ବର୍ତ୍ତମାନ ବୈଜ୍ଞାନିକ ଉଦ୍ଭାବନ ଏଭଳି ସ୍ତରରେ ପହଞ୍ଚିଲାଣି ଯେ କିଛି ବି ଅସମ୍ଭବ ମନେହେଉନାହିଁ। ପ୍ରଯୁକ୍ତିବିଦ୍ୟା ଏମିତି ବିଚିତ୍ର ପଦାର୍ଥ ବିକଶିତ କରୁଛି ଯେ ଯାହା ଭୌତିକକାଣ୍ଡ ପରି ପ୍ରତୀୟମାନ ହେଉଛି। ସେମିତି ଗୋଟାଏ ଅଦ୍ଭୁତ ଉଦ୍ଭାବନ ହେଉଛି ନେକ୍ରୋବୋଟିକ୍ସ୍। ଅର୍ଥାତ୍ ମୃତ ଜୀବକୁ ରୋବଟ୍ରେ ପରିଣତ କରିବା। ଅତିଭୌତିକ ଭଳି ପ୍ରତୀୟମାନ ହେଉଥିଲେ ବି ରାଇସ୍ ୟୁନିଭର୍ସିଟିରେ ଏ ପ୍ରଯୁକ୍ତିବିଦ୍ୟା ଉଦ୍ଭାବିତ ହୋଇଛି। ଦଳେ ଗବେଷକ ଗୋଟାଏ ମୃତ ବୁଢ଼ିଆଣୀକୁ ବୋଝଉଠା ରୋବଟ୍ରେ ପରିଣତ କରିଛନ୍ତି। ସେମାନେ ଗୋଟାଏ ମଲାବୁଢ଼ିଆଣୀ ନେଇ ସିରିଞ୍ଜ୍ ଯୋଗେ ତା’ ଗୋଡ଼ରେ ଅତି ସ୍ବଳ୍ପ ପରିମାଣର ବାୟୁ ଭର୍ତ୍ତିକଲେ। ଏ କୌଶଳ ସଫଳ ହେଲା ଏବଂ ନିଶ୍ଚଳ ବୁଢ଼ିଆଣୀର ଗୋଡ଼ଟି ତତ୍କ୍ଷଣାତ୍ ସକ୍ରିୟ ହୋଇଉଠିଲା।
ଏହାର କାରଣ ହେଉଛି, ଅଙ୍ଗପ୍ରତ୍ୟଙ୍ଗ ସମ୍ପ୍ରସାରଣ କରିବା ଲାଗି ବୁଢ଼ିଆଣୀମାନେ ହାଇଡ୍ରୋଲିକ୍ ଦ୍ବାରା ତନ୍ମଧ୍ୟକୁ ‘ହେମୋଲିମ୍ଫ୍’ ପ୍ରେରଣ କରନ୍ତି। ତାହା ପ୍ରତ୍ୟାହାର କରିନେଲେ ପୁଣି ସେ ଅଙ୍ଗପ୍ରତ୍ୟଙ୍ଗ ଜାକି ହୋଇଯାଏ। ବୁଢ଼ିଆଣୀମାନଙ୍କ ରକ୍ତକୁ ଜୀବବିଜ୍ଞାନ ଭାଷାରେ ‘ହେମୋଲିମ୍ଫ୍’ କୁହାଯାଏ। ମୃତ ବୁଢ଼ିଆଣୀ ଗୋଡ଼ରେ ବାୟୁ ‘ହେମୋଲିମ୍ଫ୍’ କାର୍ଯ୍ୟ ସମ୍ପାଦନ କଲା। ଏହି ଉପାୟରେ ତା’ର ସମସ୍ତ ଗୋଡ଼ ସଚଳ କରିଦେବାରୁ ତାହା ଗୋଟାଏ ‘ମେକାନିକାଲ୍ ଗ୍ରିପର୍’ ବା ଚାପୁଣି ଭଳି କାର୍ଯ୍ୟ କଲା। ଗବେଷକମାନେ ଏଥର ସେ ମୃତ ବୁଢ଼ିଆଣୀ ଦ୍ବାରା ସ୍ବଳ୍ପ ଓଜନିଆ ଜିନିଷ ଧରାଇ ଉପରକୁ ଉଠାଇଲେ। ସେମାନଙ୍କର ଏ ପରୀକ୍ଷା ବି ସଫଳ ହେଲା। ସମ୍ପ୍ରତି ଗବେଷକମାନଙ୍କର ଏହି ଚିନ୍ତାଧାରା ଆଦ୍ୟାବସ୍ଥାରେ ରହିଛି। କିନ୍ତୁ, ଭବିଷ୍ୟତରେ ଏ ପ୍ରଯୁକ୍ତିବିଦ୍ୟା ବଳରେ ମୃତ ପ୍ରାଣୀମାନଙ୍କ ଶରୀରକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ବିଶ୍ବାସ ସୃଷ୍ଟି ହୋଇଛି।