ସୁରେଶ ସ୍ବାଇଁ
ଅଧିକାଂଶ ସମୟରେ ଖେଳାଳିଙ୍କ ସଫଳତାର କାହାଣୀ ଲୋକଲୋଚନକୁ ଆସିବା ବେଳେ ସେମାନଙ୍କ ସଂଘର୍ଷମୟ ଆଦ୍ୟ ଜୀବନର ଘଟଣାବଳି ସ୍ମୃତିଚାରଣ ହୋଇଯାଏ। କିନ୍ତୁ ସଫଳତାର ବାଟ ଖୋଜୁ ଖୋଜୁ ସଂଘର୍ଷମୟ ଜୀବନଯାତ୍ରା ଭିତରେ ବଣମଲ୍ଲୀ ପରି ବଣରେ ମଉଳିଯାଇଥିବା ଖେଳାଳିଙ୍କ ତାଲିକା ବେଶ୍ ଲମ୍ବା। ଆଉ ସାଧାରଣ ଖେଳାଳିଙ୍କ ତୁଳନାରେ ପାରା କ୍ରୀଡ଼ାବିତ୍ ତଥା ଦିବ୍ୟାଙ୍ଗ ଖେଳାଳିଙ୍କ ସଂଘର୍ଷ ଅଧିକ କଠୋର, ବନ୍ଧୁର ଓ ଯନ୍ତ୍ରଣାସିକ୍ତ। ଓଡ଼ିଶାରେ ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ପ୍ରଦୀପ୍ତ କୁମାର ସ୍ବାଇଁ ଓ ବୀଣା ପ୍ରଧାନ। ରାଜ୍ୟସ୍ତରରେ ସଫଳତା ପାଇ ବି ଆଗକୁ ବଢ଼ିବା ଲାଗି ଦୁହେଁ ବହୁ ପ୍ରତିବନ୍ଧକର ସାମ୍ନା କରୁଛନ୍ତି।
ଦିବ୍ୟାଙ୍ଗ ହେବା ପରେ ପରସ୍ପରକୁ ଭଲ ପାଇଛନ୍ତି ପ୍ରଦୀପ ଓ ବୀଣା। ବହୁ ପ୍ରତିବନ୍ଧକ ସତ୍ତ୍ବେ ପରସ୍ପରର ଜୀବନସାଥୀ ହୋଇଛନ୍ତି। ଦିବ୍ୟାଙ୍ଗ ବି ଖେଳିପାରେ, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରେ ଏହି କଥା ଜାଣିବା ପରେ ସେମାନେ ଖେଳ ଦୁନିଆରେ ପାଦ ଦିଅନ୍ତି। ରାଜ୍ୟ ପ୍ରତିଯୋଗିତାରେ ସଫଳତା ପାଆନ୍ତି। କିନ୍ତୁ ବ୍ୟବସ୍ଥିତ ପ୍ରଶିକ୍ଷଣ ଓ ଭିତ୍ତିଭୂମି ଅଭାବ ହେତୁ ଆଗକୁ ବଢ଼ି ପାରିନାହାନ୍ତି। ଜାତୀୟ ସ୍ତରରେ ପଦକ ଜିତିପାରି ନଥିବାରୁ ନା ତାଙ୍କୁ ମିଳିଛି ପ୍ରୋତ୍ସାହନ, ନା ପୁରସ୍କାର କି ନିଯୁକ୍ତି। ସଂସାର ବୋଝ ବୋହିବାକୁ ଛୋଟମୋଟ ବ୍ୟବସାୟକୁ ମାଧ୍ୟମ କରିଛନ୍ତି ଦୁହେଁ। କିନ୍ତୁ ଖେଳ ପଡ଼ିଆରେ ଚମକ ଛାଡ଼ିବାକୁ ଉଭୟ ବ୍ୟାକୁଳ ଓ ବ୍ୟଗ୍ର। ୨୦୧୪ ମସିହାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇ ପଞ୍ଜରା ହାଡ଼ ଭାଙ୍ଗିଯିବାରୁ ପ୍ରଦୀପ୍ତଙ୍କ ଜୀବନ ହୁଇଲ୍ ଚେୟାରରେ ବନ୍ଦ ହୋଇଗଲା । ଘରେ ବାପା ଓ ମା’ଙ୍କ ବୟସ ହୋଇଯାଇଥିବାରୁ ସେମାନେ ମୂଲ ଲାଗିବା କି ଅନ୍ୟ କାମଧନ୍ଦା କରିବାକୁ ସକ୍ଷମ ହେଲେନାହିଁ। ଗୁଜୁରାଣ ମେଣ୍ଟାଇବା ଲାଗି ପ୍ରଦୀପ୍ତ ନିଜ ଗାଁ ନେମାଳ ନିକଟସ୍ଥ ପାଳଦାରେ ଏକ ପାନଦୋକାନ କଲେ। ୨୦୨୦ ମସିହା କୋଭିଡ୍ ସମୟରେ ପ୍ରଦୀପ୍ତଙ୍କ ଜୀବନରେ ଆଉ ଏକ ନୂଆ ମୋଡ଼ ଆସିଲା। ଫେସ୍ବୁକ୍ରୁ ବୀଣା ପ୍ରଧାନଙ୍କ ସହ ତାଙ୍କ ବନ୍ଧୁତା ପ୍ରେମରେ ରୂପାନ୍ତରିତ ହେଲା। ଉଭୟ ଆର୍ଥିକ ଅନଟନ ଦେଇ ଗତି କରୁଥିବା ବେଳେ ବୀଣାଙ୍କୁ ବି ନିଜ ଦୁଃସ୍ଥିତିରୁ ମୁକୁଳିବାକୁ ବାଟ ମିଳିଗଲା। ଘର ଲୋକଙ୍କ ବିରୋଧ ସତ୍ତ୍ବେ ବୀଣା ଦିବ୍ୟାଙ୍ଗ ପ୍ରଦୀପ୍ତଙ୍କୁ ଜୀବନସାଥୀ କଲେ।
ଯାଜପୁର ଜିଲ୍ଲା ଶଙ୍ଖଚିଲା ନିକଟସ୍ଥ ପହଙ୍ଗା ଗାଁର ଝିଅ ବୀଣା। ୮/୯ ବର୍ଷ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହୋଇ ସେ ଡାହାଣ ହାତଟି ସମ୍ପୂର୍ଣ୍ଣ ହରାଇଥିଲେ ଏବଂ ତାଙ୍କ ଡାହାଣ ଗୋଡ଼ଟି ଆଣ୍ଠୁତଳୁ କଟା ଯାଇଥିଲା। ସାଧାରଣ ଭାବେ ଆମେ ଦେଖୁ ଜଣେ ଦିବ୍ୟାଙ୍ଗଙ୍କୁ ବିବାହ କରି ସାଧାରଣ ଯୁବକ/ଯୁବତୀଟିଏ ସାହାରା ଦେଇଥାଏ। କିନ୍ତୁ ଏ ଦୃଷ୍ଟିରୁ ପ୍ରଦୀପ୍ତ ଓ ବୀଣା ବ୍ୟତିକ୍ରମ। ଏଭଳି ନିଷ୍ପତ୍ତି ସମ୍ପର୍କରେ ପ୍ରଦୀପ୍ତ କହନ୍ତି,‘‘ସାଧାରଣ ଝିଅଟିଏ ମୋତେ ବୁଝିପାରିଥାନ୍ତା କି ନା ମୁଁ ଜାଣିନାହିଁ। କିନ୍ତୁ ସେ ସମ୍ପର୍କରେ ସ୍ଥାୟୀତ୍ବ ରହିବ ନାହିଁ ବୋଲି ମୁଁ ନିଶ୍ଚିତ ଥିଲି। ଜଣେ ମହିଳା ପାଇଁ ତା’ର ସବୁଠାରୁ ବଡ଼ ସୁଖ ଜଣେ ଦିବ୍ୟାଙ୍ଗ ଦେବା କେବେ ସମ୍ଭବ ନୁହେଁ। ତେଣୁ ଆର୍ଥିକ ଅଭାବ ହେଉ କି ସମ୍ପର୍କର ଅଭାବ, ଏସବୁ ଆମକୁ କେବେ ଅଲଗା କରିପାରିବ ନାହିଁ। ଆମ ଭିତରେ ଭଲ ବୁଝାମଣା ରହିଛି। ପାରା ଖେଳ ସମ୍ପର୍କରେ ଜାଣିବା ପରେ ଆମେ ଆଗକୁ ବଢ଼ିବା ଲାଗି ଚେଷ୍ଟା ଚଳାଇଛୁ। କିନ୍ତୁ ଆବଶ୍ୟକ ସ୍ବତନ୍ତ୍ର ଭିତ୍ତିଭୂମିର ଅଭାବ ବଡ଼ ବାଧକ ସାଜିଛି। ଏଯାବତ୍ କାହାର ପ୍ରୋତ୍ସାହନ, ପ୍ରେରଣା କି ସହଯୋଗରୁ ଆମେ ବଞ୍ଚିତ।’’
ଖେଳ ଜୀବନରେ ପ୍ରଦୀପ୍ତ ରାଜ୍ୟ ପାରା କ୍ରୀଡ଼ାରୁ ୨ ସ୍ବର୍ଣ୍ଣ (ସଟ୍ପୁଟ୍, ଡିସ୍କସ୍), ୨ ରୌପ୍ୟ (ଜାଭ୍ଲିନ୍) ଓ ୧ କାଂସ୍ୟ (ଫେନ୍ସିଂ) ପଦକ ଜିତିଛନ୍ତି। କିନ୍ତୁ ଉପଯୁକ୍ତ ତାଲିମ ଓ ବ୍ୟବସ୍ଥା ଅଭାବରୁ ଜାତୀୟସ୍ତରରେ ସଫଳତା ହାସଲ ଲାଗି ନିଜକୁ ପ୍ରସ୍ତୁତ କରିପାରିନାହାନ୍ତି। ବୀଣାଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଛି। ରାଜ୍ୟ ପାରା ଦୌଡ଼କୁଦରୁ ସେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ (ଡିସ୍କସ୍), ରୌପ୍ୟ (ଜାଭ୍ଲିନ୍) ଓ କାଂସ୍ୟ (ସଟ୍ପୁଟ୍) ଜିତିଛନ୍ତି। କିନ୍ତୁ ଜାତୀୟ ପ୍ରତିଯୋଗିତାରେ ତାଙ୍କ ପ୍ରତିଭା ପ୍ରତିଫଳିତ ହୋଇପାରିନାହିଁ। ପ୍ରଦୀପ୍ତ ଦଶମ ପର୍ଯ୍ୟନ୍ତ ପଢ଼ିଛନ୍ତି, କିନ୍ତୁ ବୀଣା ବିଏ ପାସ୍ କରିଛନ୍ତି। ପ୍ରଦୀପ୍ତଙ୍କ ସହ ମିଶି ଖେଳ ଜୀବନ ଗଢ଼ିବା ସହ ବୀଣା ଟେଲରିଂ କାମ କରି କିଛି ରୋଜଗାର ବି କରୁଛନ୍ତି। ଏହି କ୍ରୀଡ଼ାପ୍ରତିଭାଙ୍କ ଉପରେ ସରକାରଙ୍କ ଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ଅପେକ୍ଷା।