ମସ୍‌ରୁମ୍‌ର ବ୍ରାଣ୍ଡ୍‌ ଆମ୍ବାସଡର ଦିବ୍ୟା ରାୱତ; ଭଲ ଚାକିରି ଛାଡ଼ି ଜଣେ ଗାଁରେ କରୁଛନ୍ତି ଛତୁ ଚାଷ

ଛତୁ ଚାଷରେ ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତି ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନେଇଛନ୍ତି ଦିବ୍ୟା ରାୱତ। ଉତ୍ତରାଖଣ୍ଡର ଏହି ମହିଳା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ମସ୍‌ରୁମ୍ ଲେଡି ଭାବରେ ପରିଚିତ। ମାତ୍ର ସାତ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିବା ଦିବ୍ୟା ଜୀବନରେ ବହୁ ଘାତପ୍ରତିଘାତ ଦେଇ ଗତି କରିଛନ୍ତି। ଚାମୋଲୀ ଜିଲ୍ଲାର ମୁଖ୍ୟାଳୟଠାରୁ ମାତ୍ର ୨୫ କିଲୋମିଟର ଦୂର କଣ୍ଡ‌ାରା ଗାଁରେ ସେ ରହନ୍ତି। ପିଲାଦିନୁ ବହୁ ଅସୁବିଧାରେ ବଢ଼ିଥିବା ଦିବ୍ୟା ନିଜ ଗାଁ ପ୍ରତି ରହିଥିବା ତାଙ୍କର ଭଲପାଇବା ଯୋଗୁଁ ଚାକିରି କରିବାକୁ ଚାହି ନ ଥିଲେ। ସ୍ନାତକ ଶିକ୍ଷା ପରେ ସୋସିଆଲ୍‌ ୱାର୍କରେ ସ୍ନାତକୋତ୍ତର ଶିକ୍ଷା ନିମନ୍ତେ ଦିଲ୍ଲୀ ଯାଇଥିଲେ। ସେଠାରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ଚାକିରି ମଧ୍ୟ କରିଥିଲେ। ତେବେ ପେଟ ପାଇଁ ନିଜ ଅଞ୍ଚଳ ଛାଡ଼ି ଚାଲିଯାଉଥିବା ଲୋକଙ୍କ କଥା ଚିନ୍ତାକରି ସେ ଦୁଃଖିତ ହୋଇଥି‌ଲେ। ଉତ୍ତରାଖଣ୍ଡର ନିଜ ଗାଁକୁ ଫେରିଯାଇ ଏମିତି ଏକ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କଲେ, ଯେଉଁଥିରେ ସେ ନିଜ ଅଞ୍ଚଳର ପାହାଡ଼ୀ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିବେ। ୨୦୧୩ ମସିହାରେ ଚାକିରି ଛାଡ଼ି ଦିବ୍ୟା ଉତ୍ତରାଖଣ୍ଡ ଫେରିଥିଲେ। ସେ ଛତୁ ଚାଷ ସମ୍ପର୍କରେ ଶିକ୍ଷାଲାଭ କରି ନିଜେ ଛତୁ ଚାଷ ଆରମ୍ଭ କଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

ତାଙ୍କର ଏହି ଛତୁ ବ୍ୟବସାୟ ଏବେ ଡେରାଡୁନ୍‌ରେ ଖୁବ୍ ଭଲ ଭାବରେ ପରିଚାଳିତ ହେଉଛି। ତାଙ୍କର ଚାକିରି ଛାଡ଼ିବା କଥା ଯେତେବେଳେ ଅନ୍ୟମାନେ ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ଭଲ ଭଲ ଚାକିରି ଛାଡ଼ି ଜଣେ ଗାଁକୁ ଫେରିବାକୁ ନେଇଥିବା ନିଷ୍ପତ୍ତି ଭୁଲ୍‌ ବୋଲି ମଧ୍ୟ ଅନେକ ମତ ଦେଇଥିଲେ। ଏପରିକି ଦିବ୍ୟା ତାଙ୍କ କ୍ୟାରିୟରର ଗୁରୁତ୍ବପୂର୍ଣ୍ଣ ସମୟ ଅଯଥାରେ ନଷ୍ଟ କରୁଛନ୍ତି ବୋଲି କେହି କେହି କହିଲେ। ସେ ମାନସିକ ଭାବେ ଅସ୍ଥିର ବୋଲି ମଧ୍ୟ ଅନ୍ୟମାନେ ବିଚାର କରୁଥିଲେ। ତାଙ୍କର ଏଭଳି ନିଷ୍ପତ୍ତିରେ କେହି ଖୁସି ନ ଥିଲେ। ତେଣୁ ନିଜର ମନକୁ ଦୃଢ଼ କରି ତାଙ୍କୁ ପ୍ରଥମେ ଏକା ଏକା ଆଗକୁ ବଢ଼ିବାକୁ ପଡ଼ିଥିଲା। ନିଜ ନିଷ୍ପତ୍ତିରୁ ସେ ଓହରି ନ ଥିଲେ। ଛତୁ ଚାଷ ତାଙ୍କୁ ଅନେକ ଲାଭ ଦେଇଥିଲା। ତାଙ୍କ ପରିଶ୍ରମର ଫଳ ସେ ଖୁବ୍‌ଶୀଘ୍ର ମଧ୍ୟ ପାଇ ଯାଇଥିଲେ। ନିଜର ଅଞ୍ଚଳ ଛାଡ଼ି ବାହାରକୁ ଧାଉଁଥିବା ଲୋକମାନେ ଦିବ୍ୟାଙ୍କଠାରୁ ତାଲିମ୍‌ ପାଇ ଛତୁ ଚାଷ ଅାରମ୍ଭ କରିଥିଲେ। ତାଙ୍କର ରୋଜଗାର ଭଲ ହେବାରୁ ସେମାନେ ସହରମୁଖୀ ହେବା ବନ୍ଦ କରି ଦେଇଥିଲେ। ନିଜ ଅଞ୍ଚଳରେ ରହି ଭଲ ରୋଜଗାର କରିବାର ବାଟ ସେମାନେ ଦିବ୍ୟାଙ୍କଠାରୁ ପାଇଥିଲେ। ଏହା ତାଙ୍କୁ ବହୁତ ଖୁସି ଦେଇଥିଲା।

ଏତେ ପ୍ରକାର ଚାଷ ବା ବ୍ୟବସାୟ ଥିବା ସତ୍ତ୍ବେ ଦିବ୍ୟ‌ା ଛତୁ ଚାଷ ପ୍ରତି କାହିଁକି ଆଗ୍ରହୀ ହୋଇଥିଲେ। ଏହି ଚାଷକୁ ସେ ଏଥିପାଇଁ ପସନ୍ଦ କରିଥିଲେ ଯେ ଏହା ଏକ ଅର୍ଥକରୀ ଫସଲ। ବଜାରରେ ଛତୁ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହୁଥିବାରୁ ସେ ଏହାକୁ ଉପଯୁକ୍ତ ବ୍ୟବସାୟ ମନେ କରିଥିଲେ। ବର୍ଷ ତମାମ ବିନା ବିଦ୍ୟୁତ୍ ଶକ୍ତିରେ ଏବଂ ବିନା ଯନ୍ତ୍ରରେ ଏହି ଚାଷ କରାଯାଇପାରୁଛି। ଜଣେ ବ୍ୟକ୍ତି ଖୁବ୍‌ କମ୍‌ ପଇସା ବିନିଯୋଗରେ ଛତୁ ଚାଷ ଆରମ୍ଭ କରିପାରିବେ ବୋଲି ଦିବ୍ୟା କହନ୍ତି। ଏବେ ତାଙ୍କର ଏହି ବ୍ୟବସାୟିକ ମଡେଲ୍‌ ସମ୍ପର୍କରେ ଶିକ୍ଷାଲାଭ କରିବାକୁ ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ପଞ୍ଜାବରୁ ଲୋକମାନେ ଆସୁଛନ୍ତି।

ଦିବ୍ୟାଙ୍କର ଏହି କାର୍ଯ୍ୟକୁ ଦେଖି ଉତ୍ତରାଖଣ୍ଡ ସରକାର ତାଙ୍କୁ ମସ୍‌ରୁମ୍‌ର ବ୍ରାଣ୍ଡ୍‌ ଆମ୍ବାସଡର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ସେ କୃଷି ଉଦ୍ୟୋଗୀଙ୍କ ନିମନ୍ତେ ରହିଥିବା ‘ସଞ୍ଜୀବନୀ ରତ୍ନ’ ଭଳି ବହୁ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ଏବେ ସେ ଗାଁ ଗାଁକୁ ଯାଇ ଛତୁ ଚାଷର ତାଲିମ୍‌ ଦେବା ସହ ତ‌ାହାକୁ କିପରି ବିକ୍ରି କରାଯାଇପାରିବ ତାହାର ବାଟ ମଧ୍ୟ ଦେଖାଉଛନ୍ତି। ଏବେ ସୁଦ୍ଧା ହଜାର ହଜାର ଲୋକଙ୍କୁ ସେ ଆତ୍ମନିର୍ଭରଶୀଳ କରାଇବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର