ସତରେ କ’ଣ ଇଚ୍ଛାଧାରୀ ନାଗୁଣୀ ଅଛନ୍ତି?
ଇଚ୍ଛାଧାରୀ ନାଗୁଣୀଙ୍କ ସମ୍ବନ୍ଧରେ ଆଦିମ କାଳରୁ ଅନେକ କାହାଣୀ ଶୁଣାଯାଏ। ତାହାକୁ ଆଧାର କରି ଆଧୁନିକ ସମୟରେ କେତେଗୁଡ଼ିଏ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହୀକ ମଧ୍ୟ ପ୍ରସ୍ତୁତ କରାଯାଇଛି। ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ଚେହେରା ସାପ ଭଳି ବୋଲି ଭାରତୀୟ ଲୋକକଥାରେ ବର୍ଣ୍ଣିତ। ବାସ୍ତବରେ ଏମାନେ ହେଉଛନ୍ତି ଯେ କୌଣସି ଜୀବରର ରୂପ ଧାରଣ କରୁଥିବା ବିଷଧର ସର୍ପ। କିନ୍ତୁ, ସେମାନେ ମଣିଷ ରୂପ ଧାରଣ କରିବାକୁ ଭଲ ପାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇଚ୍ଛାଧାରୀ ନାଗ ଗୋଟିଏ ମଣି ଧାରଣ କରିଥାଏ। ଏହି ମଣି କୁଆଡ଼େ ହୀରା ଠାରୁ ଅଧିକ ମୂଲ୍ୟବାନ। ଏହି ମଣି ଅପରହଣକାରୀଙ୍କ ଉପରେ ଅହନ୍ତା ରଖି ସର୍ପ ବହୁ ଲୋକଙ୍କୁ ଦଂଶନ କରି ମାରିଥିବା କଥା କିଂବଦନ୍ତିରୁ ଜଣା ଯାଏ। ନାଗ ନାଗୁଣୀଙ୍କ ଯୋଡ଼ିରୁ ଜଣକୁ ଯଦି କେହି ହତ୍ୟା କରେ ତା’ର ପ୍ରତିଶୋଧ ନେବାକୁ ଅନ୍ୟ ସର୍ପଟି ସେ ହତ୍ୟାକାରୀକୁ ଦଂଶନ କରିଥାଏ।
ପୋଥିରେ ବର୍ଣ୍ଣିତ ୯ଟି ପବିତ୍ର ମଣିରୁ ନାଗ ମଣି ଗୋଟିଏ। ଏହା କେମିତି ସୃଷ୍ଟି ହୁଏ ସେ କଥା ମଧ୍ୟ ବର୍ଣ୍ଣନା କରାଯାଇଛି। ସ୍ୱାତୀ ନକ୍ଷତ୍ର ଦିନ ଅହିରାଜ ପାଟିରେ ବର୍ଷା ଟୋପା ପଡ଼ିଲେ ମଣି ସୃଷ୍ଟି ହୁଏ। ପୃଥିବୀରେ ଶହେ ବର୍ଷ ବଞ୍ଚି ରହିଥିବା ଅହିରାଜଙ୍କ ଠାରେ ହିଁ ମଣି ସୃଷ୍ଟି ହୋଇଥାଏ। ଏହି ମଣି ସୃଷ୍ଟି ହେବା ମାତ୍ରେ ସେ ସର୍ପ କୁହୁକୀୟ କ୍ଷମତାର ଅଧିକାରୀ ହୋଇ ଯେ କୌଣସି ରୂପ ଧାରଣ କରି ପାରେ।
ନାଗମଣି ହେଉଛି ନୀଳାଭ ଆଲୋକ ଥିବା ଚନ୍ଦ୍ର ଭଳି ମୁକ୍ତା। ଏହାରି ଆଲୋକରେ ସର୍ପ ଅନ୍ଧକାରରେ ଶିକାର ଖୋଜେ। ଏ ମଣି ରଖିଲେ ଧନଧାନ୍ୟ ବଢ଼ିବା ସହ ସମସ୍ତ ଇଚ୍ଛା ପୂରଣ ହେବା ପରି ସୌଭାଗ୍ୟ ମିଳିଥାଏ। ଅହିରାଜ ଠାରୁ ସେ ମଣି ଘେନି ଆସିଲେ ତା’ର ମୃତ୍ୟୁ ଘଟିଥାଏ।
ବିଭିନ୍ନ ପ୍ରକାରର ନାଗ ମଣି ଅଛି। ସେଗୁଡ଼ିକୁ ସର୍ପଶିଳା ବା ସର୍ପମୁକ୍ତା ବୋଲି କୁହାଯାଏ। ନାଗମଣିର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମୁକ୍ତାର ରଙ୍ଗ ହଳଦିଆ, ମହୁଆସିଆ, ଫକା ଶାଗୁଆ, ଲାଲ୍ ଏବଂ ଧଳା।
ଅଗ୍ନି ପୁରାଣ ଅନୁସାରେ, ପୃଥିବୀ ତଳେ ପାତାଳ ଲୋକ ଅଛି। ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଏବଂ ପାତାଳ ଆଦି ସାତଟି ଲୋକ ରହିଛି ପାତାଳ ଲୋକରେ। ସେଠାରେ ବସବାସ କରନ୍ତି ଦୈତ୍ୟ ଏବଂ ଦାନବକୁଳ। ସେଠାରେ ଶେଷନାଗ ରୂପରେ ବିଷ୍ଣୁ ମଧ୍ୟ ରହିଛନ୍ତି। ଫଣାରେ ପୃଥ୍ଵୀକୁ ଉଠାଇ ରଖିଛନ୍ତି ଶେଷନାଗ।
ବାୟୁ ପୁରାଣ ଅନୁସାରେ, ପାତାଳରେ ରହନ୍ତି ରାକ୍ଷସମାନେ। ଅଳତ ଲୋକକୁ ଶାସନ କରନ୍ତି ନାମୁଚି, ସୁତଳ ଲୋକକୁ ଶାସନ କରନ୍ତି ମହାଜାମ୍ଭ ରାକ୍ଷସ, ଶ୍ରୀତଳ ଲୋକର ଶାସକ ହେଉଛନ୍ତି ପ୍ରହଲ୍ଲାଦ ନାମକ ରାକ୍ଷସ, ଗର୍ଭସ୍ଥଳ ଲୋକର ଶାସକ କାଳନେମୀ ରାକ୍ଷସ, ମହାତଳର ରାଜା ବିରୋଚନ ରାକ୍ଷସ, ଶ୍ରୀତଳ ଲୋକର ଅଧିକାରୀ ହେଉଛନ୍ତି କେଶରୀ ରାକ୍ଷସ ଏବଂ ପାତାଳ ଲୋକର ରାଜା ବଳି ରାକ୍ଷସ।
ସର୍ପରାଜ ବାସୁକୀ ବାସ କରନ୍ତି ଶ୍ରୀତଳ ଲୋକରେ ଏବଂ ପାତାଳରେ ବାସ କରନ୍ତି ଶେଷନାଗ। ସେ ଦକ୍ଷଙ୍କ ଝିଅ କଦ୍ରୁ ଏବଂ କଶ୍ୟପ ଋଷିଙ୍କ ପୁତ୍ର। ତାଙ୍କୁ ଅନନ୍ତ ବୋଲି ମଧ୍ୟ କୁହାଯାଏ। ତାଙ୍କର ଆଖି ଲାଲ୍ ପଦ୍ମ ରଙ୍ଗର। ତାଙ୍କର ଶରୀର ଶୁଭ୍ର ଏବଂ ସେ ନୀଳ ବସ୍ତ୍ର ପରିଧାନ କରନ୍ତି। ପ୍ରଭାରେ ଝଲସୁଥାଏ ତାଙ୍କର ସହସ୍ର ଫଣା।
କିଂବଦନ୍ତୀ କହେ, ସାପୁଆ କେଳାମାନେ ବ୍ୟବହାର କରୁଥିବା ତୁମ୍ବା ବଜାଇ ସାପଙ୍କୁ ବଶ କରି ହୁଏ। କିନ୍ତୁ ଏହା ପ୍ରମାଣ ଦ୍ୱାରା ସିଦ୍ଧ କରାଯାଇ ପାରି ନାହିଁ।
ଚଳଚ୍ଚିତ୍ରରେ ଦେଖିବା ପରି ଆଜିକାଲି କ’ଣ ଇଚ୍ଛାଧାରୀ ନାଗ ନାଗୁଣୀ ଅଛନ୍ତି? କୁହାଯାଏ ଏବେ ମଧ୍ୟ ଆମ ଦେଶରେ ବିଷକନ୍ୟା ଅଛନ୍ତି। ଆକ୍ରମଣକାରୀ କବଳରୁ ରକ୍ଷା ପାଇବା ପାଇଁ ସେମାନେ ଦଂଶନ କରନ୍ତି। ସେମାନଙ୍କ ବିଷ ଏଡ଼େ ଉତ୍କଟ ଯେ ସେମାନେ ଦଂଶନ କଲା ମାତ୍ରେ ହିଁ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥାଏ। ଶୁଣାଯାଏ ଏହି ନାରୀମାନେ ଆତ୍ମରକ୍ଷା ପାଇଁ ନିଜ ପାଖରେ ବିଷବୋଳା ଯାଇଥିବା ଧାରୁଆ ଅସ୍ତ୍ର ରଖି ଥାଆନ୍ତି।