କିଛି ମାସ ପୂର୍ବରୁ, ମୁଁ ଦିଲ୍ଲୀରେ ଜଣେ ବରିଷ୍ଠ ୟୁରୋପୀୟ ମନ୍ତ୍ରୀଙ୍କୁ ଭେଟିଥିଲି। ଭାରତର ଡିଜିଟାଲ ଅର୍ଥପଇଠ ବିପ୍ଳବକୁ ଦେଖି ସେ ଆଚମ୍ବିତ ହୋଇଥିଲେ। ସାରା ଭାରତରେ ଲୋକମାନେ ଯେପରି ଭାବେ ମୋବାଇଲ ଫୋନ୍ ବ୍ୟବହାର କରି ଅର୍ଥପଇଠ କରୁଛନ୍ତି ତାହା ତାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥିଲା। ଛୋଟ ଗାଁରୁ ବଡ଼ ସହର ପର୍ଯ୍ୟନ୍ତ, ଚା’ ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅତି ସହଜରେ ଡିଜିଟାଲ ଅର୍ଥଗ୍ରହଣ କରୁଥିବା ସେ ଦେଖିଥିଲେ।
କିନ୍ତୁ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥିଲା, ଏତେ ପରିମାଣର ଭାଷାଗତ ଏବଂ ଭୌଗୋଳିକ ବିବିଧତା ସତ୍ତ୍ୱେ ଭାରତ କିପରି ଭାବେ ଏତେ ବ୍ୟାପକ ସଫଳତା ହାସଲ କରିଛି?
ମୁଁ ତାଙ୍କୁ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ଦେଖାଇଲି। ସେଥିରେ ୧୭ଟି ଭାଷାରେ ‘ପାଞ୍ଚ ଶତ ଟଙ୍କା’ ଲେଖା ହୋଇଥିଲା। ଏହା ସାଧାରଣ ହେଲେ ମଧ୍ୟ ଭାରତର ବିବିଧତାର ଏକ ବଳିଷ୍ଠ ନିଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଏହି ବିବିଧତାକୁ ପ୍ରଯୁକ୍ତି ମାଧ୍ୟମରେ ଯୋଡ଼ାଯାଇପାରିଛି ଏବଂ ଏହା ଆମର ସବୁଠୁ ବଡ଼ ସାମର୍ଥ୍ୟ ପାଲଟିଛି । ଏହି ସମାବେଶୀ ଭାବନା, ପ୍ରଯୁକ୍ତି ବିଦ୍ୟା ପ୍ରତି ଆମର ଆଭିମୁଖ୍ୟକୁ ପରିଭାଷିତ କରୁଛି। ଏହା ଆମ ପ୍ରଧାନମନ୍ତ୍ରୀଙ୍କର ମୂଳ ଦର୍ଶନକୁ ପ୍ରତିଫଳିତ କରୁଛି। ଏହି ଦର୍ଶନ ହେଉଛି, ପ୍ରଯୁକ୍ତି ବିଦ୍ୟାର ଉପଲବ୍ଧତାକୁ ସାର୍ବଜନୀନ କରିବା ଏବଂ ସମସ୍ତଙ୍କୁ ଏହାର ଲାଭ ପ୍ରଦାନ କରିବା।
ଦୋକାନରେ ଥିବା ସ୍ପିକରରେ ଅର୍ଥପଇଠ ହୋଇଛି ବୋଲି ବାର୍ତ୍ତା ଆସିବା ଠାରୁ ଆରମ୍ଭ କରି ଏସ୍ଏମ୍ଏସ୍ ମାଧ୍ୟମରେ ନିଶ୍ଚିତକରଣ ହେବା ପର୍ଯ୍ୟନ୍ତ, ଏହି ବ୍ୟବସ୍ଥାକୁ ବାଧାମୁକ୍ତ ଏବଂ ସରଳ କରାଯାଇଛି। ଅନୁରୂପ ସମାବେଶୀ ଭାବନା ନେଇ ଭୀମ୍ ୨୦ଟି ଭାଷା ଏବଂ ଉମଙ୍ଗ ୧୩ଟି ଭାଷାରେ କାର୍ଯ୍ୟ କରୁଛି।
ଆମେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଏହି ରୂପାନ୍ତରଣ ଏକ ଗୌରବମୟ ଉଦାହରଣ ପାଲଟିଛି। ଆମେ ଅନେକ ଦୂର ଅତିକ୍ରମ କରିସାରିଛୁ ଏବଂ ଆମ ପାଖରେ ଅପାର ସମ୍ଭାବନା ରହିଛି। ଅନ୍ତିମ ସୋପାନରେ ଥିବା ଲୋକଙ୍କୁ ସମ୍ମାନ ଓ ସୁଯୋଗ ପ୍ରଦାନ କରିବା ପାଇଁ ଆମର ଅନ୍ତ୍ୟୋଦୟ ସ୍ୱପ୍ନ କ୍ରମାଗତ ଭାବେ ଆମକୁ ମାର୍ଗ ଦେଖାଇ ଚାଲିଛି।
ଇଣ୍ଡିଆ ଷ୍ଟାକ୍
ଜନସଂଖ୍ୟାର ଆକାର ସହ ତୁଳନୀୟ ଏକ ବିଶାଳ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ବର୍ଷ ପୂର୍ବେ ପରିକଳ୍ପନା କରିଥିଲେ। ଏହାର ଲାଭ କିଛି ହାତଗଣତି ଲୋକଙ୍କୁ ନୁହେଁ ବରଂ ସମସ୍ତଙ୍କୁ ଯୋଗାଇ ଦେବାର ବିଚାରକୁ ନେଇ ଏକ ଯାତ୍ରା ଆରମ୍ଭ ହୋଇଥିଲା। ଫଳରେ ଆଜି ଯାହାକୁ ସାରା ବିଶ୍ୱ ଇଣ୍ଡିଆ ଷ୍ଟାକ୍ ରୂପେ ସ୍ୱୀକାର କରିଛି, ତାହାକୁ ନିର୍ମାଣ କରିବା ସମ୍ଭବ ହୋଇଥିଲା।
ଏହାର କେନ୍ଦ୍ରରେ ରହିଛି ବିଶ୍ୱର ସର୍ବବୃହତ ଡିଜିଟାଲ ପରିଚୟ ବ୍ୟବସ୍ଥା ଆଧାର। ଏହା ୧୪୦ କୋଟିରୁ ଅଧିକ ଲୋକଙ୍କୁ ଏକକ ଡିଜିଟାଲ ପରିଚୟ ପ୍ରଦାନ କରିଛି। ପ୍ରତ୍ୟେକ ଦିନ ନଅ କୋଟିରୁ ଅଧିକ ଆଧାର ପ୍ରମାଣୀକରଣ କରାଯାଉଛି। ଫଳରେ ଲୋକମାନେ ଦ୍ରୁତ ଗତିରେ ଓ ବିଶ୍ୱସନୀୟତାର ସହିତ ଅତ୍ୟାବଶ୍ୟକ ସେବା ପାଇପାରୁଛନ୍ତି। ଆମର ସ୍ୱଦେଶୀ ପ୍ଲାଟଫର୍ମ ‘ୟୁପିଆଇ’ ଆର୍ଥିକ ନେଣଦେଣ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ସାରା ଭାରତରେ ଏହା ମାଧ୍ୟମରେ କାରବାର ହେଉଛି। ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହାକୁ ଅତି ସହଜରେ ବ୍ୟବହାର କରୁଛନ୍ତି। ଗୋଟିଏ ଦିନରେ ହାରାହାରି ୬୦ କୋଟିରୁ ଅଧିକ ୟୁପିଆଇ ନେଣଦେଣ ହେଉଛି। ଦୈନନ୍ଦିନ ଜୀବନରେ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା କିଭଳି ଗଭୀର ପରିବର୍ତ୍ତନ ଆଣିଛି, ତାହା ଏଥିରୁ ପ୍ରମାଣିତ ହୋଇଥାଏ। ଡିଜିଲକର ପ୍ରଶାସନ ଓ ନାଗରିକ ସେବା ପ୍ରଦାନକୁ ଅଧିକ ସରଳ କରିଛି। ମାତ୍ର ଗୋଟିଏ କ୍ଲିକରେ ଆପଣଙ୍କର ସବୁ କାଗଜପତ୍ର ମିଳିଯାଉଛି। ଡ୍ରାଇଭିଂ ଲାଇସେନ୍ସ ହେଉ କିମ୍ବା ଶିକ୍ଷାଗତ ପ୍ରମାଣପତ୍ର, କିମ୍ବା ଅନ୍ୟାନ୍ୟ ଜରୁରୀ ରେକର୍ଡ- କୋଟି କୋଟି ଲୋକ ଏସବୁକୁ ସୁରକ୍ଷିତ ଓ ସୁବିଧାଜନକ ଭାବେ ରଖିପାରୁଛନ୍ତି।
ମୋବାଇଲ ଫୋନର ବ୍ୟାପକ ବ୍ୟବହାର ବିନା ଏସବୁ କିଛି ସମ୍ଭବ ହୋଇପାରିନଥା’ନ୍ତା। ବର୍ତ୍ତମାନ ଭାରତର ୯୦% ଲୋକ ମୋବାଇଲ ଉପକରଣ ବ୍ୟବହାର କରୁଛନ୍ତି। ଏହା ଲୋକମାନଙ୍କ ହାତରେ ସିଧାସଳଖ ପ୍ରଯୁକ୍ତିର ଶକ୍ତି ପ୍ରଦାନ କରିଛି। ଇଣ୍ଡିଆ ଷ୍ଟାକ୍ ମଧ୍ୟ ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ଉଭା ହୋଇଛି। ଜି-ଟ୍ୱେଣ୍ଟି ବୈଠକରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ଏଜେଣ୍ଡାକୁ ଆଗକୁ ବଢ଼ାଇଥିଲା ଏବଂ ଏକ ଗ୍ଲୋବାଲ ଡିପିଆଇ ରିପୋଜିଟୋରୀ ପାଇଁ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ୭ଟି ଦେଶରେ ୟୁପିଆଇ କାରବାର ହେଉଛି, ଆହୁରି ଅନେକ ଦେଶ ଏହାକୁ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ଲାଗି ଆରମ୍ଭ ହୋଇଥିବା ଏକ କାର୍ଯ୍ୟକ୍ରମ ଆଜି ସାରା ବିଶ୍ୱକୁ ଅନୁପ୍ରାଣିତ କରୁଛି ।
ସମାବେଶୀ ବିକାଶ
୫୫ କୋଟିରୁ ଊର୍ଦ୍ଧ୍ୱ ଜନଧନ ଆକାଉଣ୍ଟ ଖୋଲାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୪୪ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି। ୧୦ କୋଟିରୁ ଅଧିକ ଏଲ୍ପିଜି ସଂଯୋଗ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟସେବା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଡିଜିଟାଲ ଇଣ୍ଡିଆର ଜନଧନ-ଆଧାର-ମୋବାଇଲ (ଜାମ୍) ତ୍ରୟ ଜରିଆରେ ଏସବୁ ସମ୍ଭବ ହୋଇପାରିଛି। ଆଜି ବାରାଣସୀ ଅଟୋ ଚାଳକ ହୁଅନ୍ତୁ କିମ୍ବା ମୁମ୍ବାଇର ହକର୍ ସମସ୍ତେ ଡିଜିଟାଲ ପେମେଣ୍ଟ ପାଇପାରୁଛନ୍ତି। କଲ୍ୟାଣମୂଳକ ଯୋଜନାରେ ବାଟମାରଣା ବନ୍ଦ ହୋଇଛି। ପ୍ରଶାସନ ଅଧିକ ପାରଦର୍ଶୀ ହୋଇଛି। ସଠିକ୍ ସମୟରେ ଲୋକଙ୍କ କାମ ହୋଇଯାଉଛି।
ପ୍ରଶାସନରେ ମାନବିକତାର ସ୍ପର୍ଶ
ମାଇଁ ଗଭ୍ ଏବଂ ଉମଙ୍ଗ ଭଳି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ନାଗରିକମାନେ ୨ହଜାରରୁ ଅଧିକ ସରକାରୀ ସେବା ପାଇପାରୁଛନ୍ତି। ଭାରତର ଜାତୀୟ ଟେଲି ମେଡ଼ିସିନ୍ ପ୍ଲାଟଫର୍ମ ଇ-ସଞ୍ଜୀବନୀ ଜରିଆରେ ୩୮ କୋଟି ଡାକ୍ତରୀ ପରାମର୍ଶ ମିଳିପାରିଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଏକକ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ କରିବା। ବର୍ତ୍ତମାନ ସୁଦ୍ଧା ୭୯ କୋଟିରୁ ଅଧିକ ସ୍ୱାସ୍ଥ୍ୟ ଆଇଡି, ୬ ଲକ୍ଷ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ୬୦ କୋଟି ସ୍ୱାସ୍ଥ୍ୟ ରେକର୍ଡର ଏକୀକରଣ କରାଯାଇଛି।
ଯୁବବର୍ଗ ଓ ଚାଷୀ
ଦୀକ୍ଷା, ସ୍ୱୟଂ ଏବଂ ପିଏମ୍ ଇ-ବିଦ୍ୟା ଭଳି ଡିଜିଟାଲ ଶିକ୍ଷା ପ୍ଲାଟଫର୍ମ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ସେମାନଙ୍କର ମାତୃଭାଷାରେ ପହଞ୍ଚି ପାରୁଛି। ସ୍କିଲ୍ ଇଣ୍ଡିଆ ଡିଜିଟାଲ ହବ୍ (ଏସ୍ଆଇଡିଏଚ) ଏବଂ ଫ୍ୟୁଚର୍ ସ୍କିଲ୍ସ ପ୍ରାଇମ୍ ଏବେ ଏଆଇ, ସାଇବର ସିକ୍ୟୁରିଟୀ ଏବଂ ବ୍ଲକ ଚେନ୍ରେ ଆମର ଯୁବବର୍ଗଙ୍କର ଦକ୍ଷତା ବିକାଶ କରୁଛି। ଚାଷୀମାନେ ଡିଜିଟାଲ ମାଧ୍ୟମରେ ପାଣିପାଗ ସମ୍ବନ୍ଧୀୟ ସୂଚନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ବଜାର ମୂଲ୍ୟ ପାଇପାରୁଛନ୍ତି। ବର୍ତ୍ତମାନ ୧୧ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ସିଧାସଳଖ ଆୟ ସହାୟତା ପାଉଛନ୍ତି, ଯାହା ବାଧାମୁକ୍ତ ଭାବରେ ଯୋଗାଇ ଦିଆଯାଉଛି। ବ୍ୟାପକତା ଏବଂ ଅନ୍ତର୍ଭୂକ୍ତୀକରଣକୁ ଆଧାର କରି ନିର୍ମାଣ କରାଯାଉଥିବା ପ୍ରଯୁକ୍ତି କିଭଳି ଲୋକଙ୍କ ଜୀବନରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣୁଛି ଏବଂ ଅନ୍ତ୍ୟୋଦୟର ସ୍ୱପ୍ନକୁ ସାକାର କରିପାରୁଛି ତାହା ଏସବୁ ଉଦାହରଣରୁ ପ୍ରତୀୟମାନ ହୋଇଥାଏ।
ଅନ୍ତର୍ନିହିତ ବିଶ୍ୱାସ
ଭାରତର ଡିଜିଟାଲୀକରଣ ବୃଦ୍ଧି ପାଉଥିବାବେଳେ ଏହାର ସାଇବର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରାଯାଇଛି । ସିଇଆରଟି-ଇନ୍ ଭଳି ପ୍ରତିଷ୍ଠାନ, ସାଇବର୍ ହେଲ୍ପଲାଇନ୍ ୧୯୩୦ ଏବଂ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ୨୦୨୩ ବ୍ୟବହାରକାରୀଙ୍କ ଗୋପନୀୟତା ଓ ତଥ୍ୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହା ନାଗରିକଙ୍କ ମଧ୍ୟରେ ଡିଜିଟାଲ ସେବା ବ୍ୟବହାର କରିବା ଲାଗି ଭରସା ଓ ବିଶ୍ୱାସ ସୃଷ୍ଟି କରୁଛି । ଅପରେସନ ସିନ୍ଦୂର ସମୟରେ ଏହାର ଏକ ଦୃଢ଼ ଉଦାହରଣ ଦେଖିବାକୁ ମିଳିଥିଲା। ଆମର ଭିତ୍ତିଭୂମି ଉପରେ ସୁନିୟୋଜିତ ସାଇବର ଆକ୍ରମଣକୁ ଆମର ଏଜେନ୍ସିଗୁଡ଼ିକ ସଫଳତାର ସହିତ ମୁକାବିଲା କରିପାରିଥିଲେ।
ନବସୃଜନ ଏବଂ ଷ୍ଟାର୍ଟଅପ୍ସ
୧.୮ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ, ଭାରତରେ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରହିଛି । ଏହି ଷ୍ଟାର୍ଟଅପ୍ ଗୁଡ଼ିକ ମଧ୍ୟରୁ ଅନେକ ଡିଜିଟାଲ ଇଣ୍ଡିଆର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଦୁଆକୁ ଆଧାର କରି ବଢ଼ିଛନ୍ତି। ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ଏବେ ଇଣ୍ଡିଆ ଷ୍ଟାକ୍ ମଡେଲକୁ ଗ୍ରହଣ କରୁଥିବାରୁ ଭାରତ ଦୁନିଆକୁ ଡିଜିଟାଲ ସାର୍ବଜନୀନ ସାମଗ୍ରୀ ରପ୍ତାନି କରୁଛି । ଆମର ଏଆଇ ମିଶନ୍ ହାଇ-ଏଣ୍ଡ୍ କମ୍ପ୍ୟୁଟିଂକୁ ଅଧିକ ଶସ୍ତା ଓ ସୁଲଭ କରିଛି। ଷ୍ଟାର୍ଟଅପ୍ସ, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱର ସବୁଠୁ ଶସ୍ତା ଦରରେ ୩୪,୦୦୦ରୁ ଅଧିକ ଜିପିୟୁ ଉପଲବ୍ଧ ହେଉଥିବା ବେଳେ ଆହୁରି ୬୦୦୦ ଜିପିୟୁ ଏବେ ପ୍ରସ୍ତୁତ କରାଯାଉଛି ।
ସେମି କଣ୍ଡକ୍ଟର ଠାରୁ ଆରମ୍ଭ କରି ଦୂରସଞ୍ଚାର ପର୍ଯ୍ୟନ୍ତ
ପ୍ରଧାନମନ୍ତ୍ରୀ ମୋଦୀ ‘‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ’’ (ଭାରତରେ ନିର୍ମାଣ, ଭାରତ ପାଇଁ ନିର୍ମାଣ ଏବଂ ବିଶ୍ୱ ପାଇଁ ନିର୍ମାଣ) ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଫଳରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଉତ୍ପାଦନରେ ଅଧିକ ବୃଦ୍ଧି ହୋଇଛି। ଆମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଆଜି, ଭାରତ ଏକ ଅଗ୍ରଣୀ ମୋବାଇଲ ଫୋନ୍ ରପ୍ତାନିକାରୀ ଦେଶରେ ପରିଣତ ହୋଇଛି ।
ଦୂରସଞ୍ଚାର ଭିତ୍ତିଭୂମିରେ ଦୃଢ଼ ସମ୍ପ୍ରସାରଣ ସହିତ ଏହି ବିକାଶକୁ ସମାନ୍ତରାଳ ଭାବେ ସମର୍ଥନ ଯୋଗାଇ ଦିଆଯାଉଛି। ଅନେକ ବର୍ଷ ପରେ, ବିଏସ୍ଏନ୍ଏଲ୍ ପୁଣିଥରେ ଲାଭ ଉପାର୍ଜନ କରିପାରୁଛି। ଭାରତ ନିଜର ସ୍ୱଦେଶୀ ଦୂରସଞ୍ଚାର ଷ୍ଟାକ୍ ମଧ୍ୟ ବିକଶିତ କରିଛି। ଆଜି ପ୍ରାୟ ସାରା ଦେଶରେ ୪ଜି ସେବା ପହଞ୍ଚିପାରିଛି ଏବଂ ଭାରତରେ ବିଶ୍ୱର ସବୁଠୁ ଦ୍ରୁତତମ ୫ଜି ସେବା କାର୍ଯ୍ୟକାରୀ ହୋଇଛି । ଏହି ଦୃଢ଼ ଡିଜିଟାଲ ଆଧାର ଡିଜିଟାଲ ଇଣ୍ଡିଆର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବାରେ ସହାୟକ ହେଉଛି। ଭାରତ ସେମିକଣ୍ଡକ୍ଟର ମିଶନ୍ ଭାରତର ସ୍ୱଦେଶୀ ଚିପ୍ ନିର୍ମାଣର ସଂକଳ୍ପକୁ ବାସ୍ତବତାରେ ପରିଣତ କରୁଛି। ଛଅଟି ସେମିକଣ୍ଡକ୍ଟର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯଥାଶୀଘ୍ର ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ଉତ୍ପାଦନ ଲାଗି ଏବେ ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଚାଲିଛି। ଏପରି ପ୍ରତିଯୋଗିତାକୁ ଆମେ ସ୍ୱାଗତ କରୁଛୁ। ଭାରତରେ ମଧ୍ୟ ୧,୭୦୦ରୁ ଅଧିକ ବିଶ୍ୱ କ୍ଷମତା କେନ୍ଦ୍ର ରହିଛି, ଯେଉଁଠି ପ୍ରାୟ ୨୦ ଲକ୍ଷ ଲୋକ ନିୟୋଜିତ ରହିଛନ୍ତି। ଖର୍ଚ୍ଚ ସଞ୍ଚୟକାରୀ ବ୍ୟାକ୍ ଅଫିସ୍ ଭାବରେ ଆରମ୍ଭ ହୋଇଥିବା କାର୍ଯ୍ୟ ଏବେ ବିଶ୍ୱ ପାଇଁ ନବସୃଜନ, ଡିଜାଇନ୍ ଏବଂ ଉତ୍ପାଦ ବିକାଶକୁ ଆଗେଇ ନେଉଛି।
ଭବିଷ୍ୟତ ରୂପରେଖ
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଏହାର ଦଶମ ବାର୍ଷିକୀ ପାଳନ କରୁଛି। ଏକ ଦୃଢ଼ ଡିଜିଟାଲ ମୂଳଦୁଆ ସ୍ଥାପିତ ହୋଇଛି, ଯାହାକୁ ଆଧାର କରି ବିକଶିତ ଭାରତର ସୌଧ ନିର୍ମାଣ କରାଯାଉଛି।ଆମର ଲକ୍ଷ୍ୟ ବେଶ୍ ସ୍ପଷ୍ଟ – ତୃଣମୂଳ ସ୍ତରରେ ଡିଜିଟାଲ ବିଭାଜନ ଦୂର କରିବା, ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଇଁ ସାଇବର ସୁରକ୍ଷା ସୁନିଶ୍ଚିତ କରିବା। ଆଉ ପରିଶେଷରେ ପ୍ରଯୁକ୍ତିକୁ ପ୍ରତ୍ୟେକ ନାଗରିକଙ୍କ ପ୍ରକୃତ ବନ୍ଧୁରେ ପରିଣତ କରିବା।
ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ