ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଉତ୍ତର କୋରିଆର ଶାସକଙ୍କ ବାବଦରେ ଶୁଣିଥିବେ ଯେ, ସେ କିଭଳି ଦେଶରେ ଅଜବ ନିୟମ ସବୁ ଲାଗୁ କରିଛନ୍ତି | ତେବେ ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନଙ୍କ ବ୍ୟତୀତ ଏମିତି ଜଣେ ରାଷ୍ଟ୍ରପତି ଥିଲେ ଯାହାଙ୍କ ନିୟମକୁ ନେଇ ଏବେ ବି ଚର୍ଚ୍ଚା ହୁଏ | ଏହି ରାଷ୍ଟ୍ରପତି ଜଣକ ହେଉଛନ୍ତି ସାପାମୂରତ ନିୟାଜୋଭ | ମଧ୍ୟ ଏସିଆରେ ଥିବା ଦେଶ ତୁର୍କମେନିସ୍ତାନରେ ସେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ | ଏହି ସମୟରେ ସେ ଏପରି କିଛି ଅଦ୍ଭୁତ ନିୟମ ଲାଗୁ କରିଥିଲେ ଯେ ଯାହା ବାବଦରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୨୦୦୬ ମସିହାରେ ନିୟାଜୋଭଙ୍କର ଦେହାନ୍ତ ହୋଇଥିଲା ଏବଂ ସେହି ସମୟ ପର୍ଯ୍ୟନ୍ତ ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକଛତ୍ରବାଦୀ ଶାସକଙ୍କ ବିଚିତ୍ର ନିୟମ ପାଳନ କରିବାକୁ ପଡୁଥିଲା। ୧୯୯୨ ମସିହାରେ ଯେତେବେଳେ ସେ ପ୍ରଥମେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ନିୟାଜୋଭ ନିଜକୁ ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକର ନେତା ବୋଲି ଘୋଷଣା କରିଥିଲେ। ସେ ଦେଶରେ ନିଜର ଏକ ସୁବର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମାଣ କରି ସ୍ଥାପନ ମଧ୍ୟ କରିଥିଲେ | ୨୦୦୩ ମସିହାରେ ସେ ଦେଶର ରାଜଧାନୀ ଅଶଗାବତରେ କୁକୁରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ | ଅର୍ଥାତ ରାଜଧାନୀରେ କୌଣସି କୁକୁର ରହିପାରିବେନି ବୋଲି ନିୟମ ପ୍ରଣୟନ କରିଥିଲେ | ଜାଣନ୍ତୁ ସେ କେଉଁ ସବୁ ଅଜବ ନିୟମ ଲାଗୁ କରିଥିଲେ |
୧.୨୦୦୪ରେ ନିୟାଜୋଭ ଏକ ନିୟମ କରିଥିଲେ ଯେ ସମ୍ବାଦ ପାଠକ, ପ୍ରୋଗ୍ରାମ ହୋଷ୍ଟ ଲାଇଭ ଟିଭିରେ ମେକଅପ୍ ଲଗାଇ ପାରିବେ ନାହିଁ | ସେ ଚାହୁଁଥିଲେ ଯେ ମହିଳାମାନଙ୍କୁ ଦର୍ଶକ ବିନା ମେକଅପରେ ଦେଖନ୍ତୁ |
୨. ନିୟାଜୋଭ ଦେଶର ସମସ୍ତ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଖବରରେ ସଂକ୍ରାମକ ରୋଗ ବିଷୟରେ ଆଲୋଚନା କରିପାରିବେ ନାହିଁ। ଏଡସ୍, ହଇଜା, ଫ୍ଲୁ ଭଳି ଖବର ଦେଖାଇବା ଉପରେ କଟକଣା ରହିଥିଲା।
୩.ନିୟାଜୋଭ ତରଭୁଜ ଖାଇବାକୁ ଭଲ ପାଉଥିଲେ। ଏହି କାରଣରୁ ସେ ପ୍ରତିବର୍ଷ ଅଗଷ୍ଟ ମାସର ଦ୍ୱିତୀୟ ରବିବାରକୁ ତରଭୁଜ ଡେ ନାମରେ ଘୋଷଣା କରିଥିଲେ ଓ ନାଗରିକଙ୍କ ପାଇଁ ସେହିଦିନ ଛୁଟିଦିନ ଥିଲା ।
୪. ନିୟାଜୋଭ ତୁର୍କମେନିସ୍ତାନର ରାଜଧାନୀ ବାହାରେ ଥିବା ସମସ୍ତ ଡାକ୍ତରଖାନା ଏବଂ ଲାଇବ୍ରେରୀଗୁଡ଼ିକୁ ବନ୍ଦ କରିଦେଇଥିଲେ। ସେ କହିଥିଲେ ଯେ ଯଦି କେହି ଅସୁସ୍ଥ ହୋଇପଡନ୍ତି, ତେବେ ତାଙ୍କୁ ଚିକିତ୍ସା ପାଇଁ କେବଳ ରାଜଧାନୀକୁ ଆସିବାକୁ ପଡିବ।
୫. ୨୦୦୧ ମସିହାରେ ଏକଛତ୍ରବାଦୀ ଶାସକ ତାଙ୍କ ଜୀବନୀ ଲେଖିଥିଲେ, ଯାହାର ନାମ ରୁହନାମା ଥିଲା। ସେ ସ୍ଥିର କଲେ ଯେ ତାଙ୍କର ଜୀବନୀ ଦେଶର ପ୍ରତ୍ୟେକ ସ୍କୁଲ-କଲେଜରେ ପଢ଼ାଯିବା ଉଚିତ୍। ଛାତ୍ରଛାତ୍ରୀ କେବଳ ଜୀବନୀ ପଢୁନଥିଲେ ବରଂ ପ୍ରତି ଶନିବାର ପରୀକ୍ଷା ଦେବାକୁ ମଧ୍ୟ ପଡୁଥିଲା |