ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ‘ଜୁନୋ’ ଉପଗ୍ରହ ନିକଟରେ ବୃହସ୍ପତିର ପାଖ ଦେଇ ଅତିକ୍ରମ କଲା ବେଳେ ଏକ ଅଦ୍ଭୁତ ବିକଟାଳ ମୁହଁର ଫଟୋ ଉଠାଇଛି। ବୃହସ୍ପତିର ଉତ୍ତର ଭାଗସ୍ଥ ଜେଟ୍‌ ଏନ୍‌୭ ଇଲାକାରେ ‘ଜୁନୋ’ ଗତ ସେପ୍‌ଟେମ୍ବର ୭ ତାରିଖରେ ଉକ୍ତ ଫଟୋସମୂହ ଉତ୍ତୋଳନ କରିଛି। ବୃହସ୍ପତି ଠାରୁ ୪,୮୦୦ ମାଇଲ୍‌ ବା ୭,୭୦୦ କି.ମି. ଦୂରରୁ ଉତ୍ତୋଳିତ ଏହି ଫଟୋରେ ଘୂର୍ଣ୍ଣାୟମାନ ମେଘମାଳା ଓ ଝଡ଼ତୋଫାନ ଏପରି ସ୍ଥାନ ପାଇଛି, ଯାହା ପ୍ରକାଣ୍ଡ ବିକଟାଳ ମୁହଁ ପରି ଦେଖାଯାଉଛି।

Advertisment

ବୃହସ୍ପତିର ଦିନ ଓ ରାତି ପାର୍ଶ୍ବ ମଧ୍ୟରେ ବିଭାଜିତ ରେଖା ଉପରେ ଉତ୍ତୋଳିତ ଉକ୍ତ ଫଟୋଟିର ଅର୍ଦ୍ଧେକ ଅଂଶ ବୃହସ୍ପତିର ରାତ୍ରି ପାର୍ଶ୍ବସ୍ଥ ଅନ୍ଧାରରେ ରହିଛି, ସତେ ଯେପରି ଏହି ଭୟଙ୍କର ମୁହଁଟି କବାଟ ପଛରୁ ବାହାରକୁ ଉଣ୍ଡିଛି। କୌତୂହଳର ବିଷୟ, ଉକ୍ତ ଫଟୋଟି ‘ପେରିଡୋଲିଆ’ ନାମକ ଏକ ପ୍ରକ୍ରିୟାକୁ ଦର୍ଶାଉଛି, ଯାହା କାରଣରୁ ଜଣେ ପର୍ଯ୍ୟବେକ୍ଷକ ଯେକୌଣସି ବିକ୍ଷିପ୍ତ ଦୃଶ୍ୟରେ ଚେହେରା ବା ଅନ୍ୟ ପରିଚିତ ଚିତ୍ର ଦେଖିବାର ଭ୍ରମ ସୃଷ୍ଟି ହୋଇଥାଏ। ‘ଜୁନୋ’ର ଦୃଷ୍ଟିକୋଣରୁ ଘୂର୍ଣ୍ଣାୟମାନ ମେଘ ସନ୍ନିହିତ ଉକ୍ତ ଫଟୋଟିରେ ଦୁଇଟି କୋରଡ଼ଗତ ଆଖି, ଏକ ବକ୍ର ନାକ ଏବଂ ମୁଖବିକୃତି କଲା ଭଳି ଓଠଧାର ରହିଛି। ଅକ୍‌ଟୋବର ୩୧ ତାରିଖରେ ‘ହାଲୋୱିନ୍ ଉତ୍ସବ’ର ଅବ୍ୟବହିତ ପୂର୍ବରୁ ‘ନାସା’ ଉକ୍ତ ଫଟୋଟିକୁ ସାର୍ବଜନୀନ କରିଥିଲା।