ନୂଆଦିଲ୍ଲୀ: ବିହାର ପୁଲିସ କିଛିଦିନ ହେବ ଅପରାଧିକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ଗତ ମଙ୍ଗଳବାର ଦିନ ପାଟନାରେ ପୁଲିସର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଜାରି ରହିଥିବା ଲଗାଣ ବର୍ଷା ସତ୍ତ୍ବେ ଜଣେ ଟ୍ରାଫିକ ପୁଲିସଙ୍କୁ ଡ୍ୟୁଟି କରୁଥିବା ଦେଖି କାର ଅଟକାଇ ଡିଆଇଜି ପୁରସ୍କୃତ କରିବା ସହିତ ଏଭଳି ନିଷ୍ଠାପର କାମକୁ ଦେଖି ପ୍ରଶଂସା ମଧ୍ୟ କରିଥିଲେ।
ଗତ ମଙ୍ଗଳବାର ଅପରାହ୍ନରେ ପାଟନାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ହେତୁ ଟ୍ରାଫିକ ଜାମ ହୋଇଯାଇଥିଲା। ଏହି ଜାମ୍ ହେତୁ ଯେପରି ଲୋକମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଟ୍ରାଫିକ ପୁଲିସର ଜଣେ ଯବାନ ବର୍ଷାରେ ଭିଜି ନିଜ କର୍ତ୍ତବ୍ୟ ପାଳନ କରିଥିଲେ।
ପାଟଣାର ଅନିସାବାଦ ଗୋଲମବରରେ ଅଶୋକ କୁମାର ନାମକ ଜଣେ ଟ୍ରାଫିକ୍ ପୁଲିସ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ଉକ୍ତ ପୁଲିସ କର୍ମଚାରୀ ଜଣକ ପ୍ରବଳ ବର୍ଷାରେ ଭିଜି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ। ଏହି ସମୟରେ ବିହାରର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ ବୈଭବ ଗାଡ଼ିରେ ଯାଉଥିଲେ।
ବିକାଶ ବୈଭବଙ୍କ ନଜର ବର୍ଷାରେ ଭିଜି ଡ୍ୟୁଟି କରୁଥିବା ଯବାନଙ୍କ ଉପରେ ପଡ଼ିଥିଲା। ସେ ତୁରନ୍ତ କାରରୁ ଓହ୍ଲାଇ ନିଜ ଅଙ୍ଗରକ୍ଷୀଙ୍କୁ ପଠାଇ ଅଶୋକଙ୍କୁ ଡକାଇଥିଲେ। ଡିଆଇଜି ବିକାଶ ବୈଭବ ଟ୍ରାଫିକ୍ ପୁଲିସ ଅଶୋକଙ୍କୁ ଦେଖି ଖୁସି ହେବା ସହ ଉତ୍ସାହିତ କରି ୨୫୦୦ଟଙ୍କା ଉପହାର ଦେଇଥିଲେ। ଏଥିସହିତ ଡିଆଇଜି ତାଙ୍କ ନାମ ଏବଂ ଠିକଣା ପଚାରି ବୁଝିଥିଲେ।
ଡିଆଇଜି ବିକାଶ ବୈଭବ ଏହି ଘଟଣାକୁ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଥିଲେ। ଏହି କାର୍ଯ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି।