ବିଭୂତି ପତି
ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ନିର୍ବାଚନରେ ଏହାର ବିବିଧତା କେବଳ ବଜାୟ ରହିବା କଥା ନୁହେଁ, ବରଂ ଯଥାର୍ଥ ଭାବେ ବିକଶିତ ହେବା ଉଚିତ। ମାତ୍ର ବିଡ଼ମ୍ବନା ଯେ ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯିବା ବଦଳରେ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। ସେମାନେ ଭାରତର ରାଜନୀତିର ମୁଖ୍ୟସ୍ରୋତରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଗତ ଲୋକସଭାରେ ମୋଟ୍ ୫୪୭ଜଣ ସାଂସଦଙ୍କ ମଧ୍ୟରେ ଜଣେ ହେଲେ ଦିବ୍ୟାଙ୍ଗ ପ୍ରତିନିଧିତ୍ୱ କରୁ ନ ଥିଲେ। ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଅନୁଷ୍ଠାନରେ ସେମାନଙ୍କର ଶୂନ୍ୟ ଉପସ୍ଥିତି ଦେଶର କୋଟିକୋଟି ଦିବ୍ୟାଙ୍ଗଙ୍କର ଅଧିକାର ଏବଂ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା କ୍ଷେତ୍ରରେ ବ୍ୟବସ୍ଥାଗତ ବିଫଳତାକୁ ହିଁ ସୂଚାଉଛି।
୨୦୨୪ ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ବେଳେ ଦିବ୍ୟାଙ୍ଗମାନଙ୍କୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସୁଛି। ରାଜନୈତିକ ଦଳଗୁଡ଼ିକର ଇସ୍ତାହାରରେ ସେମାନଙ୍କର ଦାବି ଆଦୌ ସ୍ଥାନ ପାଏ ନାହିଁ କାହିଁକି ଅଥବା ସ୍ଥାନ ପାଇଲେ ମଧ୍ୟ କେବଳ ଧର୍ମକୁ ଆଖିଠାର ମାରିବା ପରି ଥାଏ କାହିଁକି? କାହିଁକି ଆଜି ବି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଟିକେଟ୍ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ଏବଂ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବକୁ ଆଗଭର ହେଉନାହାନ୍ତି? ଓଡ଼ିଶାରେ ୫ ଲକ୍ଷ ୪୭ ହଜାର ଦିବ୍ୟାଙ୍ଗ ଭୋଟର୍ ରହିଥିବା ବେଳେ ସେମାନଙ୍କୁ କୌଣସି ରାଜନୈତକ ଦଳ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସୁଯୋଗ ନ ଦେବା କ’ଣ ପରିହାସ ନୁହେଁ? ଉଲ୍ଲେଖଯୋଗ୍ୟ, ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଦିବ୍ୟାଙ୍ଗ ଜଗବନ୍ଧୁ ମାଝୀ ଉମରକୋଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ୨୦୧୧, ୨୪ ସେପ୍ଟେମ୍ବରରେ ରାଇଘର ଥାନା ଅଧୀନସ୍ଥ ଗୋନାରେ ଆୟୋଜିତ ସାଧାରଣ ସଭାରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ଯେପର୍ଯ୍ୟନ୍ତ ସମସ୍ତ ଦିବ୍ୟାଙ୍ଗ ଏକତ୍ର ହୋଇ ସମସ୍ବରରେ ନିଜ ଅଧିକାର ପାଇଁ ଦାବି ଉଠାଇନାହାନ୍ତି, ସେମାନେ ରାଜନୀତିର ସଂଖ୍ୟା ଖେଳରେ ପ୍ରତିନିଧିତ୍ବ ପାଇବାରେ କ୍ରମାଗତ ଉପେକ୍ଷିତ ହେବେ ବୋଲି କହି ପ୍ରଶ୍ନ କରନ୍ତି ପୁନର୍ବାସ ଭିନ୍ନକ୍ଷମ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିରଜା ରାଉତରାୟ।
ତେବେ ଚଳିତ ନିର୍ବାଚନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦିବ୍ୟାଙ୍ଗ ଭୋଟର୍ଙ୍କ ପାଇଁ ଦୁଇଟି ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମଟି ହେଉଛି, ଦିବ୍ୟାଙ୍ଗ ଭୋଟର୍ ଘରେ ରହି ‘ହୋମ୍ ଭୋଟିଙ୍ଗ୍’ ବ୍ୟବସ୍ଥା ମାଧ୍ୟମରେ ୧୨ (ଘ) ଫର୍ମରେ ନିଜ ଭୋଟ୍ ପ୍ରଦାନ କରିପାରିବେ। ଦ୍ବିତୀୟଟି ହେଉଛି, ସେମାନେ ଆଣ୍ଡ୍ରୋଏଡ୍-ଆଇଓଏସ୍ ଆପ୍ ବ୍ୟବସ୍ଥା ଦ୍ୱାରା ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ସହିତ ଭୋଟ୍ଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ନିଜର ଆବଶ୍ୟକତା ପାଇଁ ଆଗୁଆ ସୂଚନା ଦେଇ ନିଜ ପାଇଁ ଗାଇଡ୍ ସହାୟତା ନେବା ସହିତ ହୁଇଲ୍ଚେଆର୍ ଭଳି ଅନ୍ୟାନ୍ୟ ସୁବିଧା ହାସଲ କରିପାରିବେ।
ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତି ତଥା ଓଡ଼ିଶା ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା କହନ୍ତି, “ବିଡ଼ମ୍ବନାର ପ୍ରସଙ୍ଗ ହେଉଛି, ଭାରତୀୟ ସମ୍ବିଧାନର ଧାରା ୧୫ରେ କାହା ସହ ବାଛବିଚାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମାତ୍ର ଏଥିରେ ଅକ୍ଷମତା ଆଧାରରେ ଭେଦଭାବ କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ନାହିଁ। ଏହା ହିଁ ରାଜନୈତକ ଦଳଗୁଡ଼ିକୁ ଭଲ ସୁହାଉଛି ଏବଂ ସେମାନେ ଦିବ୍ୟାଙ୍ଗମାନଙ୍କୁ ନିର୍ବାଚନରେ ଭାଗ ନେବାରୁ ଦୂରେଇ ରଖିବାରେ ସଫଳ ହେଉଛନ୍ତି। ୧୯୫୩ ମସିହାରେ ଦୃଷ୍ଟିବାଧିତ ସାଧନ ଚନ୍ଦ୍ର ଗୁପ୍ତା ସ୍ୱାଧୀନ ଭାରତର ସର୍ବପ୍ରଥମ ଦିବ୍ୟାଙ୍ଗ ସାଂସଦ ହୋଇଥିଲେ ଏବଂ ସଫଳ ଭାବେ ନିଜର ଗୁରୁଦାୟିତ୍ୱ ତୁଲାଇଥିଲେ। ସେହିପରି ଦିବ୍ୟାଙ୍ଗ ଏସ୍ ଜୟପାଲ୍ ରେଡ୍ଡୀ ମଧ୍ୟ ରାଜନୀତିରେ ବେଶ୍ ସଫଳ ହୋଇଛନ୍ତି। ତଥାପି ରାଜନୀତିକ ଦଳମାନେ ଦିବ୍ୟାଙ୍ଗ ନେତାମାନଙ୍କୁ ରାଜନୀତିରୁ ଦୂରେଇ ରଖି ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥାକୁ କୁଠାରାଘାତ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ରାଜ୍ୟସଭା ସାଂସଦଙ୍କ ଚୟନ ପ୍ରକ୍ରିୟାରେ ଏମାନଙ୍କୁ ସ୍ଥାନ ମିଳୁନି, ମାତ୍ର ଆଙ୍ଗ୍ଲୋ-ଇଣ୍ଡିଆନ୍ମାନଙ୍କୁ ମିଳିପାରୁଛି। ସ୍ବାଧୀନତାର ୭୭ ବର୍ଷ ପରେ ଏହା କେଉଁପରି ଗଣତନ୍ତ୍ରର ନିର୍ବାଚନ ପର୍ବ?