ନୂଆଦିଲ୍ଳୀ: ଜଣେ ମହିଳାଙ୍କର ନିଜ ସ୍ବାମୀଙ୍କ ସହ ଛାଡ଼ପତ୍ର ହେବା ପରେ ସେ ସ୍ବାମୀଙ୍କ ପାଇଁ ଜୀବନସାଥୀ ଖୋଜିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି। ପତି-ପତ୍ନୀ ଅଲଗା ହୋଇ ଯାଇଛନ୍ତି ସତ, ମାତ୍ର ନିଜ ପିଲାଙ୍କ ଦେଖାଶୁଣା କରିବାକୁ ସେମାନେ ପୂରାପୂରି ଭାବେ ସଂପର୍କ ଛିନ୍ନ ନକରି ପରସ୍ପରଙ୍କର ଉତ୍ତମ ବନ୍ଧୁ ହୋଇ ରହିଛନ୍ତି।
ମହିଳା ଜଣକ ନିଜର ପୂର୍ବ ସ୍ବାମୀଙ୍କୁ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହ ଭେଟ କରାଇଛନ୍ତି। ମହିଳା ବନ୍ଧୁ ଜଣକ ଆଗକୁ ବଢ଼ିଯାଇ ଉକ୍ତ ପୁରୁଷଙ୍କ ସହ ପ୍ରେମ ସଂପର୍କରେ ଥିବା ସୂଚନା ରହିଛି। ଏବେ ସେ ତିନିହେଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି।
ଏହି କାହାଣୀ ହେଉଛି ଆମେରିକାର ଇଣ୍ଡିଆନାରେ ରହୁଥିବା ୨୭ ବର୍ଷୀୟା ମେରି ମେକ୍ଡେନିୟଲ୍ଙ୍କର। ମେରି ୨୦୧୯ ମସିହାରେ ତାଙ୍କର ୨୯ ବର୍ଷୀୟ ସ୍ବାମୀଙ୍କ ଠାରୁ ଅଲଗା ହୋଇଥିଲେ। ତାହା ପୂର୍ବରୁ ମେରି ଓ ତାଙ୍କ ପୂର୍ବ ସ୍ବାମୀ ନାଥନ୍ ୪ ବର୍ଷ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିଲେ। ସେମାନଙ୍କର ଏକ ଝିଅ ବି ରହିଛି।
କିଛି ଦିନ ଅଲଗା ରହିବା ପରେ ସେମାନେ ନିଜ ଝିଅର ଦେଖାଶୁଣା କରିବା ବିଷୟରେ ଚିନ୍ତା କଲେ। ଏହି କାରଣରୁ ଦୁହେଁ ପୁଣି ବନ୍ଧୁ ବନିଗଲେ। ସେମାନେ ପତି-ପତ୍ନୀ ପରି ନୁହେଁ, ବନ୍ଧୁ ପରି ରହିବାକୁ ଲାଗିଲେ। କିଛି ମାସ ପରେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ହେବାକୁ ଲାଗିଲା। ଏହା ଭିତରେ ମୈରି ନାଥନଙ୍କୁ ତାଙ୍କ ବନ୍ଧୁ ସାୟଲୀଙ୍କ ସହ ମିଳାଇଲେ। ପରବର୍ତ୍ତୀ ମୁହୂର୍ତ୍ତରେ ନାଥନ ଓ ସାୟଲୀ ପରସ୍ପରଙ୍କୁ ପ୍ରେମ କରି ବସିଲେ।