକୁ କମନୀୟ କରିବାକୁ ହାଲ୍‌କା ରୁପା ମଧ୍ୟ ମିଶା ଯାଇଥାଏ। ରୋଜ୍‌ ଗୋଲ୍ଡରେ ଅଳ୍ପ ପରିମାଣର ରୁପା ମିଶାଇ ଏହାକୁ ‘ପିଙ୍କ୍‌ ଗୋଲ୍ଡ’ ବି କରାଯାଇଥାଏ। ରୋଜ୍‌ ଗୋଲ୍ଡରେ ତିଆରି ଚେନ୍‌, ଲକେଟ୍‌ ଓ ବ୍ରେସ୍‌ଲେଟ୍‌ର ଚାହିଦା ସହରାଞ୍ଚଳରେ ଅଧିକ ରହିଛି।

ପ୍ଲାଟିନମ୍‌ର ଶସ୍ତା ବିକଳ୍ପ ‘ହ୍ବାଇଟ୍‌ ଗୋଲ୍ଡ’
ଭାରତରେ ସୁନା ଅଳଙ୍କାରର ଆଦର ଥିବା ବେଳେ ବିଦେଶରେ ପ୍ଲାଟିନମ୍‌ର ବ୍ୟବହାର ଅଧିକ। ମୂଲ୍ୟବାନ୍‌ ପ୍ଲାଟିନମ୍‌କୁ ନକଲ କରିବା ଉଦ୍ଦେଶ୍ୟରେ ପ୍ରଥମେ ‘ହ୍ବାଇଟ୍‌ ଗୋଲ୍ଡ’ ବିକଶିତ କରାଯାଇଥିଲା। ‘ହ୍ବାଇଟ୍‌ ଗୋଲ୍ଡ’ ହେଉଛି ଏକ ମିଶ୍ରଧାତୁ, ଯେଉଁଥ‌ିରେ ୭୫% ଖାଣ୍ଟି ସୁନା ସହ ୨୫% ଧଳା ଧାତୁ ଯଥା:- ରୁପା, ନିକେଲ୍‌ ଓ ପାଲାଡିୟମ୍‌ ମିଶିଥାଏ। ନିକେଲ୍‌ ଓ ପାଲାଡିୟମ୍‌ ସୁନାକୁ ରୁପେଲି ରଙ୍ଗ ଦେବା ସହ ରୁପା ସେଥିରେ ଔଜ୍ଜ୍ବଲ୍ୟ ଦେବା‌ରେ ସାହାଯ୍ୟକ‌େର। ଶେଷ‌େର ଧଳା ଚମକ୍‌ ପାଇଁ ଏଥିରେ ରୋଡିୟମ୍‌ର କୋଟିଂ ମଧ୍ୟ ଦିଆଯାଇଥାଏ। ଧଳା ଧାତୁ ମିଶିଥିବା ଯୋଗୁଁ ହ୍ବାଇଟ୍‌ ଗୋଲ୍ଡ ଦୀର୍ଘସ୍ଥାୟୀ ହୋଇଥାଏ। କିନ୍ତୁ କିଛି ବର୍ଷ ପରେ ଏହାର ରୋଡିୟମ୍‌ କୋଟିଂ ଛାଡ଼ିଯାଇଥାଏ। ଏଣୁ ସମୟାନ୍ତରରେ ଏହାର କୋଟିଂ କରିବାକୁ ପଡ଼ିଥାଏ।