ପୃଥିବୀଠାରୁ ୬ ଆଲୋକବର୍ଷ ଦୂରରେ ଥିବା ବରଫାବୃତ ସୁପର୍ ଆର୍ଥର ମିଳିଲା ସନ୍ଧାନ

ମହାକାଶ ବିଜ୍ଞାନୀଙ୍କୁ ବଡ଼ ସଫଳତା । ୬ ଆଲୋକ ବର୍ଷ ଦୁରରେ ଥିବା ସୁପର୍ ଆର୍ଥ ସନ୍ଧାନ କରିବାରେ ବିଜ୍ଞାନୀଙ୍କୁ ମିଳିଛି ଏହି ସଫଳତା । ଏହା ସୂର୍ଯ୍ୟର ସବୁଠାରୁ ନିକଟତମ କକ୍ଷପଥରେ ରହିଥିବାରୁ ଗ୍ରହରେ ଜୀବନର ସତ୍ତ ସମ୍ଭବ କି ନାହିଁ ସେ ଦିଗରେ ଆରମ୍ଭ ହୋଇଛି ଗବେଷଣା । ମଣିଷ ମନରେ ଥିବା ଏହି ରହସ୍ୟକୁ ଖୋଜିବା ପାଇଁ ଗବେଷକମାନେ ଅହରହ ଲାଗିଥିବା ବେଳେ ମିଳିଛି ଏହି ଖୁସିର ଖବର ।

ପୃଥିବୀ ବାହାରେ ଜୀବନର ଉପସ୍ଥିତିକୁ ନେଇ ମହାକାଶ ବିଜ୍ଞାନୀ ଜୋରସୋରରେ ଲାଗିଥିବା ବେଳେ ମିଳିଛି ସୁପର୍ ଆର୍ଥର ସନ୍ଧାନ । ଏସମ୍ପର୍କରେ ନେଚର ପତ୍ରିକାରେ ବିସ୍ତୃତ ଭାବେ ପ୍ରକାଶ ପାଇଛି । ପୃଥିବୀ ପୃଷ୍ଠରୁ ୬ ଆଲୋକବର୍ଷ ଦୂରରେ ଏହି ସୁପର ଆର୍ଥ ଅବସ୍ଥିତ ହୋଇଥିବା ବେଳେ ଏହା ସୂର୍ଯ୍ୟର ସବୁଠୁ ନିକଟତମ କକ୍ଷପଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛି । ତେବେ ବରଫ ଦ୍ୱାରା ଆବୃତ ଏହି ଗ୍ରହରେ ବସବାସ ସମ୍ଭବ ନଥିବା ପ୍ରାକ୍ ଅନୁମାନ କରିଛନ୍ତି ବିଜ୍ଞାନୀ । ଏହାର ନାଁ ବାର୍ଣ୍ଣାଡ୍ ଷ୍ଟାର୍ ରଖାଯାଇଛି ଓ ନୂଆ ଗ୍ରହ ସମ୍ପର୍କରେ କ୍ୟାଟାଲୋନିୟା ତଥା ସ୍ପେନର ମହାକାଶ ବିଜ୍ଞାନୀ ଗବେଷଣା କରୁଥିବାର ଜଣାପଡ଼ିଛି ।

ନୂଆ ଗ୍ରହ ସମ୍ପର୍କରେ କିଛି ରୋଚକ ତଥ୍ୟ :

– ଏହି ଗ୍ରହ ପୃଥିବୀଠାରୁ ୩.୨ଗୁଣା ଅଧିକ ଓଜନ ବିଶିଷ୍ଟ ଓ ସୂର୍ଯ୍ୟର ନିକଟତର ହେବା ସତ୍ୱେ ପୃଥିବୀ ତୁଳନାରେ ୨ ପ୍ରତିଶତ କମ୍ ଶକ୍ତି ପାଇଥାଏ ।

– ଗ୍ରହର ତାପମାତ୍ରା ସାଧାରଣତଃ ମାଇନସ୍ ୧୭୦ ଡିଗ୍ରୀ ସେଲସିଅସ୍ ରହୁଥିବାରୁ ଗ୍ରହରେ ଜୀବନର ସମ୍ଭାବନା ଖୁବ କମ ଥିବା ମହାକାଶ ବିଜ୍ଞାନୀ ଅନୁମାନ କରିଛନ୍ତି ।

– ଗ୍ରହରେ ତରଳ ଜଳ ନଥିବାରୁ ଏହା ବାସୋପଯୋଗୀ ନୁହଁ ଓ ଗ୍ୟାସ କିମ୍ବା ଜଳ କେବଳ କଠିନ ବା ବରଫ ଅବସ୍ଥାରେ ରହୁଥିବାର କହିଛନ୍ତି ମହାକାଶ ବିଜ୍ଞାନୀ ।

– ଏହା ଏକ ଛୋଟ ଓ ବରଫାବୃତ ଗ୍ରହ ହୋଇଥିବା ବେଳେ ସୂର୍ଯ୍ୟଠାରୁ ପ୍ରାୟତଃ ଦୁଇଗୁଣା ପୁରୁଣା ହୋଇଥିବାରୁ କମ୍ ଆଲୋକ ବିକିରଣ କରୁଥିବା ବିଜ୍ଞାନୀ କହିଛନ୍ତି ।

– ଡପଲର୍ ଦ୍ୱାରା ୨୦ ବର୍ଷର ନିରବଚ୍ଛିନ୍ନ ଗବେଷଣା ପରେ ୟୂରୋପୀୟ ମହାକାଶ ବିଜ୍ଞାନୀ ସୁପର୍ ଆର୍ଥକୁ ସନ୍ଧାନ କରିବାରେ ସଫଳ ହୋଇପାରିଛନ୍ତି ।

ସବୁ ଗ୍ରହଠାରୁ ପୃଥିବୀ ଅଲଗା । କାରଣ ଏଠି ଜୀବଜଗତ ସମ୍ଭବ । ଯାହା ଆଉ କୌଣସି ଗ୍ରହରେ ସମ୍ଭବ ନୁହେଁ । ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି ଆଉ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇ ପାରିବ । ଏ ଦିଗରେ ଜଳର ଅନୁପସ୍ଥିତି ଯୋଗୁ ବାର୍ଣ୍ଣାଡ୍ ଷ୍ଟାର ଗ୍ରହ ବାସୋପଯୋଗୀ ନୁହଁ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର