ପ୍ରତିବର୍ଷ ସର୍ପଦଂଶନ ଯୋଗୁଁ ଭାରତରେ ପ୍ରାୟ ଏକଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଆଉ ସର୍ପବିଷକୁ କେବଳ ସର୍ପବିଷ ହିଁ ପ୍ରତିହତ କରିପାରେ। ଜାଣନ୍ତି କି, ସର୍ପାଘାତର ପ୍ରତିକାରକ ଔଷଧ ପ୍ରସ୍ତୁତି ଲାଗି ଦକ୍ଷିଣ ଭାରତର ଏକ ଜନଜାତି ଦୀର୍ଘଦିନ ହେବ ସର୍ପବିଷ ସଂଗ୍ରହ କରୁଛନ୍ତି। ସୁରକ୍ଷିତ ଶୈଳୀରେ ବିଶ୍ବର ସବୁଠୁ ମାରାତ୍ମକ ଜାତିର ସର୍ପ ଦେହରୁ ବିଷ ନିଷ୍କାସନ କରିଆସୁଛନ୍ତି। ସେମାନଙ୍କର ଏ ବେଉସା ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ନିମନ୍ତେ ଅପରିହାର୍ଯ୍ୟ ବୋଲି ବିବେଚନା କରାଯାଉଛି। ଖୋଜି ଖୋଜି ସର୍ପ ଧରିବା ଓ ସେମାନଙ୍କ ବିଷ ବାହାର କରି ସୁରକ୍ଷିତ ଜଙ୍ଗଲରେ ଛାଡ଼ିଦେବା କାର୍ଯ୍ୟ ସେମାନେ ବଂଶ ପରମ୍ପରା କ୍ରମେ କରିଆସୁଛନ୍ତି।
ବିପଜ୍ଜନକ ହେଲେ ବି ପିଢ଼ି ପରେ ପିଢ଼ି ଏଭଳି ଅସାଧାରଣ ବେଉସା ବଜାୟ ରଖିଥିବା ଏ ଜନଜାତିର ଲୋକେ ପିଲାଦିନରୁ ଏଥିପାଇଁ ତାଲିମ ପାଇଥାଆନ୍ତି। ଶୈଶବରୁ ଏ ଜନଜାତିର ସଦସ୍ୟମାନଙ୍କୁ ଅହିରାଜ ଓ ରଣା ସମେତ ବିଶ୍ବର କେତେକ ସବୁଠୁ ବିପଜ୍ଜନକ ସରୀସୃପଙ୍କୁ ଚିହ୍ନିବା, ଧରିବା ଏବଂ ତାଙ୍କ ମୁହଁରୁ ଗରଳ ନିଷ୍କାସନ କରିବା ନିମନ୍ତେ ତାଲିମ ଦିଆଯାଏ। ଅର୍ଥାତ୍ ସର୍ପବିଷ ନିଷ୍କାସନ ଖାଲି ତାଙ୍କର ବେଉସା ନୁହେଁ; ସେମାନଙ୍କ ସାଂସ୍କୃତିକ ଐତିହ୍ୟ ସହିତ ନିବିଡ଼ଭାବେ ସଂଶ୍ଳିଷ୍ଟ। ଏହା ମଧ୍ୟ ତାଙ୍କ ପାଇଁ ବିଶେଷ ପରିଚୟ ସୃଷ୍ଟି କରି ସେମାନଙ୍କୁ ବନସ୍ତରେ ତିଷ୍ଠି ରହିବାରେ ସହାୟକ ହୋଇଛି।
ଦକ୍ଷିଣ ଭାରତର ବିଭିନ୍ନ ଅରଣ୍ୟରେ ଏହି ଜଙ୍ଗଲ ଅଧିବାସୀ ଲୋକେ ସର୍ପ କାବୁ କରିବାରେ ଅସାଧାରଣ ଦକ୍ଷତା ହାସଲ କରିଛନ୍ତି। ସାଧାରଣ ଲୋକେ ସର୍ପଦର୍ଶନମାତ୍ରେ ଭୟଭୀତ ହୋଇଯାଉଥିବା ବେଳେ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ଏ ଜନଜାତି ସର୍ପଭଳି ସରୀସୃପଙ୍କ ସହିତ ତାଙ୍କର ଥିବା ନିବିଡ଼ ସମ୍ପର୍କର ଗୁରୁତ୍ବକୁ କାହିଁ କେଉଁ କାଳରୁ ହୃଦୟଙ୍ଗମ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାଚୀନତମ ଜନଜାତି ହେଉଛି ଇରୁଲ୍ ସମ୍ପ୍ରଦାୟ। ସେ ସମ୍ପ୍ରଦାୟର ଅନ୍ୟତମ ସଦସ୍ୟ ରାଜେନ୍ଦ୍ର କହନ୍ତି, ‘‘ସେ ଗୋଖର, ରଣା, ଚନ୍ଦନବୋଡ଼ା କି ଅନ୍ୟ ବିଷଧର ସର୍ପ ହେଉ, ସେମାନଙ୍କୁ ଠାବକରି ଧରାଯାଏ। ତା’ପରେ ସେମାନଙ୍କୁ ବାଲିରେ ଅଧାପୂର୍ଣ୍ଣ ହୋଇଥିବା ମାଠିଆରେ ରଖାଯାଏ। ଗୋଟିଏ ମାଠିଆରେ ରଖାଯାଏ ଦୁଇଟି ସର୍ପ। ସର୍ପ ଖସି ନ ପଳାଇବା ପାଇଁ ଓ ପବନ ଆତଯାତ ଲାଗି ସେ ମାଠିଆ ମୁହଁକୁ ସଚ୍ଛିଦ୍ର କପଡ଼ାରେ ବାନ୍ଧିଦିଆଯାଏ। ତା’ପରେ ଆରମ୍ଭ ହୁଏ ବିଷ ନିଷ୍କାସନ ପ୍ରକ୍ରିୟା। ଏଥିପାଇଁ ଆବଦ୍ଧ ସର୍ପକୁ କୌଶଳକ୍ରମେ ଗୋଟାଏ ଛୋଟ ଡିବା କାମୁଡ଼ାଇ ଦିଆଯାଏ। ତା’ପରେ ସେ ସର୍ପର ଦୁଇ ବିଷଦନ୍ତରୁ ଡିବା ମଧ୍ୟରୁ ଝରିପଡ଼େ ଗରଳ। ପରେ ଏହି ନିଷ୍କାସିତ ବିଷକୁ ଔଷଧ ନିର୍ମାଣକାରୀ କମ୍ପାନିଗୁଡ଼ିକୁ ଯୋଗାଇ ଦିଆଯାଏ।
ପ୍ରତି ସର୍ପକୁ ୨୧ ଦିନ ଆବଦ୍ଧ କରି ରଖାଯାଏ ଓ ସେ ସମୟ ମଧ୍ୟରେ ତା’ଠାରୁ ୪ଥର ବିଷୋଦ୍ଗାର କରାଯାଏ। ଏଥର ଅରଣ୍ୟରେ ଛାଡ଼ିବା ଆଗରୁ ସେ ସର୍ପ ପେଟ କାତିରେ ଚିହ୍ନଟିଏ ଦିଆଯାଏ। ସେ ଚିହ୍ନ ଦେଖିଲେ ପୁନଶ୍ଚ କେହି ସେ ସର୍ପଟିକୁ ଧରନ୍ତିନାହିଁ।’’ କେତେ ଦଶନ୍ଧି ହେବ ଇରୁଲା ଜନଜାତି ଏକଲକ୍ଷରୁ ଅଧିକ ସର୍ପ ଧରିଥିବା ଜଣାପଡ଼ିଛି। ଏ ସର୍ପଧରା ଓ ବିଷ ସଂଗ୍ରହ ବେଉସା ମଧ୍ୟ ଦୁର୍ନୀତିମୁକ୍ତ ନ ଥିଲା। ଇରୁଲା ଜନଜାତି କେତେକ ସର୍ପର ଚମଡ଼ା ଉତାରି ତାହାକୁ ବେଶ୍ ଭଲ ଦାମ୍ରେ ଫ୍ୟାସନ୍ ଶିଳ୍ପକୁ ଯୋଗାଉଥିଲେ। ଭାରତୀୟ ବନ୍ୟପ୍ରାଣୀ ଆଇନ (୧୯୭୨) କାର୍ଯ୍ୟକାରୀ ହେବା ପରେ ସର୍ପ ହତ୍ୟା ବେଆଇନ ଓ ଦଣ୍ଡନୀୟ ଘୋଷିତ ହେଲା। କିନ୍ତୁ, ଏଥିଯୋଗୁଁ ସେ ଜନଜାତିଙ୍କ କୁଳବେଉସା ବାଧାପାଇଲା। ସରୀସୃପ ବିଶେଷଜ୍ଞ ରୋମ୍ୟୁଲସ୍ ୱିଟାକର୍ ଏହି ସମସ୍ୟାର ସମାଧାନ ସୂତ୍ର ବାହାର କଲେ। ଇରୁଲା ଜନଜାତିଙ୍କୁ ସାପ ବିଷ ସଂଗ୍ରହ ଓ ବିକ୍ରି ବୃତ୍ତିରେ ନିୟୋଜିତ କରାଇଲେ। ୧୯୭୮ରେ ସେ ‘ଇରୁଲା ସ୍ନେକ୍ କ୍ୟାଚର୍ସ ଇଣ୍ଡଷ୍ଟ୍ରିଆଲ୍ କୋଅପରେଟିଭ୍ ସୋସାଇଟି’ ସଂସ୍ଥାପନା କରାଇଲେ। ଏ ସୋସାଇଟି ଏବେ ଭାରତର ବୃହତ୍ତମ ସର୍ପବିଷ ଉତ୍ପାଦନକାରୀ ସଂସ୍ଥାରେ ପରିଣତ ହୋଇଛି। ଥରକେ ପ୍ରାୟ ୮୦୦ ସର୍ପ ଧରିବା ପାଇଁ ସୋସାଇଟିର ଅଧିକାରୀମାନେ ସେ ଜନଜାତିଙ୍କୁ ଲାଇସେନ୍ସ୍ ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/22/poison-medicine-2025-06-22-13-32-49.jpg)