ହିମିକୃତ ଡିମ୍ବାଣୁ ଜରିଆରେ ଦ୍ୱିତୀୟ ଥର ଗର୍ଭଧାରଣ କଲେ ଡାଏନା ହେଡେନ୍‌

ମୁମ୍ବାଇ: ୪୪ବର୍ଷୀୟା ପୂର୍ବତନ ମିସ୍‌ ଏସିଆ ଇଣ୍ଡିଆ ଡାଏନା ହେଡେନ୍‌ ଯମଜ ସନ୍ତାନର ପୁଣି ଥରେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଛନ୍ତି । ସେ ତିନିବର୍ଷ ତଳେ ରଖିଥିବା ନିଜର ହିମିକୃତ ଡିମ୍ବାଣୁ ଜରିଆରେ ଦ୍ୱିତୀୟ ଥର ଯମଜ ସନ୍ତାନକୁ ଗର୍ଭଧାରଣ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି । ୨୦୧୬ ଜାନୁଆରି ରେ ଡାଏନା ହେଡେନ୍‌ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ସେଥର ସେ ଆଠବର୍ଷ ତଳେ ରଖିଥବା ହିମିକୃତ ଡିମ୍ବାଣୁ ଦ୍ୱାରା ଗର୍ଭବତୀ ହୋଇଥିଲେ ।

ଏହି ଗର୍ଭଧାରଣ କୌଶଳ କିଛି ବର୍ଷ ଧରି ପ୍ରସ୍ତୁତ ହୋଇଥିଲା ବୋଲି ବିଶେଷଜ୍ଞ ଡାକ୍ତର ନନ୍ଦିତା ଫାଲସେତ୍‌କର୍‌ କହିଛନ୍ତି । ହିମିକୃତ ଡିମ୍ବାଣୁ ହେଉଛି ଏକ ବିଶେଷ ବୈଷୟିକ ଜ୍ଞାନ କୌଶଳ, ଯାହା ଦ୍ୱାରା ମହିଳା ସହଜରେ ଗର୍ଭଧାରଣ କରିପାରିବେ । ଏକ ଦଶନ୍ଧି ପୂର୍ବେ ଏଭଳି ପଦ୍ଧତିରେ ଗର୍ଭଧାରଣ କରାଯିବା ଏକ ଚାଲେଞ୍ଜ ଥିଲା । କିନ୍ତୁ ଡାକ୍ତର ଫାଲସେତକର୍‌ ଓ ଡାକ୍ତର ହୃଷିକେଶ ପାଇ ମିଶି ପୂର୍ବତନ ମିସ୍‌ ଇଣ୍ଡିଆ ଡାଏନା ହେଡେନ୍‌ଙ୍କୁ ଗର୍ଭଧାରଣ କରାଇବାରେ ସଫଳ ହୋଇଛନ୍ତି । ଏଥିପାଇଁ ଦୁହିଁଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡିଥିଲା ।

photo–youtube

ଯେଉଁମାନଙ୍କର ଗର୍ଭଧାରଣର ବୟସ ଚାଲିଯାଇଛି ସେମାନଙ୍କ ପାଇଁ ସାଧାରଣତଃ ଏଭଳି ହିମିକୃତ ଡିମ୍ବାଣୁ ଜରିଆରେ ଗର୍ଭଧାରଣର ବ୍ୟବସ୍ଥା ଥାଏ । ଆଜି ମୁମ୍ବାଇର ଏକ ଫ୍ୟାସନ୍‌ ସୋ’ ରେ କ୍ୟାଟ୍‌ଓ୍ଵାକ୍‌ କରିବାକୁ ଯାଉଥିବା ଡାଏନା ହେଡେନ୍‌ କହିଛନ୍ତି ଯେ ଦୁଇ ଚିକିତ୍ସକ ନନ୍ଦିତା ଓ ହୃଷିକେଶ ତାଙ୍କ ପାଇଁ ଦେବଦୂତ , ଯେଉଁମାନେ ତାଙ୍କୁ ଗର୍ଭଧାରଣରେ କୌଣସି ପ୍ରକାରର ଅସୁବିଧା ହେବାକୁ ଦେଇ ନାହାଁନ୍ତି । ଏବେ ଯମଜ ସନ୍ତାନଙ୍କୁ ଗର୍ଭଧାରଣ କରିବା ତାଙ୍କ ପାଇଁ ଏକ ଚମତ୍କାର ଖବର ବୋଲି ସେ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟଯେ ୪୦ ବର୍ଷ ବୟସରେ ଡାଏନା ଆମେରିକୀୟ ଯୁବକ କୋଲିନ୍‌ କକ୍‌ଙ୍କ ପ୍ରେମରେ ପଡ଼ିଥିଲେ ଓ ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଡାଏନା ହେଡେନ୍‌ ହିମିକୃତ ଡିମ୍ବାଣୁ ଜରିଆରେ ଗର୍ଭଧାରଣ କରିବାର ନିଷ୍ପତ୍ତି ନେଇଥିଲେ । ଏଭଳି ପଦ୍ଧତିରେ ଶତକଡା ୯୦ ଭାଗ ସଫଳତାର ସହ ଗର୍ଭଧାରଣ ସମ୍ଭବ ବୋଲି ଡାକ୍ତର ହୃଷିକେଶ ପାଇ କହିଛନ୍ତିି ।

ସମ୍ବନ୍ଧିତ ଖବର