ଆଜିକାଲି କାନ ପାଚିବା ଓ ପୂଯ ବାହାରି ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଉଛି। ଏହାର କାରଣ ଓ ପ୍ରାଥମିକ ଚିକିତ୍ସା କ’ଣ?
ଶିଶୁଙ୍କଠାରୁ ନେଇ କିଶୋର ବୟସ ପର୍ଯ୍ୟନ୍ତ ପିଲାଙ୍କର କାନ ପାଚିବା ଓ ପୂଯ ହୋଇ ଯନ୍ତ୍ରଣା ହେବା ଦେଖାଯାଏ। ପ୍ରାପ୍ତ ବୟସ୍କ ଲୋକଙ୍କଠାରେ ମଧ୍ୟ ଏହି ରୋଗ ଦେଖା ଯାଇଥାଏ। ଏହାର ବିଭିନ୍ନ କାରଣ ରହିଛି। ଗାଧୋଇବା ସମୟରେ ଅସାବଧାନତା ହେତୁ କାନରେ ପାଣି ପଶିଯିବା ଓ ଅନ୍ୟାନ୍ୟ ସଂକ୍ରମଣ କାରଣରୁ ଏହି ରୋଗ ହୋଇଥାଏ। ଥଣ୍ଡା ଜନିତ କାରଣରୁ ମଧ୍ୟ କାନବିନ୍ଧା ହୋଇଥାଏ। ତେବେ ଏହି ଯନ୍ତ୍ରଣାର ପ୍ରକୃଷ୍ଟ ଚିକିତ୍ସା ନ ହେଲେ ଧୀରେ ଧୀରେ ଶ୍ରବଣଶକ୍ତି ହ୍ରାସ ପାଏ। ଡାକ୍ତରଙ୍କ ବିନା ପରାମର୍ଶରେ ନାକ କିମ୍ବା କାନରେ ଔଷଧ ପକାଇବା ଅନୁଚିତ।
ଅନେକ ସମୟରେ ପିଲାମାନଙ୍କର ଥ୍ରୋଟ୍ ଇନ୍ଫେକ୍ସନ୍ ହୋଇଥାଏ। ଲୋକେ ଆଣ୍ଟି-ବାୟୋଟିକ୍ କିଣି ଖାଇଦିଅନ୍ତି। ଏଥିରେ ବିପଦ ରହିଛି କି?
କୌଣସି ରୋଗରେ ଆଣ୍ଟି-ବାୟୋଟିକ୍, ଆଣ୍ଟି-ଆଲର୍ଜି କିମ୍ବା ଅନ୍ୟ କୌଣସି ଔଷଧ ଡାକ୍ତରଙ୍କ ପରାମର୍ଶ ବିନା ଖାଇବା ଅନୁଚିତ। ପ୍ରତ୍ୟେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ତଣ୍ଟି ଦରଜ ହେଲେ ପ୍ରଥମେ ଉଷୁମ ଲୁଣ ପାଣି ଘଡ଼ଘଡ଼ (ଗାର୍ଗଲିଂ) କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। ବିଭିନ୍ନ ସମୟରେ ଛତୁ ଭଳି କେତେକ ପନିପରିବା ତଣ୍ଟିରେ ଫଙ୍ଗାଲ୍ ଇନ୍ଫେକ୍ସନ୍ କରିଥାଏ। ସେତେବେଳେ ଯଦି ରୋଗୀ ଆଣ୍ଟି-ବାୟୋଟିକ୍ ଖାଇଦେବ ତେବେ ତାହା ବିପଜ୍ଜନକ ହୋଇପାରେ। ତଣ୍ଟି ଦରଜ ହେବାର କାରଣ ସବୁବେଳେ ଥଣ୍ଡା ସର୍ଦ୍ଦି ରୋଗ ନୁହେଁ।
ବେଳେବେଳେ ଥଣ୍ଡା ବହୁଦିନ ଧରି ଲାଗିରହିଥାଏ ଏବଂ ନାକର ହାଡ଼ ବଢ଼ିଥାଏ ବୋଲି ଜଣାପଡ଼େ। ଏଭଳି କ୍ଷେତ୍ରରେ ଆପଣଙ୍କ ପରାମର୍ଶ କ’ଣ?
ଦେଖନ୍ତୁ ବହୁଦିନ ଥଣ୍ଡା ଲାଗିରହିବା ବିଭିନ୍ନ କାରଣରୁ ହୋଇଥାଏ। ଆଲର୍ଜି ଯଦିଓ ଏକ କାରଣ କିନ୍ତୁ ଡାକ୍ତର ରୋଗୀକୁ ନ ଦେଖିବା ପର୍ଯ୍ୟନ୍ତ କୌଣସି ଅନୁମାନ ଲଗାଯାଇ ପାରିବ ନାହିଁ। ଯଦି ନାକର ହାଡ଼ ବଢ଼ିଥାଏ ତେବେ ଜଣେ ନାସା-ଗଳା-କର୍ଣ୍ଣ ବିଶେଷଜ୍ଞ (ଇ.ଏନ୍.ଟି ସ୍ପେସିଆଲିଷ୍ଟ୍) ଡାକ୍ତର ଦେଖିବା ପରେ ଚିକିତ୍ସା କରାଯାଇଥାଏ।
ଆଜିକାଲି କରାଯାଉଥିବା ମୁଣ୍ଡ ଓ ବେକ ଅସ୍ତ୍ରୋପଚାର କେତେ ନିରାପଦ?
ଅସ୍ତ୍ରୋପଚାର ବା ସର୍ଜରି ସବୁବେଳେ ରୋଗୀକୁ ଭୟଭୀତ କରିଥାଏ। ତେବେ ଆଜିକାଲି ପ୍ରାୟତଃ ଏହିସବୁ ଚିକିତ୍ସା ପାଇଁ ଏନ୍ଡୋସ୍କୋପିକ୍ ଓ ରୋବଟିକ୍ ସର୍ଜରି ହେଉଛି। ଏହା ଖୁବ୍ କମ୍ ସମୟ ନେଇଥାଏ ଓ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ।
ନାସା-ଗଳା-କର୍ଣ୍ଣ ସଂକ୍ରମଣ କିମ୍ବା ରୋଗ ଭୋଗୁଥିବା ରୋଗୀଙ୍କ ପାଇଁ କ’ଣ ସାଧାରଣ ପରାମର୍ଶ ଦେବେ?
ସାଧାରଣ ଭାବେ କାନରେ କିଛି ସମସ୍ୟା ହେଲେ ଦୋକାନରୁ ଡ୍ରପ୍ସ କିଣି କାନରେ ପକାଇଦେଉ କିମ୍ବା କାନବିନ୍ଧା ହେଲେ ଯନ୍ତ୍ରଣା ନିବାରକ ଔଷଧ ଖାଇଦେଉ। ଏହା କିନ୍ତୁ ଠିକ୍ ନୁହେଁ। ବେଳେବେଳେ କାନରେ ଫଙ୍ଗାଲ୍ ଇନ୍ଫେକ୍ସନ୍ ହୋଇଥାଏ, ସେତେବେଳେ ଜାଣି ନପାରି ଔଷଧ ଖାଇବା ଓ ପକାଇବା ଦ୍ୱାରା ରୋଗୀ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଥାଏ। ପୁଣି ଅନେକ ସମୟରେ କୌଣସି ଘା’ କିମ୍ବା ରୋଗ ଦୀର୍ଘ ସମୟ ଧରି ରହିଲେ କ୍ୟାନ୍ସର୍ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ତେଣୁ ଏଭଳି କିଛି ସମସ୍ୟା ଥିଲେ ଇ.ଏନ୍.ଟି ବିଶେଷଜ୍ଞଙ୍କ ସହିତ ଯଥାଶୀଘ୍ର ପରାମର୍ଶ କରିବା ଉଚିତ।
‘ଡାକ୍ତରଙ୍କୁ ନ ପଚାରି ନାକ କିମ୍ବା କାନରେ ଔଷଧ ପକାଇବା ଅନୁଚିତ’
ଶିଶୁଙ୍କଠାରୁ ନେଇ କିଶୋର ବୟସ ପର୍ଯ୍ୟନ୍ତ ପିଲାଙ୍କର କାନ ପାଚିବା ଓ ପୂଯ ହୋଇ ଯନ୍ତ୍ରଣା ହେବା ଦେଖାଯାଏ। ପ୍ରାପ୍ତ ବୟସ୍କ ଲୋକଙ୍କଠାରେ ମଧ୍ୟ ଏହି ରୋଗ ଦେଖା ଯାଇଥାଏ। ଏହାର ବିଭିନ୍ନ କାରଣ ରହିଛି।
/sambad/media/media_files/2024/11/13/GHTwSKvjbctYS6nn4HUG.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)