ମୃଣ୍ମୟୀ ମୂର୍ତ୍ତିଙ୍କର ବିସର୍ଜନ ସହିତ, ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜାର ପରିସମାପ୍ତି ଘଟିଥାଏ। ସାଧାରଣତଃ, ଏହି ଶାରଦୀୟ ଦୁର୍ଗାପୂଜାର ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଉଠାଯାଇଥାଏ ନିକଟସ୍ଥ ନଦୀଗର୍ଭରୁ। ଏଥି ନିମନ୍ତେ ପାରମ୍ପରିକ ଭାବରେ ସ୍ବୀକୃତ ତିଥିଟି ହେଉଛି–ଜନ୍ମାଷ୍ଟମୀର ପରଦିନ, ଅର୍ଥାତ୍ ଭାଦ୍ରବ କୃଷ୍ଣ ନବମୀ। ଏହାର ବିଶେଷ ତାତ୍ପର୍ଯ୍ୟ  ରହିଛି। ବ୍ୟାସଦେବ ବିରଚିତ ‘ଶ୍ରୀମଦ୍‌ଭାଗବତ’ ଅନୁସାରେ, ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ଭାଦ୍ରବ କୃଷ୍ଣ ଅଷ୍ଟମୀର ମଧ୍ୟରାତ୍ରିରେ। କଂସର ଉତ୍ପାତରେ ଅତିଷ୍ଠ ଦେବଗଣଙ୍କ ଅନୁରୋଧରେ କଂସବଧ ପାଇଁ ତାହା ଥିଲା ଭଗବାନ ବିଷ୍ଣୁଙ୍କର ଏକ ଯୋଜନା। ସେହି ଯୋଜନା ପ୍ରସ୍ତୁତ ହୋଇଥିଲା ଯୋଗମାୟାଙ୍କ ସହଯୋଗରେ। ସେ ଯୋଗମାୟାଙ୍କୁ କହିଥିଲେ–ହେ ଭଦ୍ରେ! ହେ ଦେବୀ! ତୁମ୍ଭେ ଗୋ ଓ ଗୋପାଳଙ୍କ ଦ୍ବାରା ଶୋଭିତ ବ୍ରଜପୁରୀକୁ ଗମନ କର। ସେଠାରେ ନନ୍ଦଙ୍କ ଗୃହରେ ବସୁଦେବଙ୍କ ପତ୍ନୀ ରୋହିଣୀ ବାସ କରୁଛନ୍ତି। ମୋର ଅଂଶ ରୂପେ ଦେବକୀଙ୍କ ସପ୍ତମ ଗର୍ଭରେ ଥିବା ଶେଷଦେବ ଅନନ୍ତଙ୍କୁ ତୁମେ ତାଙ୍କ ଗର୍ଭରୁ ନେଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପନ କର। ତାହା ଫଳରେ ମୁଁ ଦେବକୀଙ୍କର ଅଷ୍ଟମ ଗର୍ଭରେ ମୋର ପୂର୍ଣ୍ଣ ସ୍ବରୂପରେ ପ୍ରବେଶ କରି, ତାଙ୍କର ପୁତ୍ର ରୂପେ ଜାତ ହୋଇ ପାରିବି। ତୁମ୍ଭେ ଯଶୋଦାଙ୍କ ଗର୍ଭରେ ପ୍ରବେଶ କରି ସେହି ସମୟରେ ତାଙ୍କର କନ୍ୟା ରୂପେ ଜାତ ହେବ। ବସୁଦେବ ବନ୍ଦୀଶାଳାରୁ ମୋତେ ନେଇ ଯଶୋଦାଙ୍କ କୋଳରେ ଦେବେ ଏବଂ ତୁମ୍ଭଙ୍କୁୁ ବଦଳାଇ ଆଣିବେ।

Advertisment

ସେହି ଅନୁସାରେ, ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପେ ଦେବକୀଙ୍କ ଗର୍ଭରୁ ଏବଂ ଯୋଗମାୟା ଦିବ୍ୟକନ୍ୟା ରୂପରେ ଯଶୋଦାଙ୍କ ଗର୍ଭରୁ ଜାତ ହୋଇଥିଲେ। ଶ୍ରୀକୃଷ୍ଣ ଭାଦ୍ରବକୃଷ୍ଣ ଅଷ୍ଟମୀ ମଧ୍ୟରାତ୍ରିରେ ଜନ୍ମ ନେଇଥିବା ‌େବଳେ, ଯୋଗମାୟା ମଧ୍ୟରାତ୍ରି ପରେ ପ୍ରତ୍ୟୁଷ ସମୟରେ, ଅର୍ଥାତ୍ ଭାଦ୍ରବ କୃଷ୍ଣ ନବମୀରେ ଜନ୍ମ ନେଇଥିଲେ। ଯୋଗମାୟାଙ୍କ ସହିତ ଏହି ଯୋଜନା କରିବା ସମୟରେ ଭଗବାନ ବିଷ୍ଣୁ ତାଙ୍କର ପ୍ରଶସ୍ତି କରି କହିଥିଲେ- ତୁମ୍ଭେ ସର୍ବକାମେଶ୍ବରୀ, ବରପ୍ରଦାୟିନୀ। ମନୁଷ୍ୟମାନେ ତୁମ୍ଭଙ୍କୁ ଧୂପ, ନୈବେଦ୍ୟ, ଅର୍ଘ୍ୟ ଆଦି ବିଭିନ୍ନ ପ୍ରକାରର ପୂଜାଦ୍ରବ୍ୟରେ ପୂଜା କରିବେ। ତୁମ୍ଭେ ଦୁର୍ଗା, ଭଦ୍ରକାଳୀ, ବିଜୟା, ବୈଷ୍ଣବୀ, କୁମୁଦା, କୃଷ୍ଣା, ମାଧବୀ, କନ୍ୟକା, ମାୟା, ନାରାୟଣୀ, ଈଶାନୀ, ଶାରଦା ଓ ଅମ୍ବିକା ଆଦି ନାମରେ ପୂଜା ପାଇବ। ଏଣୁ ଯଶୋଦାଙ୍କ ଗର୍ଭରୁ ଜାତ କନ୍ୟା ହେଉଛନ୍ତି ଦୁର୍ଗା। ତେଣୁ ତାଙ୍କର ଜନ୍ମତିଥି ଭାଦ୍ରବ କୃଷ୍ଣ ନବମୀ ଦିନ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ନିମ‌ନ୍ତେ ନିକଟବର୍ତ୍ତୀ ନଦୀ ଗର୍ଭରୁ ମୃତ୍ତିକା ଉତ୍ତୋଳନ କରାଯାଏ। ତାହା ଏହି ଦେବୀଙ୍କର ଆଦ୍ୟ ଆବାହନୀ କୃତ୍ୟ। ପରିଶେଷରେ, ପୁଣି ସେହି ନଦୀ ଗର୍ଭରେ ହିଁ ତାଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜିତ ହୁଅନ୍ତି। ଏଣୁ ଦେବୀଙ୍କର ଯେଉଁଠାରୁ ଆଦ୍ୟ ଆବାହନ ହୋଇଥାଏ, ସେହିଠାରେ ମଧ୍ୟ ତାଙ୍କର ବିସର୍ଜନ ହୁଏ। -ଅସିତ ମହାନ୍ତି