ଦୀପଟିଏ ଜଳେ ଅନ୍ଧାରବିନାଶୀ, ଦୀପଟିଏ ଜଳେ ପୁଣି କାହାର ମଙ୍ଗଳମନାସୀ। ଦୀପଟିଏ ଜଳେ। ଜଳିବା ପଛରେ ରହିଛି ଅନେକ ରହସ୍ୟ, ପୁଣି ଅନେକ ବିଜ୍ଞାନ। ଦୀପକୁ ନେଇ େଲଖାଯାଇଛି ଅନେକ ଗୀତ, ଦୀପ ପଛର ଆଧ୍ୟାତ୍ମିକ ଦିଗକୁ ଦର୍ଶାଇଛି ଶାସ୍ତ୍ର। ଦୀପର ବିବିଧ ଦିଗକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...
ଭାରତୀୟ ପରମ୍ପରାରେ ଅଗ୍ନି ଓ ତୈଳ ପବିତ୍ର ବୋଲି ବିବେଚିତ। ପୁଣି ଶୁଦ୍ଧଶକ୍ତି ହୋଇଥିବାରୁ ବୈଦିକ ରୀତିନୀତିରେ ଅଗ୍ନିତତ୍ତ୍ବର ବିଭିନ୍ନ ତାତ୍ପର୍ଯ୍ୟ କଥା ଉଲ୍ଲେଖ ଅଛି। ଏଥିପାଇଁ ମାଙ୍ଗଳିକ ଅନୁଷ୍ଠାନରେ ଘିଅ ଅଥବା ତେଲ ଦୀପ ଜଳାଯାଏ। ହିନ୍ଦୁମାନଙ୍କ ଠାକୁରଘରେ ସଞ୍ଜସକାଳେ ଦୀପ ଜଳାଯାଏ। ଦୈନିକ ତୁଳସୀ ଚଉରାମୂଳେ ସଞ୍ଜଦୀପ ବା ସଞ୍ଜବତି ଦେବା ମଧ୍ୟ ସୁପ୍ରାଚୀନ ପ୍ରଥା। ପୁଣି ସଞ୍ଜଦୀପ ଲଗାଇଲା ବେଳେ ମନ୍ତ୍ରୋଚ୍ଚାରଣ ବି କରାଯାଏ। ଏହି ସଂସ୍କୃତ ମନ୍ତ୍ରର ଓଡ଼ିଅା ମର୍ମାର୍ଥ ହେଉଛି- ‘‘ହେ ଦୀପଶିଖା ତୁମ୍ଭେ ଶୁଭଙ୍କର, କଲ୍ୟାଣକାରୀ, ଆରୋଗ୍ୟକାରୀ ଓ ଧନସମ୍ପଦ ପ୍ରଦାୟକ। ତୁମ୍ଭେ ମଧ୍ୟ ଶତ୍ରୁମାନଙ୍କ ବୁଦ୍ଧିବିନାଶକ। ତେଣୁକରି ମୁଁ ତୁମ୍ଭଙ୍କୁ ମଥାନତ କରି ପ୍ରଣାମ କରୁଛି।’’
ହିନ୍ଦୁଙ୍କ ଛଡ଼ା ଶିଖ, ବୌଦ୍ଧ, ଜୈନଧର୍ମାବଲମ୍ବୀମାନେ ମଧ୍ୟ ମାଙ୍ଗଳିକ ଅନୁଷ୍ଠାନ ଓ ଉତ୍ସବ ଅବସରରେ ଦୀପ ଜାଳନ୍ତି। ଦୀପ କହିଲେ ତେଲ ଓ ବଳିତାକୁ ସ୍ବଗର୍ଭରେ ରଖୁଥିବା ପାତ୍ରକୁ ବୁଝାଏ। ଏହା ସାଧାରଣତଃ କର୍ଦ୍ଦମରେ ତିଆରି କରାଯାଇ ନିଆଁରେ ପୋଡ଼ାଯାଇଥାଏ। ପୋଡ଼ାମାଟି ଛଡ଼ା ପଥର ଖୋଦେଇକରି ଏବଂ ଅନ୍ୟାନ୍ୟ ଧାତୁ ତରଳାଯାଇ ମଧ୍ୟ ଦୀପ ତିଆରି କରାଯାଏ। ସଂସ୍କୃତ ଭାଷାରେ ଦୀପକୁ ‘ଦୀପମ୍’ ବୋଲି କୁହାଯାଏ। ଭାରତର କେତେକ ସଂସ୍କୃତିରେ ଏହା ଦୀେୟା, ଦେୟା, ଦୀୟା, ଦୀୱା, ଦୀପକ ଓ ସାକି ନାମରେ ପରିଚିତ। ଏମିତି ତ ସବୁ ଦିନ ଘରେ ଓ ମନ୍ଦିରରେ ଦୀପ ଜଳାଯାଏ। କିନ୍ତୁ, ଦୀପମାଳା ପ୍ରଜ୍ଜ୍ବଳନ ପାଇଁ ଭାରତରେ ଦୀପାବଳି ଅମାବାସ୍ୟା ପାଳନ କରାଯାଏ। କାର୍ତ୍ତିକ ମାସରେ ପଡୁଥିବା ଏ ଅମାବାସ୍ୟା ରାତିରେ ଦୀପମାଳା ବସାଯାଇ ବାସଗୃହ ଓ ମନ୍ଦିର ସବୁ ସୁଶୋଭିତ କରାଯାଏ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦୀପଦାନ, ଆତସବାଜୀ ଆଦି ଅନୁଷ୍ଠାନ ଆେୟାଜନକରି ପିପେଇ ଡକାଯାଏ।
ଭାରତର ଅନ୍ୟାନ୍ୟ ପ୍ରାନ୍ତ ବିଶେଷକରି ଉତ୍ତର ଭାରତରେ ଦୀପାବଳି ଇତିବୃତ୍ତ ସମ୍ବନ୍ଧରେ ମହାକାବ୍ୟ ରାମାୟଣ ସହିତ ସମ୍ପୃକ୍ତ ଥିବା ଲୋକପ୍ରିୟ କିଂବଦନ୍ତିଟିଏ ରହିଛି। ରାବଣ ବଧ ପରେ ଚଉଦବର୍ଷ ବନବାସ ସାରି ରାମ, ଲକ୍ଷ୍ମଣ ଓ ସୀତା କାର୍ତ୍ତିକ ଅମାବାସ୍ୟା ଦିନ ଅଯୋଧ୍ୟାରେ ପହଞ୍ଚିଥିଲେ। ସେମାନଙ୍କୁ ଭବ୍ୟ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ଅଯୋଧ୍ୟାବାସୀ ଘରଦ୍ବାର, ଦେବାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ସେବେଠାରୁ ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ଦିନ ଦୀପ ପ୍ରଜ୍ଜ୍ବଳନ କରାଯାଉଛି। ଜଳିଲା ବେଳେ ଦୀପ ଖୁବ୍ ରମଣୀୟ ଦିଶେ। ଦୀପ ଜଳୁଥିବା ସ୍ଥାନ ଦୈବୀ ଆଶୀର୍ବାଦପ୍ରାପ୍ତ ହେବା ପରି ପ୍ରତୀୟମାନ ହୁଏ। ଜ୍ବଳନ୍ତ ଦୀପଶିଖା ସ୍ମରଣ କରାଇଦିଏ ଯେ ଈଶ୍ବର ହିଁ ଏକମାତ୍ର ସତ୍ୟ। ଦୀପ ଜଳିଲେ ଯେଉଁ ଶକ୍ତି ଉତ୍ପନ୍ନ ହୁଏ ତାହା ଦୈବୀଶକ୍ତି ଓ ମାନବ ଆତ୍ମା ମଧ୍ୟରେ ଯୋଗସୂତ୍ର ସ୍ଥାପନକରେ ବୋଲି ଶାସ୍ତ୍ରବିତ୍ମାନେ କହନ୍ତି। ଦେଶବ୍ୟାପୀ ଦେବାଳୟମାନଙ୍କରେ ବିଭିନ୍ନ ପ୍ରକାର ଦୀପ ପ୍ରଜ୍ଜ୍ବଳନ କରାଯାଏ। ସେଗୁଡ଼ିକ ମଧ୍ୟରୁ ପ୍ରସିଦ୍ଧି ଅର୍ଜନ କରିଥିବା କେତେକ ଦୀପ ସମ୍ବନ୍ଧରେ ସାମାନ୍ୟ ସୂଚନା।
କାମାକ୍ଷୀ ଦୀପ: ଏହାର ଅନ୍ୟ ଏକ ନାଁ କାମାକ୍ଷୀ ବିଲାକ୍କୁ। ଧାତୁ ନିର୍ମିତ ଏ ଦୈବୀ ଦୀପ ପୂଜା, ବାସଗୃହ ସଜା ଓ କାର୍ଯ୍ୟାଳୟରେ ଲଗାଯାଏ। ଦେବୀ କାମାକ୍ଷୀଙ୍କ ପ୍ରତିମା ଖୋଦିତ ଏହି ଦୀପକୁ ନବରାତ୍ରୀ ବେଳେ ଜାଳିଲେ ଦୀପାଗ୍ନି ସମସ୍ତ ପାପ ନାଶକରେ ବୋଲି ବିଶ୍ବାସ ରହିଛି।
କୁବେର ଦୀପ: ଏହି ଦୀପ ସୌଭାଗ୍ୟ, ସମୃଦ୍ଧି ଓ ଧନ ପ୍ରାପ୍ତ କରାଏ। ଆର୍ଥିକ ଉନ୍ନତି ଓ ଋଣମୁକ୍ତ ଜୀବନଯାପନ ନିମନ୍ତେ ଏ ଧାତବ ଦୀପ ଦୈନିକ ଜଳା ଯାଇପାରେ। ଏ ଦୀପ ଖୁବ୍ ପରାକ୍ରମୀ ଓ କୁବେର ପୂଜାରେ ବିଶେଷ ଗୁରୁତ୍ବ ବହନକରେ। ଶୁଦ୍ଧଘୃତ ଅଥବା ରାଶିତେଲ ଏ ଦୀପ ଜାଳିବା ପାଇଁ ସର୍ବୋତ୍ତମ।
କାର୍ତ୍ତିକ ଦୀପ: ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଶ୍ରୀଲଙ୍କାର ହିନ୍ଦୁ ଅଧିବାସୀମାନେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କାର୍ତ୍ତିକ ଦୀପ ପ୍ରଜ୍ଜ୍ବଳନ କରନ୍ତି। ସାଧାରଣତଃ ମୁରୁଜଝୋଟି ବା ‘ରଙ୍ଗୋଲି’ ପକାଇ ତା’ ଉପରେ ଏହି ଦୀପ ଜଳାଯାଏ।
ଲକ୍ଷ୍ମୀଦୀପ: ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ଖୋଦିତ ଦୀପ ଲକ୍ଷ୍ମୀଦୀପ ନାମରେ ବିଦିତ। ଲକ୍ଷ୍ମୀଦୀପ ସହିତ ଅଷ୍ଟଲକ୍ଷ୍ମୀ ଦୀପ ବି ପ୍ରଜ୍ଜ୍ବଳନ କରାଯାଏ। ଏ ଦୀପ ଜାଳିଲେ ପ୍ରାପ୍ତ ହେଉଥିବା ଅାଠଟି ଉପକାର ହେଉଛି- ଧନଧାନ୍ୟ, ସାହସ, ସନ୍ତାନସନ୍ତତି, ଜ୍ଞାନ, ସଫଳତା, ପ୍ରସିଦ୍ଧି, ପାର୍ଥିବ ଓ ଐଶ୍ବୀ ସମ୍ପଦ ପ୍ରାପ୍ତି।
ବିଷ୍ଣୁଦୀପ: କେତେକ ରାଜ୍ୟରେ ବାମନରୂପୀ ଭଗବାନ ବିଷ୍ଣୁ ବଳିରାଜାଙ୍କୁ ପାତାଳପୁରୀକୁ ପେଷଣ କରିବା ସ୍ମୃତିରେ ଆଡ଼ମ୍ବର ସହକାରେ ବିଷ୍ଣୁଦୀପ ପର୍ବ ପାଳିତହୁଏ। ସେଦିନ ତେଲ ଦୀପ ଜାଳି ବାସଗୃହ ଓ ମନ୍ଦିରକୁ ସୁଶୋଭିତ କରାଯାଏ। ଏହା କାର୍ତ୍ତିକାୟୀ ଦୀପମ୍ ନାମରେ ବି ପରିଚିତ।
ଅଖଣ୍ଡଦୀପ: ଅଖଣ୍ଡଦୀପ ହେଉଛି ଭଗବାନ ଶ୍ରୀନିବାସଙ୍କ ପ୍ରତୀକ। ବିଧିମତେ ବାସଗୃହରେ ଏ ଦୀପ ଜଳାଯିବା ଉଚିତ। ଶ୍ରୀନିବାସଙ୍କ ଆସ୍ଥାନ ହୋଇଥିବାରୁ ଦୀପ ରଖାଯାଉଥିବା ସ୍ଥାନ ଅଥବା ପାତ୍ରଟି ଶୁଦ୍ଧପୂତ ହୋଇଥିବା ଆବଶ୍ୟକ। ଅଖଣ୍ଡଦୀପ ସଦାସର୍ବଦା ଉଚ୍ଚ ଦୀପରୁଖା ଉପରେ ରଖି ଜଳାଯାଏ।
ମହାଦୀପ: କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଉପରେ ପ୍ରଜ୍ଜ୍ବଳିତ ପ୍ରକାଣ୍ଡ ଦୀପକୁ ମହାଦୀପ କୁହାଯାଏ। ଏହାର ଆଲୋକ ବହୁ ଯୋଜନ ଦୂରରୁ ଦୃଶ୍ୟମାନ ହୋଇଥାଏ। ଅରୁଣାଚଳ ପର୍ବତରେ ଏହା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ।
ଦୁର୍ଗାଦୀପ: ଦୁରାତ୍ମା ଓ ନକାରାତ୍ମକତା ବିତାଡ଼ନ କରିବା ଲାଗି ଦୁର୍ଗାପୂଜା ସମୟରେ ଏହି ଦୀପ ଜଳାଯାଏ। କାଗଜିଲେମ୍ବୁକୁ ଧୋଇଧାଇ ପରିଷ୍କାରକରି ଦୁଇଫାଳକରି କାଟି ସେଥିରୁ ଶସ ବାହାର କରିଦିଆଯାଏ। ଏଥର ଦୀପ ସଦୃଶ ଦିଶୁଥିବା କାଗଜି ଚୋପା ଫାଳରେ ତେଲ ଓ ବଳିତା ଦିଆଯାଇ ଜଳାଯାଏ।ଦୁର୍ଗାଦୀପ ନାମରେ ବିଦିତ ଏ ଦୀପ ଜାଳିଲେ ପାଠ ଭଲହୁଏ, ବାହାଘର ପାଇଁ ଯୋଗ୍ୟ ପାତ୍ରପାତ୍ରୀ ମିଳନ୍ତି, ପରିବାର ସମୃଦ୍ଧ ହୁଏ ଓ ଜୀବନ ସୁସ୍ଥ ତଥା ନିରାମୟ ହୁଏ।
ଗଙ୍ଗାଦୀପ: ଗଙ୍ଗାନଦୀରେ ଭସାଯାଉଥିବା ଜ୍ବଳନ୍ତ ଦୀପମାଳା ଗଙ୍ଗାଦୀପ ନାମରେ ସୁପରିଚିତ। ପ୍ରିୟଜନଙ୍କ ସୁସ୍ବାସ୍ଥ୍ୟ ଓ ମଙ୍ଗଳ କାମନାକରି ପ୍ରଜ୍ଜ୍ବଳିତ ଗଙ୍ଗାଦୀପ ଭସାଯାଏ।
ଶିବଦୀପ : ଶିବଦୀପ ଠିକ୍ କାର୍ତ୍ତିକ ଦୀପ ପରି। କାର୍ତ୍ତିକ ମାସରେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ପ୍ରଜ୍ଜ୍ବଳିତ ଦୀପ ଉତ୍ସର୍ଗ କରାଯାଏ।
ପୂଜାଦୀପ: ଯଶ, ସମ୍ମାନ, ଜ୍ଞାନ ହାସଲ ଓ ବାସଗୃହରୁ ଅନ୍ଧକାର ଦୂର କରିବା ସକାଶେ ପୂଜାଦୀପ ଜଳାଯାଏ। ଏହି ତେଲଦୀପ ନକାରାତ୍ମକତା ଓ କୁଦୃଷ୍ଟି ଦୂରେଇ ରଖିବା ସହିତ ଘରେ ଆଲୋକ ଓ ସକାରାତ୍ମତା ବିସ୍ତାର କରେ।
ଦୀପ ପ୍ରଜ୍ଜ୍ବଳନ ପାଇଁ କେଉଁ ତେଲ ଭଲ
ପୂଜା ଓ ଅନ୍ୟାନ୍ୟ ମାଙ୍ଗଳିକ ଅନୁଷ୍ଠାନ ନିମନ୍ତେ ପ୍ରାଚୀନ ହିନ୍ଦୁ ଶାସ୍ତ୍ରରେ କେତେକ ତେଲ ନିର୍ଦ୍ଧାରଣ କରାଯାଇଛି। ସେ ସବୁ ତେଲର ନିଜସ୍ବ ତାତ୍ପର୍ଯ୍ୟ ଓ ଉପକାର ରହିଛି। ସେ ମଧ୍ୟରେ ରହିଛି ଗୁଆଘିଅ, ରାଶିତେଲ, ସୋରିଷତେଲ, ପଞ୍ଚଦୀପ ତେଲ ଇତ୍ୟାଦି।
ଗୁଆଘିଅ: ଦୀପ ଜାଳିବା ନିମନ୍ତେ ଉତ୍କୃଷ୍ଟ ହେଉଛି ପବିତ୍ର ବିବେଚିତ ଗୁଆଘିଅ। ଏଥିରେ ଦୀପ ପ୍ରଜ୍ଜ୍ବଳନ କଲେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଭାରସାମ୍ୟ ସମତୁଲ ହୋଇ ରହେ। ଅଗ୍ନିପୁରାଣ କହେ, ଘିଅଦୀପ ଶରୀରର ଶକ୍ତିକେନ୍ଦ୍ର କୁହାଯାଉଥିବା ଚକ୍ର ଓ ନାଡ଼ୀ ଶୋଧନ କରେ। ଘିଅଦୀପ ଜାଳିଲେ ସକାରାତ୍ମକ ତରଙ୍ଗ ଉତ୍ପନ୍ନ ହୋଇ ଦାରିଦ୍ର୍ୟ ଦୂରହୁଏ। ପାରିବାରିକ ସ୍ବାସ୍ଥ୍ୟ ଓ ସମ୍ପଦ କ୍ଷେତ୍ରରେ ଉନ୍ନତି ଘଟେ। ଗୁଆଘିଅରେ ସକାରାତ୍ମକ ଶକ୍ତି ରହିଛି ବୋଲି ବିଶ୍ବାସ କରାଯାଏ।
ରାଶିତେଲ: ଖସାତେଲ ଭାବେ ସୁପରିଚିତ ରାଶିତେଲ ଦୀପ ଜାଳିଲେ ଗ୍ରହାଦି ରିଷ୍ଟ ଖଣ୍ଡନ ହୋଇ ମାନବ କଲ୍ୟାଣ ସାଧିତ ହୁଏ। ଏହା ଦୁରାତ୍ମା ଦୂରୀକରଣ କରିବା ସହିତ ଜୀବନରୁ ସମସ୍ତ ବାଧାବିପତ୍ତି ହଟାଇଦିଏ। ବିଶେଷକରି ମନ୍ତ୍ରଜପ ଅଥବା ଭୈରବ ସାଧନା କରୁଥିବା ବ୍ୟକ୍ତିମାନେ ରାଶିତେଲ ଦୀପ ଜାଳନ୍ତି।
ସୋରିଷତେଲ: ବାସଗୃହରେ ସୋରିଷତେଲ ଦୀପ ଜାଳିବା ସାଧାରଣ କଥା। ଶନିଗ୍ରହଜନିତ ରିଷ୍ଟ ଖଣ୍ଡନକାରୀ ଭାବେ ସୋରିଷତେଲ ଦୀପର ବିଶେଷ ତାତ୍ପର୍ଯ୍ୟ ରହିଛି। ଏ ଦୀପ ଘରୁ ରୋଗବୈରାଗ ଦୂରୀଭୂତ କରେ ବୋଲି ଅନେକେ ବିଶ୍ବାସ କରନ୍ତି।
ପଞ୍ଚଦୀପ ତେଲ: ପଞ୍ଚଦୀପ ତେଲ ସମସ୍ତ ନକାରାତ୍ମକ ଓ କୁ-ତରଙ୍ଗ ସ୍ଥାଣୁ କରିଦିଏ ବୋଲି ବିଶ୍ବାସ ରହିଛି। ଗୃହକୁ ସୁ-ସ୍ବାସ୍ଥ୍ୟ, ସମ୍ପଦ, ସମୃଦ୍ଧି, ପ୍ରସିଦ୍ଧି ଓ ଜ୍ଞାନ ଆଣି ପଞ୍ଚତେଲ ଦୀପ ଅଶେଷ କଲ୍ୟାଣ ସାଧନ କରିଥାଏ। ପଞ୍ଚତେଲ ହେଉଛି- ଗୁଆଘିଅ, ମହୁଲତେଲ, ଜଡ଼ାତେଲ, ନିମତେଲ, ରାଶିତେଲ ବା ନଡ଼ିଆତେଲ।
ନଡ଼ିଆତେଲ: ଦକ୍ଷିଣ ଭାରତରେ ମୁଖ୍ୟତଃ ନଡ଼ିଆତେଲ ଦୀପ ଜଳାଯାଏ। ନଡ଼ିଆତେଲ ଦୀପ ଗଣେଶଙ୍କୁ ସନ୍ତୁଷ୍ଟ କରେ ବୋଲି ଦୃଢ଼ ଲୋକବିଶ୍ବାସ ରହିଛି।
ଦୈନିକ କେତୋଟି ଦୀପ ଜାଳିବା ଉଚିତ
ପୂଜା ନିମନ୍ତେ ଜଣେ ଦୈନିକ ଗୋଟିଏ କିଂବା ଦୁଇଟି ଦୀପ ଜଳାଇ ପାରିବେ। ଗୋଟିଏ ଦୀପରେ ଦୁଇଟି ବଳିତା ଲଗାଇବା ଉଚିତ। ଦୀପ ସିଧାସଳଖ ଭୂଇଁରେ ନ ରଖି ପିଲିସଜ ଉପରେ ରଖିବା ଉଚିତ। କାହିଁ କେଉଁକାଳରୁ ବାସଗୃହରେ ପିତ୍ତଳ, ରୁପା ଅଥବା ପୋଡ଼ାମାଟି ଦୀପ ବ୍ୟବହାର କରାଯାଇଆସୁଛି। ଏ ମଧ୍ୟରେ ସର୍ବୋତ୍ତମ ହେଉଛି ପୋଡ଼ାମାଟି ଦୀପ। ପିତ୍ତଳ ଦୀପ ବି ପୋଡ଼ାମାଟି ଦୀପ ପରି ବାସଗୃହ ପାଇଁ ଶୁଭଙ୍କର। ଆଜିକାଲି ଏହା ବହୁପ୍ରଚଳିତ।
କେଉଁ ଦିଗରେ ଦୀପ ଜାଳିବା ଉଚିତ
ଅଗ୍ନିତତ୍ତ୍ବ ଥିବାରୁ ଜ୍ବଳନ୍ତ ଦୀପ ପାଇଁ ସବୁଠୁ ଭଲ ହେଉଛି ପୂର୍ବ ଓ ଉତ୍ତର ଅଥବା ଉତ୍ତରପୂର୍ବ କୋଣ। ଦୀପ ପୂର୍ବମୁଖ ହୋଇ ଜଳିଲେ ସ୍ବାସ୍ଥ୍ୟ ଭଲ ରହେ, ଶାନ୍ତି ବିରାଜମାନ କରେ, ଆୟୁଷ ବଢ଼େ। ଏହାଦ୍ବାରା ବାଧାବିଘ୍ନ, ଦୁଃଖକ୍ଳେଶ ଦୂରହୁଏ। ଦୀପ ପଶ୍ଚିମମୁଖ ହୋଇ ଜଳିଲେ ସୌଭାଗ୍ୟ, ସମ୍ପଦ ଓ ସର୍ବାଙ୍ଗୀନ ଉନ୍ନତି ହୁଏ। କିନ୍ତୁ, କେତେକ କହନ୍ତି ପଶ୍ଚିମମୁଖ ଦୀପ ଅନିଷ୍ଟକାରୀ। ପରିବାରରେ ଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ ଏହା ବିବାଦ ସୃଷ୍ଟିକରେ। କିନ୍ତୁ, ପୂର୍ବ-ପଶ୍ଚିମ କୋଣମୁହାଁ ଦୀପ ସବୁ ଅନିଷ୍ଟ ଦୂରକରି ସମୃଦ୍ଧି ଆଣେ। ଶାସ୍ତ୍ର ମତରେ, ଦକ୍ଷିଣ ମୁଖକରି ଆଦୌ ଦୀପ ଜାଳିବା ଉଚିତ ନୁହେଁ। କାରଣ, ଦକ୍ଷିଣ ଦିଗ ମୃତ୍ୟୁ ଦେବତା ଯମଙ୍କର।