କାର୍ଯ୍ୟକ୍ଷେତ୍ରରେ ଲୈଙ୍ଗିକ ସମାନତା ଲାଗି ଅନେକ ଉଦ୍ୟମ ହୋଇଆସୁଥିଲେ ହେଁ ଆଜି ବି କର୍ପୋରେଟ ଚାକିରି କ୍ଷେତ୍ରରେ ପ୍ରାରମ୍ଭିକ ପଦରୁ ଭେଦଭାବ ଆରମ୍ଭ ହୋଇଯାଏ ଏବଂ ପ୍ରଥମ ପଦୋନ୍ନତି ବେଳକୁ ଭେଦଭାବ ଏତେ ତୀବ୍ର ହୋଇଯାଏ ଯେ ଅନେକ ମହିଳା କ୍ୟାରିଅରରେ ଆଗକୁ ବଢ଼ିବା ପୂର୍ବରୁ ସେମାନଙ୍କ ଉତ୍ସାହ ସମାପ୍ତ ହୋଇଯାଏ। ମ୍ୟାକ୍କିନ୍ସଲି ଆଣ୍ଡ୍ କମ୍ପାନି ଦ୍ବାରା ପ୍ରକାଶିତ ‘ଵୁମେନ ଇନ୍ ଦି ଵାର୍କପ୍ଲେସ ୨୦୨୫’ ରିପୋର୍ଟରୁ ଏଭଳି ଏକ ଉଦ୍ବେଗଜନକ ଚିତ୍ର ଦେଖିବାକୁ ମିଳିଛି।
ଭାରତର ୭୭ଟି ଘରୋଇ କମ୍ପାନି ସମେତ ନାଇଜେରିଆ ଓ କେନିଆର ୩୨୪ଟି ସଂଗଠନକୁ ନେଇ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରକାଶ ଯେ ଭାରତୀୟ ଘରୋଇ ସଂସ୍ଥାମାନଙ୍କରେ ଶୀର୍ଷ ନେତୃତ୍ବ ପଦରେ ମହିଳାଙ୍କ ହାର ମାତ୍ର ୧୭% ହୋଇଥିବାବେଳେ ବୋର୍ଡ ସଦସ୍ୟ ପଦରେ ଏହି ହାର ହେଉଛି ୨୦%। ଏହା ଏଥିପାଇଁ ଅଧିକ ଚିନ୍ତାଜନକ ଯେ ୟୁନିଭର୍ସିଟି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ (୪୮%) ମହିଳା ହେବା ସତ୍ତ୍ବେ ଚାକିରିରେ ଏମାନେ ଅବହେଳିତ। ଏଣ୍ଟ୍ରି ଲେଭେଲ୍ ବା ପ୍ରବେଶ ସ୍ତରର ପଦରେ ମହିଳାଙ୍କ ହାର ୩୩% ହୋଇଥିବା ବେଳେ ମ୍ୟାନେଜର୍ ସ୍ତରରେ ଏହା ୨୪%କୁ ଖସି ଆସିଥାଏ।
ପ୍ରଥମ ପଦୋନ୍ନିତ ପାଇବାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସମ୍ଭାବନା ହେଉଛି ୨.୪ ଗୁଣ ଅଧିକ। ସେହିପରି ଚାକିରି ଛାଡ଼ିବାର ସମ୍ଭାବନା ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ୧.୩ ଗୁଣ ଅଧିକ। ତେବେ ଏକ ସକାରାତ୍ମକ ଚିତ୍ର ହେଉଛି ମହିଳା କର୍ମଚାରୀ ପ୍ରଥମ ପଦୋନ୍ନତି ପାଇବା ପରେ ସେମାନେ ଚାକିରି ଛାଡ଼ିବାର ଆଶଙ୍କା କମିଯାଇଥାଏ। ଭେଦଭାବର ପ୍ରତିକାର ପାଇଁ ଏହି ରିପୋର୍ଟ ତିନିଟି ପ୍ରସ୍ତାବ ଦେଇଛି। ପ୍ରଥମ- ନିଯୁକ୍ତି, ପଦୋନ୍ନତି ଓ ଇସ୍ତଫାର ଲିଙ୍ଗଗତ ତଥ୍ୟ ଉପରେ ଲଗାତାର ନଜର ରଖିବା। ଦ୍ବିତୀୟ- ମହିଳାଙ୍କ ପାଇଁ ସୁବିଧାଜନକ ନୀତି କାର୍ଯ୍ୟକାରୀ କରିବା। ତୃତୀୟ- ଲିଙ୍ଗ ସମାନତାକୁ ବୋର୍ଡରୁମ୍ ଓ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ବ ଅଧୀନରେ ରଖିବା।