ଯଦୁମଣିଙ୍କୁ ଭୁଲିଗଲେ କି ସରକାର?

ରାଜଧାନୀ ହେଉକି ନୟାଗଡ଼ ସ୍ମୃତ୍ତି ରକ୍ଷା ଉଦ୍ୟମ ନାହିଁ

ପାଠ୍ୟକ୍ରମରେ ସ୍ଥାନ ଦେବା ସହ ଚେୟାର ପ୍ରତିଷ୍ଠା ଦାବି
ଜୟନ୍ତୀ ପାଳନ ଔପଚାରିକତାରେ ସୀମିତ

ନୟାଗଡ଼, (ରିତେନ୍ଦ୍ର ଛାଟୋଇ): ରାଜାରାଜୁଡ଼ା ଶାସନର ତ୍ରୁଟିବିଚ୍ୟୁତିକୁ ଲକ୍ଷ୍ୟ କରି ସେ ସୃଷ୍ଟି କରିଥିବା ଆଶୁ କବିତା ଆଜ ବି ଲୋକମୁଖରେ ଶୁଣାଯାଏ।

‘ନିକିତି ତଉଲ ସାନବଡ଼କୁ, ଭାରୀ ଯେହୁ ସିଏ ରହେ ତଳକୁ’ ଅବା ‘ଛାମୁ ଯାହା ଦେଲେ ହରଷେ, କରଣ ତା’ କଲେ ବରଷେ, ବାଛି ବାଛି କରି ଦେଲେ ପଡ଼ିଆ, ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ, ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ‘ ଏସବୁ ପଦ ଚଷା ପୁଅ ପାଟିରୁ ଆରମ୍ଭ କରି ବଡ଼ ବଡ଼ ସଭାସମିତିରେ ନେତାଙ୍କ ଠାରୁ ବି ଶୁଣିବାକୁ ମିଳେ। ତାଙ୍କ ରଚିତ କାବ୍ୟ ‘ରାଘବ ବିଳାସ’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓଡ଼ିଆ ସାହିତ୍ୟ ଜଗତକୁ ମହାନ୍ କୃତୀ।

ହେଲେ ଏହାର ସ୍ରଷ୍ଟା ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ସ୍ମୃତ୍ତି ରକ୍ଷା କରିବାକୁ ସରକାର ଭୁଲି ଯାଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମରେ ୧୭୮୧ ମସିହା ଜାନୁଆରି ୮ ତାରିଖରେ ଜନ୍ମଲାଭ କରିଥିବା ଓ ୧୮୬୬ରେ ଇହଲୀଳା ସମ୍ବରଣ କରିଥିବା ଏହି ମହାନ କବିଙ୍କୁ ମର୍ଯ୍ୟାଦା ପ୍ରଦାନ କରିବାକୁ ସରକାରୀ ସ୍ତରରେ ବିଶେଷ ଉଦ୍ୟମ ନାହିଁ। ଯେମିତି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପାଇଁ ସେ ଅଲୋଡ଼ା।

ଓଡ଼ିଶା ସାହିତ୍ୟ ଏକାଡେମୀ ଜରିଆରେ ଇଟାମାଟିରେ ଥିବା ଯଦୁମଣି କ୍ଲବ ସହଯୋଗରେ ବର୍ଷକୁ ଥରେ ତାଙ୍କ ଜୟନ୍ତୀ ସଭା ପାଳନ କରି କେବଳ ଔପଚାରିକତା ପ୍ରଦର୍ଶନ କରାଯାଉଛି। ଏହାକୁ ରାଜ୍ୟସ୍ତରୀୟ ଜୟନ୍ତୀ ସଭା ଭାବେ ନାମିତ କରାଯାଉଥିଲେ ହେଁ, ସେଭଳି ଜାକଜମକ ଏଠାରେ ନଥାଏ। ସ୍ମୃତି ରକ୍ଷା ପାଇଁ କୌଣସି ବଡ଼ ଉଦ୍ୟମ ନାହିଁ। ରାଜଧାନୀ ଭୁବନେଶ୍ବରରେ ତାଙ୍କ ନାମରେ କୌଣସି ଅନୁଷ୍ଠାନ ପ୍ରତିଷ୍ଠା ଦୂରେ ଥାଉ, ନୟାଗଡ଼ ଜିଲ୍ଲାରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନାହିଁ। ଯାହା ଯଦୁମଣିଙ୍କୁ ଭଲପାଉଥିବା ହଜାର ହଜାର ଯଦୁମଣିପ୍ରେମୀଙ୍କୁ ଆଘାତ ଦେଇଛି। ତତ୍କାଳୀନ ଶାସନ ବ୍ୟବସ୍ଥା ତଥା ଓଡ଼ିଆ ଜାତିକୁ ସଚେତନ କରିବା ପାଇଁ ସେ ସତର୍କ ଘଣ୍ଟି ସଦୃଶ୍ୟ ଥିବାରୁ ଉତ୍କଳ ଘଣ୍ଟ କବି ଯଦୁମଣି ଭାବେ ସମସ୍ତେ ତାଙ୍କୁ ଜାଣନ୍ତି। ଏଭଳି ମହାମନୀଷିଙ୍କ ସମ୍ପର୍କରେ ପର ପିଢିଙ୍କୁ ଜଣାଇବାକୁ ସରକାରଙ୍କ ସାମାନ୍ୟ ଆନ୍ତରିକତା ନାହିଁ।

ଜିଲ୍ଲା ସଦର ମହକୁମାରେ ତାଙ୍କର ଆଖିଦୃଶିଆ ପ୍ରତିମୂର୍ତ୍ତିଟିଏ ନାହିଁ । ବହୁଦିନ ଧରି ତାଙ୍କ ଜନ୍ମମାଟି ଇଟାମାଟି ଅଞ୍ଚଳକୁ ଯଦୁମଣିନଗର ନାମରେ ନାମିତ କରିବାକୁ ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କାହାରି ନିଘା ନାହିଁ।

ଇଟାମାଟି ସ୍ଥିତ ଯଦୁମଣି କ୍ଲବର ସଭାପତି ଅଧ୍ୟାପକ ଅଶୋକ ନାୟକ କହିଛନ୍ତି, ସ୍କୁଲ ତଥା କଲେଜ ପାଠ୍ୟପୁସ୍ତକରେ ଯଦୁମଣିଙ୍କ କଥା ସ୍ଥାନୀତ ହେବାର ଆବଶ୍ୟକତା ରହିଛି। ରାଜଧାନୀ ଭୁବନେଶ୍ବର କୌଣସି ଏକ ରାସ୍ତାକୁ ଯଦୁମଣିଙ୍କ ନାମରେ ନାମିତ କରାଯିବା ଦରକାର। ଯଦୁମଣିଙ୍କ ସମ୍ପର୍କରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି। ବିଶ୍ବ ବିଦ୍ୟାଳୟରେ ତାଙ୍କ ନାମରେ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା କରାଯାଉ। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, କେବଳ ବ୍ୟଙ୍ଗ କବିତା, କୌତୂହଳ ପୂର୍ଣ୍ଣ କଥା, ଚିତ୍ରରେ ସେ ସୀମିତ ନଥିଲେ। ସେ ବିବିଧ ସାରସ୍ବତ ସମ୍ଭାରରେ ବିମଣ୍ଡିତ। ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ତାଙ୍କର କାବ୍ୟ ‘ରାଘବ ବିଳାସ’ ଓ କୃଷ୍ଣଙ୍କୁ ନେଇ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ରଚନା କରିଥିଲେ। ଯାହା ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତୀ। ତାଙ୍କ ବ୍ୟବହୃତ ଅନେକ ଜିନିଷ ନଷ୍ଟ ହୋଇସାରିଥିବା ବେଳେ , କିଛି କିଛି ସାମଗ୍ରୀ ସ୍ଥାନୀୟ ସଂଗ୍ରହାଳୟରେ ରହିଛି। ସେସବୁକୁ ରାଜ୍ୟ ସ୍ତରକୁ ନେବା ପାଇଁ ବଂଶଧର ରୋହନ ମହାପାତ୍ର ମତପ୍ରକାଶ କରିଛନ୍ତି। ଉତ୍କଳମାଟିର ଏଭଳି ସନ୍ତାନଙ୍କ ସ୍ମୃତ୍ତି ରକ୍ଷା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର