ଅହମଦାବାଦ:  ଅହମଦାବାଦର ଏକ କବରସ୍ଥଳରେ ରେସ୍ତୋରାଁଟିଏ ଅଛି ଯେଉଁଠି ଲୋକମାନେ କବର ଗହଣରେ ନିୟମିତ ଖିଆପିଆ କରନ୍ତି। ସହରର ଲାଲ ଦରୱାଜା ଅଞ୍ଚଳରେ ରହିଛି ‘ଦି ନ୍ୟୁ ଲକି ରେସ୍ତୋରାଁ’, ଯାହା ଦୀର୍ଘ ୭୨ ବର୍ଷ ଧରି ଚାଲିଆସିଛି। ଏହି ନିଆରା ରେସ୍ତୋରାଁକୁ ଏମ୍‌. ଏଫ୍‌ ହୁସେନଙ୍କ ପରି ପ୍ରଖ୍ୟାତ ଚିତ୍ରଶିଳ୍ପୀ ନିୟମିତ ଯାଉଥିଲେ। ଉକ୍ତ ଦୋକାନର ମାଲିକଙ୍କୁ ହୁସେନ ପ୍ରଦାନ କରିଥିବା ତାଙ୍କର ଏକ କଳାକୃତି ଏବେ ମଧ୍ୟ ରେସ୍ତୋରାଁ କାନ୍ଥରେ ପ୍ରଦର୍ଶିତ ହେଉଛି। ତେବେ ‘ହଙ୍ଗ୍ରିକ୍ରୁଜର୍‌’ ନାମକ ଏକ ପରିଭ୍ରମଣ ଓ ଖାଦ୍ୟ ବ୍ଲଗିଂ ଆକାଉଣ୍ଟରେ ଏହି ରେସ୍ତୋରାଁ ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ପରେ ଏହାର କାହାଣୀ ଲୋକଲୋଚନକୁ ଆସିଛି।

Advertisment

ଏହି ରେସ୍ତୋରାଁର ମାଲିକ କୃଷ୍ଣ କୁଟ୍ଟି ଏକ ଭୋଜନାଳୟ କରିବା ଉଦ୍ଦେଶ୍ୟରେ ଏକଦା ଉକ୍ତ ଜାଗାକୁ କିଣିଥିଲେ। ମାତ୍ର ସେ ଜାଣିନଥିଲେ ଯେ ତାହା ଏକ କବରସ୍ଥଳୀ ଥିଲା। ସବୁକଥା ଜାଣିଲା ପରେ ମଧ୍ୟ ସେ ସେଠାରେ ଭୋଜନାଳୟ କରିବାକୁ ନିଷ୍ପତ୍ତି ନେଲେ। ତେବେ ସେଠାରେ ଥିବା ୨୬ଟି କବରକୁ ଅକ୍ଷତ ଅବସ୍ଥାରେ ରଖି ସେଗୁଡ଼ିକର ଚାରିପାଖେ ସେ ଲୁହା ବାଡ଼ ଘେରାଇଦେଲେ। ବଳକା ସ୍ଥାନରେ ସେ ଭୋଜନ ଟେବୁଲ ଖଞ୍ଜି ନିଜର ବେପାର ଆରମ୍ଭ କରିଥିଲେ। ପ୍ରତିଦିନ ସକାଳେ ଦୋକାନର କର୍ମଚାରୀ ଆସି ପ୍ରତ୍ୟେକ କବରକୁ ସଫା କରିବା ସହ ତାହା ଉପରେ ଶ୍ରଦ୍ଧାଞ୍ଜଳି ପୂର୍ବକ ସଜ ଫୁଲ ରଖିଥା’ନ୍ତି। ଦିନକୁ ଦିନ କୁଟ୍ଟିଙ୍କ ଏହି ରେସ୍ତୋରାଁ ସହରର ଅନ୍ୟତମ ଲୋକପ୍ରିୟ ଭୋଜନାଳୟ ହେବାକୁ ଲାଗିଲା। ତେବେ କବରସ୍ଥାନରେ ବସି ଭୋଜନ କରିବାକୁ କେହି କେହି ଅମଙ୍ଗ ହେଉଥିବା ବେଳେ ମୃତ ଆତ୍ମାକୁ ଜୀବନ୍ତ ବ୍ୟକ୍ତିଙ୍କ ପରି ସମ୍ମାନ ଜଣାଇବାର କୁଟ୍ଟିଙ୍କ ଅଭିନବ ଚିନ୍ତାଧାରାକୁ ଅନେକ ପ୍ରଶଂସା କରିଛନ୍ତି।