ପାମୋଲିନ୍‌ ତେଲର ଆବିଷ୍କାର ଓ ବ୍ୟାବହାରିକ ଚାହିଦା

ଅର୍ଥକାରୀ ଫସଲ ହିସାବରେ ଆଫ୍ରିକୀୟ ତୈଳ-ତାଳ ବୃକ୍ଷ (ଅଏଲ୍‌ ପାମ୍‌) ଦକ୍ଷିଣପୂର୍ବ ଏସିଆକୁ ଆସିବାର ୧୦୦ ବର୍ଷରୁ କମ୍‌ ସମୟ ମଧ୍ୟରେ ଇଣ୍ଡୋନେସିଆ ଏବଂ ମାଲେସିଆ ବିଶ୍ୱ ବଜାରକୁ ୮୫% ତାଳଜ ତୈଳ ଯୋଗାଇଲେ। ପ୍ରଥମେ ଏହାକୁ ପ୍ରକ୍ରିୟାକୃତ ଖାଦ୍ୟ ଏବଂ ସାବୁନ ଆଦିରେ ବ୍ୟବହାର କରାଯାଉଥିଲା

ପଞ୍ଚଦଶ ଶତାବ୍ଦୀରେ ପଶ୍ଚିମ ଆଫ୍ରିକାର କ୍ରାନ୍ତୀୟ ଅରଣ୍ୟରେ ବଣୁଆ ପାମୋଲିନ୍‌ ତେଲକୁ (ତାଳଜ ତୈଳ)ବିଶୋଧନ କରାଯାଇ ତାହାକୁ ସାବୁନ ତିଆରିରେ ବ୍ୟବହାର କରାଯାଉଥିଲା। କ୍ଷୁଦ୍ର ଚାଷୀମାନେ ଏହି ତେଲରେ ରନ୍ଧାରନ୍ଧି କରୁଥିଲେ। ଆଫ୍ରିକା ଅଭିଯାନରେ ଯାଇଥିବା ପର୍ତ୍ତୁଗିଜମାନେ ଏହାକୁ ପ୍ରଥମେ ଆବିଷ୍କାର କରିଥିଲେ। ପରେ ଆଟ୍‌ଲାଣ୍ଟିକ୍‌ କ୍ରୀତଦାସ ବ୍ୟବସାୟୀଙ୍କ ଯାନ ଓ ଜାହାଜରେ ଏହା ପ୍ରଧାନ ବ୍ୟବହାର୍ଯ୍ୟ ସାମଗ୍ରୀ ହେଲା।

୧୮୩୦ ମସିହାରେ ବ୍ରିଟିସ୍‌ ପ୍ରଶାସକମାନେ କୋଲ୍‌କାତାର ବଟାନିକ୍‌ ଗାର୍ଡେନ୍‌କୁ ଏହି ତୈଳ-ତାଳ ଗଛ ଆଣିଥିଲେ। ପରେ କେରଳରେ ଏହାକୁ ପରୀକ୍ଷାମୂଳକ ଭାବେ ରୋପଣ କରାଯାଇଥିଲା।

୧୮୪୮ ମସିହାରେ ଆମ୍‌ଷ୍ଟର୍‌ଡାମ୍‌ରୁ ଜାଭାର ବୋଗୋର୍‌ ଠାରେ ଥିବା ବଟାନିକ୍‌ ଗାର୍ଡେନ୍‌କୁ ୪ଟି ତାଳ-ତୈଳ ଚାରା ଆଣିଥିଲେ। ପ୍ରଥମେ ଏଗୁଡ଼ିକୁ ଧୂଆଁପତ୍ର ଇଷ୍ଟେଟ୍‌ରେ ଆଳଙ୍କାରିକ ବୃକ୍ଷ ଭାବେ ରୋପଣ କରାଯାଇଥିଲା। କ୍ରମେ ତାହା ସମଗ୍ର ଏସିଆରେ ବ୍ୟାପିଗଲା।

୧୮୭୦ରେ ଡଚ୍‌ର ତୈଳ-ତାଳ ନିବେଶକମାନଙ୍କୁ ଇଣ୍ଡୋନେସିଆରେ ସ୍ୱଳ୍ପ ଭଡ଼ାରେ ଜମି ଯୋଗାଇ ଦିଆଯିବାରୁ ଏହି ଚାଷ ବ୍ୟାପକ ହେଲା। ଏହି ସମୟରେ ଶିଳ୍ପ ବିପ୍ଳବ ଚାଲିଥିବାରୁ ମହମବତି ତିଆରି ଏବଂ ଯନ୍ତ୍ରପାତିରେ ଦେବା ଲାଗି ତାଳଜ ତୈଳର ଚାହିଦା ବଢ଼ିଲା।

ଆଜିର ‘ୟୁନିଲିଭର୍‌’ କମ୍ପାନିର ସଂସ୍ଥାପକ ଉଇଲିୟମ ଲିଭର୍‌ ୧୯୦୭ ବେଳକୁ ବିଶ୍ୱର ସର୍ବବୃହତ ତାଳଜ-ତୈଳର ବ୍ୟବହାରକାରୀ ହୋଇ ପାରିଥିଲେ। ନିଜ ସାବୁନ କାରଖାନା ଲାଗି ସେ ବ୍ରିଟେନ୍‌ର ପଶ୍ଚିମ ଆଫ୍ରିକୀୟ ଉପନିବେଶଗଡ଼ିକରେ ରିହାତି ମୂଲ୍ୟରେ ଜମି ଗ୍ରହଣ କରି ତାଳଜ-ତୈଳ ଚାଷ କଲେ।

କଫି ଇଷ୍ଟେଟ୍‌ ବିଫଳ ହେବା ପରେ ୧୯୧୨ ମସିହାରେ ଫରାସୀ ନାଗରିକ ହେନ୍‌ରି ଫକୋନିର୍‌ ସୁମାତ୍ରାର ହାଲେଟ୍‌ରୁ ତାଳ-ତୈଳ ଚାରା କିଣି ମାଲେସିଆର ସେଲାଙ୍ଗର୍‌ରେ ପ୍ରଥମ କରି ବାଣିଜ୍ୟିକ ପାମୋଲିନ୍‌ ତେଲ ଚାଷ ଆରମ୍ଭ କଲେ।

ସମୟକ୍ରମେ ୧୯୮୦ ବେଳକୁ ମାଲେସିଆ ବିଶ୍ୱର ସର୍ବବୃହତ୍‌ ପାମୋଲିନ୍‌ ତେଲ ଉତ୍ପାଦନକାରୀ ଦେଶ ହୋଇ ବାହାରିଲା। ଗବେଷକମାନେ ଜାଣିପାରିଲେ ପବନ ନୁହେଁ ‘ଓ୍ଵିବିଲ୍‌’ ନାମକ କୀଟଦ୍ୱାରା ତୈଳ-ତାଳର ପରାଗଯୋଗ ହେଉଛି। ଏହାପୂର୍ବରୁ ମାଲେସିଆରେ ମଣିଷ ନିଜ ହାତରେ ତୈଳ-ତାଳର ପରାଗଯୋଗ କରାଉଥିଲା। ମାଲେସିୟାକୁ ‘ଓ୍ଵିବିଲ୍‌’ କୀଟ ଅଣାଯିବା ପରେ ପରାଗଯୋଗ ଖର୍ଚ୍ଚ ବି କମିଗଲା।

ଅନ୍ୟ ଏକ କାରଣ ହେଲା ୧୯୯୭-୯୮ରେ ମାସ ମାସ ଧରି ଲାଗି ରହିଥିବା ଇଣ୍ଡୋନେସିଆ ବନାଗ୍ନି। ଏହି ବନାଗ୍ନି ଯୋଗୁଁ ପ୍ରାୟ ୭୦୦ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ବାହାରି ଜଙ୍ଗଲ ଛାରଖାର କରି ଦେଇଥିଲା। ଏଥିପାଇଁ ଶତାଧିକ ତାଳ-ତୈଳ ଚାଷୀଙ୍କୁ ଦାୟୀ କରାଯାଇଥିଲା। କିନ୍ତୁ ସେମାନେ କୁଆଡ଼େ ଚାଷ ପାଇଁ ଅଧିକ ଜମି ଓ ରିହାତି ମୂଲ୍ୟରେ ପାଇଥିବା ଜମିର ସୀମାରେଖା ନିଶ୍ଚିହ୍ନ କରିବାକୁ ନିଆଁ ଲାଗଇଥିଲେ। ସେମାନେ କିନ୍ତୁ, ଛୋଟ ଛୋଟ ଚାଷୀଙ୍କୁ ଦୋଷ ଦେଇଥିଲେ। ପରେ ପରେ ସେଠାରେ ତାଳ-ତୈଳ ଚାଷ ଲାଗି କଟକଣା ଲାଗୁ ହୋଇଥିଲା। (ଏସ୍‌ପି)

ସମ୍ବନ୍ଧିତ ଖବର