‘ଛୋଟ ପିଲାଙ୍କ ସହ ଅଭିଭାବକ ସମୟ ବିତାନ୍ତୁ’

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଅରିଜିତ୍ ମହାପାତ୍ରଙ୍କ ସହିତ ଆଲୋଚନା

କରୋନାରେ ଏବେ ବହୁ ଛୋଟ ଛୋଟ ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏଣୁ ଛୋଟ ପିଲାମାନଙ୍କୁ ଏହି ନୂଆ କୋଭିଡ୍‌ ଷ୍ଟ୍ରେନ୍‌ କିଭଳି ଓ କେତେ ପରିମାଣ ସଂକ୍ରମିତ କରୁଛି ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛୁକ। ଛୋଟ ଶିଶୁମାନଙ୍କୁ କିପରି କୋଭିଡ୍‌ ସଂକ୍ରମଣରୁ ରକ୍ଷା କରି ପାରିବା, ଯଦି ଛୋଟ ଶିଶୁ କୋଭିଡ୍‌ ସଂକ୍ରମିତ ହେଉଛି ତା’ର ଚିକିତ୍ସା ପଦ୍ଧତି କ’ଣ ରହିବ ସେ ସମ୍ପର୍କରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଅରିଜିତ୍ ମହାପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ।

ତନୟା: ଗତବର୍ଷ କରୋନାରେ ଛୋଟ ଶିଶୁମାନେ ସେତେଟା ସଂକ୍ରମିତ ହୋଇ ନଥିଲେ। କିନ୍ତୁ ଚଳିତ ବର୍ଷ ପୂରା ଦେଶ‌ ଏକ ନୂଆ ମ୍ୟୁଟାଣ୍ଟ୍‌ ଭାଇରସ୍‌ ସହିତ ଲଢ଼େଇ କରୁଛି। କିଛି ମାସର ଶିଶୁ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏହାପଛର କାରଣ କ’ଣ?
ଡା. ମହାପାତ୍ର: ଠିକ୍‌ କହିଲେ, ଗତବର୍ଷ ୧୨ବର୍ଷରୁ କମ୍ ବୟସ୍କ ପିଲାମାନେ ଖୁବ୍‌ କ୍ବଚିତ୍‌ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ବୟସ୍କ ବ୍ୟକ୍ତିମାନେ ଆକ୍ରାନ୍ତ ହେବା ପରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁର୍ବଳ ଥିବା ସମସ୍ତ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ଏବେ ଛୋଟ ପିଲାମାନେ ସଂକ୍ରମିତ ହେଉଛନ୍ତି। ଦ୍ବିତୀୟତଃ ଏବେ ଯେଉଁ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌ ଆସିଛି, ତାହା ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁର୍ବଳ ପିଲାଙ୍କୁ ଆକ୍ରାନ୍ତ କରୁଛି। ଏଣୁ ଛୋଟ ପିଲାମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହୁଛି।

ତନୟା: ବର୍ତ୍ତମାନ ଛୋଟ ପିଲାମାନେ ଯେଭଳି ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଲକ୍ଷଣ କ’ଣ ରହୁଛି? କେଉଁ ଦିଗ ପ୍ରତି ଅଭିଭାବକ ସଚେତନ ରହିବା ଆବଶ୍ୟକ।
ଡା. ମହାପାତ୍ର: କୋଭିଡ୍‌ର ପ୍ରାଥମିକ ଲକ୍ଷଣ ହେଲା ଜ୍ବର, ଥଣ୍ଡା, କାଶ। ସେହିପରି ଝାଡ଼ା-ବାନ୍ତି ପ୍ରତି ଅଭିଭାବକମାନେ ସଚେତନ ହେବା ଦରକାର। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

ତନୟା: କିଛି ପିଲାଙ୍କ କ୍ଷେତ୍ରରେ ଚର୍ମ ସମସ୍ୟା ଦେଖା ଦେଉଛି। ଶରୀର କୁଣ୍ଡେଇ ହୋଇ ଲାଲ ପଡ଼ିଯାଉଛି। ଏହାର କାରଣ କ’ଣ?
ଡା. ମହାପାତ୍ର: କିଛି ପିଲାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖା ଦେଉଛି। ଆଖି ମଧ୍ୟ ନାଲି ଦେଖା ଯାଉଛି। ସେହିପରି କିଛି ପିଲାଙ୍କ କ୍ଷେତ୍ରରେ ହାତଗୋଡ଼ ବିନ୍ଧା ଲକ୍ଷଣ ମଧ୍ୟ ଦେଖା ଦେଉଛି। ଏହାର କିଛିଦିନ ପରେ ଜ୍ବର ହେଉଛି। ପରେ ପରୀକ୍ଷା କଲେ କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସୁଛି। କୋଭିଡ୍‌ର ଦିନକୁ ଦିନ ନୂଆ ନୂଆ ଲକ୍ଷଣ ମଧ୍ୟ ଆଗକୁ ଆସୁଛି।

ତନୟା: ୫ବର୍ଷରୁ ଅଧିକ ବୟସ୍କ ପିଲା ତା’ର ସମସ୍ୟା ସମ୍ପର୍କରେ କହି ପାରିବ। କିନ୍ତୁ ଛୋଟ ପିଲାମାନେ ଠିକ୍‌ଭାବେ ତାଙ୍କର ସମସ୍ୟା କହିପାରିବେ ନାହିଁ। ଥଣ୍ଡା, ଜ୍ବର, କାଶ ଏ ସବୁ ଛୋଟପିଲାଙ୍କ କ୍ଷେତ୍ରରେ ଲାଗି ରହିଥାଏ। ତାହା କୋଭିଡ୍‌ ଲକ୍ଷଣ କି ନୁହେଁ ସେ ସମ୍ପର୍କରେ ଅଭିଭାବକମାନେ କିପରି ଜାଣିପାରିବେ।
ଡା. ମହାପାତ୍ର: ପିଲାଙ୍କୁ ଯଦି ଜ୍ବର, କାଶ, ଥଣ୍ଡା ହେଉଛି ଆମେ ଜାଣି ପାରିବା। ନହେଲେ ପିଲା ଯଦି ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁନି କିମ୍ବା ଖେଳକୁଦ ନକରି ମାନ୍ଦା ହୋଇ ବସି ରହୁଛି, ତାକୁ ଆମକୁ ଜଗିବାକୁ ପଡ଼ିବ। ଏଭଳି ଲକ୍ଷଣ ଦେଖାଦେଲେ ପିଲାର ଦେହ ଅସୁସ୍ଥ ଅଛି ବୋଲି ଆମେ ଜାଣି ପାରିବା।

ତନୟା: କରୋନାରେ ଆକ୍ରାନ୍ତ ଛୋଟ ପିଲାଙ୍କ ପାଇଁ କୌଣସି ଔଷଧ ନାହିଁ କି ଟିକା ନାହିଁ। ଯଦି ଗୋଟିଏ ଛୋଟ ପିଲା ଆକ୍ରାନ୍ତ ହେଉଛି ଘରେ ତା’ର କିପରି ଯତ୍ନ ନେବା?
ଡା. ମହାପାତ୍ର: ଜ୍ବର ହେଲେ କେବଳ ପାରାସିଟାମଲ୍‌ ଦେବାକୁ ପଡ଼ୁଛି। ପୁଷ୍ଟିକର ଖାଦ୍ୟ ଦେବା ସହିତ ଶରୀରରେ ଜଳୀୟ ଅଂଶକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଏହାପରେ ଯଦି ପିଲା ଅଧିକ ଗୁରୁତର ହେଉଛି କି ନିଶ୍ବାସ ନେବାରେ ଅସୁବିଧା ଦେଖା ଦେଉଛି ତା’ ହେଲେ ତାକୁ ହସ୍ପିଟାଲ୍‌ ନେବାକୁ ପଡ଼ିବ। ନବଜାତ ଶିଶୁ ଯଦି ମା’ଠାରୁ ଆକ୍ରାନ୍ତ ହେଉଛି, ଶିଶୁକୁ ମା’ କ୍ଷୀର ବନ୍ଦ କରିବା ନାହିଁ। କ୍ଷୀରପାନ ସମୟରେ ମା’କୁ ମାସ୍କ ବ୍ୟବହାର କରିବାକୁ କହିବା।

ତନୟା: ଛୋଟ ପିଲାଙ୍କୁ ସଙ୍ଗରୋଧରେ ରଖିବା କେତେଦୂର ସମ୍ଭବ ହୋଇ ପାରିବ? ୮/୧୦ବର୍ଷର ପିଲାମାନେ ଏହାକୁ ଗ୍ରହଣ କରି ପାରିବେ କି?
ଡା. ମହାପାତ୍ର: ଗୋଟିଏ ପରିବାରରେ ଯେତିକି ଛୋଟ ପିଲା ଅଛନ୍ତି ସେମାନଙ୍କ ମଧ୍ୟରୁ ପଜିଟିଭ୍‌ ଥିବା ପିଲାଟି କିପରି ଅନ୍ୟମାନଙ୍କଠାରୁ ଦୂରରେ ରହିବ ସେ ଦିଗରେ ଅଭିଭାବକ ଯତ୍ନବାନ୍ ହେବା ଆବଶ୍ୟକ। ମାସ୍କକୁ ମଧ୍ୟ ଗୁରୁତ୍ବ ଦେବା ଉଚିତ।

ତନୟା: ଛୋଟ ପିଲା ଅଧିକ ସମୟ ଧରି ମାସ୍କ ପିନ୍ଧିବା କେତେଦୂର ଯୁକ୍ତିଯୁକ୍ତ?
ଡା. ମହାପାତ୍ର: ୨ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ମନା କରାଯାଇଛି। ଯଦି ପିଲା ପଜିଟିଭ୍‌ ଅଛି କିମ୍ବା ବାହାରକୁ ଯାଉଛି ଏହି ସମୟରେ ମାସ୍କ ପିନ୍ଧିବା ଜରୁରୀ। କିନ୍ତୁ ବେଶି ସମୟ ପର୍ଯ୍ୟନ୍ତ ମାସ୍କ ଲଗାଇବା ମଧ୍ୟ ଠିକ୍‌ ନୁହେଁ। ଏନ୍‌-୯୫ ମାସ୍କ ଅପେକ୍ଷା ସର୍ଜିକାଲ୍‌ ମାସ୍କ ପିଲାଙ୍କ ପାଇଁ ଭଲ। ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏନ୍‌-୯୫ ମାସ୍କ ଆବଶ୍ୟକ।

ତନୟା: ବିଭିନ୍ନ କଲୋନି, ଆପାର୍ଟମେଣ୍ଟ୍‌ରେ ଛୋଟପିଲାମାନେ ସଂଧ୍ୟାରେ ଗ୍ରୁପ୍‌ ହୋଇ ଖେଳୁଛନ୍ତି, ପାଠ ପଢ଼ୁଛନ୍ତି। ଏହା କେତେଦୂର ଗ୍ରହଣୀୟ?
ଡା. ମହାପାତ୍ର: ବର୍ତ୍ତମାନ ପରିସ୍ଥିତିକୁ ଦେଖି ଗ୍ରୁପ୍‌ ଟ୍ୟୁସନ୍‌ କିମ୍ବା ଖେଳକୁଦଠାରୁ ଦୂରେଇ ରହିବା ଆବଶ୍ୟକ। ଯଦି ଗୋଟିଏ ପରିବାରର ପିଲା ଅଛନ୍ତି ସେମାନେ ଏକାଠି ରହିଲେ କି ବସିଲେ ଚଳିବ। କିନ୍ତୁ ଭିନ୍ନ ଭିନ୍ନ ପରିବାରର ପିଲାମାନେ ଏକାଠି ଖେଳିବା ଠିକ୍‌ ନୁହେଁ।

ତନୟା: ଛୋଟପିଲାମାନେ ଏବେ ସ୍କୁଲ ଯାଇପାରୁ ନାହାନ୍ତି। ସାଙ୍ଗମାନଙ୍କ ସହିତ ଦେଖା ହୋଇପାରୁନି। ଏହା ପିଲାଙ୍କ ମାନସିକ ସ୍ଥିତି ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଉଛି। ପିଲାମାନେ ଟିଭି, ଟ୍ୟାବ୍‌ ଦେଖି ଅଧିକ ସମୟ ବିତାଉଛନ୍ତ।
ଡା. ମହାପାତ୍ର: ବର୍ତ୍ତମାନ ସମସ୍ତେ ମାନସିକ ଚାପରେ ରହିଛନ୍ତି। ଏବେ ଅନ୍‌ଲାଇନ୍‌ କ୍ଲାସ୍‌ ହେଉଛି। ଏଣୁ ସ୍କ୍ରିନ୍‌ ଟାଇମ୍‌ ଅଧିକ ରହୁଛି। ଡାକ୍ତରୀବିଜ୍ଞାନ ଅନୁସାରେ ୨ବର୍ଷରୁ କମ୍‌ ବୟସ୍କ ପିଲାଙ୍କ କ୍ଷେତ୍ରରେ ସ୍କ୍ରିନ୍‌ ଟାଇମ୍‌ ସମୟ ଶୂନ ରହିବା ଉଚିତ। ୨ରୁ ୧୨ବର୍ଷ ପିଲାଙ୍କ ପାଇଁ ସ୍କ୍ରିନ୍‌ ଟାଇମ୍‌ ୧ଘଣ୍ଟାରୁ ଅଧିକ ହେବା କଥା ନୁହେଁ। ଅନ୍‌ଲାଇନ୍‌ରେ ପାଠପଢ଼ା ସମୟରେ ମୋବାଇଲ୍‌, ସ୍ମାର୍ଟ ଫୋନ୍‌ ଅପେକ୍ଷା ବଡ଼ ସ୍କ୍ରିନ୍‌ ଭଲ।

ତନୟା: ଏବେ ଅଭିଭାବକମାନେ ବହୁତ ମାନସିକ ଚାପରେ ରହୁଛନ୍ତି। ଘର କାମ ସହିତ ଅଫିସ୍‌ କାମ ପୁଣି ଛୋଟ ପିଲାଙ୍କୁ କୋଭିଡ୍‌ ସଂକ୍ରମଣ ଭୟ। ଏଭଳି କ୍ଷେତ୍ରରେ ଅଭିଭାବକମାନେ କ’ଣ କରିବେ?
ଡା. ମହାପାତ୍ର: ସଂକ୍ରମଣ ଭୟ ରହିଥିବାରୁ ଅଧିକାଂଶ ଅଫିସ୍‌ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଛି। ବହୁ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ଅନୁମତି ଦିଆଯାଇଛି। ଏହାସତ୍ତ୍ବେ ଅଭିଭାବକମାନେ ନିଜର ସମୟ ବାହାର କରି ପିଲାଙ୍କ ସହିତ ସମୟ ବିତାଇବା ଦରକାର। ଏଭଳି କଲେ ପିଲାଙ୍କ ସ୍କ୍ରିନ୍‌ ଟାଇମ୍‌ କମିବ।

ସମ୍ବନ୍ଧିତ ଖବର