ଯୁଦ୍ଧ ସମୟରେ କଲିକତା ତଥା ଦେଶର ଅବସ୍ଥା ବଦଳି ଯାଇଥିଲେ ହେଁ ସାହିତ୍ୟିକମାନେ ଦଳଦଳ ହୋଇ ବୁଲିବାକୁ ଯିବାରୁ କ୍ଷାନ୍ତ ହୋଇ ନ ଥିଲେ। ଥରେ ବିଭୂତିବାବୁ, ଗଜେନ୍ବାବୁ, ସୁମଥବାବୁ, ଗୌରୀଶଙ୍କର ପ୍ରଭୃତି ଗ୍ରୀଷ୍ମକାଳରେ ପୁରୀ ଭ୍ରମଣରେ ଯାଇଥିଲେ। ସେଠାରେ ପୁରୀ ବାସିନ୍ଦା ବୀରେନ୍ ରାୟ ମହାଶୟ ସେମାନଙ୍କୁ ସଙ୍ଗ ଦେଉଥିଲେ। ସକାଳ ବେଳା ଓ ଉପର ବେଳା ସେମାନଙ୍କର ଆଡ୍ଡା ବେଶ୍ ଜମି ଉଠୁଥାଏ। ବିଭୂତିବାବୁଙ୍କୁ ଏମାନେ ସମସ୍ତେ ବଡ଼ଦା’ ବୋଲି ଡାକନ୍ତି। ଏହି ସଂବୋଧନଟିକୁ ଗୌରୀଶଙ୍କର ପ୍ରଥମେ ଆରମ୍ଭ କରିଥିଲେ। ନାଁ ସହିତ ଦାଦାକୁ ଯୋଗ କରି ଡାକିବା ଠାରୁ ବଡ଼ଦା’ ଡାକିବାକୁ ଭଲ ଲାଗେ। ବିଭୂତି ଭୂଷଣଙ୍କ ପତ୍ନୀଙ୍କ ନାମ ରମା ହେଲେ ହେଁ ସେମାନେ ତାଙ୍କୁ କଲ୍ୟାଣୀ ବୋଲି ଡାକନ୍ତି। ଫଳରେ ସେ ଥିଲେ ସମସ୍ତଙ୍କର କଲ୍ୟାଣୀ ବୌଦି।
ସକାଳେ ସମସ୍ତେ ସମୁଦ୍ର ସ୍ନାନ ପାଇଁ ଆଗ୍ରହ କଲାବେଳେ କଲ୍ୟାଣୀ ବୌଦି ଆଡ଼ ହୋଇ ଠିଆହୋଇ ଗଜେନ୍ ବାବୁଙ୍କୁ କହିଲେ- ‘ଆପଣଙ୍କ ବଡ଼ଦା’ଙ୍କୁ ସମୁଦ୍ରକୁ ଯିବାକୁ ଦେବେନାହିଁ। ଏ ବୟସରେ ଗୋଡ଼ ଭାଙ୍ଗିଲେ ଯୋଡ଼ି ହେବାକୁ ଖୁବ୍ କଷ୍ଟ ହେବ।’ ସ୍ବାମୀଙ୍କ ନିମନ୍ତେ ତାଙ୍କର ଏପରି ବ୍ୟାକୁଳତା ଥିଲା। ସେମାନେ ସମୁଦ୍ରକୂଳରୁ ଅଦୂରରେ ରହି ଯେତେଟା ସ୍ନାନ କରାଯାଇପାରେ, ତାହା ହିଁ କଲେ। ଗୌରୀଶଙ୍କରଙ୍କୁ ଭଲ ପହଁରା ଜଣାଥିଲା। ପହଁରି ପହଁରି ସେ ବେଶ୍ ଦୂରକୁ ଚାଲିଯାଇ ପାରୁଥିଲେ। ନୋଳିଆମାନଙ୍କର ସାହାଯ୍ୟ ତାଙ୍କର ଦରକାର ପଡୁ ନ ଥିଲା। ବିଭୂତିବାବୁ ପାଟିକରି କହିଲେ, ରସିକର କାଣ୍ଡ ଦେଖ। ଯେମିତି କୌଣସି ବିପଦ ସୃଷ୍ଟି ନ କରୁ। ଗୌରୀଦା ବେଶପୋଷାକରେ ଖୁବ୍ ଫିଟ୍ଫାଟ୍ ଥା’ନ୍ତି। ସେଥିପାଇଁ ବିଭୂତି ବାବୁଙ୍କର ଏ ଧରଣର ସଂବୋଧନ, ଅବଶ୍ୟ ଖୁବ୍ ସ୍ନେହବୋଳା। ସେମାନେ କୌଣସି ଜଣେ ଜମିଦାରଙ୍କ ଘରର ଗୋଟିଏ ଅଂଶକୁ ଭଡ଼ାରେ ନେଇ ପୁରୀରେ ରହୁଥିଲେ। ସନ୍ଧ୍ୟାବେଳେ ବାରଣ୍ଡାରେ ବସି ସମସ୍ତେ ପ୍ରଭୁ ଜଗନ୍ନାଥଙ୍କର ମହିମା ଓ ମାହାତ୍ମ୍ୟ ସମ୍ବନ୍ଧରେ ଆଲୋଚନା କରୁଥିଲେ। ବିଭୂତିବାବୁ ଗେଜନ୍ବାବୁଙ୍କୁ କହିଲେ- ‘ଆଚ୍ଛା ମହାଶୟ! ମୁଁ ଯଦି କହେ, ମୋର ଏବେ ଗରମ ଗରମ ମାଲପୁଆ ଖାଇବାକୁ ମନ ହେଉଛି, ତେବେ ଆପଣଙ୍କର ଜଗନ୍ନାଥ ମହାପ୍ରଭୁ କ’ଣ ତାହାର ବନ୍ଦୋବସ୍ତ କରିଦେବେ?’
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସତ୍ୟଜିତ ରାୟଙ୍କ ପ୍ରସିଦ୍ଧ ଛବି ‘ପଥେର ପାଞ୍ଚାଲୀ’ର କାହାଣୀକାର ବିଭୂତି ଭୂଷଣ ବେନ୍ଦ୍ୟାପାଧ୍ୟାୟ ଏବଂ ‘ପାଞ୍ଚଜନ୍ୟ’ ଖ୍ୟାତ ଗଜେନ୍ଦ୍ର କୁମାର ମିତ୍ର ପ୍ରମୁଖ ବଙ୍ଗଳାର କେତେକ ପ୍ରଥିତଯଶା ସାହିତ୍ୟିକ ପୁରୀ ଭ୍ରମଣରେ ଆସିଥିଲେ। ସବିତେନ୍ଦ୍ର ନାଥ ରାୟଙ୍କ ଆତ୍ମଜୀବନୀମୂଳକ ପୁସ୍ତକ ‘କଲେଜ୍ଷ୍ଟ୍ରୀଟେ ସତ୍ତର ବଚ୍ଛର’ (କଲେଜଷ୍ଟ୍ରିଟ୍ରେ ସତୁରି ବର୍ଷ)ରେ ଏହି ଦୁଇ ସାହିତ୍ୟିକଙ୍କର ପୁରୀ ରହଣି କାଳରେ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଅଲୌକିକ ଅନୁଭୂତିର ବର୍ଣ୍ଣନା ରହିଛି। ଏହି ଦିବ୍ୟ ଅନୁଭୂତିର ଅନୁଦିତ ଅଂଶକୁ ନେଇ
ବିଶେଷ ଉପସ୍ଥାପନା।
ଗଜେନ୍ବାବୁ କହିଲେ- ‘ତାହା କେବଳ ସ୍ବୟଂ ଜଗନ୍ନାଥ ହିଁ କହିପାରିବେ। ମୁଁ କ’ଣ ବା କହିବି?’
ଖିଆପିଆ ସାରି ରାତିରେ ସମସ୍ତେ ଶୋଇ ପଡ଼ିଥାନ୍ତି। ଗଜେନ୍ବାବୁଙ୍କ ପଣ୍ଡା ମଧୁସୂଦନ ସିଂହାରୀଙ୍କର ଲୋକଟିଏ ଆସି ଗଜେନ୍ବାବୁଙ୍କ କୋଠରିର କବାଟ ଖଟ୍ଖଟ୍ କଲା।
କାହାର କାଳେ କିଛି ଦେହ ଖରାପ ହୋଇଥିବ ଭାବି ଅସ୍ତବ୍ୟସ୍ତ ହୋଇ ଉଠି ଗଜେନ୍ବାବୁ କବାଟ ଖୋଲିଲେ। ପଣ୍ଡାଙ୍କ ଲୋକଟିକୁ ଦେଖି ସେ ପଚାରିଲେ- ‘କ’ଣ ହେଲା?’
ଲୋକଟି କହିଲା- ‘ଏଇ ମାତ୍ର ଜଗନ୍ନାଥ ମହାପ୍ରଭୁଙ୍କ ଗରମ ମାଲପୁଆ ଭୋଗ ଉଠିଲା। ସେଥିପାଇଁ ପଣ୍ଡା ଆପଣେ କହିଲେ, ନେଇ ଗଜେନ୍ବାବୁଙ୍କୁ ଦେଇ ଆସ।’
ଗଜେନ୍ ବାବୁ କହିଲେ- ‘ସେଇ ସାମ୍ନା ଘରର କବାଟରେ ଯାଇ ଟିକିଏ ଖଟ୍ଖଟ୍ କର ତ! ବିଭୂତିବାବୁ ଗରମ ମାଲପୁଆ ଖାଇବାକୁ ଚାହୁଁଥିଲେ।’
ପଣ୍ଡା ଠକ୍ଠକ୍ କରିବା ମାତ୍ରେ ବିଭୂତି ଭୂଷଣ ଧଡ଼ପଡ଼ ହୋଇ ଉଠି କବାଟ ଖୋଲି ପଚାରିଲେ- ‘କଥା କ’ଣ? କ’ଣ ହେଲା ଗଜେନ୍ବାବୁ?’
ଗଜେନ୍ବାବୁ କହିଲେ- ‘ଏଇ ଦେଖନ୍ତୁ, ଆପଣ ଗରମ ମାଲପୁଆ ଖାଇବାକୁ ଚାହୁଁଥିଲେ; ପ୍ରଭୁ ଜଗନ୍ନାଥ ପଠାଇ ଦେଇଛନ୍ତି!’
ତା’ ପରଦିନ ସକାଳେ ବାରଣ୍ଡାରେ ପୁଣି କଥାବାର୍ତ୍ତା ଚାଲିଥାଏ। ବିଭୂତି ଭୂଷଣ କହିଲେ- ‘ବଡ଼ ଅଦ୍ଭୁତ କଥା ତ ମହାଶୟ, ମାଲପୁଆ ଖାଇବାକୁ ଚାହିଁଲି, ଆଉ ଖୋଦ୍ ଜଗନ୍ନାଥ ମହାପ୍ରଭୁ ମୋ ପାଇଁ ତାହା ପଠାଇଦେଲେ! ଆଚ୍ଛା ମହାଶୟ, ମୁଁ ଯଦି ବର୍ତ୍ତମାନ ସନ୍ଦେଶ ଓ ଲେଙ୍ଗଡ଼ା ଆମ୍ବ ଖାଇବାକୁ ଚାହିଁବି, ପ୍ରଭୁ ଜଗନ୍ନାଥ କ’ଣ ତାହା ମୋତେ ଖାଇବାକୁ ଦେବେ?’
ବିଭୂତି ଭୂଷଣଙ୍କ କଥା ସରିଛି କି ନାହିଁ, ଜମିଦାରଙ୍କ ଗୃହିଣୀ ଭିତରପଟୁ ଆସିଲେ। ସାଙ୍ଗରେ ତାଙ୍କର ଚାକରାଣୀ ଓ ତା’ ହାତରେ ଗୋଟିଏ ବଡ଼ ଝୁଡ଼ି। ସଂଭ୍ରାନ୍ତ ମହିଳାଜଣକ ସେମାନଙ୍କ ଉଦ୍ଦେଶ୍ୟରେ କହିଲେ- ‘ଶୁଣିଲି ଆପଣମାନେ ସବୁ ବଙ୍ଗଳାର ବଡ଼ ବଡ଼ ସାହିତ୍ୟିକ। ଆମର କର୍ତ୍ତା ମହାଶୟଙ୍କ କାରବାର ଦେଖନ୍ତୁ ତ- ଆମେ ମାତ୍ର ଦୁଇପ୍ରାଣୀ, କିନ୍ତୁ ସେ ଝୁଡ଼ି ଭର୍ତ୍ତି କରି ତୋଟାର ଆମ୍ବ ଆଉ ସନ୍ଦେଶ ଆମ ପାଇଁ ପଠାଇ ଦେଇଛନ୍ତି! ସେଥିରୁ ଆପଣମାନଙ୍କ ପାଇଁ କିଛି ନେଇଆସିଲି!’
ସେ ଚାଲିଗଲା ପରେ ବିଭୂତି ଭୂଷଣ କହିଲେ- ‘ନା, ମହାଶୟ! ନା! ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ଆଉ କିଛି ଲୋଡ଼ିବା ଠିକ୍ ହେବନାହିଁ!’
ଏହି ଘଟଣାକୁ ନେଇ ଗଜେନ୍ଦ୍ର କୁମାର ମିତ୍ର ଗୋଟିଏ ଗଳ୍ପ ମଧ୍ୟ ଲେଖିଛନ୍ତି।