ମହାଭାରତ ଯୁଦ୍ଧ ଶେଷ ହୋଇ ସାରିଥାଏ। ଗାନ୍ଧାରୀ ୧୦୦ ପୁତ୍ରଙ୍କୁ ହରାଇବା ଦୁଃଖରେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ ସାରିଥାନ୍ତି। ଧୀରେ ଧୀରେ ସବୁ କିିଛି ସ୍ୱାଭାବିକ ହେଇ ଆସୁଥାଏ। ଯୁଧିଷ୍ଠିର ବି ରାଜା ହୋଇ ସାରିଥାନ୍ତି। ସେ ସମୟରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ଘର ତ୍ୟାଗ କରି ବନସ୍ତକୁ ଯିବାକୁ ମନ ବଳାଇଲେ। ବଡ଼ଜାଆ ଓ ଦେଢ଼ଶୂରଙ୍କ ସହ ପାଣ୍ଡବଙ୍କ ଜନନୀ ମାଆ କୁନ୍ତୀ ବି ବନକୁ ଯିବା ପାଇଁ ମନସ୍ତ କଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ ୫ ପୁତ୍ର ଏବଂ ବଧୂ ଦ୍ରୌପଦୀଙ୍କୁ ଜଣାଇ ବନକୁ ବାହାରି ଗଲେ। ସେଠାରେ ସେମାନେ ସଂସାର ତ୍ୟାଗ କରି ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଜିଲେ। ଦିନେ କୁଡ଼ିଆରେ କୁନ୍ତୀ ଓ ଗାନ୍ଧାରୀ ଥାଆନ୍ତି। ଧୃତରାଷ୍ଟ୍ର ସ୍ନାନ କରିବାକୁ ଗଙ୍ଗାକୂଳକୁ ଗଲେ। ସେ ଗଙ୍ଗାକୂଳକୁ ଯିବାର କିଛି ସମୟ ମଧ୍ୟରେ ଜଙ୍ଗଲରେ ନିଆଁ ଲାଗିଗଲା।
କୁନ୍ତୀ ଓ ଗାନ୍ଧାରୀ ଖୁବ୍ ଭୟଭୀତ ହୋଇଗଲେ। କାଳେ ଧୃତରାଷ୍ଟ୍ରଙ୍କର କିଛି ଘଟିଯିବ ଭାବି ସେମାନେ ବିବ୍ରତ ହୋଇ ଉଠିଲେ। ସେଥିକି ବେଳେ ସେମାନଙ୍କ ପାଖରେ ସଞ୍ଜୟ ପହଞ୍ଚିଲେ। କୁନ୍ତୀ ଓ ଗାନ୍ଧାରୀଙ୍କ ବିବ୍ରତ ହେବାର ଦେଖି ସଞ୍ଜୟ ସେ ଦୁହିଁଙ୍କୁ ଗଙ୍ଗାକୂଳକୁ ନେଇ ଗଲେ।
ସେଠାରେ ପହଞ୍ଚି ଦେଖିଲେ ସେ ଧୃତରାଷ୍ଟ୍ର ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି ଓ ତାଙ୍କ ଚାରିପାଖରେ ନିଆଁ। କୁନ୍ତୀ ଓ ଗାନ୍ଧାରୀ ତାଙ୍କୁ ଉଠି ଆସିବାକୁ ନିବେଦନ କଲେ। ମାତ୍ର ସେ ଆସିଲେ ନାହିଁ। ଧ୍ୟାନ ମୁଦ୍ରାରେ ପ୍ରାଣ କଲେ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି ଧୃତରାଷ୍ଟ୍ର ଜଣାଇଲେ। ତା’ପରେ କୁନ୍ତୀ ଓ ଗାନ୍ଧାରୀ ବି ତାଙ୍କ ନିକଟକୁ ଯାଇ ଧ୍ୟାନ ମୁଦ୍ରାରେ ବସିଲେ ଓ ତିନିହେଁ ଅଗ୍ନିରେ ଜଳିଗଲେ।