ଏ ଯାବତ୍‌ ଯେତେ ସବୁ ଛାୟାପଥ, ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ ଓ ଉଲ୍‌କାପିଣ୍ଡ ଆଦି ମହାଜାଗତିକ ବସ୍ତୁ ଆବିଷ୍କୃତ ହୋଇଛନ୍ତି, ଜ୍ୟୋତିର୍ବିଜ୍ଞାନୀମାନେ ସାଧାରଣତଃ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୀର୍ଘ ଦିନ ଧରି ଅନ୍ତରୀକ୍ଷକୁ ନିରୀକ୍ଷଣ ପୂର୍ବକ ସେମାନଙ୍କର ଗତିପଥକୁ ଅନୁସରଣ କରି ସେମାନଙ୍କୁ ଠାବ କରିଛନ୍ତି। ମାତ୍ର ଆମ ସୌରମଣ୍ଡଳର ଅଷ୍ଟମ ଗ୍ରହ ନେପ୍‌ଚ୍ୟୁନ୍‌ ଏପରି ଏକ ଜ୍ୟୋତିଷ୍କ ଯାହା ଆବିଷ୍କାର କରିବା ପଛରେ କୌଣସି ଦୂରବୀକ୍ଷଣର ଭୂମିକା ନାହିଁ। ବରଂ ଗାଣିତିକ ଗଣନା ଦ୍ବାରା ହିଁ ଏହାର ସ୍ଥିତି ଅନୁମାନ କରାଯାଇଥିଲା।

Advertisment

ସୂଚନାନୁଯାୟୀ, ଫରାସୀ ଜ୍ୟୋତିର୍ବିଜ୍ଞାନୀ ଉର୍ବେନ୍‌ ଜିନ୍‌ ଜୋସେଫ୍‌ ଲି ଭେରିଅର୍‌ ଓ ବ୍ରିଟିସ୍‌ ଜ୍ୟୋତିର୍ବିଜ୍ଞାନୀ ଜନ୍‌ କାଉଚ୍‌ ଆଦାମ୍‌ସ ପୃଥକ୍‌ ଭାବେ କେବଳ ଏପରି ଗାଣିତିକ ସୂତ୍ର ପକାଇ ନେପ୍‌ଚ୍ୟୁନ୍‌ର ଅବସ୍ଥିତି ସମ୍ପର୍କରେ ଅନୁମାନ ଲଗାଇଥିଲେ। ୧୭୮୧ ମସିହାରେ ଆବିଷ୍କୃତ ସପ୍ତମ ଗ୍ରହ ୟୁରାନସ୍‌ର ଗତିବିଧି କେବଳ ବୃହସ୍ପତି ଓ ଶନି ଗ୍ରହର ମାଧ୍ୟାକର୍ଷଣ ବଳ ଦ୍ବାରା ପ୍ରଭାବିତ ହେଉନଥିବା ଜଣାପଡ଼ିଥିଲା। ସୁତରାଂ ୟୁରାନସ୍‌ର କକ୍ଷପଥରେ ଅନ୍ୟ କୌଣସି ଅଦୃଶ୍ୟ ମହାଜାଗତିକ ବସ୍ତୁର ପ୍ରଭାବ ରହିଥିବା କଥା ସେବେଠାରୁ ଜ୍ୟୋତିର୍ବିଜ୍ଞାନୀମାନେ ଅନୁମାନ ଲଗାଇଥିଲେ। ତେବେ ଭେରିଅର୍‌ ଓ ଆଦାମ୍‌ସ ଉଭୟ ପୃଥକ୍‌ ଭାବେ ୟୁରାନସ୍‌ର ଗତିପଥକୁ ଜଟିଳ ଗାଣିତିକ ସୂତ୍ର ଦ୍ବାରା ସ୍ଥିର କରି ଏହା ଉପରେ ଅଷ୍ଟମ ଗ୍ରହ ନେପ୍‌ଚ୍ୟୁନ୍‌ର ପ୍ରଭାବ ରହିଥିବା ସ୍ପଷ୍ଟ କରିଥିଲେ। ପରେ ୧୮୪୬ ମସିହାରେ ଏହା ନିଶ୍ଚିତ କରାଯାଇଥିଲା। ସୁତରାଂ ୧୭୫୮ ମସିହାରେ ହାଲି ଧୂମକେତୁର ପ୍ରତ୍ୟାବର୍ତ୍ତନ ପରଠାରୁ ନେପ୍‌ଚ୍ୟୁନ୍‌ର ଆବିଷ୍କାର ହିଁ ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ବଳ ତତ୍ତ୍ବର ବଳିଷ୍ଠ ଉପଯୋଗ ଥିଲା। ଏଥି ସହିତ ମହାକାଶ ବିଜ୍ଞାନ ଗବେଷଣାରେ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ନିରୀକ୍ଷଣ ଅପେକ୍ଷା ଏପରି ଗାଣିତିକ ସୂତ୍ର ଓ ତତ୍ତ୍ବର ବ୍ୟବହାର ହିଁ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ସ୍ପଷ୍ଟ ହୋଇଥିଲା। ଏହା ଏତେ ଦୂରରେ ଅବସ୍ଥିତ ଯେ ‘ନାସା’ ଦ୍ବାରା ପ୍ରେରିତ ‘ଭୟେଜର୍ ୨’ ହେଉଛି ଏକମାତ୍ର ମହାକାଶଯାନ ଯାହା ନେପ୍‌ଚ୍ୟୁନ ଗ୍ରହ ନିକଟରେ ପହଞ୍ଚିପାରିଛି।