୧୯୦୮ ଫେବ୍ରୁଆରି ପହିଲାରେ ଅବିଭକ୍ତ ପୁରୀ ଜିଲ୍ଲାର ବିଶ୍ବନାଥପୁର ଗ୍ରାମରେ ଜନ୍ମ ହୋଇଥିଲେ ମାର୍କ୍ସବାଦୀ ସାହିତ୍ୟିକ ତଥା ବିପ୍ଳବୀ କଥାକାର ଭଗବତୀ ଚରଣ ପାଣିଗ୍ରାହୀ। ଛୋଟ ବେଳୁ ତାଙ୍କର ବହି ପଢ଼ିବାର ଅଭ୍ୟାସ ଥିଲା। ପରିବାରରେ ସାହିତ୍ୟିକ ପରିବେଶ ଯୋଗୁଁ ଛାତ୍ର ଅବସ୍ଥାରୁ ସେ ଲେଖାଲେଖି ଆରମ୍ଭ କରିଦେଇଥିଲେ। ସେ ପୁରୀ ଜିଲ୍ଲା ସ୍କୁଲ୍‌ ଛାଡ଼ି କିଛି କାଳ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ରେଭେନ୍‍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ପାଟନା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାଙ୍କର ଯୁବାବସ୍ଥାରେ ବ୍ରିଟିସ୍ ଶାସନାଧୀନ ଓଡ଼ିଶା ସଂକଟମୟ ସମୟ ଦେଇ ଗତି କରୁଥିବା ବେଳେ ରାଜ୍ୟର ରାଜନୈତିକ ଅସ୍ଥିରତା ଓ ସାମାଜିକ କୁସଂସ୍କାର ଓଡ଼ିଆଙ୍କ ଜୀବନକୁ ଦୁର୍ଦ୍ଦଶାଗ୍ରସ୍ତ କରିଦେଇଥିଲା।

Advertisment

ଏହି ସମୟରେ ଓଡ଼ିଶାରେ ସାମାଜିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏକ ବୁଦ୍ଧିଜୀବୀ ଗୋଷ୍ଠୀ ଲେଖନୀ ଚାଳନା ଆରମ୍ଭ କରିଥିଲା। ଭଗବତୀ ଥିଲେ ସେ ଗୋଷ୍ଠୀର ଜଣେ ଅଗ୍ରଣୀ ସଦସ୍ୟ। ସେ ଅନ୍ଧବିଶ୍ବାସ ଓ କୁସ˚ସ୍କାରର ଘୋର ବିରୋଧୀ ଥିଲେ। ତାଙ୍କ ନେତୃତ୍ବରେ ଓଡ଼ିଶାରେ ଯୁବ ଆନ୍ଦୋଳନର ଗତିପଥ ବଦଳିଥିଲା। ପାରମ୍ପରିକ ସାହିତ୍ୟ ସୃଷ୍ଟିରୁ ବିରତ ହୋଇ ପ୍ରଗତିଶୀଳ ସାହିତ୍ୟ ରଚନାର ଧାରା ଆରମ୍ଭ ପାଇଁ ୧୯୩୫ ମସିହାରେ ସେ ‘ନବଯୁଗ ସାହିତ୍ୟ ସ˚ସଦ’ ଗଢ଼ିଥିଲେ। ‘ଶିକାର’, ‘ସମୟାତୀତ’, ‘ମୀମାଂସା’, ‘ହାତୁଡ଼ି ଓ ଦାଆ’, ‘ମିଶ୍ରଙ୍କ କୋପ’,‘ଆରମ୍ଭ ଓ ଶେଷ’, ‘ଝଡ଼’ ଆଦି ତାଙ୍କର କେତେକ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ। ସେ ମାର୍କ୍ସ ଓ ଏଞ୍ଜେଲ୍‌ଙ୍କ ପ୍ରସିଦ୍ଧ ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’କୁ ଓଡ଼ିଆରେ ଅନୁବାଦ କରି ‘ବୈଜ୍ଞାନିକ ସମାଜବାଦ’ ନାମରେ ପ୍ରକାଶ କରିଥିଲେ। ସାମ୍ୟବାଦର ଆଦର୍ଶ ଓ ବିଚାର ପ୍ରସାର ପାଇଁ ‘ଆଧୁନିକ’ ନାମକ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ। ୧୯୩୬ରେ ଅନ୍ତରଙ୍ଗ ବନ୍ଧୁ ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ଓଡ଼ିଶାରେ ବିଧିବଦ୍ଧ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ। ୧୯୪୩ ଅକ୍‌ଟୋବର ୨୩ରେ ମାତ୍ର ୩୫ ବର୍ଷ ବୟସରେ ବିପ୍ଳବୀ ଭଗବତୀଙ୍କର ମୃତ୍ୟୁ ଘଟିଥିଲା।