ନୂଆଦିଲ୍ଲୀ: ‘ଲୋକମାନେ ଯେଉଁଭଳି ପରିସ୍ଥିତିରେ ଜୀବନ ହାରିବାକୁ ଉଦ୍ୟମ କରିଥାଆନ୍ତି, ମୁଁ ସେଭଳି ସ୍ଥିତିରେ ବଞ୍ଚିବା ପାଇଁ ଚେଷ୍ଟା କରିଥିଲି’ ବୋଲି ନିକଟ‌ରେ ଜଣେ ମହିଳା ନିଜର ଦୁଃଖ ବଖାଣି କହିଛନ୍ତି। ଆଉ ଜୀବନରେ ଅସୁବିଧା ସମୟରେ କିପରି ବାଟ ଚାଲିବାକୁ ହୋଇଥାଏ ତାହାକୁ ସେ ସୋସିଆଲ ମିଡିଆରେ ସେୟାର ବି କରିଥାଆନ୍ତି। ତେବେ ଏହି ମହିଳାଙ୍କ ନାମ ହେଉଛି ଧାରା ଶାହ। ଧାରା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ। ତାଙ୍କ ଇନଷ୍ଟାଗ୍ରାମରେ ୧୮ ହଜାରରୁ ଅଧିକ ଫଲୋୟୋର୍ସ ରହିଛନ୍ତି।

Advertisment

ଧାରା ନିଜ ଦୁଃଖ ବଖାଣି କହିଛନ୍ତି, ଜୀବନରେ ସବୁକିଛି ଠିକଠାକ ଚାଲିଥିଲା। ମୁଁ ୨୦୧୮ରେ ଗର୍ଭବତୀ ହୋଇଥିଲି। ଗର୍ଭବତୀ‌ ହେବାର ୯ମାସ ଖୁବ ସୁନ୍ଦର ଭାବେ କଟିଥିଲା। ‌ପ୍ରସବ ସମୟ ଆସିଥିଲା। ୨୭ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ମୁଁ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲି। ହସଖୁସିରେ ପରିବାର ପୂରି ଉଠିଥିଲା। କିନ୍ତୁ ବୋଧ ହୁଏ ଏହି ଖୁସି ଉପରେ କାହାର ନଜର ଲାଗି ଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ସବୁ ଖୁସି ପାଣି ଫଟକା ଭଳି ମେଳାଇ ଯାଇଥିଲା।

ଏହାପରଠାରୁ ମୋ ଜୀବନ‌ରେ ଗୋଟିଏ ପରେ ଗୋଟିଏ ଅସୁବିଧା ଆରମ୍ଭ ହୋଇଯାଇଥିଲା। ପୁଅକୁ ଜନ୍ମ ଦେବା ପରେ ଗୋଟିଏ ଝଲକ ଦେଖି ମୁଁ ଅଚେତ ହୋଇପଡ଼ିଲି। ମୋର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଛଅଦିନ କୋମାରେ ରହିଥିଲି। ଶରୀରରେ ଘା’ ଭରି ଯାଇଥିଲା। ହାତ‌ ଓ ଗୋଡ଼ ଚାରିଆଡେ ମାଡ଼ି ଯାଇଥିଲା। ଡାକ୍ତର କହିଥିଲେ ହାତ ଓ ଗୋଡ଼ ନକାଟିଲେ ଏହା ପୂରା ଶରୀରକୁ ମାଡ଼ି ଯିବ ଓ ଜୀବନ ବି ଚାଲିଯିବାର ଆଶଙ୍କା ରହିଛି। ଏହା ପରେ ବି ମୁଁ ହାର ମାନି ନଥିଲି। କାରଣ ମୋର ପୁଅ ଓ ସ୍ବାମୀଙ୍କ ମୁହଁକୁ ଦେଖି ବଞ୍ଚିଯିବି ବୋଲି ଭାବିଥିଲି। କିନ୍ତୁ ବିଧାତା ତ ମୋ ଭାଗ୍ୟରେ ଆହୁରି ଦୁଃଖ ଲେଖିଥିଲା। ଏତିକିରେ ମୋ ଦୁଃଖ କେଉଁଠି ସରିଥିଲା।

ହସ୍ପିଟାଲରେ ସାଢ଼େ ୪ମାସ ରହିବା ପରେ ଘରକୁ ଫେରିଥିଲି। ଘରେ ପୁଅକୁ ଦେଖି ସବୁ ଯନ୍ତ୍ରଣା ଓ ଦୁଃଖ ଭୁଲି ଯାଇଥିଲି। କିନ୍ତୁ ହଠାତ ପୁଅ ଦିନେ ଘରେ ଖେଳୁଖେଳୁ ଅଚେତ ହୋଇପଡ଼ିଲା। ହସ୍ପିଟାଲ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ମୁଁ ପଥର ପାଲଟି ଯାଇଥିଲି।

ଏହାପରେ ବି କେବେ ଜୀବନ ହାରିଦେବା କଥା ଚିନ୍ତା କରି ନଥିଲି। ସବୁକଷ୍ଟକୁ ସହି ଯାଇଥିଲି, ଆଉ ଯାଉଛି ମଧ୍ୟ। କିନ୍ତୁ ଭଗବାନଙ୍କୁ ମୋର ଏତିକି ଅନୁରୋଧ ମୋ ଜୀବନରେ ଯେମିତି କଷ୍ଟ ଆସିଛି, ସେମିତି କଷ୍ଟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ।’