ଚେନ୍ନାଇ: କୁହାଯାଏ ମଣିଷ ଖାଲି ହାତରେ ଆସିଥାଏ.ଖାଲି ହାତରେ ଯାଏ। ମାତ୍ର ତାମିଲନାଡୁର ସବୁଠାରୂ ବୟସ୍କ ରାଜନେତା ଭାବେ ଗତ ୭ ତାରିଖରେ ମୃତ୍ୟୁବରଣ କରିଥିବା ଡିଏମକେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧି ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ସୃଷ୍ଟି କରିଛନ୍ତି। କରୁଣାନିଧି ନିଜ ରାଜନୈତିକ ଗୁରୁ ସିଏନ ଆନ୍ନାଦୁରାଇଙ୍କ ଠାରୁ ୫୦ ଦଶକରେ ପାଇଥିବା ଏକ ସୁନା ମୁଦିକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ଆଉ ତାଙ୍କର ଶେଷ ଇଛା ଥିଲା ତାଙ୍କ ମୃତଦେହ ସହିତ ଏହି ସୁନା ମୁଦିକୁ ମଧ୍ୟ କବର ଦିଆଯାଉ । ଆଉ ମେରିନା ବିଚ୍ରେ କରୁଣା ନିଧି ଅନ୍ୟ ସମସ୍ତ ପାର୍ଥିବ ସାମଗ୍ରୀ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ଦୀର୍ଘ ୫୯ ବର୍ଷ ଧରି ନିଜ ଅନାମିକା ଆଙ୍ଗୁଠିରେ ପିନ୍ଧୁଥିବା ଗୁରୁଙ୍କ ମୁଦିକୁ କିନ୍ତୁ ସାଙ୍ଗରେ ନେଇ ଯାଇଛନ୍ତି।
୧୯୫୯ ମସିହାରେ ଅନୁଷ୍ଠିତ ଚେନ୍ନାଇ କର୍ପୋରେସନ୍ ନିର୍ବାଚନରେ ଡିଏମକେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ଦଳ ଏହି ନିର୍ବାଚନରେ ୪୫ଟି ଆସନ ଜିଣିବା ସହିତ ଡିଏମକେର ଏ ପି ଅରଶୁ ଚେନାଇର ପ୍ରଥମ ମେୟର ହୋଇଥିଲେ।ଏହି ନିର୍ବାଚନରେ କରୁଣାନିଧିଙ୍କ ଅବଦାନକୁୁ ସମ୍ମାନ ଜଣାଇ ଦ୍ରାବିଡ଼ ରାଜନୀତିର ପିତାମହ ଭୀଷ୍ମ କୁହାଯାଉଥିବା ସିଏନ ଆନ୍ନାଦୁରାଇ ୧୯୫୯ ମସିହାରେ ଦ୍ରାବିଡ଼ ରାଜନୀତି ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତି ଏମ କରୁଣାନିଧିଙ୍କୁ ଏକ ସୁନା ମୁଦି ଉପହାର ଦେଇଥିଲେ। ସାଇଦାପେଟ୍ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ନିଜେ ଆନ୍ନାଦୁରାଇ ତାଙ୍କ ହାତରେ କରୁଣାନିଧିଙ୍କୁ ଏହି ମୁଦିିଟି ପିନ୍ଧାଇ ଦେଇଥିଲେ। ୧୯୫୯ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ହାତରୁ ଏହି ମୁଦିଟିକୁ କରୁଣାନିଧି କାଢ଼ି ନ ଥିଲେ।
ଏପରିକି ୨୦୧୬ ମସିହାରେ ଯେତେବେଳେ କାବେରୀ ହସ୍ପିଟାଲରେ କରୁଣାନିଧି ଚିକିତ୍ସିତ ହେଉଥିଲେ, ସେତେବେଳେ ମଧ୍ୟଏହି ମୁଦିଟିକୁ ସେ କାଢ଼ି ନ ଥିଲେ। ଆନ୍ନାଦୁରାଇଙ୍କ ପ୍ରତି କରୁଣାନିଧିଙ୍କ ଭଲପାଇବା ଓ ଭକ୍ତି ନେଇ ବେଶ ଭଲଭାବେ ଅବଗତ କରୁଣାନିଧିଙ୍କ ନିକଟ ସମ୍ପର୍କୀୟମାନେ କରୁଣାନିଧିଙ୍କୁ ସେହି ମୁଦି ସହିତ ସମାଧି ଦେବାକୁ ନିଷ୍ପତ୍ତି ନେଇଥିଲେ। ଆନ୍ନାଦୁରାଇଙ୍କ ଉପହାର ମୁଦି ସହିତ ଆନ୍ନାଦୁରାଇଙ୍କ କବରସ୍ଥଳ ନିକଟରେ ସବଦିନ ପାଇଁ କରୁଣାନିଧି ସମାଧି ପାଇଛନ୍ତି।