ବ୍ରିଟିସ ରାଜପରିବାରର ରାଜକୁମାରୀ ଡାଏନା ୧୯୮୫ ମସିହାରେ ପିନ୍ଧୁଥିବା ଏକ ପୋଷାକ ନିଲାମ ହୋଇ ୯ କୋଟି ଟଙ୍କାରେ ବିକ୍ରି ହୋଇଛି। ନୀଳରଙ୍ଗର ମଖମଲ କପଡ଼ାରେ ନିର୍ମିତ ଏହି ସାନ୍ଧ୍ୟ ଗାଉନ୍ଟି ହଲିଉଡ୍ ସ୍ଥିତ ନିଲାମ ସଂସ୍ଥା ଜୁଲିଏନ୍ସ ଅକ୍ସନ୍ସ ଦ୍ବାରା ବିକ୍ରି ହୋଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ଲକ୍ଷେ ଡଲାର (ପାଖାପାଖି ୮୦ ଲକ୍ଷ ଟଙ୍କା) ରଖା ଯାଇଥିବା ବେଳେ ଅବିଶ୍ବସନୀୟ ଭାବେ ଏହାର ଚୂଡ଼ାନ୍ତ ନିଲାମ ଡାକରା ୧,୪୩,୦୦୦ ଡଲାର (ପ୍ରାୟ ୯ କୋଟି ଟଙ୍କା) ହୋଇଥିଲା। ଫଳରେ ଏହା ଡାଏନା ପରିଧାନ କରୁଥିବା ସବୁଠୁ ଦାମୀ ପୋଷାକର ମାନ୍ୟତା ବହନ କରିଛି।
ସେତେବେଳେ ୧୯୮୬ ମସିହାରେ ଡାଏନା ଏକଦା ତାଙ୍କ ସ୍ବାମୀ ତଥା ଯୁବରାଜ ଚାର୍ଲସଙ୍କ ସହ ଫ୍ଲରେନ୍ସ ଓ ଭାଙ୍କୋଭର ଅର୍କେଷ୍ଟ୍ରା ବୁଲି ଗଲାବେଳେ ଉକ୍ତ ସ୍କର୍ଟକୁ ପରିଧାନ କରିଥିଲେ। ମରକ୍କୋ-ବ୍ରିଟିସ ଡିଜାଇନର ଜ୍ୟାକ୍ସ ଆଜାଗୁରି ଏହି ପୋଷାକଟିର ରୂପକଳ୍ପ ପ୍ରସ୍ତୁତ କରିଥିଲେ। ଏହା ଡାଏନାଙ୍କର ଅତ୍ୟନ୍ତ ପ୍ରିୟ ପରିଧାନ ଥିଲା ବୋଲି ଜଣାଯାଇଛି। ଚଳିତବର୍ଷ ପ୍ରାରମ୍ଭରେ ଡାଏନାଙ୍କର ଗୋଲାପି ରଙ୍ଗର ଅନ୍ୟ ଏକ ସାନ୍ଧ୍ୟ ପୋଷାକ ୬,୦୪,୮୦୦ ଡଲାର (ପ୍ରାୟ ୫ କୋଟି ଟଙ୍କା)ରେ ନିଲାମ ହୋଇଥିଲା ଯାହା ତାଙ୍କର ଦ୍ବିତୀୟ ସର୍ବାଧିକ ଦାମୀ ପୋଷାକ ବୋଲି ଜଣାଯାଇଛି। ଡାଏନାଙ୍କର ଏହି ନୀଳ ରଙ୍ଗର ଗାଉନ୍କୁ ନିଲାମରେ ନେଇଥିବା କ୍ରେତାଙ୍କର ପରିଚୟ ଗୋପନ ରଖାଯାଇଛି।