ଆମ ଦେଶରେ ପ୍ରାୟ ୨୦ କୋଟି ଲୋକ ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗରେ ଆକ୍ରାନ୍ତ। ତେବେ ଏହି ରୋଗ ସମ୍ପର୍କିତ କିଛି ଭ୍ରାନ୍ତ ଧାରଣା ପ୍ରାୟତଃ ଉପଯୁକ୍ତ ରୋଗ ନିରୂପଣ ଏବଂ ଚିକିତ୍ସାକୁ ବିଳମ୍ବିତ କରିଦେଇଥାଏ। ଆଜି ସେଭଳି କିଛି ଭ୍ରାନ୍ତ ଧାରଣା ସମ୍ପର୍କରେ ଜାଣିବା, ଯାହାକୁ ବୁଝିବା ହିଁ ଉପଚାରର ପ୍ରାରମ୍ଭିକ ପଦକ୍ଷେପ ହେବ ଏବଂ ଜୀବନର ଗୁଣବତ୍ତାକୁ ଉନ୍ନତ କରିପାରିବ। ପ୍ରଥମ ଭ୍ରାନ୍ତ ଧାରଣା ହେଲା, ଗଣ୍ଠିବାତ କେବଳ ବୃଦ୍ଧ ବ୍ୟକ୍ତିଙ୍କୁ ହୋଇଥାଏ। ଯଦିଓ ବୟସ ବଢ଼ିବା ସହିତ ଏହାର ଆଶଙ୍କା ବଢ଼ିଥାଏ, ତେବେ ଏହା ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ। ପିଲାଙ୍କଠାରେ ‘ଜୁଭେନାଇଲ୍‌ ଆର୍ଥ୍ରାଇଟିସ୍‌’ ହୋଇପାରେ ଏବଂ ୨୦-୩୦ ବର୍ଷ ବୟସ୍କ ଲୋକଙ୍କଠାରେ ‘ରିଉମାଟଏଡ୍ ଆର୍ଥ୍ରାଇଟିସ୍‌’ ଭଳି ଅଟୋଇମ୍ମ୍ୟୁନ୍ ସମସ୍ୟା ବିକଶିତ ହୋଇପାରେ। ତେବେ ରୋଗ ନିୟନ୍ତ୍ରଣ ଏବଂ ଦୀର୍ଘକାଳୀନ ଗଣ୍ଠି କ୍ଷତିକୁ ରୋକିବା ପାଇଁ ପ୍ରାରମ୍ଭିକ ରୋଗ ନିରୂପଣ ଓ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

Advertisment

ଭାରତରେ ପ୍ରତି ଛଅ ଜଣରେ ଜଣେ ଗଣ୍ଠିବାତରେ ପୀଡ଼ିତ। ଏ ନେଇ ନାନା ଭ୍ରାନ୍ତି ଯୋଗୁଁ ରୋଗ ନିରୂପଣ ଓ ଚିକିତ୍ସା ବିଳମ୍ବିତ ହୋଇଥାଏ। ଭ୍ରାନ୍ତି ଦୂର କରି ଶୀଘ୍ର ଚିକିତ୍ସା କଲେ ଜୀବନର ମାନରେ ଉନ୍ନତି ହୋଇପାରିବ

ବ୍ୟାୟାମ କଲେ ଏହି ସମସ୍ୟା ବଢ଼ିଥାଏ ବୋଲି ଏକ ଭୁଲ୍‌ ଧାରଣା ରହିଆସିଛି। ବାସ୍ତବରେ ଶାରୀରିକ ସକ୍ରିୟତା ଆର୍ଥ୍ରାଇଟିସ୍ ପରିଚାଳନାର ଏକ ଶକ୍ତିଶାଳୀ ଉପକରଣ। ନିୟନ୍ତ୍ରିତ ଶାରୀରିକ କାର୍ଯ୍ୟକଳାପ ମାଂସପେଶୀକୁ ମଜବୁତ କରିବାରେ ଓ ନମନୀୟତା ବଢ଼ାଇବାରେ ସାହାଯ୍ୟ କରେ। ଚାଲିବା, ପହଁରିବା ଓ ଯୋଗ ପରି ବ୍ୟାୟାମ ଏଥି ଜନିତ ଅସ୍ୱସ୍ତିକୁ କମ୍‌ କରିପାରେ। ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ନିୟମିତ ବ୍ୟାୟାମ କରିବା ଆର୍ଥ୍ରାଇଟିସ୍‌ର ଅନ୍ୟତମ ଚିକିତ୍ସା ପଦ୍ଧତି। ଆର୍ଥ୍ରାଇଟିସ୍ ପାଇଁ କୌଣସି ବାସ୍ତବ ଉପଚାର ନାହିଁ ବୋଲି ଅନେକ ଭାବିଥା’ନ୍ତି। ମାତ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନ ହେଲେ ବି ଔଷଧ, ଫିଜିଓଥେରାପି, ବ୍ୟାୟାମ ଓ ଖାଦ୍ୟପେୟ ପରିବର୍ତ୍ତନ ଦ୍ବାରା ଗଣ୍ଠିବାତକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରାଯାଇପାରିବ। ସର୍ବୋପରି ପ୍ରଦାହକୁ ହ୍ରାସ କରିବା, ସନ୍ଧି କ୍ଷତିକୁ ରୋକିବା ଏବଂ ଗତିଶୀଳତା ବଜାୟ ରଖିବାରେ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

ସନ୍ଧି ବା ଗଣ୍ଠି ପ୍ରତିସ୍ଥାପନ ଅସ୍ତ୍ରୋପଚାର ଅସୁରକ୍ଷିତ ବୋଲି କେହି କେହି ବିଚାର କରନ୍ତି। ମାତ୍ର ଆଧୁନିକ ପ୍ରଯୁକ୍ତିବିଦ୍ୟା ସନ୍ଧି ପ୍ରତିସ୍ଥାପନରେ ବିପ୍ଳବ ଆଣିଛି। ଏହା ସର୍ବନିମ୍ନ ତନ୍ତୁ କ୍ଷତି, ଦ୍ରୁତ ଆରୋଗ୍ୟ ଓ ଦୀର୍ଘ ଇମ୍ପ୍ଲାଣ୍ଟ ଜୀବନକୁ ସୁନିଶ୍ଚିତ କରେ। ଅଧିକାଂଶ ରୋଗୀ ଦିନେ କି ଦୁଇ ଦିନରେ ଚାଲିବା ଆରମ୍ଭ କରନ୍ତି। ଆଉ ଏକ ଭ୍ରାନ୍ତ ଧାରଣା ହେଲା, ଏହି ରୋଗକୁ ଏଡ଼ାଯାଇପାରିବ ନାହିଁ। ମାତ୍ର ସୁସ୍ଥ ଓଜନ ବଜାୟ ରଖିବା, ଆଘାତ ଏଡ଼ାଇବା, ସକ୍ରିୟ ରହିବା ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଏହାର ଆଶଙ୍କା କମିପାରିବ କିମ୍ବା ଏହାର ଆରମ୍ଭକୁ ବିଳମ୍ବିତ କରାଯାଇପାରିବ।