ନୂଆଦିଲ୍ଲୀ: ୮ବର୍ଷ ବୟସରେ ବାପା ଚାଲିଗଲେ। ଘରର ମେରୁଦଣ୍ଡ ଥିବା ବାପା ଚାଲିଯିବା ପରେ ଆର୍ଥିକ ଅଭାବ ଦେଖା ଦେବା ସହ ଖାଇବା ଓ ରହିବାର ସମସ୍ୟା ହୋଇଥିଲା। ଏମିତିକି ଘର ଚଳାଇବା ପାଇଁ ଟିଉସନ ମଧ୍ୟ କରିବାକୁ ପଡ଼ିଥିଲା। ହେଲେ ଏତେ ସବୁ ହେବା ପରେ ବି ସଂଘର୍ଷ କରିବା ଛାଡ଼ିନଥିଲେ ଆଇଏଏସ ଦିବ୍ୟା ତନୱର। ତାଙ୍କର ଏହି ଇଚ୍ଛାଶକ୍ତି ଏବଂ ମନୋବଳ ଆଜି ତାଙ୍କୁ ଆଇଏଏସ୍ ଅଫିସର କରିପାରିଛି।
ଆଇଏଏସ ଦିବ୍ୟା ତନୱାର ହରିୟାଣାର ମହେନ୍ଦ୍ରଗଡର ବାସିନ୍ଦା। ସେ ପ୍ରଥମେ ନିଜ ଗାଁ ପାଖ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପଞ୍ଚମ ପରେ ସେ ମହେନ୍ଦ୍ରଗଡର ନବୋଦୟ ବିଦ୍ୟାଳୟ ପାଇଁ ମନୋନୀତ ହେବା ସହ ସ୍କୁଲ ପାଠପଢ଼ା ଶେଷ ହେବା ପରେ ସେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସ୍ନାତକ ପରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଦେଢ଼ ବର୍ଷର ପ୍ରସ୍ତୁତି ପରେ ସେ ତାଙ୍କର ପ୍ରଥମ ୟୁପିଏସସି ପରୀକ୍ଷା ଦେଇଥିଲେ। ୨୦୨୧ ୟୁପିଏସସି ପରୀକ୍ଷାରେ ସେ ୪୩୮ ରୢାଙ୍କ ରଖି ଆଇପିଏସ ଅଫିସର ହୋଇଥିଲେ। ହେଲେ ତାଙ୍କୁ ଆଇଏଏସ ହେବାର ଥିବାରୁ ସେ ଦ୍ବିତୀୟ ଥର ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ତଳେ ୟୁପିଏସସି-୨୦୨୨ର ଫଳାଫଳ ବାହାରିଥିବା ବେଳେ ଦିବ୍ୟା ୧୦୫ରାଙ୍କ ରଖି ଆଇଏଏସ ହେବାର ସ୍ବପ୍ନକୁ ପୂରଣ କରିଛନ୍ତି।
/sambad/media/post_attachments/wp-content/uploads/2023/06/ସ_files-98.jpg)
ତେବେ ଆଇଏଏସ୍ ହେବା ଦିବ୍ୟାଙ୍କ ପାଇଁ ସହଜ ନଥିଲା। ବାପାଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସ୍କୁଲରେ ପାଠ ପଢ଼ିବା ସହ ପିଲାଙ୍କୁ ପଢ଼ାଉଥିଲେ ଦିବ୍ୟା। ଭଲ ପାଠ ପଢ଼ୁଥିବା ଦେଖି ଦିବ୍ୟାଙ୍କ ମା’ ତାଙ୍କୁ ତାଙ୍କର ସ୍ବପ୍ନ ପୂରଣ ପାଇଁ ସମର୍ଥନ କରିଥିଲେ। ବିନା କୌଣସି କୋଚିଂରେ ଦିବ୍ୟା ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷା ପାସ୍ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ସେ ୟୁଟ୍ୟୁବ୍ ଦେଖି ପ୍ରସ୍ତୁତ ହୋଇଥିଲେ।
ଦିବ୍ୟାଙ୍କ କହିବା ମୁତାବକ, ମୁଁ ଯେତେବେଳେ ସ୍କୁଲରେ ଥିଲି, ସେଠାରେ ବାର୍ଷିକ କାର୍ଯ୍ୟକ୍ରମ ପାଇଁ ଏସଡିଏମ ସାର୍ ମୁଖ୍ୟ ଅତିଥି ଭାବରେ ଆସିଥିଲେ। ତାଙ୍କୁ ଏତେ ସମ୍ମାନ ମିଳୁଥିବା ଦେଖି ମୁଁ ଏସଡିଏମ ହେବାର ସ୍ବପ୍ନ ଦେଖିବା ଆରମ୍ଭ କଲି। ଯେତେବେଳେ ମୁଁ କଲେଜ ଗଲି, ସେତେବେଳେ ମୁଁ ୟୁପିଏସସି ବିଷୟରେ ଜାଣିଲି ଏବଂ ତା’ପରେ ମୁଁ ୟୁପିଏସସି ୱେବସାଇଟରୁ ସିଲାବସ୍ ଦେଖି ପ୍ରସ୍ତୁତି କରିବା ଆରମ୍ଭ କଲି। ପ୍ରଥମ ଚେଷ୍ଟାରେ ମୁଁ ଆଇପିଏସ ହୋଇଥିବା ବେଳେ ଆଇଏଏସ୍ ହେବା ପାଇଁ ମୁଁ ବିଭିନ୍ନ ୟୁପିଏସସି ଟପରଙ୍କ ସାକ୍ଷାତକାର ଦେଖୁଥିଲି। ସେ ଯେଉଁ ବହି ପଢ଼ିବାକୁ କହୁଥିଲେ, ସେସବୁ ବହି ଆଣି ପଢ଼ୁଥିଲି। ପୂର୍ବ ବର୍ଷର ପ୍ରଶ୍ନପତ୍ର ଦେଖି ମୁଁ ନିଜକୁ ପ୍ରସ୍ତୁତ କରିଥିଲି।