ବିଚିତ୍ର ଗାଁ: କେଉଁଠି ଉଡ଼ାଜାହାଜ ପରି ପାଣି ଟାଙ୍କି ତ କେଉଁଠି ସାପ ସାଜନ୍ତି ଅତିଥି

ବିବିଧତାରେ ଭରପୂର ଭାରତ। ଏଠାରେ ନାନା ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଲୋକେ ବାସ କରନ୍ତି। ତେଣୁ ଚଳଣି, ଜୀବିକା, ଖାଦ୍ୟ, ପୋଷାକରେ ଭିନ୍ନତା ଦେଖିବାକୁ ମିଳିଥାଏ। ଭାରତର କେତେକ ସହର ଓ ଗାଁର କିଛିି ନା କିଛି ସ୍ୱତନ୍ତ୍ରତା ରହିଛି। ଭିନ୍ନତା ସତ୍ତ୍ୱେ ଭାରତୀୟଙ୍କ ମଧ୍ୟରେ ଭାଇଚାରା ଦେଖିବାକୁ ମିଳିଥାଏ। ବିଭିନ୍ନ ଜାତି ଓ ଜନଜାତି ମଧ୍ୟରେ ପୃଥକ ପ୍ରଥା ଓ ପରମ୍ପରା ପ୍ରଚଳିତ ହୋଇଆସୁଛି। କେଉଁ ରାଜ୍ୟରେ ନବବର୍ଷ ମକର ସଂକ୍ରାନ୍ତିଠୁ ଆରମ୍ଭ ହେଉଥିବା ବେଳେ ଅନ୍ୟ କେଉଁଠି ପୋଙ୍ଗଲ ଓ ଗୁଡ଼ିପଡୁଆ ଦିନଠୁ ଆରମ୍ଭ ହୋଇଥାଏ। ଭାରତରେ ଏମିତି ଅନେକ ଗାଁ ରହିଛି ଯାହା ପ୍ରଥା ଓ ପରମ୍ପରା ଦୃଷ୍ଟିରୁ ନିଆରା ମନେହୁଅନ୍ତି। ଜାଣନ୍ତୁ ଏମିତି କିଛି ନିଆରା ଗାଁ ଓ ସହର ସମ୍ପର୍କରେ।

ଉପ୍ପଳା: ଏହା ପଞ୍ଜାବର ଜଳନ୍ଧର ଜିଲ୍ଳାରେ ଅବସ୍ଥିତ। ଗାଁଟି ପ୍ରାୟ ୨୫୦ ବର୍ଷ ପୁରୁଣା। ବର୍ତ୍ତମାନ ସମୟରେ ଉପ୍ପଳାର ଜନସଂଖ୍ୟା ୧୫୦୦। ଏହି ଗାଁରେ ପାଖାପାଖି ୩୦୦ଟି ଘର ରହିଛି। ଉପ୍ପଳା ଗାଁର ପ୍ରତ୍ୟେକ ଘର ଉପରେ ବିଭିନ୍ନ ଆକୃତିର ପାଣିଟାଙ୍କି ଦେଖିବାକୁ ମିଳିଥାଏ। ସେଗୁଡ଼ିକ ସାଧାରଣ ପାଣି ଟାଙ୍କି ଭଳି ଦିଶି ନ ଥାଏ। ଏହା ଆକୃତିରେ ଟିକେ ଭିନ୍ନ। ଉଡ଼ାଜାହାଜ, କାର, ପାଣିଜାହାଜ, ସିଲିଣ୍ଡର, ଘୋଡ଼ା ଇତ୍ୟାଦି ଭଳି ହୋଇଥାଏ। ଯାହା ଅନେକ ଦୂରରୁ ଦୃଶ୍ୟମାନ ହୋଇଥାଏ। ଏହାକୁ ପାଣିଟାଙ୍କିର ଗାଁ ବୋଲି ମଧ୍ୟ କୁହାଯାଏ। ଏଭଳି ଆକୃତିର ପାଣିଟାଙ୍କି ଏହି ଗାଁର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରୁଛି। ଏହି ଗାଁ ଏଭଳି ଏକ କଳାତ୍ମକ ଚିନ୍ତାଧାରା ଯୋଗୁଁ ଭାରତରେ ଏକ ପ୍ରସିଦ୍ଧ ଗାଁ ଭାବେ ପରିଚିତ ହୋଇପାରିଛି।ମଲାନା: ହିମାଚଳ ପ୍ରଦେଶର ଏହା ବହୁ ପୁରାତନ ଗାଁ। ପର୍‌ଭାତି ଉପତ୍ୟକା ଏବଂ ଉତ୍ତରପୂର୍ବ କୁଲୁ ଉପତ୍ୟକା ନିକଟରେ ଏହା ଅବସ୍ଥିତ। ଏହା ବିଶ୍ୱର ଅନ୍ୟ ଗାଁମାନଙ୍କ ଠାରୁ ଟିକେ ଭିନ୍ନ ଏବଂ ନିଆରା। କୁହାଯାଏ ଜାମ୍ଲୁ ନାମକ ଜଣେ ଋଷି ଏହି ଗାଁର ସ୍ଥାପନ କରିଥିଲେ। ଗାଁର ସବୁ ନିୟମ ତାଙ୍କ ଦ୍ୱାରା ତିଆରି ହୋଇଥିଲା। ଏହା ଏମିତି ଏକ ଗାଁ ଯେଉଁଠି କେବଳ ମଧ୍ୟାହ୍ନ ଛଡ଼ା ଅନ୍ୟବେଳେ ସୂର୍ଯ୍ୟକିରଣ ପଡ଼େନାହିଁ। ଚନ୍ଦ୍ରଖନି ଏବଂ ଡିଓତିବା ପର୍ବତ ଶୃଙ୍ଗର ଛାଇ ସବୁବେଳେ ଗାଁକୁ ଢାଙ୍କି ରଖିଥାଏ। ସେଠାରେ ରହୁଥିବା ଲୋକମାନଙ୍କ ବିଶ୍ୱାସ ମଧ୍ୟ ଅବିଶ୍ୱସନୀୟ। ସେମାନଙ୍କ ଧାରଣା ଯେ, ସେମାନେ ହେଉଛନ୍ତି ଆଲେକ୍‌ଜାଣ୍ଡରଙ୍କ ପୂର୍ବପୁରୁଷ। ଏହି ଗାଁର ଆଉ ଏକ ବିଶେଷତ୍ୱ ହେଉଛି ଶାସନ ପାଇଁ ଏହାର ନିଜସ୍ୱ ଦୁଇଟି ସଦନ ରହିଛି। କନିଷ୍ଠାଙ୍ଗ ଏବଂ ଜ୍ୟେଷ୍ଠାଙ୍ଗ। ଏହା ଭାରତର ଏକମାତ୍ର ଗାଁ ଯେଉଁଠି ଲୋକମାନେ ଆକବରଙ୍କୁ ଭଗବାନ ରୂପେ ପୂଜା କରିଥାନ୍ତି। ‘ମଲାନା କ୍ରିମ୍‌’ ପାଇଁ ମଲାନା ଗାଁ ଭାରତରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ଏହି କ୍ରିମ୍‌ ସାଧାରଣତଃ ଗଞ୍ଜେଇ ବା ଭାଙ୍ଗ ଗଛରୁ ତିଆରି ହୋଇଥାଏ। ଏହି ଗଛ ବିଶେଷ କରି ପର୍‌ଭାତି ଉପତ୍ୟକାରେ ଦେଖିବାକୁ ମିଳିଥାଏ।

ଧୋକ୍‌ଡ଼ା: ଧୋକ୍‌ଡା ଗାଁ ଗୁଜୁରାଟର କଛ୍‌ ଜିଲ୍ଲାରେ ଅବସ୍ଥିତ। ଏହାର ଜନସଂଖ୍ୟା ପାଖାପାଖି ୫୦୦। ଏହି ଗାଁରେ ୧୧୧ଟି ଘର ରହିଛି। ଧୋକ୍‌ଡା ଗାଁ ଶ୍ୱେତ ବିପ୍ଲବ ପାଇଁ ଜଣାଶୁଣା। ଏଠାରେ ପ୍ରଚୁର ପରିମାଣରେ ଦୁଧ ଉତ୍ପନ୍ନ ହୋଇଥାଏ। ଏଠାରେ ପ୍ରତ୍ୟେକ ଘରେ ଗାଇ ଓ ମଇଁଷି ପାଳିଥାନ୍ତି। ହେଲେ ଆଶ୍ଚର୍ଯ୍ୟଜନକ କଥା ଏଠାରେ ଦୁଧରୁ ତିଆରି କୌଣସି ଦ୍ରବ୍ୟ ବିକ୍ରି କରାଯାଏ ନାହିଁ। ଏମିତିକି ଯେଉଁମାନଙ୍କ ପାଖରେ ଗାଈ ଓ ମଇଁଷି ନ ଥାଏ ସେଠାକାର ଗାଁ ଲୋକମାନେ ସେମାନଙ୍କୁ ମାଗଣାରେ ଦେଇଦିଅନ୍ତି। ଏହା ପଛରେ ଏକ ଅନ୍ଧବିଶ୍ୱାସ ରହିଛି। ଏମିତି କରିବା ଦ୍ୱାରା ଗାଁ ଲୋକମାନଙ୍କ ମଧ୍ୟରେ ବର୍ଷସାରା ଭଲ ସମ୍ପର୍କ ରହିଥାଏ। ଲୋକକଥା ଅନୁଯାୟୀ ଏହି ପ୍ରଥା ‘ପୀର ସାଇୟାଦନା’ଙ୍କ ଦ୍ୱାରା ୫୦୦ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା। ତାଙ୍କ କହିବା ଅନୁଯାୟୀ ଦୁଧରୁ ଜାତ କୌଣସି ଦ୍ରବ୍ୟ ନ ବିକିବା ଦ୍ୱାରା ଗାଁରେ ସୁଖ ଓ ଶାନ୍ତି ସ୍ଥାପନ ହୋଇଥାଏ। ସେବେଠାରୁ ଧୋକ୍‌ଡା ଗାଁର ଲୋକମାନେ ଏହି ପ୍ରଥାକୁ ମାନି ଆସୁଛନ୍ତି।

ହିଓ୍ଵାରେ ବଜାର: ହିଓ୍ଵାରେ ବଜାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଅବସ୍ଥିତ। ଏହା ଭାରତର ଏକ ଧନୀ ଗାଁ ଭାବେ ପରିଚିତ। ଏହି ଗାଁ ଜଳ ସଂରକ୍ଷଣ ବ୍ୟବସ୍ଥା ଏବଂ ଜଳ ସେଚନ ପଦ୍ଧତି ପାଇଁ ବେଶ୍‌ ଖ୍ୟାତ। କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦ୍ୱାରା ସବୁ କିଛି ସମ୍ଭବ ହୋଇପାରେ, ଯାହା ଏହି ଗାଁରେ ଦେଖିବାକୁ ମିଳିଛି। ପୂର୍ବରୁ ଏହା ଏକ ଦୁର୍ଭିକ୍ଷ ଅଞ୍ଚଳ ଭାବେ ପରିଚିତ ଥିଲା। ଫସଲହାନି ଓ ଋଣ ବୋଝ ସହି ନ ପାରି ଏହି ଗାଁରେ ଅନେକ କୃଷକ ଆତ୍ମହତ୍ୟା କରୁଥିଲେ। ହେଲେ ପୋପାଟ୍ରାଓ ପଓ୍ଵର ୧୯୯୦ ମସିହାରେ ଏହି ଗାଁର ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠାରୁ ଏହି ଗାଁର ଛବି ଧୀରେ ଧୀରେ ବଦଳିବାକୁ ଲାଗିଲା। ପୋପାଟ୍ରାଓ ଗାଁର ଉନ୍ନତି ପାଇଁ ଜଳ ସଂରକ୍ଷଣ ବ୍ୟବସ୍ଥା ଓ ଜଳ ସେଚନ ପଦ୍ଧତି ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ଏଠାର ଜନସଂଖ୍ୟା ୧୨୫୦। ଏହି ଗାଁରେ ୨୩୫ଟି ପରିବାର ରହିଛି। ଏଠାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମାସିକ ମୁଣ୍ଡପିଛା ଆୟ ୩୦,୦୦୦। ସେମାନେ ପରିସ୍ଥିତିର ସାମ୍ନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି। ଏଠାରେ ପ୍ରାୟ ଲୋକଙ୍କ ରହିବା ଚଳଣି ବେଶ୍‌ ଉନ୍ନତମାନର।

ପୁନ୍‌ସାରି: ଗାଁ କଥା ଉଠିଲେ ପ୍ରଥମେ ଚାଳଘର, ମାଟିରାସ୍ତା, ଆମ୍ବ ତୋଟା, ବିଜୁଳି ସମସ୍ୟା କଥା ମନରେ ଆସିଥାଏ। ହେଲେ ପୁନ୍‌ସାରି ଏକ ଏମିତି ଗାଁ ଯାହା ଭାରତର ବଡ଼ ବଡ଼ ସହରମାନଙ୍କ ଠାରୁ ବେଶ୍‌ ଉନ୍ନତ। ଏହା ଗୁଜୁରାଟ ରାଜ୍ୟର ସବରକଣ୍ଠା ଜିଲ୍ଲାରେ ଅବସ୍ଥିତ। ଏହି ଗାଁରେ ଅନେକ ବିଳାସପୂର୍ଣ୍ଣ ବସ୍ତୁ ଭରି ରହିଛି। ଏଠାକାର ଲୋକମାନଙ୍କ ଚଳଣି ଟିକେ ନିଆରା। ଏହା ଏକ ଗାଁ ହୋଇଥିଲେ ମଧ୍ୟ ଏଠାକାର ଲୋକମାନେ ସହରୀ ଜୀବନଯାପନ କରିଥାନ୍ତି। ଏହାଦ୍ୱାରା ଏହି ଗାଁ ଏକ ମଡେଲ୍‌ ଭିଲେଜ୍‌ର ରୂପ ନେଇପାରିଛି। ଏହି ଗାଁର ପ୍ରତ୍ୟେକ ଘରେ ଶୌଚାଳୟ ରହିଛି। ଏହା ସହିତ ଏଠାରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ରହିଛି। ସୌର ଷ୍ଟ୍ରିଟ୍‌ ଲାଇଟ୍‌, ସ୍ୱଚ୍ଛ ପାନୀୟ ଜଳ, ଜଳନିଷ୍କାସନ ବ୍ୟବସ୍ଥା ଓ ବ୍ୟାଙ୍କିଙ୍ଗ୍‌ର ସୁବିଧା ସୁଯୋଗ ରହିଛି। ଏମିତିକି ପୁନ୍‌ସାରି ଗାଁରେ ଓ୍ଵାଇଫାଇ ଏବଂ ସିସିଟିଭିର ସୁବିଧା ରହିଛି। ପୁନ୍‌ସାରି ଗୁଜୁରାଟର ଏକ ଉତ୍ତମ ଗ୍ରାମ ପଞ୍ଚାୟତ ଭାବେ ପୁରସ୍କାର ମଧ୍ୟ ହାସଲ କରିଛି।


ସେତ୍‌ଫାଲ୍‌: ସେତ୍‌ଫାଲ୍‌ ମହାରାଷ୍ଟ୍ର ନିକଟବର୍ତ୍ତୀ ସୋଲାପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ଗାଁ। ଏହାର ଜନସଂଖ୍ୟା ୫୭୭୨। ଏଠାରେ ୧୨୪୫ଟି ଘର ରହିଛି। ଏହାର ପ୍ରତ୍ୟେକ ଘରେ ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଘର ରହିଛି। ଶୁଣିଲେ ଲାଗିବ ଏଥିରେ ନୂଆ କଥା କ’ଣ ଅଛି। ପ୍ରତ୍ୟେକଙ୍କ ଘରେ ଅତିଥି ରହିବା ପାଇଁ ଏକ ଅଲଗା ସ୍ଥାନ ଥାଏ। ହେଲେ ଏଠି ଅତିଥି ଆଉ କେହି ନୁହେଁ, ବିଷଧର ‘ଗୋଖର’ ସାପ ଏମାନଙ୍କ ଅତିଥି। ଏଠିକାର ଲୋକମାନେ ନିଜ ଘରେ ଗୋଖର ଭଳି ସାପମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥାନ୍ତି। ଯେଉଁଠି ସେମାନେ ଆସି କିଛି ସମୟ ଧରି ବିଶ୍ରାମ ନେଇପାରିବେ। ଏହି ପ୍ରଥା ବର୍ଷ ବର୍ଷ ଧରି ଚାଲି ଆସୁଛି। ହେଲେ ଏହା ସତ୍ତ୍ୱେ ଆଜି ଯାଏ ଏଠାରେ କୌଣସି ଅଘଟଣ ଘଟି ନାହିଁ।

ଛପର୍‌: ଏହାକୁ ସାଧାରଣତଃ ମହିଳାମାନଙ୍କ ଗାଁ ବୋଲି କୁହାଯାଏ। ଛପର୍‌ ହରିୟାଣା ରାଜ୍ୟର ଏକ ଛୋଟ ଗାଁ। ଏଠି ଝିଅକୁ ଲକ୍ଷ୍ମୀ ଭାବେ ବିବେଚନା କରାଯାଏ। ଏହି ଗାଁରେ ବିଶେଷକରି ମହିଳାମାନଙ୍କ ପାଇଁ ବେଶ୍‌ ସୁବିଧା ସୁଯୋଗ ରହିଛି। ହରିୟାଣାରୁ ଅନେକ ମହିଳା ଖେଳାଳି ଭାରତୀୟ କ୍ରୀଡ଼ା ଜଗତରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି। ଏହି ଗାଁର ବିଶେଷତା ହେଉଛି, ଏଠି ଯେତେବେଳେ ବି କନ୍ୟା ସନ୍ତାନ ଜନ୍ମହୁଏ ଏଠାକାର ଲୋକମାନେ ମିଠା ବାଣ୍ଟିବା ସହିତ, ଅତି ଆନନ୍ଦରେ ଏହି ଖୁସିକୁ ଉପଭୋଗ କରିଥାନ୍ତି। ଛପର୍‌ ଗାଁର ଏହି ପ୍ରଥା ବେଶ୍‌ ନିଆରା। ଦେଖିବାକୁ ଗଲେ ହରିୟାଣାର ଏହା ଏକ ନିପଟ ଗାଁ, ଏହା ସତ୍ତ୍ୱେ ବି ଏଠାକାର ମହିଳାମାନେ ମଥାରେ ଓଢ଼ଣା ଦିଅନ୍ତିନି।

ସମ୍ବନ୍ଧିତ ଖବର